ବିଚାରକ

 

 

 

 

 

 

 

 

ବିଚାରକ

ମୂଳ ବଙ୍ଗଳା : ତାରାଶଙ୍କର

 

ଅନୁବାଦକ

ବସନ୍ତ କୁମାରୀ ଦେବୀ

 

ଉତ୍ସର୍ଗ

 

ଜ୍ଞାନପୀଠ ପୁରସ୍କାର ବିଜେତା, ବିଖ୍ୟାତ ବଙ୍ଗୀୟ ଔପନ୍ୟାସିକ ସ୍ୱର୍ଗୀୟ ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କ ପୁତ୍ରବଧୂ ଶ୍ରୀମତୀ ଗୌରୀଦେବୀଙ୍କ କରକମଳରେ–

 

ଯାହାଙ୍କ ସ୍ନେହଭରା ଉତ୍ସାହ ଓ ପ୍ରେରଣା ବଳରେ ‘ବିଚାରକ’ର ଓଡ଼ିଆ ଭାଷାରେ ଆତ୍ମପ୍ରକାଶ ସମ୍ଭବ ହୋଇଛି ।

 

ବସନ୍ତ କୁମାରୀ

Image

 

ବିଚାରକ

(୧)

 

ଅଦାଲତରେ ଫୌଜଦାରୀ ମକଦ୍ଦମା ଚାଲିଥିଲା । ମକଦ୍ଦମା ସେହିକ୍ଷଣି ଆରମ୍ଭ ହୋଇଥାଏ ।

 

ମଫସଲର ଫୌଜଦାରୀ ଅଦାଲତ । ପଶ୍ଚିମ ବଙ୍ଗଳାର ପଶ୍ଚିମ-ଦିଗରେ ଗୋଟିଏ ଛୋଟ ଜିଲ୍ଲା । ଜିଲ୍ଲାଟି ସାଧାରଣତଃ ଶାନ୍ତ । ହଣାକଟା, ଦଙ୍ଗାଗଣ୍ଡଗୋଳ ପ୍ରାୟ ହୁଏ ନାହିଁ । ମଝିରେ ମଝିରେ ଯେଉଁ ଦୁଇ ତିନିଟା ଦଙ୍ଗା ବା ମୁଣ୍ଡ ଫଟାଫଟି ଘଟେ, ତାହା ଏହି କୃଷିପ୍ରଧାନ ଅଞ୍ଚଳଟିରେ ଚାଷବାସ ନେଇ ହୋଇଥିବା ଗଣ୍ଡଗୋଳରୁ ଉଦ୍ଭବ ହୁଏ । କେବେ କେବେ ଦି’ଚାରିଟା ଦଙ୍ଗା ବା ମରାପିଟା ନାରୀଘଟିତ ଆଇନ୍‌ର ଘଟଣାକୁ ନେଇ ଘଟିଥାଏ । ଅଧିକାଂଶ ନିମ୍ନ-ଅଦାଲତର ସୀମାରେ ହିଁ ସମାପ୍ତ ହୋଇଯାଏ; କ୍ୱଚିତ୍‌ ଦି’ଚାରିଟା ଆଇନ୍‌ର ଜଟିଳତାରେ ପଡ଼ି ନିମ୍ନ-ଅଦାଲତର ବେଢ଼ା ଡେଇଁ ଫୌଜଦାରୀ ଅଦାଲତ-ସୀମାରେ ଆସି ଉପସ୍ଥିତ ହୁଏ । ଯେପରି ସାଧାରଣ ଚୋରି; କିନ୍ତୁ ଚୋର ହେଉଛନ୍ତି ପାଞ୍ଚଜଣ–ସୁତରାଂ ଡକେଇତିର ପର୍ଯ୍ୟାୟରେ ପଡ଼ି ଜଜ୍‌-ଅଦାଲତର ପରିବେଶଟିକୁ ଜଟିଳ କରିପକାଏ । ଚାଷ ଘଟଣାରେ ସେଚ-ଜଳ ନେଇ ମରାପିଟା, ଆଘାତଟି ବଡ଼ ଜୋର୍‌ରେ ମୁଣ୍ଡ ଫଟାଫଟି; କିନ୍ତୁ ଦୁଇପକ୍ଷର ଲୋକଙ୍କ ସଂଖ୍ୟାଧିକ୍ୟ ପାଇଁ ‘ରାଏଟି’ର ଚାର୍ଜ ହେତୁ ଫୌଜଦାରୀ ଅଦାଲତରେ ଆସି ପହଞ୍ଚେ । ଏହି କାରଣରୁ ଜିଲ୍ଲାଟି ସରକାରୀ ଦପ୍ତରରେ ବିଶ୍ରାମ-ଜିଲ୍ଲା ବୋଲି ଗଣାହୁଏ ଓ କର୍ମଭାରପୀଡ଼ିତ କର୍ମଚାରୀମାନଙ୍କୁ ବିଶ୍ରାମର ସୁଯୋଗ ଦେବାପାଇଁ ଏହି ଜିଲ୍ଲାକୁ ପଠାହୁଏ । କିନ୍ତୁ ବର୍ତ୍ତମାନର ମକଦ୍ଦମାଟି ଗୋଟିଏ ଜଟିଳ ଫୌଜଦାରୀ ମକଦ୍ଦମା ।

 

ହତ୍ୟା ମକଦ୍ଦମା । ଅଦାଲତରେ ଲୋକଙ୍କ ଭିଡ଼ ଜମିଛି । ମକଦ୍ଦମାଟି ଖାଲି ଖୁନ୍‌ ନୁହେଁ, ବିଚିତ୍ର ଖୁନ୍‌ର ମକଦ୍ଦମା ।

 

ଅଶୋକ-ସ୍ତମ୍ଭଖଚିତ ପ୍ରତୀକର ତଳେ ବିଚାରକ ଆସନରେ ସ୍ତବ୍‌ଧ ହୋଇ ବସିଥିଲେ ଜ୍ଞାନେନ୍ଦ୍ରନାଥ । ଅଚଞ୍ଚଳ, ସ୍ଥିର, ନିରାସକ୍ତ ମୁହଁ, ଚକ୍ଷୁର ଦୃଷ୍ଟି ଅପଲକ । ସେ ଦୃଷ୍ଟି ସମ୍ମୁଖକୁ ପ୍ରସାରିତ; କିନ୍ତୁ କାହାରି ଉପରେ ନିବଦ୍ଧ ନୁହେଁ । ସାମନାରେ କୋର୍ଟ ରୁମ୍‌ର ଡାହାଣପଟ ପ୍ରଶସ୍ତ ଦ୍ୱାରଟିର ସେପଟେ ଲୋକଙ୍କ ଯିବାଆସିବା ଚାଲିଛି । ବାରଣ୍ଡା ତଳକୁ କୋର୍ଟ କମ୍ପାଉଣ୍ଡ୍‌ ଭିତରେ ଶ୍ରାବଣର ମେଘାଚ୍ଛନ୍ନ ଆକାଶର ଝିପିଝିପି ବର୍ଷା ବା ଦେବଦାରୁ ଗଛଟିର ପତ୍ରପଲ୍ଲବରେ ବର୍ଷଣ-ସିକ୍ତ ପବନର ଆଲୋଡ଼ନ, ସବୁକିଛି ଯେପରି ଘଷା-କାଚ ସେପଟର ଛବି ପରି ଅସ୍ପଷ୍ଟ ହୋଇଯାଇଛି । ଗୋଟିଏ ଆକାର ଅଛି, ଜୀବନ-ସ୍ପନ୍ଦନର ଇଙ୍ଗିତ ଅଛି; କିନ୍ତୁ ତା’ର ଆବେଦନ ନାହିଁ, ବନ୍ଦ ଝରକାର ଘଷା-କାଚର ଆବରଣ ଯୋଗୁଁ ସେପଟେ ହିଁ ହଜିଯାଇଛି । ସରକାରୀ ଓକିଲ ପ୍ରାରମ୍ଭିକ ବକ୍ତୃତାରେ ଘଟଣା ପରେ ଘଟଣା ସଜେଇ ମକଦ୍ଦମାଟିର ଆନୁପୂର୍ବିକ ବିବରଣୀ ବର୍ଣ୍ଣନା କରିଯାଉଥିଲେ । ଜ୍ଞାନେନ୍ଦ୍ରବାବୁଙ୍କ ଦୃଷ୍ଟି ମନର ପଟ୍ଟଭୂମିରେ ସେହି ଘଟଣାଗୁଡ଼ିକୁ ଗୋଟିକ ପରେ ଗୋଟିକୁ ତୁଳିରେ ଆଙ୍କିଚାଲିଥିଲା । କ୍ୱଚିତ୍‌ କେତେବେଳେ ସାମନା ଟେବୁଲ୍‌ ଉପରେ ପ୍ରସାରିତ ତାଙ୍କ ଡାହାଣ ହାତଟିରେ ଧରାହୋଇଥିବା ପେନ୍‌ସିଲଟି ଘୂରି ଘୂରି ଉଠୁଥିଲା ଅଥବା ଅତ୍ୟନ୍ତ ମୃଦୁ ଆଘାତ କରୁଥିଲା; ତାହା ମଧ୍ୟ ଅତି ବେଶିହେଲେ ଗୋଟାଏ ମିନିଟ୍‌ ପାଇଁ କେବଳ ।

 

ପ୍ରବୀଣ ଗମ୍ଭୀର ମଣିଷ । ବୟସ ଷାଠିଏ ତଳକୁ । ଗୌରବର୍ଣ୍ଣ, ସୁପୁରୁଷ, ସବଳ କର୍ମଠ ଦେହ; କିନ୍ତୁ ମୁଣ୍ଡର ବାଳଗୁଡ଼ିକ ସବୁ ଧଳା ହୋଇଯାଇଛି । ପରିଚ୍ଛନ୍ନ ଭାବରେ କ୍ଷୌର କରାଯାଇଥିବା ଗୌରବର୍ଣ୍ଣ ମୁହଁଟିରେ ନାକର ଦୁଇପାଖରେ ଦୁଇଟି ଏବଂ ଚଉଡ଼ା କପାଳରେ ଧାଡ଼ି ଧାଡ଼ି କେତୋଟି ରେଖା ତାଙ୍କର ସାରା ଶରୀରରେ ଯେପରି ଏକ କ୍ଳାନ୍ତ ବିଷଣ୍ଣତାର ଛାୟା ପକାଇଛି । ଲୋକେ, ବିଶେଷତଃ ଓକିଲମାନେ–ଯେଉଁମାନେ ତାଙ୍କ ଚାକିରି-ଜୀବନର ଇତିହାସ କଥା ଜାଣନ୍ତି–କହନ୍ତି, ଅତିମାତ୍ରାରେ ଚିନ୍ତା କରିବାର ଫଳ ହେଉଛି ଏହା । ମୁନ୍‌ସିଫ୍‌ରୁ ଜ୍ଞାନେନ୍ଦ୍ରବାବୁ ଆଜି ଜଜ୍‌ ହୋଇଛନ୍ତି, ସେହିପରି ଅନେକେ ହୁଅନ୍ତି; କିନ୍ତୁ ତାଙ୍କ ଜୀବନରେ ଲେଖାଯାଇଥିବା ଯେତେ ରାୟ ଅପିଲ୍‌ର ଅଗ୍ନିପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛି, ସେତେ ଆଉ କାହାର ହୋଇଛି ବୋଲି ସେମାନେ ଜାଣନ୍ତି ନାହିଁ । ବିଶେଷତଃ ଏ କାଳରେ ରାୟ ଲେଖିବା ପାଇଁ ଏତେ ଚିନ୍ତାକରିବା କଥା ସେମାନେ ଶୁଣିନାହାନ୍ତି । ଖାଲି ତା’ ନୁହେଁ, ତାଙ୍କର ଚିନ୍ତାଶକ୍ତିର ଗଭୀରତା କୁଆଡ଼େ ବିସ୍ମୟକର । ପ୍ରମାଣ, ପ୍ରୟୋଗ, ସାକ୍ଷ୍ୟ, ଜେରାର ଗଭୀରତା ଭିତରେ ବୁଡ଼ିଯାଇ ସେ ତାହାର ଏହିପରି ତତ୍ତ୍ୱକୁ ଆବିଷ୍କାର କରନ୍ତି ଯେ ସବୁକିଛିର ସାଧାରଣ ଅର୍ଥ ଓ ତଥ୍ୟର ସତ୍ୟ ଆମୂଳ ପରିବର୍ତ୍ତିତ ହୋଇଯାଇ ବିପରୀତ ଭାବରେ ଠିଆହୁଏ । ଖାଲି ତା’ ନୁହେଁ–ଅପରାଧ କ୍ଷେତ୍ରରେ ବିଚାରରେ ସେ କ୍ଷମାହୀନ । ନିଜସ୍ୱ ତୁଳା-ଦଣ୍ଡଟିଏ ହାତରେ ଧରି ସେ କ୍ଷୁରଧାର ଉପରେ ପଦକ୍ଷେପ କରି ଶେଷ ପ୍ରାନ୍ତକୁ ଆସି ତୁଳାଦଣ୍ଡଟିର ଆଧାରରେ ଯେଉଁ ଆଧେୟଟି ଜମିଉଠିଥାଏ ତାହାକୁ ଅକମ୍ପିତ ହାତରେ ବଢ଼ାଇ ଦିଅନ୍ତି, ତାହା ବିଷ ହୋଇଥାଉ ବା ଅମୃତ ହିଁ ହୋଇଥାଉ ।

 

(୨)

 

କର୍ମକ୍ଳାନ୍ତ ଜ୍ଞାନେନ୍ଦ୍ରନାଥ କେବଳ ବିଶ୍ରାମ ନେବାପାଇଁ ଏହି ଛୋଟ ଓ ଶାନ୍ତ ଜିଲ୍ଲାଟିକୁ ଅଳ୍ପ କେତେମାସ ହେଲା ଆସିଛନ୍ତି । ୟାରି ଭିତରେ ଓକିଲ ଓ ଅମଲା ମହଲରେ ନାନା ଗୁଜବ ରଚନା ହୋଇଗଲାଣି । ଜ୍ଞାନେନ୍ଦ୍ରନାଥଙ୍କ ଅର୍ଦ୍ଦଳିଟି ନୂଆ ଅମଳର ଟୋକାଟିଏ, ଏପଟେ ମାଟ୍ରିକ୍‌ ଫେଲ୍‌ । କୌତୂହଳୀ ଓକିଲ ଓ ଅମଲାମାନେ ତାକୁ ନାନାପ୍ରକାର ପ୍ରଶ୍ନ ପଚାରନ୍ତି । ସାଧାରଣତଃ ଜ୍ଞାନେନ୍ଦ୍ରନାଥ ଅଦାଲତ ଓ ନିଜ କୋଠି ଭିତରେ ହିଁ ଆବଦ୍ଧ ଥାଆନ୍ତି । କ୍ଳବ୍‌ର ସଭ୍ୟ ସୁଦ୍ଧା ହୋଇନାହାନ୍ତି । ଏଥିପାଇଁ ଉଚ୍ଚପଦସ୍ଥ କର୍ମଚାରୀ ମହଲରେ ମଧ୍ୟ ଗବେଷଣାର ଅନ୍ତ ନଥିଲା ! ଏ ପ୍ରସଙ୍ଗରେ ସେମାନେ କହନ୍ତି–ଜ୍ଞାନେନ୍ଦ୍ରନାଥ କୁଆଡ଼େ କୁହନ୍ତି ଯେ, ତାଙ୍କ ସ୍ତ୍ରୀ ଆଉ ବହି ଏ ଦୁଇଟି ହେଉଛନ୍ତି ତାଙ୍କର ସର୍ବୋତ୍ତମ ବନ୍ଧୁ । ଆଉ ଅନ୍ୟ ବନ୍ଧୁ ସେ କାମନା କରନ୍ତି ନାହିଁ !

 

ତାଙ୍କ ବିଷୟରେ ଅନେକପ୍ରକାର ପ୍ରବାଦ ଶୁଣାଯାଏ । କିଏ କହେ, ସେ ଶୁଚିବାଇ-ଗ୍ରସ୍ତ ବାହ୍ମ । କିଏ କହେ, ସେ ପୂରା ନାସ୍ତିକ । କିଏ କହେ, ଲୋକଟା ତା’ ଜୀବନରେ କେବଳ ଚାକିରିଟିକୁ ହିଁ ଜାଣିଛି । କିଏ କହେ, ଠିକ୍‌ ଚାକିରି ନୁହେଁ, ଖାଲି ଆଇନ୍‌କୁ ହିଁ ଜାଣିଛି । ପାପ-ପୁଣ୍ୟ, ସତ୍‌-ଅସତ୍‌, ଧର୍ମ-ଅଧର୍ମ, ଏସବୁ ତାଙ୍କ ନିକଟରେ କିଛି ନାହିଁ; ଅଛି ଖାଲି ଆଇନାନୁମୋଦିତ ଆଉ ବେଆଇନ୍‌ । ଇଂରାଜୀରେ ଯାହାକୁ କହନ୍ତି–ଲିଗଲ୍‌ ଓ ଇଲ୍ଲିଗଲ୍‌ ।

 

ତାଙ୍କ ସ୍ତ୍ରୀ ସୁରମା ଦେବୀ ମଧ୍ୟ ଜଜ୍‌ଙ୍କ ଝିଅ । ବାପା ଜଷ୍ଟିସ୍‌ ଚାଟାର୍ଜୀ ନାମଜାଦା ବିଚାରକ । ବର୍ତ୍ତମାନ ସୁଦ୍ଧା ଲୋକେ ତାଙ୍କୁ ମନେପକାନ୍ତି । ବାରିଷ୍ଟରରୁ ଜଜ୍‌ ହୋଇଥିଲେ । ସୁରମା ଦେବୀ ଶିକ୍ଷିତା ମହିଳା । ଏକସମୟରେ ସୁରମା ଦେବୀ ଅପରୂପ ସୁନ୍ଦରୀ ଥିଲେ । ଏବେ ବି ସେ ସୌନ୍ଦର୍ଯ୍ୟ ମ୍ଳାନ ହୋଇନାହିଁ । ନିଃସନ୍ତାନ ସୁରମା ଦେବୀଙ୍କୁ ପରିଣତ ବୟସର ଯୁବତୀ ବୋଲି ଭ୍ରମହୁଏ ଏବେ ମଧ୍ୟ । ଏହି ସୁରମା ଦେବୀ ସୁଦ୍ଧା ଯେପରି ତାଙ୍କୁ ଠିକ୍‌ରୂପେ ବୁଝିପାରନ୍ତିନାହିଁ ।

 

ଜଜ୍‌ ସାହେବଙ୍କ ଅର୍ଦ୍ଦଳିଟି ସାହେବଙ୍କ ଗଳ୍ପରେ ପଞ୍ଚମୁଖ । ସେ କହେ, ସମୟ ସମୟରେ ମେମ୍‌ ସାହେବ ମଧ୍ୟ ରୁଦ୍ଧଶ୍ୱାସ ହୋଇଯାଆନ୍ତି ।

 

ମୁଣ୍ଡ ହଲାଇ ହସିଦେଇ ସେ କହେ, ରାତି ବାରଟା ତ ସାହେବଙ୍କର ରାତି ନ’ଟା । ବାରଟାପର୍ଯ୍ୟନ୍ତ ପ୍ରତିଦିନ କାମ ଚାଲିଥାଏ । ବାରଟାରେ ମତେ ଛୁଟି ମିଳେ । ମୁଁ ତୁନି ହୋଇ ଦ୍ୱାର ବାହାରେ ଟୁଲ୍‌ ଉପରେ ବସିଥାଏ, ମେମ୍‌ସାହେବ ଟେବୁଲ୍‌ ସାମନାରେ ବସିଥାନ୍ତି; ସାହେବ ନଥି ଓଲଟାନ୍ତି, ଭାବନ୍ତି ଆଉ ଲେଖନ୍ତି । ଆଶ୍ଚର୍ଯ୍ୟ ମଣିଷ, ସିଗାରେଟ୍‌ ନାହିଁ, ମଦ ନାହିଁ, କଫି ନାହିଁ; ଦୁଇଓଳି ଦୁଇ କପ୍‌ ଚା’–ଅତି ବେଶୀ ହେଲେ ଆଉ ଥରେ ଅଧେ । ଚୁପ୍‌ଚାପ୍‌ ହୋଇ ଲେଖିଯାଆନ୍ତି-। ମଝିମଝିରେ କାଗଜ ଓଲଟାଇବାର ଖସ୍‌ଖସ୍‌ ଶବ୍ଦ ଶୁଭେ । କେତେବେଳେ ହଠାତ୍‌ କଥା–ପଦେ କି ଦି’ପଦ; ‘ବହିଟା ଦେଲ !’ ମେମ୍‌ସାହେବଙ୍କୁ ଉଦ୍ଦେଶ୍ୟ କରି । ବାରଟା ବାଜିଲେ, ସାଙ୍ଗେ ସାଙ୍ଗେ ଉଠିପଡ଼ନ୍ତି; ମତେକହନ୍ତି–ଯାଅ ।

 

ଏଠାକାର ଦି’ଚାରିଜଣ ଓକିଲ, ଓକିଲବାବୁଙ୍କ ମୋହରିର୍‌ ଏବଂ ଜଜ୍‌ ଅଦାଲତର ଅମଲାମାନେ ଅର୍ଦ୍ଦଳିଟି ନିକଟରୁ ଏହିସବୁ ଗଳ୍ପ ସଂଗ୍ରହ କରନ୍ତି ।

 

ଅର୍ଦ୍ଦଳି କହେ–ତେବେ ମାସକୁ ପାଞ୍ଚ-ସାତଦିନ ପୁଣି ଦୁଇଟା ପର୍ଯ୍ୟନ୍ତ । ମତେ ଅବଶ୍ୟ ବାରଟାରେ ଛୁଟି ମିଳିଯାଏ; ମୁଁ ଚାଲିଆସେ । ଶୋଇପଡ଼େ । ଦୁଇଟା କି ଅଢ଼େଇଟା ବେଳେ ପ୍ରତିଦିନ ମୋର ନିଦ ଭାଙ୍ଗେ । ମତେ ଶୋଷ ଲାଗେ । ପିଲାଦିନୁ ଅଭ୍ୟାସ । ଉଠି ଦେଖେ, ସାହେବ ସେତେବେଳେ ମଧ୍ୟ ଚେତା ରହିଥାନ୍ତି । ଘରେ ଆଲୁଅ ଜଳୁଥାଏ । ଏବେ ଆଉ ଆଶ୍ଚର୍ଯ୍ୟ ହୁଏନି । ପ୍ରଥମେ ପ୍ରଥମେ ଚମକି ଉଠିପଡ଼ୁଥିଲି । ସାହେବ ନ ଡାକିଲେ କେମିତି ଯିବି ? ଯିବାକୁ ସାହସ ହୁଏନି । ଧୀରେ ଧୀରେ ଯାଇ ଘରର ଝରକା ପାଖରେ ଠିଆ ହୋଇଥାଏ । ଦେଖେ ଟେବୁଲ୍‌ ଉପରେ ଲଇଁପଡ଼ି ସାହେବ ସେତେବେଳେ ମଧ୍ୟ ଲେଖୁଥାନ୍ତି । ଦିନେ ଦିନେ ଚଟିଶବ୍ଦ ଶୁଭେ । ଜାଣିପାରେ ଯେ ସାହେବ ଘରସାରା ବୁଲୁଛନ୍ତି । କୋଉ କୋଉ ଦିନ ବାଥରୁମ୍‌ ଭିତରେ ଆଲୁଅ ଜଳେ, ପାଣି ପଡ଼ିବାର ଶବ୍ଦ ଶୁଭେ, ସାହେବ ମୁଣ୍ଡ ଧୋଉଛନ୍ତି ବୋଲି ଜାଣିପାରେ । ସେପଟେ ସୋଫା ଉପରେ ମେମ୍‌ସାହେବ ଶୋଇଥାନ୍ତି । ଖୁଟ୍‌ଖାଟ୍‌ ଶବ୍ଦ ଶୁଭିଲାକ୍ଷଣି ନିଦରୁ ଉଠିପଡ଼ନ୍ତି ।

 

ପଚାରନ୍ତି–ସରିଲା ?

 

ଦିନେ ଦିନେ ମେମ୍‌ସାହେବ କଳି କରନ୍ତି । ହେଇଟି ତ ସେଦିନ, ମୁଁ ଉଠିଛି, ବାହାରକୁ ଆସିଛି; ଦେଖିଲି ମେମ୍‌ସାହେବ ଦୁଆର ଖୋଲି ବାହାରକୁ ଆସିଲେ । ଖାନ୍‌ସାମାକୁ ଡାକିଲେ–ଶିଉନନ୍ଦନ ! ଆରେ !

 

ଭିତରୁ ସାହେବ କହିଲେ–ନା ନା । ଏ କ’ଣ କରୁଛ ତମେ ? ସେମାନଙ୍କୁ କାହିଁକି ଡାକୁଛ ?

 

ମେମ୍‌ସାହେବ କହିଲେ–ଇଜିଚେୟାର୍‌ଟା ବାହାର କରିଦେବେ ।

 

-ମୁଁ ନିଜେ ନେଇଯାଉଛି । ସାରାଦିନ ଖଟି ଖଟି ସେମାନେ ଶୋଇଛନ୍ତି । ଡାକନି । ସାରାଦିନ ଖଟି ରାତିରେ ନ ଶୋଇଲେ ସେମାନେ ଚଳି ପାରିବେନି ! ମଣିଷ ତ !

 

ବିସ୍ମୟ ପ୍ରକାଶର ଭଙ୍ଗୀ କରି ଅର୍ଦ୍ଦଳିଟି କହେ–ଦେଖିଲି, ସାହେବ ନିଜେ ଇଜିଚେୟାରଟାକୁ ଟାଣି ପଦାକୁ ନେଇଆସୁଛନ୍ତି । ମୁଁ ଦୌଡ଼ିଯାଉଥିଲି; କିନ୍ତୁ ମେମ୍‌ସାହେବ କଳି କରିବାକୁ ଆରମ୍ଭ କରିଦେଲେ । ଆଉ ମୁଁ ଯାଇଥାନ୍ତି କେମିତି ? ତୁନି ହୋଇ ଠିଆହୋଇ ଖାଲି ଶୁଣିଲି । ମେମ୍‌ସାହେବ କୁଆଡ଼େ କହିଲେ... ଅର୍ଦ୍ଦଳି ବର୍ତ୍ତମାନ ଶୁଣିଥିବା କଥାଗୁଡ଼ିକ କହିଗଲା ।

 

ସେଦିନ ସତରେ ସୁରମା କ୍ଷୁବ୍‌ଧଭାବରେ କହିଥିଲେ–ଦୁନିଆରେ ସମସ୍ତେ ମଣିଷ । ରାତିରେ ନିଦ ନ ହେଲେ କାହାରି ଚଳିବନି । ଶୁଣିଛି ଏକ ଭଗବାନଙ୍କର ଚଳେ । ହେଲେ ଜାଣି ନ ଥିଲି ଯେ, ଜଜ୍‌ପଣିଆ ଆଉ ଭଗବାନପଣିଆ ଭିତରେ ଫରକ୍‌ ନାହିଁ । ତା’ପରେ କହିଲେ–କିନ୍ତୁ ତା’ ବି କେମିତି ହେବ ? ମୋର ବାପା ବି ତ ଜଜ୍‌ ଥିଲେ ।

 

ଜ୍ଞାନେନ୍ଦ୍ରନାଥ ହସିଥିଲେ । ହସିଦେଇ ଆହୁରି ଗୋଟିଏ ଚଉକି ଆଣି ପକାଇ ଦେଇ କହିଥିଲେ–ବସ ।

 

ସେଦିନ ରାୟ ଲେଖିବା ସେହିକ୍ଷଣି ସରିଯାଇଥିଲା । ସୁରମା ମଧ୍ୟ ତାହା ବୁଝିପାରିଥିଲେ । ସ୍ୱାମୀଙ୍କ ମୁହଁକୁ ଦେଖିଲାକ୍ଷଣି ସେ ତାହା ବୁଝିପାରନ୍ତି । ରାୟ ଲେଖିବା ନ ସରିଲେ ସୁରମା କୌଣସି କଥା କୁହନ୍ତି ନାହିଁ । ଏଭଳି ଦି’ଚାରିଟା କଥା–କଫି ଖାଇବ ? ଟେବୁଲ୍‌ ଫୋନ୍‌ଟା ଆଣିଦେବାକୁ କହିବି ? ଏମିତି ବେଶି କଥା କହିବାର ଉପାୟ ନ ଥାଏ ସେତେବେଳେ । କିଛି କହିଲେ ଜ୍ଞାନେନ୍ଦ୍ରନାଥ କହନ୍ତି–ପ୍ଳିଜ୍‌, ପ୍ଳିଜ୍‌, ଏଇଲେ ନୁହେଁ, ଯାହା କହିବାର ପରେ କହିବ ।

 

ରାୟ ଲେଖା ସରିଲେ ସେ କିନ୍ତୁ ସେତେବେଳେ ଅନ୍ୟ ଜଣେ ମଣିଷ । ସେଦିନ ସୁରମା କହିଥିଲେ–ମୁନ୍‌ସିଫରୁ ତ ଜଜ୍‌ ହେଇଛ । ପୁଅ ନାଇଁ କି ଝିଅ ନାଇଁ । ଆଉ କାହିଁକି ? ଆଉ କ’ଣ ହେବ ? ହାଇକୋର୍ଟର ଜଜ୍‌ ନା ସୁପ୍ରିମ୍‍ କୋର୍ଟର ଜଜ୍‌ ? ଓଃ... ଏବେ ବି ଆକାଙ୍‌କ୍ଷା ଗଲାନାହିଁ ?

 

ଜ୍ଞାନେନ୍ଦ୍ରନାଥଙ୍କର ଗୋଟିଏ ଅଭ୍ୟାସଗତ ହସ ଅଛି । ସେହି ହସ ହସି ସେ କହିଥିଲେ, ନାଃ । ମୋର ଆଉ ଆକାଙ୍‌କ୍ଷା ନାହିଁ । ଠିକ୍‌ ସମୟରେ ରିଟାୟାର କରିବି ଏବଂ ତା’ପରେ ସେହି ପ୍ରଥମପାଠର ନିର୍ଦ୍ଦେଶ ମାନି ଚଳିବି । ଗେଟ୍‌ ଅପ୍‌ ଏଟ୍‌ ଫାଇଭ୍‌ । ଗୋ ଟୁ ବେଡ଼୍‍ ଏଟ୍‌ ନାଇନ୍‌ । ତା’ ମଧ୍ୟ କାହିଁକି, ଏଇଟ । ସକାଳେ ଉଠି ମର୍ନିଂ ଓ୍ୱାକ୍‌ କରିବି; ତା’ପରେ ବେଗ୍‌ ନେଇ ବଜାର କରିଯିବି । ଉପରଓଳି ମାର୍କେଟ୍‌କୁ ଯାଇ ତମର ବରାଦ ଅନୁସାରେ ଉଲ୍‌-ସୂତା କିଣି ଆଣିବି ଏବଂ ଘରେ ତମେ କ୍ରମାଗତ ବକିବ, ମୁଁ ଶୁଣିବି । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଚାକିରି କରୁଛି, ସେତେଦିନ ପର୍ଯ୍ୟନ୍ତ ଏଥିରୁ ମୋର ପରିତ୍ରାଣ ନାହିଁ ।

 

ଆଉ ଦିନେ... ସୁରମା କହିଥିଲେ– ଆଚ୍ଛା କହିପାରିବ ସଂସାରରେ ଇମିତି ମଣିଷ କିଏ ଅଛି ଯାହାର ଭୁଲ୍‌ ହୁଏନି ?

 

ଜ୍ଞାନେନ୍ଦ୍ରନାଥ କହିଥିଲେ–ନା ନାହିଁ ।

 

ସୁରମା କହିଥିଲେ–ତା’ହେଲେ ?

 

-କ’ଣ ତା’ହେଲେ ?

 

-ଏଇ ଯେ ତମେ ଭାବୁଛ ତମର ରାୟ ଏଭଳି ହବ ଯେ ବିଶ୍ୱବ୍ରହ୍ମାଣ୍ଡରେ କେହି ବଦଳାଇ ପାରିବେନି-

 

ହାଇକୋର୍ଟ ନୁହେଁ କି ସୁପ୍ରିମ୍‌ କୋର୍ଟ ନୁହେଁ । ତମର ଏତେ ଦମ୍ଭ କାହିଁକି କହିଲ ?

 

ଦମ୍ଭ ? ଜ୍ଞାନେନ୍ଦ୍ରନାଥ ହା ହା ହୋଇ ହସିଉଠିଥିଲେ ।

 

ଅର୍ଦ୍ଦଳି କହିଲା, ସେ କି ହସ ! ବୁଝିଲେ ନା ? ମେମ୍‌ସାହେବ ଯେମିତି ନିହାତି ପିଲାଟିଏ ଭଳି କଥା କହିଛନ୍ତି । ମେମ୍‌ସାହେବ ରାଗିଗଲେ । କହିଲେ–ହସୁଛ କାହିଁକି ? ଏଥିରେ ହସିବାର କ’ଣ ଅଛି ?

 

ସାହେବ କହିଲେ–ତମେ ଦମ୍ଭ, ହାଇକୋର୍ଟ, ସୁପ୍ରିମ କୋର୍ଟ କଥାଗୁଡ଼ାକ କହିଲ ନା, ସେଥିପାଇଁ ।

 

ମେମ୍‌ସାହେବ କହିଲେ–ଭୁଲ ହେଇଛି । ଭଗବାନ ସୁଦ୍ଧା ବଦଳାଇ ପାରିବେନି ବୋଲି କହିବାଟା ମୋର ଉଚିତ ଥିଲା ।

 

ଜ୍ଞାନେନ୍ଦ୍ରନାଥ ଗମ୍ଭୀର ହୋଇଯାଇଥିଲେ, କହିଥିଲେ–ଉହୁଁ । ଏସବୁ କୁ’ଥି ପାଇଁ ନୁହେଁ ସୁରମା ! ହସିଲି ଏକଥା ଭାବି ଯେ ସ୍ତ୍ରୀଲୋକମାନେ ଚିରକାଳ ସ୍ତ୍ରୀଲୋକ ହୋଇ ହିଁ ରହିଯାଆନ୍ତି ।

 

–ତା’ମାନେ ?

 

–ମାନେ ? ସେକଥା ତ ତମେ ଭଲରୂପେ ଜାଣିଛ ସୁରମା ! ଏବଂ ସେକଥାଟା ମୋର ନୁହେଁ, ମୋର ଗୁରୁଙ୍କର, ତମ ବାପାଙ୍କର । ଦମ୍ଭ ନୁହେଁ, ହାଇକୋର୍ଟରେ ରାୟ କାଏମ୍‌ ରହିବ କି ନାହିଁ ତା’ ବି ନୁହେଁ; ସେକଥା କେବେ ଭାବେନି । ଭାବେ ଆଜି ମୁଁ ନିଜେ ଯେଉଁ ରାୟ ଦେଲି, ସେ ରାୟ ଦି’ମାସ କି ଛ’ମାସ କି ଛ’ବର୍ଷ ପରେ ଭୁଲ ହୋଇଛି ବୋଲି ନିଜେ ଯେପରି ନିଜ ଉପରେ ଷ୍ଟ୍ରିକ୍‌ଚର ନଦିଏ । ଶେଷକୁ ଭାରି ରାଗିଯାଇ ତମେ ଭଗବାନଙ୍କ କଥା ଉଠାଇଲ... ମଝିରେ ମଝିରେ ଜଜ୍‌ଗିରି ଓ ଭଗବାନଗିରି ସହିତ ତୁଳନା ବି କରୁଛ ...

 

ସୁରମା ସେଦିନ ସ୍ୱାମୀଙ୍କ କଥା ଉପରେ ହିଁ କଥା କହିପକାଇଥିଲେ, ବେଶ୍‌ ଉଘାଣ ଦେଇ କହିଥିଲେ–ନା, ମୁଁ କେବେ ସେକଥା କହେନି । କହେ, ମୋ ବାପା ବି ଜଜ୍‌ ଥିଲେ; ତାଙ୍କର ତ ଇମିତି ଦେଖିନି । ଆହୁରି ବି ଅନେକ ଜଜ୍‌ ଅଛନ୍ତି, ସେମାନଙ୍କର ବି ଇମିତି ବୋଲି ଶୁଣିନି । କହୁଛି, ତମର ଜଜ୍‌ଗିରି ଓ ଭଗବାନଗିରିରେ ଫରକ ନାହିଁ । ହଁ, ସେକଥା ମୁଁ ସବୁବେଳେ କହେ । ତମକୁ ଦେଖିଲେ ଅନ୍ତତଃ ମୋର ସେହି କଥା ହିଁ ମନେହୁଏ ।

 

ଜ୍ଞାନେନ୍ଦ୍ରନାଥ ଆଖିଦୁଇଟା ବନ୍ଦକରି ପ୍ରଶାନ୍ତ ଭାବରେ ମଧୁର ହସ ହସି କହିଥିଲେ–ସେଇୟା । ମୋ ଜଜ୍‌ଗିରି ଆଉ ଭଗବାନଗିରିର କଥା । ମୁଁ ଅବଶ୍ୟ ଠିକ୍‌ ଭଗବାନ ବୋଲି ବିଶ୍ୱାସ କରେନି, ସେକଥା ତମେ ଜାଣିଛ; ତେବେକେ ତୁଳନା ଯେତେବେଳେ କଲ ସେତେବେଳେ ଭଗବାନଗିରିର ଯେଉଁସବୁ ବର୍ଣ୍ଣନା ତମେମାନେ କର... ଭଲ ଭଲ ବହିରେ ଯାହାସବୁ ଅଛି... ସେସବୁକୁ ହିଁ ସତ୍ୟ ବୋଲି ମାନିନେଇ କହୁଛି, ମୋର ଜଜ୍‌ଗିରି ଭଗବାନଗିରିଠାରୁ ବି କଠିନ । କାରଣ ଭଗବାନ ସର୍ବଶକ୍ତିମାନ, ତାଙ୍କ ଉପରେ କେହି ମାଲିକ ନାହାନ୍ତି, ନିଶ୍ଚୟ ସୂଷ୍ମ-ବିଚାରକ; କିନ୍ତୁ ତେବେକେ ଅଟୋକ୍ରାଟ୍‌ । ଅନ୍ତତଃ କରୁଣା କରିବାକୁ ତାଙ୍କର ବାଧା ନାହିଁ । ସେ ଚାହିଁଲେ ହିଁ ଆସାମୀକୁ ଦୋଷୀ ଜାଣି ମଧ୍ୟ ବେକସୁର୍‌ ମାଫ୍‌ କରିଦେଇ ଖଲାସ କରିଦେଇପାରନ୍ତି । ପାପପୁଣ୍ୟର ବାଲାନ୍‌ସ-ସିଟ୍‌ ତିଆରି କରି ପୁଣ୍ୟ ବେଶି ହେଲେ ପାପଗୁଡ଼ାକର ଚାର୍ଜସିଟ୍‌ ୱେଷ୍ଟପେପରର ବାସ୍କେଟ୍‌ରେ ନିକ୍ଷେପ କରିଦେଇପାରନ୍ତି । ମଣିଷ ଜଜ୍‌ ତାହା କରିପାରେନି । ମୁଁ ତ ଜମା ସେକଥା କଦାଚିତ୍‌ କରିପାରିବିନି ।

 

ବାର୍‌ ଲାଇବ୍ରେରିଠାରୁ ଅଦାଲତ ସାମନାର ବରଗଛ ତଳ ପର୍ଯ୍ୟନ୍ତ ଏହି ଧରଣର ଆଳାପ-ଆଲୋଚନା ଭିତରେ ଏହି ମଣିଷଟିର ସମାଲୋଚନା ଦିନକୁ ଅନ୍ତତଃ ଥରେଅଧେ ନ ହୋଇ ରହିଯାଏନି ।

 

(୩)

 

ସରକାରୀ ଓକିଲ ଅତ୍ୟନ୍ତ ସତର୍କତା ସହିତ ମକଦ୍ଦମାର ଘଟଣାଗୁଡ଼ିକ ବର୍ଣ୍ଣନା କରିଚାଲିଥିଲେ । ଅବିନାଶ ବାବୁ ପ୍ରବୀଣ ଏବଂ ବିଚକ୍ଷଣ ଓକିଲ । ବକ୍ତା ହିସାବରେ ସୁନିପୁଣ ଏବଂ ଆଇନଜ୍ଞ ହିସାବରେ ଅତ୍ୟନ୍ତ ତୀକ୍ଷ୍‌ଣଧୀ । ଏହି ବିଚାରକଟିକୁ ସେ ଖୁବ୍‌ ଭଲକରି ଚିହ୍ନନ୍ତି । ଅର୍ଦ୍ଦଳିର କଥାରୁ ନୁହେଁ, ନିଜର ଅଭିଜ୍ଞତାରୁ ଏବଂ ଏହି ଜିଲ୍ଲାକୁ ଆସିବା ପରଠାରୁ ନୁହେଁ, ସେଥିର ଅନେକ ଦିନ ଆଗରୁ । ସେତେବେଳକୁ ଏ ଜିଲ୍ଲାର ସରକାରୀ ଓକିଲ ସେ ହୋଇ ନଥିଲେ; ତାଙ୍କ ବ୍ୟବସାୟର ପ୍ରଥମ ଭାଗ । ଆଖପାଖ ଜିଲ୍ଲାରୁ ତାଙ୍କୁ ଡକରା ଆସିବା ଆରମ୍ଭ ହୋଇଛି ସେତେବେଳେ । ଜୀବନରେ ପ୍ରତିଷ୍ଠା ଯେତେବେଳେ ପ୍ରଥମ କରି ଆସେ ସେତେବେଳେ ତାହା ଏକାକୀ ଆସେନା, ଜଳସ୍ରୋତର ବେଗ ସହିତ କଲ୍ଲୋଳ ଧ୍ୱନି ପରି ଅହଂକାର ବି ନେଇଆସେ । ସେ ସମୟରେ ତାଙ୍କର ସେହି ଅହଙ୍କାର ବି ଥିଲା । ଗୋଟିଏ ଫୌଜଦାରୀ ମାମ୍‌ଲାରେ ଆସାମୀର ପକ୍ଷ ସମର୍ଥନ କରିବାକୁ ଯାଇଥିଲେ । ସେ ସେହି ମକଦ୍ଦମାରେ ଜ୍ଞାନେନ୍ଦ୍ରନାଥ ତାଙ୍କୁ ଯେଉଁ ତିରସ୍କାର କରିଥିଲେ ସେକଥା ଆଜି ବି ଭୁଲିପାରି ନାହାନ୍ତି । ଆଜି ବି ମଝିରେ ହଠାତ୍‌ ମନେପଡ଼ିଯାଏ ।

 

ସେଇଟା ବି ଗୋଟିଏ ବିଚିତ୍ର ଘଟନା । ବାପକୁ ଖୁନ୍‌ କରିବା ଅପରାଧରେ ଅଭିଯୁକ୍ତ ହୋଇଥିଲା ପୁଅ । ଷାଠିଏ ବର୍ଷ ବୟସର ବୁଢ଼ା ବାପ, ପଞ୍ଚତିରିଶି ବର୍ଷ ବୟସର ଜୁଆନ ପୁଅ, ସେ ବି ଦୁଇଟି ପୁଅର ବାପ । ମକଦ୍ଦମାରେ ପ୍ରଧାନ ସାକ୍ଷୀ ଥିଲା ମା’ । ପୁଅଟି କୃତକର୍ମା ପୁରୁଷ; ଯେପରି ବଳଶାଳୀ ଦେହ, ସେହିପରି ଅଦମ୍ୟ ସାହସ, ସେହିପରି ନିପୁଣ ବିଷୟବୁଦ୍ଧି । ପ୍ରଥମ ଯୌବନରୁ ହିଁ ବାପଠାରୁ ଭିନ୍ନ ହୋଇଯାଇଥିଲା ।

 

ବାପ ଥିଲା ବୈଷ୍ଣବ, ଧର୍ମଭୀରୁ ମଣିଷ । ସାତମାଣ ଖଣ୍ଡେ ଜମି, ଛୋଟ ଗୋଟିଏ ଆଖଡ଼ା ଥିଲା ସମ୍ପତ୍ତି । ତା’ ସହିତ ଥିଲା ଗାଁରେ ବୃତ୍ତି କେତୋଟି । କାର୍ତ୍ତିକମାସରେ ଟହଲ, ବାରମାସର ପୂଜା-ପାର୍ବଣରେ–ଝୁଲଣ, ରାସ, ଦୋଳ, ଜନ୍ମାଷ୍ଟମୀ ନନ୍ଦୋତ୍ସବ, ନାମ-କୀର୍ତ୍ତନ ଏବଂ ଶବଯାତ୍ରାର ସଂକୀର୍ତ୍ତନ ଗାଏ । ସେଥିପାଇଁ ଗ୍ରାମରୁ ପାଉଣା ପାଉଥିଲା, ସେତିକିରେ ହିଁ ତା’ର ଚଳିଯାଉଥାଏ । ପୁଅ ହେଉଛି ଅନ୍ୟ ପ୍ରକୃତିର, ମୂଳରୁ ସେ ଏ ରାସ୍ତା ଛାଡ଼ି ବିଷୟ-ରାସ୍ତା ଧରିଥିଲା-। ଚାଷକାମରେ ମୂଲିଆରୂପେ ଆରମ୍ଭକଲା, କ୍ରମେ ଚାଷ କଲା, ତା’ପରେ ବଳଦ କିଣି ଭାଗଚାଷ, ତା’ପରେ ଜମି କିଣି ଗୃହସ୍ଥ ଚାଷୀ ହୋଇଥିଲା ।

 

ସେଥିରେ ବାପ ଆପତ୍ତି କରିନାହିଁ; ବରଂ ପ୍ରଶଂସା କରୁଥିଲା; କିନ୍ତୁ ତା’ପରେ ପୁଅର ବୁଦ୍ଧି ଯେପରି ଅସାଧାରଣ ତୀକ୍ଷ୍‌ଣ ହୋଇଉଠିଲା । ନିଜ ଜମିପାଖ ଜମିର ସୀମା କାଟିନେବା ଆରମ୍ଭ କଲା ଏବଂ ଏହିପରି ଚାତୁର୍ଯ୍ୟ ସହିତ କାଟିନେବାକୁ ଲାଗିଲା ଯେ ଅଙ୍ଗଚ୍ଛେଦର ବେଦନା ଯେତେବେଳେ ଅନୁଭୂତହେଲା, ସେତେବେଳେ ଦେଖାଗଲା–କେତେଦିନ ପୂର୍ବେ କୌଣସି ସମୟରେ ଯେଉଁ ଅଙ୍ଗଟି ଛିନ୍ନ ହୋଇଯାଇଛି, ଯାହାର ଜମିର ଅଙ୍ଗ ଛିନ୍ନହୋଇଛି ସେ ନିଜେ ବି ତାହା କେଉଁଠି ସେକଥା କହିପାରୁନି । ହଠାତ୍‌ ପ୍ରୟୋଜନ ପଡ଼ିଲାବେଳେ ଅର୍ଥାତ୍‌ ଚାଷ ସମୟରେ ଦେଖାଯାଏ ବଲାଇ ଦାସର ଛୋଟ ଜମି ବଢ଼ିଯାଇଛି ଏବଂ ଅନ୍ୟର ବଡ଼ ଜମି ଛୋଟ ହୋଇଯାଇଛି, ସେତେବେଳେ ଛିନ୍ନାଙ୍ଗ ଜମିର ମାଲିକ ସୀମା ମାପିବାକୁ ଯଦି ଆସେ, ତା’ହେଲେ ବଲାଇ ତାକୁ ଧକ୍‌କାଦେଇ ଠେଲିଦିଏ କିମ୍ୱା ଜୋର୍‌କଲେ ଠେଙ୍ଗା ଧରେ । ସାଲିସ୍‌ କଲେ ଅଦାଲତର ଖୋଲା ଦରଜା ଆଡ଼କୁ ରାସ୍ତା ଦେଖାଇ ଦେଇ ସାଲିସ୍‌କୁ ଅମାନ୍ୟ କରି ଚାଲିଆସୁଥାଏ । ବାପା ବହୁତ ହିତୋପଦେଶ ଦେଲା; କିନ୍ତୁ ପୁଅ ଶୁଣିଲାନାହିଁ; ଧର୍ମଭୟ ଦେଖାଇଲା, ପୁଅ ନିର୍ଭୟରେ ଠୋ ଠୋ ହସିକରି ଉଠି ଚାଲିଗଲା । ତେଣେ ଘରଭିତରେ ବି ସେତେବେଳକୁ ଶାଶୁବୋହୂଙ୍କ ଭିତରେ ବିରୋଧ ଦେଖାଗଲାଣି । ବୈଷ୍ଣବଘରେ ଖାଲି ପିଆଜ ପୂରାଇ ବୋହୂଟି ନିରସ୍ତ ରହିନି, ମାଛ ପୂରାଇଛି ଏବଂ ପୁଅ ତାକୁ ସମର୍ଥନ କରିଛି । ଜାୟା ଓ ଜନନୀର କଳହ ମଝିରେ ଦିନେ ବଲାଇଦାସ ମା’କୁ ଗାଳିମନ୍ଦ ଦେଇ ସ୍ତ୍ରୀର ହାତଧରି ଘରୁ ବାହାରିଗଲା–ଆଉ ସେ ଏକ-ଅନ୍ନ ଏକ-ଘର ହୋଇ ରହିପାରିବ ନାହିଁ, ତାକୁ ପୋଷେଇବନି । ତା’ପରେ ସେ ଘର ପଡ଼ିଶାରେ ନୂଆ ଘର ତିଆରି କରିଥିଲା । ବାପ ଶାନ୍ତିର ନିଃଶ୍ୱାସ ପକାଇ କହିଥିଲା–ଜୟ ମହାପ୍ରଭୁ, ତମେ ମତେ ବଞ୍ଚେଇଦେଲ ।

 

ହଠାତ୍‌ ବୋହୁଟି ଦୁଇଟି ପୁଅଙ୍କୁ ରଖି ମରିଗଲା । ସ୍ତ୍ରୀର ଶ୍ରାଦ୍ଧରେ ବୈଷ୍ଣବ-ଭୋଜନପରେ ମଦ ଓ ମାଂସ ସହଯୋଗରେ ବନ୍ଧୁ ବାନ୍ଧବଙ୍କୁ ଭୋଜନ କରାଇଲା ବଲାଇ, ଲୁଚାଇବାକୁ ଚେଷ୍ଟାକଲା ନାହିଁ । ନିଜେ ଉନ୍ମତ୍ତ ଅବସ୍ଥାରେ ସ୍ତ୍ରୀ ପାଇଁ କାନ୍ଦୁ କାନ୍ଦୁ ରାସ୍ତାରେ କହିବୁଲିଲା ଯେ ଆଉ ବଞ୍ଚିରହି କିଛି କାର୍ଯ୍ୟ ନାହିଁ, କେଉଁଥିରେ ସୁଖ ନାହିଁ; ସଂସାର ଛାଡ଼ି ସେ ଚାଲିଯିବ, ସନ୍ନ୍ୟାସୀ ହୋଇଯିବ ।

 

ମହାପ୍ରଭୁଙ୍କ ପାଖରେ ମୁଣ୍ଡପିଟି ବାପ ପୁଅର ଘରକୁ ଯାଇ ତାକୁ ଗାଳିଦେଇ ଆସିଲା । ବଲାଇ କୌଣସି ଉତ୍ତର ଦେଲା ନାହିଁ; କିନ୍ତୁ ଗ୍ରାହ୍ୟକଲା ବୋଲି ବି ମନେହେଲାନି, ଉଠିପଡ଼ି ଚାଲିଗଲା ।

 

ତିନିଦିନ ପରେ ଭୋର୍‌ ସମୟରେ ଉଠି ବାପ ରାସ୍ତାକୁ ବାହାରିଲାକ୍ଷଣି ଦେଖିଲା–ବଲାଇଦାସର ଘରର ଦ୍ୱାର ଖୋଲି ବାହାରିଯାଉଛି ଅତରନାମ୍ନୀ ଉପଜୀବିନୀ, ଗାଁର ନିମ୍ନ ସଂପ୍ରଦାୟର ସ୍ତ୍ରୀଲୋକଟା । ଗୃହ ତ୍ୟାଗକରି ଝୁମର୍‌ ଦଳରେ ମିଶି ନାଚି ଗାଇ ଦେହ-ବ୍ୟବସାୟ କରି ବୁଲେ ସେ । ମଝିରେ ମଝିରେ କେତେଟା ଦିନପାଇଁ ଗାଁକୁ ଆସେ । ସେ ସେତେବେଳେ ଗାଁରେ ଥିଲା ।

 

ପୁଅକୁ ଡାକି ବାପ ତା’ ବିକଳ ହୋଇ ଅନୁନୟ କରି କହିଥିଲା–ଏ ଅଧର୍ମ କରନା, ଧର୍ମ ସହିବନି; ସବୁଠାରୁ ବଡ଼ ପାପ ହେଲା ବ୍ୟଭିଚାର ! ହାତଧରି କହିଥିଲା–ତୁ ଆଉ ଥରେ ବାହା ହୁଅ-

 

ବଲାଇ ସେତେବେଳେ ଅନ୍ଧ ଉନ୍ମତ୍ତ । କୌଣସି କଥା ସେ ଶୁଣିଲା ନାହିଁ । ଖାଲି ଅତର ନୁହେଁ, ଗାଁର ଆଉ ଯେଉଁ କେତୋଟି ସ୍ୱୈରିଣୀ ଥିଲେ ସେ ସମସ୍ତଙ୍କୁ ନେଇ ସେ ଜୀବନରେ ସମାରୋହ ଆରମ୍ଭ କରିଦେଲା ।

 

ବାପ ସଙ୍କଳ୍ପକଲା ପୁଅକୁ ସେ ତେଜ୍ୟପୁତ୍ର କରିବ । ନିଜର ସାମାନ୍ୟ ସାତମାଣ ଜମି ଦେବତାଙ୍କ ନାମରେ ଅର୍ପଣ କରି ନାତିମାନଙ୍କୁ ଭବିଷ୍ୟତ୍‌ ସେବାୟତ ବା ମହନ୍ତରୂପେ ନିଯୁକ୍ତି କଲା-। ସର୍ତ୍ତ ରଖିଲା ଯେ, ମତିଭ୍ରଷ୍ଟ ବ୍ୟଭିଚାରୀ ବଲାଇ ଦାସ ସେମାନଙ୍କ ଅଭିଭାବକ ହୋଇପାରିବ ନାହିଁ । ତା’ ଅନ୍ତରେ ସେବାୟତ ଏବଂ ନାତିମାନଙ୍କର ଅଭିଭାବକ ହେବ ତା’ର ସ୍ତ୍ରୀ, ତା’ ସ୍ତ୍ରୀର ମୃତ୍ୟୁବେଳକୁ ଯଦି ନାତିମାନେ ନାବାଳକ ହୋଇଥିବେ, ତାହେଲେ ଗାଁର ପାଞ୍ଚଜଣ କୌଣସି ବୈଷ୍ଣବଙ୍କୁ ସେମାନଙ୍କ ଅଭିଭାବକରୂପେ ନିଯୁକ୍ତି କରିଦେବ । ଖବର ଶୁଣି ପୁଅ ଆସି ଠିଆହେଲା-। ବାପ ତା’ ଆଡ଼କୁ ପିଠିକରି ବସି କହିଲା–ଏ ଘରୁ ତୁ ଚାଲିଯା । ଚାଲିଯା । ଚାଲିଯା-। ଏ ଘର ମୋର, କଦାପି ୟା ଭିତରକୁ ତୁ ଆସିବୁନି, ମୋ ଧର୍ମ ଚଞ୍ଚଳ ହୋଇଯିବେ । ମୁଁ ମଲାବେଳେ ବି ତୁ ପାଣି ଦେବୁନି, ମୁଖାଗ୍ନି କରିପାରିବୁନି, ଶ୍ରାଦ୍ଧ ବି ନୁହେଁ । ଆଜି ଯଦି ଭଗବାନ ମୋର ଆଖିଦୁଇଟାକୁ ନେଇଯାଆନ୍ତେ, ତା’ହେଲେ ମୁଁ ରକ୍ଷା ପାଇଯାଇଥାନ୍ତି । ତା’ହେଲେ ତୋ ମୁହଁ ଆଉ ମତେ ଦେଖିବାକୁ ପଡ଼ିନଥାନ୍ତା !

 

ତା’ ପରଦିନ ରାତିରେ ବାପ ଖୁନ୍‌ ହୋଇଗଲା । ଗରମ ଦିନ, ପିଣ୍ଡାଟା ଉପରେ ଗୋଟିଏ ପଟକୁ ଶୋଇଥିଲା ବୁଢ଼ା, ଅନ୍ୟପଟେ ନାତି ଦୁଇଟିଙ୍କୁ ଧରି ବୁଢ଼ୀ ଶୋଇଥିଲା । ଗଭୀର ରାତିରେ ବୁଢ଼ାଟାର ମୁଣ୍ଡଟାକୁ କିଏ କୁରାଢ଼ିରେ ଦି’ଫାଳ କରିଦେଇ ଚାଲିଗଲା । ଗୋଟାଏ ଚିତ୍କାର ଶୁଣି ଧଡ଼ପଡ଼ ହୋଇ ଉଠିବସି ଅଗଣା ପାରହୋଇ ହତ୍ୟାକାରୀ ଧାଇଁପଳାଇବାର ଦେଖି ବୁଢ଼ୀ ଚିହ୍ନିଥିଲା ଯେ ସେ ତା’ର ପୁଅ । ମୁଣ୍ଡରେ ଚୋଟ ଗୋଟିଏ ବସିନି, ବସିଛି ଦୁଇଟା । ଗୋଟିଏ ଚୋଟ ବୋଧହୁଏ ପ୍ରଥମଟା, ପଡ଼ିଥିଲା ଗୋଟାଏ ପାଖକୁ; ଦ୍ୱିତୀୟଟା ଠିକ୍‌ ମଝିରେ । ମା’ ସାକ୍ଷୀଦେଲା–ସେତେବେଳେ ଅସ୍ପଷ୍ଟ ଅନ୍ଧକାର, ସେହିକ୍ଷଣି ଚନ୍ଦ୍ର ଅସ୍ତ ହୋଇଛି, ତାରି ଭିତରେ ଲୋକଟି ପଳାଇଗଲା, ତାକୁ ସେ ସ୍ପଷ୍ଟ ଦେଖିଛି । ସେ ତା’ର ପୁଅ ବଲାଇ ।

 

ବଲାଇ ଦାସ ଅବିନାଶ ବାବୁଙ୍କୁ ଓକିଲ ନିଯୁକ୍ତି କରିଥିଲା । ହଜାରେ ଟଙ୍କାକୁ କିଛି ଜମି ବିକ୍ରି କରି, ଫୌଜଦାରୀ ମାମଲାରେ ତାଙ୍କର ନାଁ ଡାକ ଶୁଣି ଲୋକ ପଠାଇ ତାଙ୍କୁ ନିଯୁକ୍ତ କରିଥିଲା-। ଅବିନାଶ ବାବୁ ଜେରା କରିବାକୁ ବାକି ରଖିନାହାନ୍ତି । ମା’ର ଖାଲି ସେହି ଗୋଟିଏ କଥା–‘ବାପା...’

 

ସୁଯୋଗ ପାଇ ଅବିନାଶବାବୁ ଧମକ ଦେଇଥିଲେ–ନା । ବାପା ନୁହେଁ, ବାପା ଫାପା ନୁହେଁ । କହ, ହଜୁର୍‌ ।

 

ମା’ କହିଥିଲା–ହଜୁର୍‌, ପୁଅକୁ ଚିହ୍ନିବାକୁ ମା’ର କ’ଣ ଭୁଲ୍‌ ହୁଏ ? ମୁଁ ଯେ ଚାଳିଶି ବର୍ଷ ହେଲା ତା’ର ମା’ ହେଇଛି । ଦି’ପହରେ ବିଲରୁ ଆସିଲେ ମୁଁ ପ୍ରତିଦିନ ତା’ ପିଠିରେ ତେଲ ଲଗେଇ ଦେଇଛି ।

 

ଅବିନାଶ ବାବୁ କହିଥିଲେ– ତମର ଅନେକ ଦିନଠୁ ପୁଅ ସହିତ କଳି ଲାଗିଥିଲା । କୋଡ଼ିଏ ବର୍ଷହେଲା ଆଜିକୁ କଳି ଲାଗିଥିଲା । ପୁଅର ବାହା ପରଠୁ ପୁଅ ସହିତ ତମର ପଡ଼ୁନି । ସବୁବେଳେ ତମ ଭିତରେ କଳି ଲାଗେ । କହ, ସତ କି ନୁହେଁ ?

 

ମା’ କହିଥିଲା–ପ୍ରକୃତରେ କିଛି ସତ ଅଛି; କିନ୍ତୁ ତା’ କଳି ନୁହେଁ ହଜୁର ! ଭାରିଯାର ବୋଲକରାଟେ ହୋଇଥିଲା, ତା’ରିପାଇଁ ମାଛ-ପିଆଜଖିଆ ଧରିଲା, ତା’ରି ପାଇଁ ଭିନ୍ନେ ହେଇଥିଲା, ସେଇଥିପାଇଁ ପାଟିତୁଣ୍ଡ ହୁଏ । ସେସବୁ ଖାଲି ପାଟିତୁଣ୍ଡ, ଆଉ କିଛି ନୁହେଁ ।

 

ଅବିନାଶ ବାବୁ କହିଥିଲେ–ନା । ମୁଁ କହୁଛି, ସେହି ରାଗରେ ତମେ କହୁଛ ଯେ ତମେ ଚିହ୍ନିପାରିଛ । ନହେଲେ ଅସଲରେ ତମେ ଚିହ୍ନିପାରିନ ।

 

ମା’ କହିଥିଲା, ‘‘ମୁଁ ଚିହ୍ନିପାରିଛି ହଜୁର୍‌ ! ମୋର ରାଗ ବି ନାହିଁ । ସେ ମୋ ନିଜ ପୁଅ । ଧର୍ମର ମୁହଁକୁ ଚାହିଁ...’’–ଏଇଠି ମା’ ଅଟକି ଯାଇଥିଲା, ତା’ର କଣ୍ଠସ୍ୱର ରୁଦ୍ଧ ହୋଇଆସିଥିଲା ।

 

ତାକୁ କାନ୍ଦିବାକୁ ସୁଯୋଗ ଦେଇ ନଥିଲେ ଅବିନାଶବାବୁ, ସାଙ୍ଗେସାଙ୍ଗେ କହିଥିଲେ–ଧର୍ମର ମୁହଁକୁ ଚାହିଁ ? ଏଣୁତେଣୁ କହନି । ଜୋର୍‌କରି କାନ୍ଦିବାକୁ ଚେଷ୍ଟାକରନି । କ’ଣ କହୁଛ କହ-

ମା’ ସ୍ତ୍ରୀଲୋକଟି କଠିନ ସ୍ତ୍ରୀଲୋକ । ସେ ଆତ୍ମସମ୍ୱରଣକରି କହିଥିଲା–ନା ହଜୁର୍‌ କାନ୍ଦିବିନି । ଧର୍ମର ମୁହଁକୁ ଚାହିଁ ମତେ ସତକଥା ହିଁ କହିବାକୁ ପଡ଼ିବ ହଜୁର୍‌ ! ମୁଁ ମିଛକଥା କହିଲେ ସେ ହୁଏତ ଏଠି ଖଲାସ ପାଇଯିବ; କିନ୍ତୁ ପରକାଳରେ ତା’ର କ’ଣ ହେବ ? ଦିନେ ନା ଦିନେ ମରିବାକୁ ତ ପଡ଼ିବ ନିଶ୍ଚେ । ମୁଁ ମଧ୍ୟ ତା’ ବାପକୁ କ’ଣ କହିବି ? ମୁଁ ସତକଥା କହୁଛି । ହଜୁର ବିଚାର କରି ଖଲାସ କଲେ ଭଗବାନ ତାକୁ ଖଲାସ କରିବେ, ଦଣ୍ଡଦେଲେ ସେହି ଦଣ୍ଡରେ ହିଁ ତା’ ପାପର ଶାସ୍ତି ହୋଇଯିବ; ତାକୁ ଆଉ ନର୍କକୁ ଯିବାକୁ ପଡ଼ିବନି ।

ଅବିନାଶ ବାବୁ ଏଥର ପ୍ରଧାନ ଅସ୍ତ୍ରଟି ପ୍ରୟୋଗ କରିଥିଲେ, ଜେରା କରିଥିଲେ–ତମେ ପାପପୁଣ୍ୟ ମାନୁଛ ?

ମା’ କହିଥିଲା–ନିଶ୍ଚେ ମାନୁଛି ହଜୁର ! କିଏ ନ ମାନୁଛି କହନ୍ତୁ ? ନହେଲେ ଦିନରାତି କିପରି ହେଉଛି ?

ଧମକେଇଥିଲେ ଅବିନାଶବାବୁ–ଚୁପ୍‌କର, ବାଜେ କଥା ବକନି । ସତତିରିଶି ବର୍ଷ ପୂର୍ବେ ବର୍ଦ୍ଧମାନ ଜିଲ୍ଲାରେ, ମାଜିଷ୍ଟ୍ରେଟ୍‌ କୋର୍ଟରେ ଥରେ ତମେ ଇଜାହାର କରିଥିଲ ?

ବୁଢ଼ୀ ଟିକିଏ ଚମକିପଡ଼ି ମୁହଁଟେକି ସ୍ଥିରଦୃଷ୍ଟିରେ ଅବିନାଶବାବୁଙ୍କ ମୁହଁକୁ ଚାହିଁଥିଲା ।

କଠୋର କଣ୍ଠରେ ଅବିନାଶବାବୁ କହିଥିଲେ–କହ ? ଉତ୍ତର ଦିଅ ।

ବୁଢ଼ୀ କହିଲା–ଦେଇଥିଲି ।

 

–କି ମକଦ୍ଦମା ସେଇଟା ?

 

–ମୁଁ ବାପଘରୁ ଏଇ ସ୍ୱାମୀ ସହିତ ପଳାଇଆସିଥିଲି । ସେଇଥିପାଇଁ ମୋ ବାପା ମୋ ସ୍ୱାମୀ ନାଁରେ ମକଦ୍ଦମା କରିଥିଲେ । ସେ ମକଦ୍ଦମାରେ ମୁଁ ସାକ୍ଷୀ ଦେଇଥିଲି ।

 

–ତମ ବାପାଙ୍କ ନାଁ ଥିଲା ରାଖହରି ଭଟ୍ଟାଚାର୍ଯ୍ୟ । ତମେ ବ୍ରାହ୍ମଣର ଝିଅ ନା ?

 

–ହଁ ।

 

–ଯାହା ସହିତ ପଳାଇ ଆସିଥିଲ ସେ କୋଉ ଜାତିର ?

 

–ଖଣ୍ଡେଇତ । ଆମରି ଘରପାଖରେ ଥିଲା ସେମାନଙ୍କ ଘର । ପିଲାଦିନୁ ତା’ ଭଉଣୀ ସହିତ ଖେଳୁଥିଲି, ତାଙ୍କ ଘରକୁ ଯାଉଥିଲି । ତା’ପରେ ଭଲପାଇଲି । ମୁଁ ଯେତେବେଳେ ବୁଝିଲି ଯେ ତାକୁ ନ ପାଇଲେ ମୁଁ ବଞ୍ଚିପାରିବିନି, ସେତେବେଳେ ତା’ ସଙ୍ଗେ ମୁଁ ବାହାରିଆସିଲି । ଦୁଇଜଣଯାକ ବୈଷ୍ଣବ ହୋଇ ବିଭାହେଲୁ । ସେତେବେଳେ ମକଦ୍ଦମାଟା ହେଇଥିଲା ।

 

–ସେତେବେଳେ ସାକ୍ଷୀରେ କ’ଣ କହିଥିଲ ?

 

–କହିଥିଲି, ମୁଁ ବାପକୁ ଚାହେଁନି, ମା’କୁ ଚାହେଁନି, ଧର୍ମକୁ ବି ଚାହେଁନି, ତାକୁ ନ ପାଇଲେ ମୁଁ ବଞ୍ଚିବିନି, ସେ ମୋର ସବୁ–ପାପ ପୁଣ୍ୟ ସବୁ ହେଉଛି ସେ । ତା’ ସାଙ୍ଗରେ ଗଲେ ଯଦି ମତେ ନର୍କକୁ ଯିବାକୁ ପଡ଼ିବ, ତାହେଲେ ବି ଯିବି ।

 

ମାମଲାର ଜବାବ-ସୁଆଲବେଳେ ଅବିନାଶବାବୁ ମା’ର ଚରିତ୍ରର ଏହି ଦିଗଟି ଉପରେ ହିଁ ସର୍ବାଧିକ ଚାପ ଦେଇଥିଲେ; ନାରୀଚରିତ୍ରର ଏକ ବିଚିତ୍ର ବୈଶିଷ୍ଟ୍ୟର କଥା ବିଶ୍ଳେଷଣକରି କହିଥିଲେ–ଏ ସ୍ତ୍ରୀଲୋକଟିର ଅତୀତ ଇତିହାସ ସାକ୍ଷ୍ୟ ଦେଉଛି ଯେ, ଏ ହେଉଛି ସେହି ବିଚିତ୍ର ନାରୀ-ପ୍ରକୃତି, ଯେଉଁ ନାରୀ ଜୀବନର ସନାତନ ପୁରୁଷପାଇଁ ବାପ, ମା’, ଜାତିକୁଳ, ଧର୍ମଅଧର୍ମ ସବୁ କିଛିକୁ ଅନାୟାସରେ ଅବଲୀଳାକ୍ରମେ ତ୍ୟାଗକରି ଦେଇପାରେ । ଏମାନେ ଜୀବନର ଶେଷଦିନ ପର୍ଯ୍ୟନ୍ତ ବୋଧହୁଏ ଏହି ଲଜ୍ଜାକର ମୋହରେ ମଗ୍ନ ଏବଂ ଅନ୍ଧ ହୋଇ ରହିଥାଆନ୍ତି । ଅବୈଧ ପ୍ରଣୟର ପ୍ରଚଣ୍ଡ ଆକର୍ଷଣରେ ଏମାନେ ଅନାୟାସରେ ନିଜ ସନ୍ତାନକୁ ତ୍ୟାଗକରି ମଧ୍ୟ ଚାଲିଯାଆନ୍ତି ଦେହବାଦର ଏକ ରାକ୍ଷସୀ-କ୍ଷୁଧାର ତାଡ଼ନାରେ ।

 

ଆଜି ଯେତେବେଳେ ଏ ସ୍ତ୍ରୀଲୋକଟି ଧର୍ମକଥା କହେ, ସେତେବେଳେ ସାରା ବିଶ୍ୱ ହସେ; କିନ୍ତୁ ସେକଥା ସେ ବୁଝିପାରେନି । ପ୍ରତିହିଂସାର ତାଡ଼ନାରେ ଯେଉଁ ଧର୍ମକୁ ସେ ମାନେନାହିଁ, ଆଜି ସେହି ଧର୍ମର ଦ୍ୱାହି ଦେଉଛି ସେ । ଅସଲକଥା ହେଉଛି ହତ୍ୟାକାରୀ କିଏ, ସେ ତାହା ଚିହ୍ନିପାରିନି । ଅତି ଅଳ୍ପ ସମୟ... ଯେତେବେଳେ ସ୍ୱାମୀର ଚିତ୍କାରରେ ନିଦରୁ ଉଠି ମଶାରି ଠେଲି ବାହାରକୁ ସେ ଆସିଥିଲା, ଯେତେବେଳେ ହତ୍ୟାକାରୀ ଘରର ଦୁଆର ପାରହୋଇ ଚାଲିଯାଉଥିଲା, ସେତିକି ଭିତରେ ରାତିର ଅନ୍ଧାରରେ କିଏ କାହାକୁ ଚିହ୍ନିପାରିବାଟା ଅସମ୍ଭବ । ସେ ଚିହ୍ନିପାରିନି; ହୁଏତ ବା କାହାରିକୁ ଦେଖିନି ସୁଦ୍ଧା । ସେ ନିଦରୁ ଉଠୁଉଠୁ ହତ୍ୟାକାରୀ ପଳାଇଯାଇଥିଲା; ସେହି ଉତ୍ତେଜିତ ଅବସ୍ଥାରେ ସେ ଯାହା ଦେଖିଥିଲା, ତାହା ହେଉଛି ତା’ର ମନଭିତର କଳ୍ପନାର ଅଳୀକ ପ୍ରତିଫଳନ । ପୁଅକୁ ସେ ଆରମ୍ଭରୁ ଦେଖିପାରୁନଥିଲା, ତା’ପରେ ପୁଣି ସ୍ୱାମୀ ସହିତ ପୁଅର ବିରୋଧ ଘଟିଥିଲା; ସୁତରାଂ ତା’ର ମନେହୋଇଥିଲା ପୁଅ ହିଁ ହତ୍ୟାକାରୀ ଏବଂ ତାକୁ ହିଁ ସେ କଳ୍ପନା-ଚକ୍ଷୁରେ ଦେଖିଥିଲା । ଏ ନାରୀ ମା’ ନୁହେଁ, ମାତୃତ୍ୱହୀନା ବିଚିତ୍ର ଚରିତ୍ରର ପାପିଷ୍ଠା ଏ । ଆପଣମାନେ ଲକ୍ଷ୍ୟ କରିଥିବେ ଯେ ମା’ ହୋଇ ପୁଅକୁ ହତ୍ୟାଚାରୀ ବୋଲି ଘୋଷଣା କରିବାବେଳେ ଟୋପାଏ ଲୁହ ସୁଦ୍ଧା ତା’ ଆଖିରୁ ବାହାରିନି ।

 

ଅବିନାଶବାବୁ ଚିରକାଳ ବଢ଼ିଆ ବକ୍ତୃତା ଦିଅନ୍ତି । ସେହି କେସ୍‌ରେ ସେ ଏଇ ତଥ୍ୟଟି ଉପରେ ଭିତ୍ତିକରି ପ୍ରାଣ ଢାଳି ବକ୍ତୃତା ଦେଇଥିଲେ । ତା’ଛଡ଼ା ଅନ୍ୟ କୌଣସି ପଥ ନଥିଲା ଏବଂ ଜୁରିମାନଙ୍କୁ ଅଭିଭୂତ କରିଦେବାକୁ ସମର୍ଥ ହୋଇଥିଲେ ମଧ୍ୟ । ସେମାନେ ଏ କଥାକୁ ବିଶ୍ୱାସ କରିଥିଲେ–ସ୍ୱାମୀ ପ୍ରତି ଅତ୍ୟଧିକ ଆସକ୍ତି ଯୋଗୁ ଏବଂ ପୁଅର ବିବାହ ପରଠାରୁ ବୋହୂ ପ୍ରତି ପୁଅର ଆକର୍ଷଣ ଯୋଗୁ ପୁଅ ସଙ୍ଗେ ତା’ର ଚିରନ୍ତନ ବିଦ୍ୱେଷର ପ୍ରେରଣାରେ ନିଜ ଅଜ୍ଞାତସାରରେ ସେ ପୁଅକୁ ହିଁ ହତ୍ୟାକାରୀ ବୋଲି ଧାରଣା କରିବାଟା ସମ୍ପୂର୍ଣ୍ଣରୂପେ ସ୍ୱାଭାବିକ । ସୁତରାଂ ସେମାନେ ସନ୍ଦେହର ସୁଯୋଗରେ ଅର୍ଥାତ୍‌ ବେନିଫିଟ୍‌ ଅଫ୍‌ ଡାଉଟ୍‌ର ଅଧିକାରରେ ଆସାମୀକୁ ନିର୍ଦ୍ଦୋଷ କହିଥିଲେ; କିନ୍ତୁ ଏହି କଠିନ ବ୍ୟକ୍ତିଟି ଜୁରିମାନଙ୍କ ସହିତ ଭିନ୍ନମତ ହୋଇ ଆସାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କ ରାୟରେ ଅବିନାଶବାବୁଙ୍କ ମନ୍ତବ୍ୟଗୁଡ଼ିକୁ ତୀବ୍ର ସମାଲୋଚନା କରି ଛିନ୍ନବିଚ୍ଛିନ୍ନ କରିଦେଇଥିଲେ ।

 

ରାୟରେ ସେ ଲେଖିଥିଲେ–ଏହି ମାଆର ସାକ୍ଷ୍ୟକୁ ମୁଁ ଅକୃତ୍ରିମ ସତ୍ୟ ବୋଲି ବିଶ୍ୱାସକରେ । ଆସାମୀ ପକ୍ଷର ଲର୍‌ନେଡ୍‌ ଆଡ୍‌ଭୋକେଟ୍‌ ତା’ର ଚରିତ୍ରକୁ ଯେପରି ଭାବରେ ମସୀମୟ କରି ଉପସ୍ଥାପିତ କରିବା ଚେଷ୍ଟା କରିଛନ୍ତି, ତାହା ଖାଲି ବିଚାର-ଭ୍ରାନ୍ତି ନୁହେଁ, ଅଭିପ୍ରାୟମୂଳକ ବୋଲି ମୋର ମନେହୋଇଛି । ସାକ୍ଷୀ ଏହି ମା’ଟି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସ୍ୱାଭାବିକ ଚରିତ୍ରର ନାରୀ । ପ୍ରବଳ ଦୈହିକ ଆସକ୍ତି, ଯାହା ବ୍ୟାଧିର ଅର୍ନ୍ତଭୁକ୍ତ, ତା’ ଜୀବନରେ ସେଥିର କୌଣସି ଅଭିବ୍ୟକ୍ତି ନାହିଁ; ବରଂ ଗୋଟିଏ ସୁସ୍ଥ ସୂଷ୍ମ ବିଚାରବୋଧ ତା’ ଜୀବନରେ ମୁଁ ଲକ୍ଷ୍ୟ କରିଛି । ସେ ପ୍ରଥମ ଯୌବନରେ କୁମାରୀଜୀବନରେ ଜଣେ ଅସମ ବର୍ଣ୍ଣର ଯୁବକକୁ ଭଲପାଇଥିଲା । ସେହି ଭଲପାଇବାର ମୂଳରେ ଦେହଲାଳସାକୁ ପ୍ରଧାନ ବୋଲି କୌଣସି ଦିନ ସ୍ୱୀକାର କରିନି ସେ । ପ୍ରତିବେଶୀର ପୁଅ, ବାଲ୍ୟସଙ୍ଗିନୀର ଭାଇ, ସୁଦୀର୍ଘ ପରିଚୟ ଏହି ଭଲପାଇବାକୁ ତିଳେ ତିଳେ ଗଢ଼ି ତୋଳିଥିଲା; ମନ ସହିତ ମନର ଅନ୍ତରଙ୍ଗତା ଘଟିଥିଲା । ଆକସ୍ମିକଭାବରେ କୌଣସି ସୁସ୍ଥସବଳ ଓ ରୂପବାନ୍‌ ଯୁବକକୁ ଦେଖି ଯୁବତୀ ମନରେ ଯେଉଁ ବିକାର ଜନ୍ମେ, ତାକୁ ଉନ୍ମତ୍ତ କରିପକାଏ–ଏ ତାହା ନୁହେଁ । ଏ ଉପଲବ୍‌ଧି ସମ୍ପୂର୍ଣ୍ଣ ଭାବରେ ମନର ଉପଲବ୍‌ଧି । ସେହି ଉପଲବ୍‌ଧି ବଶତଃ ହୃଦୟାବେଗର ନିର୍ଦ୍ଦେଶରେ ସେ ଘର, କୁଳ, ଜାତି ତ୍ୟାଗ କରିଥିଲା, ସମାଜବୋଧ ବିଚାରରେ ତାହା ପାପ ହୋଇପାରେ; କିନ୍ତୁ ମାନବିକ ବିଚାରରେ ଅନ୍ୟାୟ ନୁହେଁ, ଅଧର୍ମ ନୁହେଁ, ଅସ୍ୱାସ୍ଥ୍ୟକର ବି ନୁହେଁ । ସାମାଜିକ ଓ ମାନବିକ ବିଚାର ସବୁଠାରେ ଏକମତ ହୋଇପାରେନା ବୋଲି ଆଇନ୍‌ ମାନବିକ ବିଚାରକୁ ଭିତ୍ତିକରି ଏ କାଳରେ ଗଠିତ ହୋଇଛି । ଯାହା ସମାଜର ବିଚାରରେ ପାପ, ସେହି ସୂତ୍ର ଅନୁସାରେ ତ ସବୁ କ୍ଷେତ୍ରରେ ଆଇନ୍‌ରେ ତାହା ଦଣ୍ଡନୀୟ ନୁହେଁ, ଅପରାଧ ବୋଲି ସ୍ୱୀକୃତ ନୁହେଁ । ଯାହାକୁ ସେ ଦେହଲାଳସା ବୋଲି କହିଛନ୍ତି–ଆଇନ୍‌ର ବିଚାରରେ ମୋ ଦୃଷ୍ଟିରେ ତାହା ସର୍ବଜୟୀ ପ୍ରେମ–ପେଶନ୍‌ ଅଫ୍‌ ଲାଇଫ୍; ସେଥିପାଇଁ ମର୍ମାନ୍ତକ ମୂଲ୍ୟ ଦେଇ ମଧ୍ୟ ସେ ଅନୁତପ୍ତ ନୁହେଁ, ଲଜ୍ଜିତ ନୁହେଁ ଏବଂ ପରବର୍ତ୍ତୀ ଜୀବନର ଆଚରଣରେ ସେ ଜଣେ ବିବାହିତା ସାଧ୍ୱୀ ସ୍ତ୍ରୀର ସମସ୍ତ କର୍ତ୍ତବ୍ୟ ଅସୀମ ନିଷ୍ଠା ସହିତ କରିଆସିଛି । ଏହି ମା’ ଯେଉଁ ବେଦନା ସହିତ ଧର୍ମର ମୁହଁ ଚାହିଁ ପୁଅ ବିରୁଦ୍ଧରେ ସାକ୍ଷ୍ୟ ଦେଇଛି ତାକୁ ମୁଁ କହେ ଡିଭାଇନ୍‌; ସ୍ୱର୍ଗୀୟରୂପେ ପବିତ୍ର । ଆଶ୍ଚର୍ଯ୍ୟ କଥା, ସୁବିଜ୍ଞ ଆଡ୍‌ଭୋକେଟ୍‌ ମହାଶୟ ଏହି ହତଭାଗିନୀ ମା’ର ସାକ୍ଷ୍ୟଦେବା ସମୟର ବେଦନାର୍ତ୍ତତା ଓ ଧର୍ମଜ୍ଞାନର ବା ସନାତନ ନୀତି ଜ୍ଞାନର ମର୍ମାନ୍ତକ ଦ୍ୱନ୍ଦ୍ୱ ଯେପରି ଇଚ୍ଛାପୂର୍ବକ ଲକ୍ଷ୍ୟ କରିନାହାନ୍ତି; କହିଛନ୍ତି–ସାକ୍ଷ୍ୟଦେବା ସମୟରେ ପୁଅର ଫାଶୀ ହୋଇପାରେ ଜାଣି ସୁଦ୍ଧା ତା’ ଆଖିରୁ ଲୁହ ଝରିଲାନି ।

 

ହାଇକୋର୍ଟ ଜ୍ଞାନେନ୍ଦ୍ରନାଥଙ୍କ ବିଚାରକୁ ହିଁ ମାନି ନେଇଥିଲେ ।

 

ଜ୍ଞାନେନ୍ଦ୍ରନାଥ ଆସାମୀକୁ ଅର୍ଥାତ୍‌ ସେହି ପୁଅକୁ ପ୍ରାଣଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡାଦେଶର ଇତିହାସ ମଧ୍ୟ ଠିକ୍‌ ସାଧାରଣ ପର୍ଯ୍ୟାୟରେ ପଡ଼ିନାହିଁ; ଅସାଧାରଣ ହିଁ କହିବାକୁ ହେବ । ଆଉ ଗୋଟିଏ କେସ୍‌ରେ ଅବିନାଶବାବୁ ସେଠାକୁ ଯାଇ ସେହି ଇତିହାସ ଶୁଣିଥିଲେ । ତିନିଦିନ ଧରି ଜ୍ଞାନେନ୍ଦ୍ରନାଥଙ୍କର ସେହି ଅଦ୍ଭୁତ ସ୍ତବ୍‌ଧ ଅବସ୍ଥା; ତିନିରାତି ସେ ଶୋଇନାହାନ୍ତି, ପ୍ରାୟ ସବୁକଥା ଲେଖିଦେଇ ଦଣ୍ଡାଦେଶର ସେହି କେତୋଟି ଲାଇନ୍‌ ଅସମାପ୍ତ ରଖି ଅବିଶ୍ରାନ୍ତ ଭାବରେ ପଦଚାରଣ କରିଥିଲେ ସେ । ଏଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ମହଲରେ ଗୋଟାଏ ଉଦ୍‌ବେଗ ସଞ୍ଚରିତ ହୋଇଥିଲା । ଜ୍ଞାନବାବୁଙ୍କର ଏହି ବିଚିତ୍ର ରାତ୍ରିଯାପନ କଥା ସେମାନଙ୍କ କାନରେ ପହଞ୍ଚିବାକୁ ବାକି ନ ଥିଲା । ସିଭିଲ୍‌ ସର୍ଜନ ଆସିଥିଲେ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ, ତାଙ୍କ ସହିତ ଆସିଥିଲେ ଏସ୍‌.ପି । ଯେ ଏସ୍‌.ଡି.ଓ. ସେ ବି ଆସିଥିଲେ । ନୂଆ ଜଜ୍‌ସାହେବ ଶେଷକୁ କ’ଣ ଫାଶୀର ହୁକୁମ୍‌ ଦେବେ ? ଏମାନଙ୍କୁ ଯେ ଉପସ୍ଥିତ ରହି ସେହି ଦଣ୍ଡାଦେଶକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିବ ।

 

ଭୋର୍‌ ସମୟରେ, ଫାଶି-ମଞ୍ଚଟାକୁ ଅସ୍ପଷ୍ଟ ଅନ୍ଧକାର ଭିତରେ ଦେଖି ଅଦ୍ଭୁତ ମନେହେବ । ମୃତ୍ୟୁପୁରୀର ହଠାତ୍‌ ଖୋଲିଯାଇଥିବା ଦ୍ୱାର ଭଳି ମନେହେବ । ମନେହେବ ଦ୍ୱାରଟାର ଚାରିପାଖରେ କାଠଗୁଡ଼ାକ ଦେହରୁ କବାଟ ଯୋଡ଼ାକ ଅଦୃଶ୍ୟ ହୋଇଯାଇଛି, ଖୋଲା ପଥଟା ମୃତ୍ୟୁର ଗ୍ରାସପରି ହାଁ ହାଁ ହେଉଛି । ତା’ପରେ ଦୂରରୁ ହୁଏତ ହତଭାଗ୍ୟର କାତର ଆର୍ତ୍ତନାଦ ଶୁଣାଯିବ । ହୁଏତ ଝୁଲେଇ ନେଇ ଆସିବେ ଗୋଟାଏ ହାଡ଼ ଓ ମାଂସର ବିହ୍ୱଳ ବୋଝକୁ । ଓଃ ! ତା’ପରେ ଦଣ୍ଡାଦେଶ ପଢ଼ିବାକୁ ପଡ଼ିବ । ଦଣ୍ଡିତ ହତଭାଗ୍ୟର ମୁଣ୍ଡରେ କଳା ଟୋପି ପିନ୍ଧାଇଦେବେ । ଓଃ...

 

ସିଭିଲ୍‌ ସର୍ଜନ କହିଥିଲେ–ଏ ଜେଲ୍‌ରେ ଆଜିକୁ ତିରିଶବର୍ଷ ହେଲା ଫାଶି ଦିଆହୋଇନି-। ଗେଲୋଜ୍‌ (ଫାଶିଖୁଣ୍ଟ) ସୁଦ୍ଧା ନଷ୍ଟ ହୋଇଯାଇଛି । ଖାଲି ଗୋଟାଏ ଢିପ ରହିଛି । ସବୁ ନୂଆକରି ତିଆରି କରିବାକୁ ପଡ଼ିବ ।

 

ମାଜିଷ୍ଟ୍ରେଟ୍‌ ସାହେବ ବି ବିଚଳିତ ହୋଇଥିଲେ ।

 

ପରାମର୍ଶକରି ସେମାନେ ଜ୍ଞାନବାବୁଙ୍କ କୋଠିକୁ ଆସିଥିଲେ । ଇଙ୍ଗିତରେ ଅନୁରୋଧ ବି ଜଣାଇଥିଲେ ।

 

ଜ୍ଞାନବାବୁ କହିଥିଲେ–ମୁଁ ତିନିଦିନ ହେଲା ଶୋଇନି । ଖାଲି ଭାବୁଛି ।

 

ମାଜିଷ୍ଟ୍ରେଟ କହିଥିଲେ– ମୁଁ ଶୁଣିଛି । ମଣିଷକୁ ଡେଥ୍‌ ସେଣ୍ଟେନ୍‌ସ ଦେବାଠାରୁ ବଳି ଯନ୍ତ୍ରଣାଦାୟକ କର୍ତ୍ତବ୍ୟ ଆଉ କିଛି ନାହିଁ ।

 

ଜ୍ଞାନେନ୍ଦ୍ରବାବୁ କହିଥିଲେ– ମୋ ସ୍ତ୍ରୀ ମଧ୍ୟ ଭାରି ବିଚଳିତ ହୋଇପଡ଼ିଛନ୍ତି । ସେ ଯେପରି ମୋ ମୁହଁକୁ ଚାହିଁପାରୁନାହାନ୍ତି ! କିନ୍ତୁ ମୁଁ କ’ଣ କରିବି !

 

ସତରେ ସୁରମା ଦେବୀ ଅତ୍ୟନ୍ତ ବିଚଳିତ ହୋଇଥିଲେ; ଡରିଯାଇ କହିଥିଲେ–ତମେ କ’ଣ ଫାଶି ହୁକୁମ୍‌ ଦେବ ?

 

ଜ୍ଞାନେନ୍ଦ୍ରବାବୁ ଉତ୍ତର ଦେଇପାରିନାହାନ୍ତି ପ୍ରଥମେ । ଅନେକ କ୍ଷଣପରେ କହିଥିଲେ–ତା’ର ମା’ ନିଜ ସାକ୍ଷ୍ୟରେ ଯେଉଁ କଥା କହିଯାଇଛି ତା’ପରେ ସେହି ଦଣ୍ଡ ଦେବା ଛଡ଼ା ମୁଁ ଆଉ କ’ଣ କରିପାରିବି କହ ?

 

ୟାପରେ ସୁରମା ଦେବୀ ଆଉ କ’ଣ କହିବେ ? ତେବେକେ କହିଥିଲେ–ସେଇ ମା’ର କଥା ହିଁ ଭାବି ଦେଖ ! ସେ ହତଭାଗିନୀର ଆଉ କ’ଣ ରହିବ କହିଲ ?

 

–ଧର୍ମ ! ଜ୍ଞାନେନ୍ଦ୍ରବାବୁ କହିଥିଲେ–ହିନ୍ଦୁ ଧର୍ମ, ମୁସଲମାନ ଧର୍ମ କି ଖ୍ରୀଷ୍ଟାନ୍‌ ଧର୍ମ ନୁହେଁ ସୁରମା–ସତ୍ୟଧର୍ମ ।

 

କେତେ ମୁହୂର୍ତ୍ତପରେ ମୁହଁଟେକି ଏକ ବିଚିତ୍ର ହସ ହସି କହିଥିଲେ–ସେହି ସ୍ତ୍ରୀଲୋକଟି ମତେ ଶିକ୍ଷା ଦେଇଗଲା । ଇତିହାସର ବଡ଼ ମଣିଷ ମହତ୍‌ ବ୍ୟକ୍ତି ଏହି ସତ୍ୟକୁ ପାଳନ କରିଆସୁଛନ୍ତି ବୋଲି ପଢ଼ିଥିଲି । ଏକାଳରେ ମହାତ୍ମା ଗାନ୍ଧିଙ୍କୁ ଦେଖିଛି, ମୁଗ୍‌ଧ ହୋଇଛି; କିନ୍ତୁ ଭାବିଛି–ଯେଉଁମାନେ ମହତ୍ ଏବଂ ଯେଉଁମାନେ ବୃହତ୍‌, ଖାଲି ସେହିମାନେ ହିଁ ଏହାକୁ ପାଳନ କରିପାରିବେ । କିନ୍ତୁ ସେହି ସ୍ତ୍ରୀଲୋକଟି ମତେ ବୁଝେଇ ଦେଇଗଲା–ନା, ତା’ ଭଳି ମଣିଷ ବି ତାହା କରିପାରିବ । ଆଜି ମୁଁ ବିରାଟ ଆଶ୍ୱାସନା ଲାଭକଲି ।

 

କହିଦେଇ ସାଙ୍ଗେ ସାଙ୍ଗେ ବସିଯାଇଥିଲେ ଲେଖିବାକୁ । ପ୍ରାୟ ଏକ-ନିଃଶ୍ୱାସରେ ଲାଇନ୍ କେତୋଟି ଲେଖି ଶେଷକରି ଦେଇଥିଲେ । ବିଚାର ନିଷ୍ଠୁର ନୁହେଁ, ସେ ସାଂସାରିକ ସୁଖ-ଦୁଃଖର ଊର୍ଦ୍ଧ୍ୱରେ ! ଜଷ୍ଟିସ୍‌ ଇଜ୍‌ ଡିଭାଇନ୍‌ ।

 

ସେଦିନ ମାଜିଷ୍ଟ୍ରେଟ୍‌, ଏସ୍‌.ପି., ସିଭିଲ୍‌ ସର୍ଜନ, ଏମାନଙ୍କୁ ବି ସେ ସେହିକଥା ହିଁ କହିଥିଲେ । –ଏ କ୍ଷେତ୍ରରେ ଆଉ ଅନ୍ୟ କୌଣସି ଦଣ୍ଡ ନାହିଁ । ମୁଁ ହେଲ୍‌ପ କରିପାରିବିନି ! ଆଇ କାଣ୍ଟ୍‌ !

 

(୪)

 

ଅବିନାଶବାବୁ ଯତ୍ନର ସହିତ ମାମଲାଟିକୁ ସଜାଇ ନେଇଥିଲେ । ଅବଶ୍ୟ ସଜେଇବାକୁ ବିଶେଷ କିଛି ନଥିଲା; ତେବେକେ ଗୋଟିଏ ସ୍ଥାନ ଥିଲା । ଯାହା ପାଇଁ ଗୋଟା ମାମଲାଟି ସମ୍ପର୍କରେ ପ୍ରଥମରୁ ବିରୂପ ଧାରଣା ହୋଇଯାଇପାରେ । ସେଥିପାଇଁ ସେ ପ୍ରସ୍ତୁତ ହୋଇ ରହିଥିଲେ । ସେ ସ୍ଥିରଭାବେ ଜାଣନ୍ତି ଯେ ବିଚାରକ ଆସନରେ ଉପବିଷ୍ଟ ଏହି ଯେଉଁ ଲୋକଟିର ସ୍ଥିରଦୃଷ୍ଟି ସମ୍ମୁଖର ଖୋଲା ଦ୍ୱାରପଥରେ ବାହାରର ଉନ୍ମୁକ୍ତ ପ୍ରସାରିତ ପ୍ରାଙ୍ଗଣରେ ବିଞ୍ଚିହୋଇ ପଡ଼ିଛି ଲକ୍ଷ୍ୟହୀନ ଭଳି, ଯାହାକୁ ଦେଖି ମନେହେଉଛି ଏହି ଅଦାଲତ-କକ୍ଷର କୌଣସି ବିଷୟ ସହିତ ତାଙ୍କର କ୍ଷୀଣତମ ଯୋଗସୂତ୍ର ସୁଦ୍ଧା ନାହିଁ, ଦୃଷ୍ଟି ସହିତ କେଉଁ ସୁଦୂରକୁ ଚାଲିଯାଇଛି ତାଙ୍କର ମନ ଉଦାସୀ ବୈରାଗୀ ପରି । ଘଟନାର ବର୍ଣ୍ଣନାରେ କୌଣସି ଅସଙ୍ଗତି ଘଟିଲେ ଅଥବା ଘଟନାର ଠିକ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନଟିରେ ମଣିଷଟି ସଜାଗହୋଇ ଉଠି କହିବେ–ଇୟେସ୍‌ ! ...ଅଥବା ଚମକି ବୁଲିପଡ଼ି ଚାହିଁବେ, ପ୍ରଶ୍ନର ବ୍ୟଞ୍ଜନାରେ ଭ୍ରୂ ଦୁଇଟି ଈଷତ୍‌ କୁଞ୍ଚିତ ହୋଇଉଠିବ, ସେ ପଚାରିବେ–ହ୍ୱାଟ୍‌ ? କ’ଣ କହିଲେ ମିଷ୍ଟର୍‌ ମିତ୍ର ? ସେ– ?

 

ଅବିନାଶବାବୁଙ୍କ ଅନୁମାନ ମିଛ ହେଲାନାହିଁ; ଆଜି ବି ଜଜ୍‌ ସାହେବ ଚକିତ ଭାବରେ ବୁଲିପଡ଼ି ଅବିନାଶବାବୁଙ୍କ ଆଡ଼କୁ ଚାହିଁ ପ୍ରଶ୍ନକଲେ–ହ୍ୱାଟ୍‌ ? କ’ଣ କହୁଛନ୍ତି, ମିଷ୍ଟର୍‌ ମିତ୍ର ? ଆପଣ କହୁଛନ୍ତି ସାନଭାଇ ଖଗେନ୍ଦ୍ର ଘୋଷ, ଯେ ଖୁନ୍‌ ହୋଇଛି, ସେ ଆସାମୀ ବଡ଼ଭାଇ ନଗେନ୍‌କୁ ଡାକିନେଇଯାଇଥିଲା ? ନଗେନ୍‌, ଏହି ଆସାମୀ, ଡାକିନେଇଯାଇନି ?

 

ଅବିନାଶବାବୁ ମନେମନେ ଖୁସିହେଲେ; ସେ ଏହି ପ୍ରଶ୍ନ ହିଁ ଚାହିଁଥିଲେ । ସମ୍ମତି ଜଣାଇ ମୁଣ୍ଡ ହଲାଇ ସେ କହିଲେ–ଇୟେସ୍‌, ୟୋର୍‌ ଅନର୍‌ ! ତାହା ହିଁ ହେଉଛି ପ୍ରକୃତ ଘଟନା । ସେହିକଥା ହିଁ ମୁଁ କହିଛି ।

 

ଜ୍ଞାନେନ୍ଦ୍ର ବାବୁ କହିଲେ–ଦାଟସ୍‌ ଅଲ୍‌ ରାଇଟ୍‌ । ଗୋ-ଅନ୍‌ ପ୍ଳିଜ୍‌ ।

 

ଅବିନାଶବାବୁ କହିଚାଲିଲେ–ଇୟେସ୍‌, ଇଓର୍‌ ଅନର୍‌, ଘଟନାର ଯାହା ପରିଣତି ସେଥିରେ ସାଧାରଣ ନିୟମରେ ଆସାମୀ ନଗେନ୍‌ ଆସି ତାକୁ ଡାକି ନେଇଯାଇଥିଲା, ଏଭଳି ହୋଇଥିଲେ ଘଟଣାଟି ସହଜ ହୋଇଥାନ୍ତା ଏବଂ ପୂର୍ବର କଥା ଅନୁସାରେ ନଗେନ୍‌ ଡାକିବାକୁ ଆସିବା କଥା ଥିଲା ମଧ୍ୟ । କିନ୍ତୁ ସେ ଆସିନି ।

 

ଅବିନାଶବାବୁ ଧୀରକଣ୍ଠରେ ଗୋଟିକ ପରେ ଗୋଟିଏ ତାଙ୍କର ବକ୍ତବ୍ୟଗୁଡ଼ିକ କହିବାକୁ ଆରମ୍ଭକଲେ । କୌଣସି ଆବେଗ ନାହିଁ । କିଛି ହେଲେ ଉତ୍ତାପ ନାହିଁ, ଖାଲି ଯୁକ୍ତିସମ୍ମତ ବିଶ୍ଳେଷଣ–ନଗେନ୍ଦ୍ର ଆସିନି, ସେ ଡାକିବା କଥା ଥିଲା, କିନ୍ତୁ ସେ ଆସିଲାନାହିଁ କି ଡାକିଲା ନାହିଁ । ଇଅର୍‌ ଅନର୍‌, ଏହା ହିଁ ହେଲା ଆସାମୀର ସୁଚିନ୍ତିତ ପରିକଳ୍ପନାର ଅତି ସୂଷ୍ମ ଚାତୁର୍ଯ୍ୟମୟ ଅଂଶ । ଅନ୍ୟପଟେ ଏହି ଅତିଚତୁରତା ହିଁ ତା’ର ଉଦ୍ଦେଶ୍ୟକୁ ଧରାପକାଇଦେଉଛି, ଅତି ସହଜରେ ଧରାପକାଇ ଦେଉଛି । ସାକ୍ଷ୍ୟ-ପ୍ରମାଣଦ୍ୱାରା ଅତି ସହଜରେ ଏ ତଥ୍ୟ ଉଦ୍‌ଘାଟିତ ହେବ । ଅବଶ୍ୟ ଆଉ ଗୋଟିଏ ବ୍ୟାଖ୍ୟା ମଧ୍ୟ କରାଯାଇପାରେ; କିନ୍ତୁ ସେଥିରେ ବି ସେହି ଏକମାତ୍ର ସତ୍ୟରେ ଆମେ ଯାଇ ପହଞ୍ଚୁଛେ । ଇଓର୍‌ ଅନର୍‌, ପୂରା ବିଷୟଟି ଯଥାର୍ଥ ପଟ୍ଟଭୂମି ଉପରେ ଉପସ୍ଥାପିତ କରି ଚିନ୍ତାକରି ଦେଖିବାକୁ ପଡ଼ିବ । ପଟ୍ଟଭୂମିଟି କିପରି ? ପଟ୍ଟଭୂମି ହେଲା–ଏ ଦେଶର ପଲ୍ଲୀଗ୍ରାମର ଗୋଟିଏ ସ୍ୱଳ୍ପବିତ୍ତ ଚାଷୀର ସଂସାର । ସୁବଳ ଘୋଷ ଜଣେ ଚାଷୀ । ଆମ ଦେଶର ପଚାଶବର୍ଷ ଆଗର ଚାଷୀମାନଙ୍କ ଭିତରୁ ଜଣେ । ସେକାଳର ଧର୍ମବିଶ୍ୱାସରେ, ସାମାଜିକ ବିଶ୍ୱାସରେ ଦୃଢ଼ ବିଶ୍ୱାସୀ ସେ । ତା’ର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅଟି ପିଲାଦିନୁ ବିଚିତ୍ର ପ୍ରକୃତିର । ସାକ୍ଷ୍ୟପ୍ରମାଣଦ୍ୱାରା ପ୍ରମାଣିତ ହେବ ଯେ ପିଲାଦିନେ ଏହି ବାଳକଟି ଅତି ଦୁର୍ଦ୍ଦାନ୍ତ ଥିଲା-। ଅନେକ ଆଶା କରି ବାପ ଏକମାତ୍ର ପୁଅକୁ ସ୍କୁଲରେ ପଢ଼ିବାକୁ ପଠାଇଥିଲା । ସାଧ୍ୟର ଅତିରିକ୍ତ ହେଲେ ସୁଦ୍ଧା ପୁଅକୁ ମଣିଷପରି ମଣିଷଟିଏ–ଭଦ୍ର, ଶିକ୍ଷିତ ମଣିଷ କରି ଗଢ଼ିବାର ଇଚ୍ଛାକୁ ସେ ଖର୍ବ କରିନାହିଁ । କେତେ ମାଇଲ୍‌ ଦୂରରେ ଥିବା ବର୍ଦ୍ଧିଷ୍ଣୁ ଗ୍ରାମର ସ୍କୁଲରେ ନାଁ ଲେଖାଇ ବୋର୍ଡିଂରେ ରଖିଦେଇଥିଲା, ସ୍କୁଲର ରେର୍କଡ୍‌ରୁ ଆମକୁ ମିଳୁଛି ଯେ, ପିଲାଟି ଆହୁରି କେତେଜଣ ଦୁର୍ଦ୍ଦାନ୍ତ ପ୍ରକୃତିର ପିଲାଙ୍କ ସହିତ ମିଶି ପ୍ରତିଦିନ ପ୍ରାୟ ସ୍କୁଲର ଶାସନର ପାତ୍ର ହେଉଥିଲା ଏବଂ ମାତ୍ର ଦି’ବର୍ଷ ପରେ ସ୍କୁଲରୁ ବିତାଡ଼ିତ ହୋଇଥିଲା । ତହିଁର କାରଣ କ’ଣ ଜାଣନ୍ତି ? ତା’ର କାରଣ ହେଲା ଚୋରି ଏବଂ ହତ୍ୟା ! ମଣିଷ ନୁହେଁ–ଜନ୍ତୁ । ବୋର୍ଡିଂ ପାଖରେ ଜଣେ ମେଣ୍ଢା ଛେଳି ବ୍ୟବସାୟୀର ଖୁଆଡ଼ ରହିଥିଲା । ଏହି ଗୁହାଳରୁ ନିୟମିତ ଭାବରେ ଦୁଇ ଚାରିଦିନ ଛଡ଼ାରେ ଛେଳି, ମେଣ୍ଢା ଅଦୃଶ୍ୟ ହୋଇଯାଉଥିଲା । କୌଣସି ଚିହ୍ନ ମିଳୁନଥିଲା । ରକ୍ତର ଦାଗ ନୁହେଁ, କୌଣସି ପ୍ରକାର ଚିତ୍କାର ବି ଶୁଣାଯାଏନି । କୌଣସି ହିଂସ୍ର ଜାନୁଆର୍‌ର ପତ୍ତା ବି ମିଳୁନଥିଲା-। ଶେଷକୁ ଅନେକ ସତର୍କ ଚେଷ୍ଟାପରେ ଧରାପଡ଼ିଲା ଏହି ଦଳର ଗୋଟିଏ ଛୋଟ ପିଲା-। ସେ ସ୍ୱୀକାର କଲା ଯେ ସେମାନେ ଏହି କାମ କରୁଛନ୍ତି । ଏହି ଛେଳି ଓ ମେଣ୍ଢାଙ୍କୁ ସେମାନେ ଚୋରିକରି ଗଭୀର ରାତିରେ ରାନ୍ଧି ଫିଷ୍ଟ୍‌ କରୁଥାନ୍ତି । ଗୋଟିଏ ପିଲା ବିଚିତ୍ର ଭାବରେ ଚୋରି କରିବାକୁ ସିଦ୍ଧହସ୍ତ ଥିଲା । ସେହି ଆସାମୀର ନାଁ ନଗେନ୍ ଘୋଷ । କେତୋଟି ଗୁପ୍ତ ରାସ୍ତା ତିଆରି କରି ରଖିଥିଲେ ସେମାନେ । ଗୋଟାଏ ଝରକାକୁ ଏପରି ଭାବରେ ଖୋଲି ରଖୁଥିଲେ ଯେ, ଝରକାଟା ଟାଣିଦେଲାକ୍ଷଣି ବାହାରିପଡ଼ୁଥିଲା । ସେହି ରାସ୍ତାରେ ରାତିରେ ଏହି ନଗେନ୍‌ ପଶୁଥିଲା, ପଶିଲାକ୍ଷଣି ସାମନାରେ ଯାହାକୁ ପାଉଥିଲା, ମୁହୂର୍ତ୍ତକରେ ତା’ର ବେକ ଚିପି ଧରୁଥିଲା ଏବଂ ସାଙ୍ଗେ ସାଙ୍ଗେ ଭାଙ୍ଗି ମୋଡ଼ିଦେଉଥିଲା । ଏ କାମରେ ସେ ପ୍ରାୟ ପାରଙ୍ଗମ ହୋଇଯାଇଥିଲା-। ତା’ ଭଳି ଆଉ କେହି ଏହିପରି କରିପାରୁନଥିଲେ । ସେହି କାରଣରୁ ହେଡ୍‌ମାଷ୍ଟର ତାକୁ ସ୍କୁଲରୁ ତଡ଼ି ଦେଇଥିଲେ । ସେଥିପାଇଁ ବାପ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲା ଏବଂ ପୁଅକୁ କଠିନ ତିରସ୍କାର କଲା । ସେମାନେ ବୈଷ୍ଣବ; ସେହି ଅପରାଧ ସେମାନଙ୍କ ନିକଟରେ ମହାପାପ-। ବାପକୁ ଏତେ କଷ୍ଟ ଲାଗିଥିଲା ଯେ ସେ ପ୍ରାୟଶ୍ଚିତ୍ତ ନ କରାଇ ପୁଅକୁ ଛାଡ଼ିଲାନାହିଁ । ମୁଣ୍ଡ ଲଣ୍ଡାକରି ଶାସ୍ତ୍ରର ବିଧି ଅନୁସାରେ ପ୍ରାୟଶ୍ଚିତ୍ତ କରାଇଲା । ସେହି ରାତିରେ ହିଁ ପୁଅ ଘର ଛାଡ଼ି ବାହାରିଗଲା ଏବଂ ବାରବର୍ଷ ନିରୁଦ୍ଦେଶ ରହିଲାପରେ ଫେରିଆସିଲା । ସେତେବେଳେ ତା’ର ବୟସ ପ୍ରାୟ ଅଠେଇଶି, ଅଣତିରିଶି । ଇଓର୍‌ ଅନ୍‌ର, ସନ୍ନ୍ୟାସୀବେଶରେ ସେ ଫେରିଆସିଲା । ଏହି ଯେଉଁ କ୍ଷୁଦ୍ର, ଶାନ୍ତ ଚାଷୀ ପରିବାରଟି, ସେ ପରିବାରରେ ପରିବର୍ତ୍ତନଶୀଳ କାଳସ୍ରୋତର ଅନେକ ଭଙ୍ଗାଗଢ଼ା ହୋଇସାରିଛି, ସେତେବେଳକୁ–ନଗେନ୍ଦ୍ରର ମା’ ମରିଛି, ତା’ ଭଉଣୀ ବିଧବା ହୋଇଯାଇଛି, ବାପ ସୁବଳ ଘୋଷ ବଂଶଲୋପ ଭୟରେ ପୁଣି ବାହା ହୋଇଛି ଏବଂ ଗୋଟିଏ ଶିଶୁପୁତ୍ର ରଖି ସେ ସ୍ତ୍ରୀଟି ମଧ୍ୟ ପରଲୋକ ଗମନ କରିଛି । ସୁବଳ ଘୋଷ ସେତେବେଳେ କଠିନ ରୋଗରେ ଶଯ୍ୟାଶାୟୀ । ଶିଶୁପୁତ୍ରଟିକୁ ସୁବଳର ବିଧବା ଝିଅ ମଣିଷ କରୁଥିଲା; ସେ ଆସାମୀ ନଗେନ୍ଦ୍ରର ଭଉଣୀ ।

 

ହଜିଯାଇଥିବା ପୁଅଟିକୁ ପାଇ ସୁବଳ ଆନନ୍ଦରେ ଆତ୍ମହରା ହୋଇପଡ଼ିଲା ଏବଂ ତା’ ଦେହରେ ସନ୍ନ୍ୟାସୀ-ବେଶ ଦେଖି କାନ୍ଦି ଆକୁଳ ହେଲା, କହିଲା–ତୁ ଏ ବେଶ ଛାଡ଼ିଦେ ।

 

ନଗେନ୍ଦ୍ର କହିଲା, ନା ।

 

ବାପ କହିଲା, ହଇରେ ! ତୁ ସନ୍ନ୍ୟାସୀ ହେବୁ, ହୁଏତ ନିଜେ ପରମାର୍ଥ ପାଇବୁ, ମୋକ୍ଷ ପାଇବୁ । ହେଲେ ଆମର ପିତୃପୁରୁଷର ଭିଟା, ଏ ଘୋଷବଂଶ ? ଏସବୁ କ’ଣ ଭାସିଯିବ ?

 

ନଗେନ୍‌ କହିଲା–ହେଇଟି ଖଗେନ୍‌ ତ ଅଛି ।

 

ସୁବଳ କହିଲା, ଛ’ବର୍ଷର ପିଲା, ସେ ବଡ଼ ହବ, ମଣିଷ ହବ । ସେତେବେଳକୁ ମଣିଷ ଅଭାବରେ ଘରଦୁଆର ସବୁ ଭାଙ୍ଗିପଡ଼ିଥିବ । ଜମିବାଡ଼ି ଖୁଦକୁଣ୍ଡା ଯାହା ଅଛି ତାକୁ ଦଶଜଣ ଆତ୍ମସାତ୍‌ କରିଦେଇ ରାସ୍ତାର ଭିକାରି କରିଦେବେ । ଏ ବିଧବା ଝିଅଟା ଘୋଷବଂଶର ଝିଅ, ତୋ ମା’ ପେଟର ଭଉଣୀ, ତା’ ଅବସ୍ଥା କ’ଣ ହେବ ଭାବିଲୁ ? ମନ୍ଦ ଦିଗଟା ହିଁ ଭାବ !

 

ନଗେନ୍ଦ୍ର କହିଲା– ବେଶ୍‌ ତା’ହେଲେ ଖଗେନ୍‌କୁ ବଡ଼କରି ତାକୁ ବିଭା କରାଇ ତା’ର ଘରସଂସାର କରାଇଦେଲା ପର୍ଯ୍ୟନ୍ତ ମୁଁ ରହିଲି; କିନ୍ତୁ ଆଉ କିଛି ମତେ କହନି ।

 

ପବ୍‌ଲିକ ପ୍ରସିକିଉଟର୍‌ ଅବିନାଶବାବୁ ତାଙ୍କ ହାତରେ କାଗଜଗୁଡ଼ିକ ଟେବୁଲ୍‌ ଉପରେ ରଖିଦେଇ କୋର୍ଟର କାନ୍ଥରେ ଥିବା ଘଣ୍ଟାଆଡ଼କୁ ଚାହିଁଲେ । ପାଞ୍ଚଟା ଆଡ଼କୁ ଚାଲୁଛି ଘଣ୍ଟାର କଣ୍ଟାଟା । ଟେବୁଲ୍‌ ଉପରେ ଥିବା କାଗଜଢ଼ଙ୍କା କାଚ ଗ୍ଲାସଟି ଟେକି ଟିକିଏ ପାଣି ପିଇ ପୁଣି ଆରମ୍ଭକଲେ–ଇୟୋର୍‌ ଅନର୍‌, ମନୁଷ୍ୟ ଭିତରେ ହିଁ ଜୀବନଶକ୍ତିର ଶ୍ରେଷ୍ଠ ପ୍ରକାଶ । ଜଡ଼ ଭିତରେ ଯେଉଁ ଶକ୍ତି ଅନ୍ଧ ଦୁର୍ବାର, ଜନ୍ତୁ ଭିତରେ ଯେଉଁ ଶକ୍ତି ପ୍ରବୃତ୍ତିର ଆବେଗରେ ହିଁ ପରିଚାଳିତ; ମନୁଷ୍ୟ ଭିତରେ ସେହି ଶକ୍ତି ମନ ବୁଦ୍ଧି ଓ ହୃଦୟର ଅଧିକାରୀ ହୋଇଛି । ଜନ୍ତୁର ପ୍ରକୃତିରେ ପରିବର୍ତ୍ତନ ହୁଏନାହିଁ; ସର୍କସ୍‌ର ଜାନୁଆରକୁ ଅନେକ ଶାସନ କରି ଅନେକ ମାଦକ ଖୁଆଇ ମଧ୍ୟ ତା’ ଆଗରେ ଚାବୁକ ଏବଂ ବନ୍ଧୁକ ଉଦ୍ୟତ କରି ରଖିବାକୁ ପଡ଼େ । ଏକମାତ୍ର ମଣିଷର ହିଁ ପରିବର୍ତ୍ତନ ଅଛି; ତା’ର ପ୍ରକୃତି ବଦଳେ । ଘାତ-ପ୍ରତିଘାତରେ, ଶିକ୍ଷା-ଦୀକ୍ଷାରେ, ନାନା କାର୍ଯ୍ୟ-କାରଣରେ ତା’ର ପ୍ରକୃତିର ଯେ ଖାଲି ପରିବର୍ତ୍ତନ ହିଁ ହୁଏ ତା’ ନୁହେଁ, ସେହି ପରିବର୍ତ୍ତନ ଭିତରେ ସେ ମହତ୍ତର ପ୍ରକାଶରେ ପ୍ରକାଶିତ କରିବାକୁ ଚାହେଁ ନିଜକୁ । ଅଧିକାଂଶ କ୍ଷେତ୍ରରେ ଏହା ହିଁ ହେଉଛି ନିୟମ । ଅବଶ୍ୟ ବିପରୀତ ଦିଗର ଗତି ବି ଦେଖାଯାଏ; କିନ୍ତୁ ତାହା ଦେଖାଯାଏ ସ୍ୱଳ୍ପକ୍ଷେତ୍ରରେ ।

 

ଜ୍ଞାନବାବୁଙ୍କ ଗମ୍ଭୀର ମୁହଁରେ ଗୋଟିଏ ହସର ଗାର ଫୁଟିଉଠିଲା । ଅବିନାଶବାବୁ ଚତୁର ବ୍ୟକ୍ତି । ଅସାଧାରଣ କୌଶଳୀ । ଠିକ୍‌ ଏହିକ୍ଷଣି ସେ ଯେଉଁ କଥାଗୁଡ଼ିକ କହିଲେ, ସେଗୁଡ଼ିକ ତାଙ୍କର ଅର୍ଥାତ୍‌ ଜ୍ଞାନବାବୁଙ୍କର କଥା । କିଛିଦିନ ପୂର୍ବେ ଏଠାକାର ଲାଇବ୍ରେରୀରେ ବକ୍ତୃତା ପ୍ରସଙ୍ଗରେ ଏହି କଥାଗୁଡ଼ିକ ହିଁ ସେ କହିଥିଲେ ।

 

ଅବିନାଶବାବୁ କହିଲେ, ତତ୍‌କାଳୀନ ଆଚାର-ଆଚରଣ, କାର୍ଯ୍ୟକର୍ମ ସମ୍ପର୍କରେ ଯେଉଁ ପ୍ରମାଣ ଆମେ ପାଉଛୁ, ସେଥିରେ ମୁଁ ସ୍ୱୀକାର କରୁଛି ଯେ, ଆସାମୀ ନଗେନ୍‌ର ପ୍ରକୃତିର ଗୋଟାଏ ପରିବର୍ତ୍ତନ ଘଟିଥିଲା, ଏବଂ ସେ ପରିବର୍ତ୍ତନ ସତ୍‌ ଓ ଶୁଦ୍ଧ ପରିବର୍ତ୍ତନ । ତା’ର ବାରବର୍ଷକାଳ ଅଜ୍ଞାତବାସର ଇତିବୃତ୍ତ ଆମେ ଜାଣିନାହୁଁ; କିନ୍ତୁ ପରବର୍ତ୍ତୀକାଳର ନଗେନ୍‌କୁ ଦେଖି କହିବାକୁ ପଡ଼ିବ ଯେ, ଏହି ଅଜ୍ଞାତବାସ ସମୟରେ ସାଧୁ-ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଏବଂ ତୀର୍ଥ ପ୍ରଭୃତି ଭ୍ରମଣ କରିବା ଯୋଗୁ ଗୋଟିଏ ପବିତ୍ର ପ୍ରଭାବ ନିଃସନ୍ଦେହରେ ତା’ ଉପରେ ବିସ୍ତାର ଲାଭ କରିଥିଲା । ନଚେତ୍‌, ସେହି ବର୍ବର ପାଷାଣ୍ଡତା ତା’ ଭିତରେ ସକ୍ରିୟ ରହିଥିଲେ, ସେ ଅନାୟାସରେ ତା’ର ବାପର ମୃତ୍ୟୁ ହେବାପରେ ଛ’ବର୍ଷର ବାଳକ ଖଗେନ୍ଦ୍ରକୁ ଆଡ଼େଇ ଦେଇ ନିଷ୍କଣ୍ଟକ ହୋଇପାରିଥାନ୍ତା । ତା’ ବଦଳରେ ସେ ଏହି ସାବତ ଭାଇଟିକୁ ସ୍ନେହକରି ଛାତି ଉପରକୁ ଟେକିନେଲା । ଖାଲି ତା’ ନୁହେଁ, ବାପ ମରିବାର କିଛିଦିନ ପରେ ବିଧବା ଭଉଣୀଟି ମରିଗଲା; ତା’ପରେ ଏହି ନଗେନ୍ଦ୍ର ହିଁ ତାକୁ ବାପ ଓ ମା’ ଦୁଇଜଣଯାକର ସ୍ନେହ ଦେଇ ତାକୁ ମଣିଷ କଲା । ପିଲାଟି ଦେଖିବାକୁ ଅତି ସୁନ୍ଦର ହୋଇଥିଲା । ନଗେନ୍ଦ୍ର ଖଗେନ୍ଦ୍ରକୁ ଖଗେନ୍‌ ବୋଲି ଡାକୁ ନ ଥିଲା, ଗୋପାଳ ବୋଲି ଡାକୁଥିଲା । ମୁକୁଟପରି ବୋଝାଏ ବାଳ ମୁଣ୍ଡରେ, ଶ୍ୟାମଳ ଦେହ, ବଡ଼ ବଡ଼ ଆଖି । ପିଲାଟି ସତରେ ଯେପରି ଗୋପାଳଙ୍କ ଭଳି ଥିଲା ଦେଖିବାକୁ ।

 

ଟିକିଏ ରହି ହସିଦେଇ ଅବିନାଶବାବୁ କହିଲେ–ଏକସ୍‌କିଉଜ ମି ଇଓର ଅନର । ମୁଁ ଏ କ୍ଷେତ୍ରରେ ଟିକିଏ କାବ୍ୟ କରିପକାଇଛି; ବଟ୍ ଆଇ ଏମ୍‌ ନଟ୍‌ ଆଉଟ୍‌ ଅଫ୍‌ ମାଇଁ ବାଉଣ୍ଡସ୍‌; ଇଓର ଅନର ! କାରଣ–

 

ଜ୍ଞାନବାବୁ କହିଲେ–ଟିକିଏ ସଂକ୍ଷେପ କରନ୍ତୁ ।

 

ଅବିନାଶବାବୁ କହିଲେ–ଏହି ମକଦ୍ଦମାଟି ଟିକିଏ ବିଚିତ୍ର ଧରଣର; ଇଓର ଅନର୍‌ ! ମୋର ମନେହୁଏ ବର୍ତ୍ତମାନ କ୍ଷେତ୍ରରେ ଏହିପରି ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଏବଂ ତାହାର ବିଶ୍ଳେଷଣ ଭିନ୍ନ ଆମେ ସଠିକ ସିଦ୍ଧାନ୍ତରେ ଆସି ଉପନୀତ ହୋଇପାରିବା ନାହିଁ । ଆସାମୀ ନିଜେ ସ୍ୱୀକାର କରିଛି ଯେ ଡଙ୍ଗା ଓଲଟି ନଦୀ ଭିତରେ ଦୁହେଁ ପାଣିରେ ବୁଡ଼ିଯାଇଥିଲେ । ସାନଭାଇ ଭଲ ପହଁରା ଜାଣିନଥିଲା, ସେ ବଡ଼ଭାଇକୁ କୁଣ୍ଢାଇ ଧରିଲା । ବଡ଼ଭାଇ ଆସାମୀ ନଗେନ୍ଦ୍ର ସେହି ଅବସ୍ଥାରେ ନିଜକୁ ତା’ର କବଳରୁ ମୁକ୍ତ କରିବାପାଇଁ ଆତ୍ମରକ୍ଷାର ଜାନ୍ତବ-ପ୍ରକୃତିର ତାଡ଼ନାରେ ତା’ର କଣ୍ଠନାଳୀକୁ ଚିପି ଧରିଲା ଏବଂ କେତୋଟି ମୁହୂର୍ତ୍ତ ଭିତରେ ହିଁ ସାନଭାଇର ବନ୍ଧନରୁ ମୁକ୍ତହୋଇ ଭାସିଉଠି କୌଣସି ପ୍ରକାରେ ଆସି ନଦୀ ବାଙ୍କ ନିକଟସ୍ଥ ପଠାରେ ଉଠିଲା । ତା’ପରଦିନ ସକାଳେ ସାନଭାଇର ଦେହ ମିଳିଲା । ସେହି ପଠାର ଆହୁରି ଟିକିଏ ତଳକୁ ମୃତ ଖଗେନ୍ଦ୍ରର ଶବବ୍ୟବଚ୍ଛେଦର ଯେଉଁ ରିପୋର୍ଟ ଆମେ ପାଇଛୁ, ସେଥିରେ ବି ଦେଖିଛୁ ଖଗେନ୍ଦ୍ରର ବେକରେ କଣ୍ଠନାଳୀର ଦୁଇପାଖରେ କେତୋଟି କ୍ଷତଚିହ୍ନ ଥିଲା । ଡାକ୍ତର କହନ୍ତି–ନଖ ଦ୍ୱାରାହିଁ ଏହି କ୍ଷତଚିହ୍ନ ହୋଇଛି ଏବଂ ଶବର ପାକସ୍ଥଳୀରେ ଅତି ଅଳ୍ପ ପାଣି ମିଳିଛି; ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଥିଲେ ଆହୁରି ଅନେକ ବେଶି ପରିମାଣରେ ପାଣି ମିଳିଥାନ୍ତା । ଡାକ୍ତର ସିଦ୍ଧାନ୍ତ କରିଛନ୍ତି ଯେ, ଏ ମୃତ୍ୟୁ ଶ୍ୱାସରୋଧ ଫଳରେ ଘଟିଛି, ଏବଂ କଣ୍ଠନାଳୀ ପ୍ରଚଣ୍ଡ ଶକ୍ତିରେ ଚିପିଧରିଥିବା ହେତୁ ମୃତର ଶ୍ୱାସରୁଦ୍ଧ ହୋଇଥିଲା । ବର୍ତ୍ତମାନ ଏ କ୍ଷେତ୍ରରେ ଆମର ବିଚାର୍ଯ୍ୟ, ଆସାମୀ ନଗେନ୍ଦ୍ର ମନର କେଉଁ ଅବସ୍ଥାରେ ଖଗେନ୍ଦ୍ରର ବେକକୁ ଚିପିଧରିଥିଲା । ସେହି ମାନସିକ ଅବସ୍ଥାର ଅଭ୍ରାନ୍ତ ସ୍ୱରୂପ ନିର୍ଣ୍ଣୟ ଉପରେ ହିଁ ଅଭ୍ରାନ୍ତ ବିଚାର ନିର୍ଭର କରୁଅଛି । ସାମାନ୍ୟମାତ୍ର ଭ୍ରାନ୍ତିରେ ବିଚାରର ପବିତ୍ରତା ମହିମା କଳଙ୍କିତ ହୋଇଯାଇପାରେ, ନଷ୍ଟ ହୋଇପାରେ । ଆମେ ଗୋଟିଏ ନିର୍ଦ୍ଦୋଷ, ଅତି ସାଧାରଣ ମଣିଷର ମୃତ୍ୟୁ-ଯନ୍ତ୍ରଣାରେ ଅଧୀର ହୋଇ ମାନବିକ ଜ୍ଞାନ ହରାଇ ଆତ୍ମରକ୍ଷାର ଜାନ୍ତବ-ପ୍ରବୃତ୍ତିର ଅଧୀନ ହୋଇଥିବା ପାଇଁ ତାକୁ ଭୁଲ୍‌ରେ ଚରମ ଦଣ୍ଡରେ ଦଣ୍ଡିତ କରିବା ଭ୍ରମ କରିପାରୁ । ପୁଣି ବିପରୀତ ଭୁଲ୍‌ବଶତଃ ଅତି ସୁଚତୁର, ଅତି କୁଟିଳ ଷଡ଼ଯନ୍ତ୍ର ଭେଦ କରିନପାରି ନିଷ୍ଠୁରତମ ପାପର ପାପୀକୁ ମୁକ୍ତିଦେଇ ମାନବ-ସମାଜର ଚରମତମ ଅକଲ୍ୟାଣ କରିପାରୁ । ଇଓର୍‌ ଅନର୍‌ ! ସିଂହଚର୍ମାବୃତ ଗର୍ଦଭ ସଂସାରରେ ଅନେକ ଅଛନ୍ତି; କିନ୍ତୁ ମନୁଷ୍ୟ-ଚର୍ମାବୃତ ପଶୁ ସରୀସୃପର ମନୁଷ୍ୟ ଚର୍ମର ଆବରଣ ମୁକ୍ତକଲେ ମନୁଷ୍ୟ-ସମାଜ ଆତଙ୍କିତ ହୁଏ; ସେତେବେଳେ ସମାଜକୁ ତା’ ହାତରୁ ନିଷ୍କୃତି ଦେବାର ଗୁରୁଦାୟିତ୍ୱ ଆସି ପଡ଼େ ସମାଜ ଉପରେ ହିଁ । ଏହି କାରଣରୁ ମତେ ଅତୀତକାଳରୁ ଏପର୍ଯ୍ୟନ୍ତ ଏହି ଆସାମୀର ଜୀବନ ଓ କୃତକର୍ମଗୁଡ଼ିକ ବିଶଦ ଭାବରେ ବିଶ୍ଳେଷଣ କରିବାକୁ ପଡ଼ୁଛି । ଧର୍ମାଧିକରଣରେ ବିଚାରକ ମନୁଷ୍ୟ ହୋଇ ମଧ୍ୟ ମନୁଷ୍ୟଠାରୁ ଉଚ୍ଚରେ ଅବସ୍ଥାନ କରନ୍ତି । ସ୍ଥୂଳ ପ୍ରମାଣ ପ୍ରୟୋଗସମ୍ମତ ବିଚାର କରିବାଠାରୁ ବି ବଡ଼ ଦାୟିତ୍ୱ ତାଙ୍କର ରହିଛି । ସ୍ଥୂଳ ପ୍ରମାଣ ପ୍ରୟୋଗର ଆବରଣ ଛିଣ୍ଡାଇ ମର୍ମ-ସତ୍ୟକୁ ଆବିଷ୍କାର କରି ସେହିପରି ବିଚାର କରିବାକୁ ପଡ଼ିବ, ଯାହାକୁ କହିପାରିବା ଡିଭାଇନ୍‌ ଜଷ୍ଟିସ୍‌ ।

 

କୋର୍ଟ ବାହାରେ କମ୍ପାଉଣ୍ଡ୍‌ ସେପଟୁ ପିଟାଘଣ୍ଟାରେ ତଂ ତଂ ହୋଇ ଘଣ୍ଟା ବାଜିଲା । କୋର୍ଟ ରୁମ୍‌ର ଘଣ୍ଟାରେ ସେତେବେଳକୁ ପାଞ୍ଚଟା ବାଜିବାକୁ ଦୁଇମିନିଟ୍‌ ଆହୁରି ବାକି ଅଛି ।

 

ନିଜ ଘଣ୍ଟାଆଡ଼କୁ ଚାହିଁ ଜ୍ଞାନବାବୁ କହିଲେ– କାଲି ପର୍ଯ୍ୟନ୍ତ ମକଦ୍ଦମା ମୁଲ୍‌ତୁବୀ ରହିଲା ।

 

ଆସାମୀ ଆଡ଼କୁ ଥରେ ଚାହିଁ ଦେଖିଲେ ସେ–ସବଳ, ସୁସ୍ଥଦେହ ନଗେନ୍‌ ଘୋଷ ସ୍ଥିର ନିଷ୍ପଲକ ଦୃଷ୍ଟିରେ ତାଙ୍କଆଡ଼କୁ ଚାହିଁ ରହିଛି । ଆଶ୍ଚର୍ଯ୍ୟ ସ୍ଥିରଦୃଷ୍ଟି; ଲୋକଟାର ମୁହଁଟି ଯେପରି ପଥରରେ ଗଢ଼ା ହୋଇଛି । କୌଣସି ଅଭିବ୍ୟକ୍ତି ନାହିଁ ।

 

ଲୋକଟା ଥାନାଠୁ ଏସ୍‌. ଡି. ଓ. କୋର୍ଟ ଏବଂ ଏଠାରେ ମଧ୍ୟ ସ୍ୱୀକାର କରି ଗୋଟିଏ କଥା ହିଁ କହିଆସୁଛି । ଡଙ୍ଗାରେ ନଦୀ ପାରିହେବାବେଳେ ପବନ ଟିକିଏ ଜୋର୍‌ରେ ବହୁଥିଲା; ମଝିନଦୀ ପାରହେଲାକ୍ଷଣି ପବନ ଆହୁରି ଅଧିକ ଜୋର୍‌ରେ ବହିବାକୁ ଲାଗିଲା, ଖଗେନ୍‌ ପ୍ରାୟ ପହଁରା ଜାଣିନଥିଲା, ସେ ଡରିଯାଇ ଚିତ୍କାର କରି ଉଠିଲା, ନଗେନ୍ଦ୍ର ହାତବଢ଼ାଇ ତା’ ହାତ ଧରି ତାକୁ କହିଲା, ଡର କ’ଣ ? ପରମୁହୂର୍ତ୍ତରେ ଡଙ୍ଗାର ସେପଟୁ ଏପଟକୁ ଚାଲିଆସି ତାକୁ କୁଣ୍ଢାଇ ଧରିପକାଇଲା ଖଗେନ୍‌ । ସାଙ୍ଗେ ସାଙ୍ଗେ ସାନଡଙ୍ଗାଟି ଓଲଟିପଡ଼ିଲା । ପାଣିଭିତରେ ଖଗେନ୍ ଆହୁରି ଜୋର୍‌ରେ ତାକୁ କୁଣ୍ଢାଇ ଧରିଲା । ଦୁଇଜଣଯାକ ବୁଡ଼ିଯିବାକୁ ଲାଗିଲେ । ପ୍ରଥମରେ ସେ ତା’ର ହାତ ଛଡ଼ାଇବାକୁ ଚେଷ୍ଟା କରିଥିଲା; କିନ୍ତୁ ସେ ଯେତିକି ଚେଷ୍ଟାକଲା, ଖଗେନ୍‌ ତାକୁ ସେତିକି ଜୋର୍‌ରେ ଭିଡ଼ିଧରିଲା । ନଗେନ୍ଦ୍ରର ଛାତିଟା ଯେପରି ଫାଟିଯାଉଥିଲା । ପାଣି ଢୋକିପକାଉଥିଲା ସେ, ହଠାତ୍‌ ଖଗେନ୍ଦ୍ରର ବେକରେ ତା’ ହାତଟା ଯାଇ ପଡ଼ିଲା । ସେ ତା’ର ବେକଟାକୁ ଚିପି ଧରିଲା-। ଖଗେନ୍ଦ୍ର ଛାଡ଼ିଦେଲା ତାକୁ । ସେଥିରେ ସେ ମରିଛି କି ନାହିଁ ନଗେନ୍ଦ୍ର ଜାଣିନାହିଁ । କୂଳକୁ ଆସି କିଛି ସମୟ ସେ ସେଇଠି ଶୋଇପଡ଼ିଥିଲା । ତା’ପରେ କୌଣସି ପ୍ରକାରେ ଉଠି ଘରକୁ ଆସିଲା-। ମଝିରାତିବେଳକୁ ଦେହଟା ତା’ର ଯେତେବେଳେ ଟିକିଏ ସୁସ୍ଥ ଲାଗିଲା, ତା’ର ମନେହେଲା ହୁଏତ ଖଗେନ୍‌ ମରିଯାଇଛି । ହୁଏତ ବେକ ଚିପି ଧରିଦେବାରେ ହିଁ ସେ ମରିଗଲା । ସକାଳେ ଉଠି ଥାନାକୁ ଗଲା ସେ ଓ ଆତ୍ମସମର୍ପଣ କଲା । ଏଥିରେ ଦଣ୍ଡ କ’ଣ ସେ ଜାଣେନାହିଁ । ଭଗବାନ ଜାଣନ୍ତି । ଯାହା ଦଣ୍ଡଦେବା କଥା ଜଜ୍‌ସାହେବ ଦିଅନ୍ତୁ । ସେ ତାହା ହିଁ ଗ୍ରହଣ କରିବ ।

 

ଭଗବାନ ଜାଣନ୍ତି ! ହାୟ ହତଭାଗ୍ୟ ! ନିଜେ ସେ କ’ଣ କରିଛି, ସେ କଥା ନିଜେ ସେ ଜାଣିନି । ଭଗବାନଙ୍କୁ ସାକ୍ଷୀ ମାନୁଛି ! କିନ୍ତୁ ଭଗବାନ ତ ସାକ୍ଷୀ ଦିଅନ୍ତି ନାହିଁ; ଅଥଚ ଡିଭାଇନ୍‌ ଜଷ୍ଟିସ୍ କରିବାକୁ ହେବ ବିଚାରକକୁ ! ଡିଭାଇନ୍‌ ଜଷ୍ଟିସ୍‌ !

 

ଅବିନାଶବାବୁ ଯେପରି ଅଭିପ୍ରାୟମୂଳକ ଭାବରେ ହିଁ ବ୍ୟବହାର କରିଛନ୍ତି କଥାଟା ।

 

ସେ ନିଜେ ବୋଧହୁଏ ଅନ୍ୟଠାରୁ ବେଶି ବ୍ୟବହାର କରନ୍ତି କଥାଟା । ଯେଉଁଠାରେ ସ୍ଥୂଳ ପ୍ରମାଣ-ପ୍ରୟୋଗ ଏକମାତ୍ର ଅବଲମ୍ୱନ ହୁଏ, ମନୁଷ୍ୟ ଯେତେ ସମୟ ଯର୍ଯ୍ୟନ୍ତ ସ୍ୱାର୍ଥାନ୍ଧତା ଯୋଗୁ ମିଛ କହିବାକୁ ଦ୍ୱିଧା କରେ ନାହିଁ, ସେ ପର୍ଯ୍ୟନ୍ତ ଡିଭାଇନ୍ ଜଷ୍ଟିସ୍‌ ବୋଧହୁଏ ଅସମ୍ଭବ । ସରଳ ସହଜ ସଭ୍ୟତାବଞ୍ଚିତ ମନୁଷ୍ୟ ମିଛ କହିଲେ ସେ ମିଛକୁ ଚିହ୍ନି ହୋଇଯାଏ, କିନ୍ତୁ ସଭ୍ୟ-ଶିକ୍ଷିତ ମନୁଷ୍ୟ ଯେତେବେଳେ ମିଛ କହେ, ସେତେବେଳେ ସେହି ମିଛ ସତ୍ୟଠାରୁ ଅଧିକ ପ୍ରଖର ହୋଇଉଠେ । ପାରଦ ପ୍ରଲେପଥିବା କାଚ ଯେତେବେଳେ ଦର୍ପଣ ହୋଇଯାଏ ସେଥିରେ ପ୍ରତିବିମ୍ୱିତ ସୂର୍ଯ୍ୟକିରଣ ଆଖିର ଦୃଷ୍ଟିକୁ ସୂର୍ଯ୍ୟ ଭଳିହିଁ ବର୍ଣ୍ଣାନ୍ଧ କରିଦିଏ । ଜଜ୍‌, ଜୁରୀ ସମସ୍ତଙ୍କୁ ପ୍ରତାରିତ ହେବାକୁ ପଡ଼େ ଅସହାୟ ଭଳି ।

 

ଜଷ୍ଟିସ୍‌ ଚାଟାର୍ଜୀ କହୁଥାନ୍ତି–He is God, God alone. He can do it. ଆମେ ପାରିବାନାହିଁ । ଅମୋଘ ନ୍ୟାୟବିଧାନର କର୍ତ୍ତବ୍ୟବୋଧ ଏବଂ ନ୍ୟାୟର ମହିମାକୁ ସ୍ମରଣ ରଖି ପ୍ରମାଣ-ପ୍ରୟୋଗଗୁଡ଼ିକ ସୂକ୍ଷ୍ମାତିସୂକ୍ଷ୍ମଭାବରେ ବିଶ୍ଳେଷଣ କରି, ବିନ୍ଦୁ ମାତ୍ର ଭାବାବେଗକୁ ପ୍ରଶୟ ନଦେଇ ଆମେ ଖାଲି ବିଧାନ ଅନୁଯାୟୀ ବିଚାର କରିପାରିବା ।

 

ଜଣେ ନାରୀ-ଅପରାଧିନୀକୁ ପ୍ରାଣଦଣ୍ଡରେ ଦଣ୍ଡିତ କରିବା ସମୟରେ ସେ କହିଥିଲେ କଥାଟା । ତାଙ୍କର ଝିଅ ସୁରମା; ସୁରମା କାନ୍ଦିପକାଇଥିଲା–ବାପା ! ଗୋଟେ ଝିଅକୁ ଫାଶିକାଠରେ ଝୁଲେଇଦେବ ?

 

ଚାଟାର୍ଜୀ ସାହେବ କହିଥିଲେ–ଅପରାଧ କ୍ଷେତ୍ରରେ ନାରୀ ଏବଂ ପୁରୁଷର କୃତକର୍ମର ଗୁରୁତ୍ୱ ତିଳେମାତ୍ରେ କମ୍‌-ବେଶି ହୁଏନି ମା’ ! ଦଣ୍ଡକ୍ଷେତ୍ରରେ ମଧ୍ୟ ନାରୀ ବା ପୁରୁଷ ବୋଲି କୌଣସି ଭେଦନାହିଁ । ଈଶ୍ୱରଙ୍କୁ ସ୍ମରଣକରି ଏ କ୍ଷେତ୍ରରେ ଏହି ଦଣ୍ଡ ନଦେଇ ମୋର ଅନ୍ୟ ଉପାୟ ନାହିଁ ।

 

ତାଙ୍କରି ପାଖରୁ ଜ୍ଞାନେନ୍ଦ୍ରନାଥ ଶିଖିଥିଲେ ବିଚାରର ଧାରାପଦ୍ଧତି । ସେ ହିଁ ତାଙ୍କ ଗୁରୁ । ଜ୍ଞାନେନ୍ଦ୍ରବାବୁ ଈଶ୍ୱରଙ୍କୁ ମାନନ୍ତିନାହିଁ । ସେ ଈଶ୍ୱରଙ୍କୁ ସ୍ମରଣ କରନ୍ତିନାହିଁ । ଈଶ୍ୱର, ଭଗବାନ ନାଁଟି ବଡ଼ ଭଲ । ସେ ଖାଲି ନାଁ । ସେ ସାକ୍ଷୀ ବି ଦିଅନ୍ତିନାହିଁ କି ବିଚାର ବି କରନ୍ତିନାହିଁ; କିନ୍ତୁ ସେହି ନାଁଟି ଭିତରେ ଏକ ଆଶ୍ଚର୍ଯ୍ୟ ପବିତ୍ରତା ଅଛି । ବିଚାରକ୍ଷେତ୍ରରେ ଏକ ଆଦର୍ଶ ରହିଛି; ତାହାକୁ ହିଁ ସେ ସ୍ମରଣ କରନ୍ତି । ସେଇଥିପାଇଁ ଡିଭାଇନ୍‌ ଜଷ୍ଟିସ୍‌ । ଫେରିବା ବାଟରେ ଗାଡ଼ିଭିତରେ ବସି ବାରମ୍ବାର ସେ ମନକୁ ମନ ମୃଦୁକଣ୍ଠରେ ଉଚ୍ଚାରଣ କରି ଚାଲିଥିଲେ–ଡିଭାଇନ୍‌ ଜଷ୍ଟିସ୍‌ ! ଡିଭାଇନ୍‌ ଜଷ୍ଟିସ୍‌ ! ସ୍ଥୂଳ ପ୍ରଣାମ–ପ୍ରୟୋଗର ଆବରଣ ଛିଣ୍ଡାଇ ମର୍ମ-ସତ୍ୟକୁ ଆବିଷ୍କାର କରି ସେହିପରି ବିଚାର କରିବାକୁ ପଡ଼ିବ, ଯାହା ଅଭ୍ରାନ୍ତ, ଯାହାକୁ କହିପାରିବା ଡିଭାଇନ୍‌ ଜଷ୍ଟିସ୍‌ !

 

କାନପାଖରେ ଶୁଭୁଛି ଅବିନାଶବାବୁଙ୍କ କଥାଗୁଡ଼ିକ ।

 

ଡିଭାଇନ୍‌ ଜଷ୍ଟିସ୍‌ ! ଡିଭାଇନ୍‌ ଜଷ୍ଟିସ୍‌ :

 

ସ୍ତ୍ରୀ ସୁରମା ଦେବୀ କୋଠିହତାରେ ଥିବା ବଗିଚା ଭିତରେ ବେତର ଚଉକି ଟେବୁଲ ସଜେଇ ବସି ବସି ପଢ଼ୁଥିଲେ । ସାରାଦିନର ମେଘୁଆପାଗ ପରେ ଘଣ୍ଟାଏ ଖଣ୍ଡେ ହେବ ମେଘ କଟିଯାଇ ଆକାଶ ନିର୍ମଳ ହୋଇଛି; ଖରା ପଡ଼ିଛି । ସେ ଖରାର ଶୋଭାର ତୁଳନା ନାହିଁ । ଝଲମଲ କରୁଛି ସୁସ୍ନାତ ସୁଶ୍ୟାମଳ ପୃଥିବୀ । ସମ୍ମୁଖରେ ଅବାରିତ ପଶ୍ଚିମ ଦିଗନ୍ତ । ସହରର ପଶ୍ଚିମ ପ୍ରାନ୍ତରେ ଗୋଟିଏ ମାଟିପାହାଡ଼ ଉପରେ କୋଠିଟା । ତା’ର ସେପଟକୁ ପଶ୍ଚିମ ଦିଗ ଆଡ଼କୁ ଲୋକବସତି ନାହିଁ, ନାଲିଆ ଗୋଡ଼ିର ପ୍ରାନ୍ତର ମଝିରେ ତିନୋଟି କି ଚାରୋଟି ଅଶ୍ୱତଥ୍‌ ଗଛ ଆଉ ତାଳଗଛ ବିକ୍ଷିପ୍ତଭାବରେ ଏଠି ସେଠି କେତୋଟି ଠିଆ ହୋଇଛନ୍ତି, ଆଉ ପ୍ରାନ୍ତରଟିର ମଧ୍ୟସ୍ଥଳୀକୁ ଚିରିଦେଇ ବହିଯାଇଛି ଗୋଟିଏ ପାହାଡ଼ିଆ ନଦୀ । ବର୍ତ୍ତମାନ ବର୍ଷାରେ ନଦୀଟା ପ୍ରତି କଣାରେ ଭରିଉଠି ବହିଯାଉଛି । ତା’ରି ସେପଟେ ଅବାଧ ପ୍ରାନ୍ତରର ଦିଗନ୍ତ-ମଥାରେ ସିନ୍ଦୂର ପରି ଲାଲଟକ୍‌ଟକ୍‌ ରଙ୍ଗର ଅସ୍ତଗାମୀ ସୂର୍ଯ୍ୟ । ଖରା ଭିତରେ ଲାଲ୍‌ ରଙ୍ଗର ଆଭା କ୍ରମଶଃ ଗାଢ଼ରୁ ଗାଢ଼ତର ହୋଇଯାଉଛି ।

 

ଗାଡ଼ିଟା ଆସି ଠିଆହେଲା । ଅର୍ଦ୍ଦଳି ଓହ୍ଲାଇ ଦ୍ୱାର ଖୋଲିଦେଇ ସଂଭ୍ରମ ସହିତ ଘୁଞ୍ଚି ଠିଆହେଲା । ୟାରିଭିତରେ ଜ୍ଞାନେନ୍ଦ୍ରବାବୁ ଗଭୀର ଚିନ୍ତାରେ ବୁଡ଼ିଯାଇଥିଲେ । ସ୍ତବ୍‌ଧ ହୋଇ ବସିଥିଲେ ଗାଡ଼ି ଭିତରେ । ଅର୍ଦ୍ଦଳି ମୃଦୁକଣ୍ଠରେ ଡାକିଲା–ହଜୁର !

 

ଜ୍ଞାନେନ୍ଦ୍ରବାବୁଙ୍କ ଧ୍ୟାନ ଭାଙ୍ଗିଗଲା । ଓ ! କହି ଗାଡ଼ିରୁ ଓହ୍ଲାଇଲେ ସେ । ସ୍ୱାମୀଙ୍କୁ ଦେଖି ଉଠି ଠିଆହେଲେ ସୁରମା ଦେବୀ । ବହିଟିକୁ ଚାହା ଟେବୁଲ୍‌ ଉପରେ ରଖିଦେଇ ଆଗେଇ ଆସିଲେ । ସ୍ୱାମୀଙ୍କ ମୁହଁକୁ ଚାହିଁ ଗାଢ଼ କଣ୍ଠରେ କହିଲେ–ସେସ୍‌ନ୍‌ସ୍‌ ଚାଲିବ କେତେଦିନ ?

 

ଟିକିଏ ହସି ଜ୍ଞାନେନ୍ଦ୍ରବାବୁ କହିଲେ–ବେଶିଦିନ ନୁହେଁ । କେସ୍‌ଟା ଜଟିଳ; କିନ୍ତୁ ସାକ୍ଷୀମାନଙ୍କ ସଂଖ୍ୟା କମ୍‌ । ବେଶିଦିନ ବି ଲାଗିବନାହିଁ । ତା’ପରେ ବଗିଚା ଭିତରେ ଚାହା ଟେବୁଲ୍‌ଟା ଆଡ଼କୁ ଚାହିଁ କହିଲେ–ବଗିଚାରେ ଚାହା ଟେବୁଲ୍‌ ପକେଇଛ ?

 

ସୁରମା କହିଲେ । ବର୍ଷା ହେବନି ଆଉ । ଦେଖୁଛ ନା କେମିତି ରକ୍ତସନ୍ଧ୍ୟା ହେଇଛି ।

 

–ହଁ । ଅପରୂପ ଦିଶୁଛି ।

 

ଏତେ ସମୟପରେ ଆକାଶ ଆଡ଼କୁ ଚାହିଁ ଦେଖିଲେ ସେ । କଥାଟା କହି ସୁରମା ମଧ୍ୟ ନିଜ ଦୃଷ୍ଟିକୁ ସେହିଆଡ଼କୁ ଫେରାଇ ନେଇଛନ୍ତି । ରକ୍ତସନ୍ଧ୍ୟା ! ରକ୍ତସନ୍ଧ୍ୟା ଭିତରେ ଜୀବନର ଗୋଟିଏ ସ୍ମୃତି ଜଡ଼ିତ ହୋଇ ରହିଛି । ସୁରମା ସହିତ ଯେଉଁଦିନ ପ୍ରଥମ ଦେଖା ହୋଇଥିଲା–ସେଦିନ ଆକାଶରେ ରକ୍ତସନ୍ଧ୍ୟା ହୋଇଥିଲା ।

 

ସୁରମା କହିଲେ–ଚଞ୍ଚଳ ଟିକିଏ ଆସିବ ।

 

–Yes, time and tide wait for none–ହସିଲେ ଜ୍ଞାନବାବୁ ।

 

–ଖାଲି ସେଇଥିପାଇଁ ନୁହେଁ । କବିତା ଶୁଣେଇବି ।

 

–ଏଇ ସାଙ୍ଗେ ସାଙ୍ଗେ ଆସୁଛି ।

 

ଜ୍ଞାନେନ୍ଦ୍ରବାବୁ ହସିଲେ । ଗମ୍ଭୀର କାନ୍ତ ମୁହଁଟି ଈଷତ୍‌ ଉଜ୍ଜ୍ୱଳ ହୋଇଗଲା । ସେ ଖୁସି ହୋଇ ଉଠିଲେ । ଦୀର୍ଘଦିନ ପରେ ସୁରମା କବିତା ଲେଖି ତାଙ୍କୁ ଶୁଣାଇବାକୁ ଚାହିଁଛି । କବିତା ଲେଖେ ସୁରମା, ତା’ର ଛାତ୍ରୀଜୀବନ ସମୟରୁ ହିଁ କବିତା ଲେଖୁଛି ସେ । ସେତେବେଳେ ହାସ୍ୟରସାତ୍ମକ କବିତା ଲେଖୁଥିଲା । ସେତେବେଳେ ବେଶ୍‌ ନାଁ କରିଥିଲା । ସୁରମା ସାଙ୍ଗରେ ପ୍ରଥମ ପରିଚୟ ପରେ ସେ ମଧ୍ୟ କବିତା ଲେଖିବାକୁ ଆରମ୍ଭ କରିଥିଲେ । ସୁରମାର କବିତାର ଉତ୍ତର ସେ ଦେଇଥିଲେ ନିଜର କବିତାରେ ଏବଂ ଆବିଷ୍କାର କରିଥିଲେ ଯେ ସେ ମଧ୍ୟ କବିତା ଲେଖିପାରନ୍ତି । ଅନ୍ତତଃ ପାରୁଥିଲେ । ଜଜ୍‌ଗିରି ଦପ୍ତରରେ ତାଙ୍କର ସେ କବିତ୍ୱ ପଥର-ଲଦା ଘାସଭଳି ହିଁ ମରିଯାଇଛି; କିନ୍ତୁ ସୁରମାର ଜୀବନରେ ବାରମାସୀ ଫୁଲ ଫୁଟୁଥିବା ଗଛପରି କାବ୍ୟରୁଚି ଏବଂ କବିକର୍ମ ନିରନ୍ତର ଫୁଟିଚାଲିଛି, ଖାଲି ଫୁଟିଚାଲିଛି ।

 

ହୁଏତ ଅଜସ୍ର ଫୁଲ ଫୁଟାଏ ସୁରମା; କିନ୍ତୁ ତାହା ଫୁଟେ ତାଙ୍କ ଦୃଷ୍ଟିର ଅନ୍ତରାଳରେ, ତାଙ୍କ ନିଃଶ୍ୱାସରେ ସୀମା ବାହାରେ । କେବେଠାରୁ ଯେ ଏହିପରି ହୋଇଛି ସେ ହିସାବ ତାଙ୍କର ମନେନାହିଁ; କିନ୍ତୁ ସେହିପରି ହୋଇଯାଇଛି । ହଠାତ୍‌ ଦିନେ ଆବିଷ୍କାର କରିଥିଲେ ଯେ–ସୁରମା ଆଉ ତାଙ୍କୁ କବିତା ଶୁଣାଉନାହିଁ । କିନ୍ତୁ ସେ ଲେଖେ । ସୁରମାକୁ ପଚାରିଥିଲେ; ସୁରମା ଉତ୍ତର ଦେଇଥିଲେ–ହସର କବିତା ଲେଖୁଥିଲି, ହସ ଥଟ୍ଟା କରି ହିଁ ଶୁଣାଉଥିଲି । ସେସବୁ ଆଉ ଲେଖୁନି ।

 

ଜ୍ଞାନେନ୍ଦ୍ର କହିଥିଲେ–ଯାହା ଲେଖୁଛ, ସେଇୟା ଶୁଣାଅ ।

 

ସୁରମା କହିଥିଲେ–ଶୁଣେଇବା ଭଳି ହେବ ଯେଉଁଦିନ, ସେଦିନ ଶୁଣେଇବି । ଟିକିଏ ଜୋର୍‌ କରିଥିଲେ ଜ୍ଞାନେନ୍ଦ୍ରନାଥ; କିନ୍ତୁ ସୁରମା କହିଥିଲେ–ସେ ବିଷୟରେ ଆଉ ଜୋର୍‌ କରନି । ପ୍ଲିଜ୍‌ !

 

କିଛି ସମୟପରେ ଜ୍ଞାନେନ୍ଦ୍ରନାଥ କଥାଟାକୁ ପୂରା ଭୁଲିଯାଇଥିଲେ । ବାରମାସୀ ଫୁଲ ଫୁଟୁଥିବା ସେହି ଗଛ ପରି ଜୀବନ ସୁରମାର, ଯେଉଁଥିରେ ଖାଲି ଫୁଲ ହିଁ ଫୁଟେ; ଫଳ ଧରେନି । ସୁରମା ନିଃସନ୍ତାନ ।

 

ଆଜି ସୁରମା କବିତା ଶୁଣାଇବାକୁ ଚାହିଁଛି । ଚିନ୍ତା-ଭାରାକ୍ରାନ୍ତ ମନ ଟିକିଏ ହାଲୁକା ହୋଇଯାଇଛି । ଗୁରୁଭାରବାହୀର ଘର୍ମାକ୍ତ ଶ୍ରାନ୍ତ ଦେହରେ ଥଣ୍ଡାପବନର ସ୍ପର୍ଶ ଟିକିଏ ଯିମିତି ଲାଗିଲା ।

 

ଥରଟିଏ ଭଲରୂପେ ସୁରମା ଆଡ଼କୁ ଚାହିଁଲେ ଜ୍ଞାନବାବୁ । ପରିଣତ-ଯୌବନା ଏ ସୁରମା ଭିତରେ ସେହି ପ୍ରଥମଦିନର ତରୁଣୀ ସୁରମାକୁ ଯେପରି ଦେଖିପାରୁଛନ୍ତି, ସେ-ଘର ଭିତରକୁ ଚାଲିଗଲେ ଜ୍ଞାନବାବୁ, ଟିକିଏ ଦ୍ରୁତବେଗରେ ପଶ୍ଚିମ ଦିଗନ୍ତ ଆଡ଼କୁ ଚାହିଁ ସେହିପରି ଠିଆହୋଇ ରହିଲେ ସୁରମା ଦେବୀ ।

 

ସୁରମାଙ୍କ ମନରେ ମଧ୍ୟ ସେହି ସ୍ମୃତି ଗୁଞ୍ଜନ କରିଉଠିଛି ଆଜି–ଅନେକ ଆଗରୁ । ସାଢ଼େ ଚାରିଟାବେଳେ ବାହାର ବାରଣ୍ଡାକୁ ଆସି ସେହି ଭରାନଦୀଟି ଆଡ଼କୁ ଚାହିଁ ବସିରହିଥିଲେ ସେ । ଧୀରେ ଧୀରେ ନିଃଶବ୍ଦ ଆୟୋଜନ ଭିତରେ ଆକାଶରେ ରକ୍ତସନ୍ଧ୍ୟା ଜାଗ୍ରତ ହୋଇଥିଲା । ସେତେବେଳେ ତାଙ୍କର ଦୃଷ୍ଟି ତେଣିକି ଆକୃଷ୍ଟ ହୋଇନାହିଁ । ହଠାତ୍‌ ରେଡିଓରେ ଗୋଟିଏ ଗୀତ ବାଜି ଉଠିଲା । ସେହି ଗୀତର ପ୍ରଥମ ପଦଟି କାନରେ ପଶିଲାକ୍ଷଣି ଆକାଶର ରକ୍ତସନ୍ଧ୍ୟା ଯେପରି ମନର ଦ୍ୱାରରେ ଡାକଦେଇ ସାମନାରେ ଆସି ଠିଆହେଲା ।

 

ତୁମେ ସନ୍ଧ୍ୟାର ମେଘ ଶାନ୍ତ ସୁଦୂର ମୋର ଆଦରର ସାଧନା ।

 

ଖାଲି ସନ୍ଧ୍ୟାର ବର୍ଣ୍ଣଚ୍ଛଟା ହିଁ ନୁହେଁ, ତା’ ସହିତ ଜ୍ଞାନେନ୍ଦ୍ରନାଥଙ୍କ ସଙ୍ଗେ ପ୍ରଥମ ସାକ୍ଷାତର ସ୍ମୃତିଟିକକ ବର୍ଣ୍ଣାଢ଼୍ୟ ହୋଇ ଦେଖାଦେଲା ।

 

କେତେ କାଳର କଥା ତାହା । ବର୍ଦ୍ଧମାନର ଜଜ୍‌ ସାହେବ କୋଠିରେ ସେତେବେଳେ ସେମାନେ ରହିଥିଲେ । ତାଙ୍କ ବାପା ସେତେବେଳେ ବର୍ଦ୍ଧମାନର ସେସନ୍‌ସ ଜଜ୍‌ । ଊଣେଇଶି ଶହ ଏକତିରିଶ ସାଲ । ଅଗଷ୍ଟ ମାସ । ସାରାଦିନ ଏହିପରି ବର୍ଷୁଥିଲା । ସନ୍ଧ୍ୟା ସମୟକୁ କ୍ଷାନ୍ତବର୍ଷଣ ମେଘରେ ଏହିପରି ରକ୍ତସନ୍ଧ୍ୟା ଜାଗିଉଠିଥିଲା, ବାପା-ମା’ ଘରେ ନଥିଲେ, ସେମାନେ ଇଂରେଜ ପୋଲିସ ସାହେବଙ୍କ କୋଠିକୁ ଯାଇଥିଲେ ତାଙ୍କର ନିମନ୍ତ୍ରଣ ରକ୍ଷା କରିବାକୁ । ନିଜେ ସେ ସେତେବେଳେ କଲିକତାରେ ରହି ପଢ଼ୁଥାନ୍ତି । ଠିକ୍‌ ସେଇଦିନ ସେ ବାପ ମା’ଙ୍କ ପାଖକୁ ଆସିଥିଲେ । ସେହି କାରଣରୁ ହିଁ ତାଙ୍କର ନିମନ୍ତ୍ରଣ ନଥିଲା, ପୁଲିସ ସାହେବ ଜାଣିନଥିଲେ ଯେ ସେ ଆସିବେ । ଏକୁଟିଆ ବଙ୍ଗଳାଟି ଭିତରେ ବସିଥିଲେ ସେ । ହଠାତ୍‌ ପଶ୍ଚିମର ଝରକା ବାଟେ ରକ୍ତସନ୍ଧ୍ୟାର ବର୍ଣ୍ଣଚ୍ଛଟା ଝଲକାଏ ଘର ଭିତରେ ଆସି ପଡ଼ିଥିଲା ଖଣ୍ଡେ ରଙ୍ଗିନ୍‌ ଭତ୍ତରୀୟ ପରି ଏବଂ ଗୋଟା ଘରଟାକୁ ଯେପରି ରଙ୍ଗିନ୍‌ କରିଦେଇଥିଲା । ଏକାକୀ ବଙ୍ଗଳା ଭିତରେ ତାଙ୍କର ମନପ୍ରାଣରେ ଯେପରି ଗୋଟାଏ ନିଶା ଧରିଥିଲା । ସେ ମୁକ୍ତକଣ୍ଠରେ ଏହି ଗୀତଟି ଗାଇଉଠିଥିଲେ-

 

ତୁମେ ସନ୍ଧ୍ୟାର ମେଘ ଶାନ୍ତ ସୁଦୂର ମୋର ଆଦରର ସାଧନା ।

 

ମମ ହୃଦୟ-ରକ୍ତ-ରଞ୍ଜିତ କରି

ତୁମ ଚରଣ ଦେଇଛି ରଙ୍ଗାଇ

ଅୟି ସନ୍ଧ୍ୟାସ୍ୱପନବିହାରୀ ।

 

ମନର ଉଲ୍ଲାସରେ ଗାଇ ଗାଇ ସେ ଝରକା ନିକଟରେ ଆସି ଠିଆହେଲାକ୍ଷଣି ଅପ୍ରସ୍ତୁତ ହୋଇଯାଇଥିଲେ । ଠିକ୍‌ ଆଗରେ ବଙ୍ଗଳାର ହତା ଭିତରେ ପାହାଚ ତଳକୁ ସାଇକେଲ୍‌ ଧରି ଠିଆହୋଇଥିଲେ ଜ୍ଞାନେନ୍ଦ୍ରନାଥ । ସୁନ୍ଦର, ସୁପୁରୁଷ, ଦୀର୍ଘ ଦେହ, ଗୌରବର୍ଣ୍ଣ, ସ୍ୱାସ୍ଥ୍ୟବାନ୍‌ ଜ୍ଞାନେନ୍ଦ୍ରନାଥ ବି ସେତେବେଳେ ପୂର୍ଣ୍ଣଯୁବକ, ଯାହାକୁ ସ୍ମାର୍ଟ କହନ୍ତି ତା’ଠାରୁ ବି କିଛି ଅଧିକ ବେଶଭୂଷା । ବେକର ‘ଟାଇ’ଟି ଥିଲା ଗାଢ଼ ଲାଲ୍‌ ରଙ୍ଗର–ମନେଅଛି ସୁରମାଙ୍କର । ଅପ୍ରସ୍ତୁତ ହୋଇ ଗୀତ ବନ୍ଦକରି ଝରକା ନିକଟରୁ ଘୁଞ୍ଚିଯାଇଥିଲେ ସେ ଏବଂ ଅର୍ଦ୍ଦଳିକୁ ଡାକି ପଚାରିଥିଲେ–କିଏ ସେ ସେ ? କ’ଣ ଦରକାର ?

 

ଅର୍ଦ୍ଦଳି କହିଥିଲା, ଏଠାରେ ଥାର୍ଡ ମୁନ୍‌ସିଫ୍‌ ସାହେବ । ନୂଆହୋଇ ଆସିଛନ୍ତି । ସାହେବଙ୍କୁ ସଲାମ୍‌ ଦେବାକୁ ଆସିଥିଲେ ।

 

–କେତେବେଳହେଲା ଆସିଲେଣି ? ସାହେବ ନାହାନ୍ତି ବୋଲି କହିଲନି କାହିଁକି ?

 

–ଦୋ ମିନିଟ୍‌ ସେ ଜିଆଦା ନେହି । ବୋଲା ସାହାବ ନେହି, ଚଲା ଯାତେଥେ, ଲେକିନ୍‌ ବାଇସାଇକେଲ୍‌ ପଂଚାର ହୋ ଗୟା । ଓହି ଲିଏ ଦେରି ହୁଆ ।

 

ସାଇକେଲ୍‌ ପଂଚର୍‌ ହେଇଛି ? ସୁରମାଙ୍କୁ ହସ ଲାଗିଥିଲା । ବିଚରା ମୁନ୍‌ସଫ୍‌ ସାହେବ, ଏତେ ସୁନ୍ଦର ସୁଟ୍‌ଟି ପିନ୍ଧି ଏଇଲେ ସାଇକେଲ୍‌କୁ ଠେଲି ଠେଲି ଚାଲିବେ । ବର୍ଦ୍ଧମାନ ରାସ୍ତାର ଲାଲ୍‌ ଧୂଳି ପାଣି ପଡ଼ି ପଡ଼ି କାଦୁଅରେ ପରିଣତ ହୋଇଯାଇଛି । ମଝିରେ ମଝିରେ ଗାତ ଖାତ ଭିତରେ ଲାଲ୍‌ ମିକ୍‌ସଚର, ଗୋଡ଼ିର ମିକ୍‌ସଚର ! ଏକାନ୍ତ କୌତୁକପରବଶ ହୋଇ ସେ ଆଉ ଥରେ ଝରକାବାଟେ ଉଙ୍କି ମାରି ଚାହିଁଥିଲେ ।

 

ଆଜି ରେଡିଓରେ ସେହି ଗୀତଟି ଶୁଣି ରକ୍ତସନ୍ଧ୍ୟାର ରୂପ ଅପରୂପ ହୋଇ ଫୁଟିଉଠିଛି ସୁରମା ଦେବୀଙ୍କ ମନରେ ।

 

ଜ୍ଞାନେନ୍ଦ୍ରନାଥ ବାଙ୍ଗଲୋ ଭିତରେ ପଶିଲାକ୍ଷଣି ସାମନାର କାନ୍ଥ ଆଡ଼କୁ ଚାହିଁଲେ । ସେଠାରେ ଝୁଲାହୋଇଛି ତରୁଣୀ ସୁରମାର ବ୍ରୋମାଇଡ୍‌ ଏନ୍‌ଲାର୍ଜ କରାଯାଇଥିବା ଛବି ।

 

ଲାବଣ୍ୟ ଢଳଢଳ ମୁହଁ, ମଦିର ଦୃଷ୍ଟି, ଦୁଇଟି ଆୟତ ଚକ୍ଷୁ, ବେକରେ ମୁକ୍ତାର କଲରଟି ସୁରମାକୁ ଅପରୂପ କରିପକାଇଛି । ସେ କାଳରେ ବହୁ ବିଚିତ୍ର ଏତେପ୍ରକାର ରଙ୍ଗିନ୍‌ ଶାଢ଼ିର ପ୍ରଚଳନ ନ ଥିଲା, ମିଳୁନଥିଲା ମଧ୍ୟ, ସାଦାଧଡ଼ିରେ ଅଳ୍ପ କାରୁକାର୍ଯ୍ୟ କରାଯାଇଥିବା ଖଣ୍ଡେ ତନ୍ତ ଶାଢ଼ି ପିନ୍ଧୁଥିଲା ସୁରମା । ଆଉ ଅନ୍ୟ କୌଣସି ପ୍ରକାର ଶାଢ଼ିରେ ବୋଧହୁଏ ସୁରମା ବେଶି ସୁନ୍ଦର ଦିଶିନଥାନ୍ତା । ସେଦିନ ଜଜ୍‌ସାହେବଙ୍କ କୋଠିରେ ସେ ଖାଲି ସୁରମାର ମୁହଁଟିକୁ ଦେଖିଥିଲେ । ପାହାଚ ତଳୁ ଅଧିକ ଦେଖିପାରିନଥିଲେ । ଦେଖିବାକୁ ଚାହିଁନଥିଲେ ମଧ୍ୟ । ରକ୍ତସନ୍ଧ୍ୟାର ରଙ୍ଗରେ ଝଲମଲ କରୁଥିବା ସେହି ମୁହଁଟିରୁ ଅନ୍ୟଆଡ଼କୁ ଦୃଷ୍ଟି ଫେରିନଥିଲା । ଦେଖିବାର ଅବକାଶ ବି ନଥିଲା । ସୁରମା ଜଜ୍‌ସାହେବଙ୍କ ଝିଅ; କଲେଜ୍‌ରେ ପଢ଼େ; ପ୍ରଗତିଶୀଳ ସମାଜର ଲୋକ । ଜ୍ଞାନେନ୍ଦ୍ରନାଥ ସେତେବେଳେ ଥାର୍ଡ ମୁନ୍‌ସଫ୍‌ଟିଏ, ଗ୍ରାମ୍ୟ ହିନ୍ଦୁ ମଧ୍ୟବିତ୍ତ ଘରର ସନ୍ତାନ ମାତ୍ର । ତାଙ୍କ ସମାଜର ଲୋକେ ମୁନ୍‌ସିଫ୍‌ ଚାକିରି ପାଇଥିବାପାଇଁ ‘ରତ୍ନ’ ବୋଲି କହନ୍ତି, ଭାଗ୍ୟବାନ୍‌ ବୋଲି କହନ୍ତି; କିନ୍ତୁ ସୁରମା ହେରିକାଙ୍କ ସମାଜ ନିକଟରେ ତାହା ନିହାତି ନକଲି ପଥର ପରି ଏବଂ ମୁନ୍‌ସିଫ୍‌ ଚାକିରିକୁ ବି ନିହାତି ସୌଭାଗ୍ୟର ସାନ୍ତ୍ୱନା ବୋଲି ଭାବନ୍ତି ସେମାନେ । ସୁରମାକୁ ଠିକ୍‌ ଏଇ ବେଶରେ ଖୁବ୍‌ ନିକଟରେ ଦେଖିଥିଲେ ସେ ତାଙ୍କ ନିଜ ବସାରେ–କିଛିଦିନ ପରେ, ବୋଧହୁଏ ଦେଢ଼ମାସ କି ଦୁଇମାସ ପରେ । ତାଙ୍କର ବସା ଥିଲା ସହରର ଓକିଲ-ମୁକ୍ତିଆର ପଲ୍ଲୀର ଶେଷକୁ-। ସୁନ୍ଦର ପରିଚ୍ଛନ୍ନ ଚାଳଘର ବଙ୍ଗଳାଟିଏ ଦେଖି ବସା ନେଇଥିଲେ ସେ । ସେତେବେଳେ ବି ଇଲେଟ୍ରିକ୍‌ ଲାଇଟ୍‌ ହୋଇନାହିଁ । ଗରମ ବେଶି ହେଉଥିବା ଜାଗାରେ ଚାଳଘରର ବଙ୍ଗଳାଠାରୁ ବଳି ଆରାମପ୍ରଦ ଆଉ ଅନ୍ୟ କୌଣସି ଘର ହୁଏନାହିଁ । ଆଗରେ ଖଣ୍ଡେ ବଗିଚା ବି ଥିଲା-। ସେଦିନ କୋର୍ଟ ସାରି ସାଇକେଲ ଚଢ଼ି ଘରର ଟିକିଏ ଆଗରୁ ଗୋଟାଏ ବାଙ୍କରେ ବୁଲିଲାକ୍ଷଣି ସେହି ସାଇକେଲ୍‌ରେ ବସିବା ଅବସ୍ଥାରେ ହିଁ ବିସ୍ମିତ ହୋଇଯାଇଥିଲେ ସେ–ତାଙ୍କ ବସାଘରର ଦୁଆର ଆଗରେ ଠିଆହୋଇ ରହିଛି ମଟରଟିଏ । କାହାର ମଟର ? ପରମୁହୂର୍ତ୍ତରେ ମଟରଟିକୁ ଚିହ୍ନି ବିସ୍ମୟର ସୀମା ରହିଲାନାହିଁ ତାଙ୍କର । ୟେ ଯେ ସେସନ୍‌ସ୍‌ ଜଜ୍‌ଙ୍କ କାର ? ହେଇଟି ଜଜ୍‌ସାହେବଙ୍କର ଚପରାସି ଡ୍ରାଇଭର୍‌ ସହିତ କଥାବାର୍ତ୍ତା ହେଉଛି । ବିସ୍ମିତ ଓ ବ୍ୟସ୍ତହୋଇ ସାଇକେଲ୍‌ରୁ ଓହ୍ଲାଇ ଚପରାସିକୁ ସେ ପଚାରିଥିଲେ–କିଏ ଆସିଛନ୍ତି ?

 

ମୁନ୍‌ସିଫ୍‌ ସାହେବଙ୍କୁ ସମ୍ଭ୍ରମ ସହିତ ସଲାମ କରି ଚପରାସି କହିଥିଲା–ମିସ୍‌ ସାହେବ ଆଇ ହୈ ହଜୁର !'

 

ମିସ୍‌ ସାହେବ ! ଜଜ୍‌ସାହେବଙ୍କର ସେହି ଝିଅଟି ସେଦିନ କୋଠିରେ ଖାଲି ତା’ର ଗୀତ ଶୁଣିନଥିଲେ ଜ୍ଞାନେନ୍ଦ୍ରନାଥ, ତା’ର ତୀକ୍ଷ୍‌ଣ କଣ୍ଠର ଆହ୍ୱାନ ମଧ୍ୟ ଶୁଣିଥିଲେ–ଚପରାସି !

 

ଖାଲି ସେତିକି ନୁହେଁ । ଏହି କଲେଜ୍‌-ପାଠୋଇ, ଅତି ଆଧୁନିକା, ବାପାଙ୍କ ଆଦରିଣୀ କନ୍ୟାଟି ସମ୍ପର୍କରେ ଏଥିଭିତରେ ଆହୁରି ଅନେକ କଥା ସେ ଶୁଣିଥିଲେ । ବ୍ୟଙ୍ଗ-କବିତା ଲେଖେ । ବାକ୍ୟବାଣରେ ପାରଦର୍ଶିନୀ । ଏଠାର ନିଲାମ-ଇସ୍ତାହାର-ସର୍ବସ୍ୱ ସାପ୍ତାହିକରେ ଜଜ୍‌ସାହେବଙ୍କ ଝିଅର ବ୍ୟଙ୍ଗ-କବିତା ପ୍ରକାଶିତ ହୋଇଛି ମଧ୍ୟ । ସେ ବି ତାହାକୁ ପଢ଼ିଛନ୍ତି । ଏ ଝିଅଟିକୁ ଆଉ ଗୋଟିଏ ଦିନ ମଧ୍ୟ ଦେଖିଛନ୍ତି ସେ ଏଥିଭିତରେ । ସେଦିନ କୋଠିରେ ଖାଲି ମୁହଁଟି ଦେଖିଥିଲେ; ମଝିରେ ଦିନେ ସବ୍‌ଜଜ୍‌ ସାହେବଙ୍କ ଘରେ ତାଙ୍କର ସାନପୁଅର ବିବାହ ଉପଲକ୍ଷ୍ୟରେ ହୋଇଥିବା ପ୍ରୀତିସମ୍ମିଳନୀରେ ଝିଅଟିକୁ ଜଜ୍‌ସାହେବଙ୍କ ନିକଟରେ ବସିଥିବାର ଦେଖିଛନ୍ତି । ଦୀର୍ଘାଙ୍ଗୀ ଝିଅଟିକୁ ଭଲ ଲାଗିଥିଲା, ସେହିପରି ସମ୍ଭ୍ରମ ମଧ୍ୟ ଜାଗ୍ରତ ହୋଇଥିଲା ତା’ର ସଂଯତ ଗାମ୍ଭୀର୍ଯ୍ୟକୁ ଦେଖି । ସେହି ଝିଅ ଆସିଛି ତାଙ୍କ ଘରକୁ ? କାହିଁକି ? ହୁଏତ ପ୍ରଗତିଶୀଳ ଜଜ୍‌କନ୍ୟା କୌଣସି ସମିତି-ଫମିତିର ଚାନ୍ଦାପାଇଁ ବା ସୁମତିକୁ ତା’ର ସଭ୍ୟ କରିବା ପାଇଁ ଆସିଥିବେ । ସୁମତି କ’ଣ...-?

 

ଆଜି ସୁମତିର ନାଁ ସ୍ମୃତିପଥରେ ଉଦୟ ହେଲାକ୍ଷଣି ପୌଢ଼ ଜ୍ଞାନେନ୍ଦ୍ରନାଥ ସୁରମାର ଛବିଆଡ଼ୁ ଦୃଷ୍ଟି ଫେରାଇ ଆଣି ବାଁ ପଟର କାନ୍ଥ ଆଡ଼କୁ ଚାହିଁଲେ । କାନ୍ଥଟା ମଝିରେ କନାର ପର୍ଦ୍ଦାରେ ଢଙ୍କା ଗୋଟିଏ ଚିତ୍ର ଝୁଲୁଛି ।

 

ସୁମତିର ଛବି । ସୁମତି ତାଙ୍କର ପ୍ରଥମପକ୍ଷର ସ୍ତ୍ରୀ ।

 

ଗୋଟିଏ ଗଭୀର ଦୀର୍ଘନିଃଶ୍ୱାସ ପକାଇଲେ ଜ୍ଞାନେନ୍ଦ୍ରବାବୁ । ହତଭାଗିନୀ ସୁମତି ! ଜ୍ଞାନେନ୍ଦ୍ରବାବୁଙ୍କ ମୁହଁରୁ ଆକ୍ଷେପଭରା ଦୁଇଟି ସକାତର ଓଃ-ଓଃ ଶବ୍ଦ ଯେପରି ମନକୁ ମନ ବାହାରିଆସିଲା । ସେ ଦ୍ରୁତଗତିରେ ସେ ଘରଟିକୁ ଅତିକ୍ରମ କରି ପୋଷାକ ବଦଳାଇବା ଘରେ ପ୍ରବେଶ କଲେ ।

 

(୬)

 

ସୁମତିର ସ୍ମୃତି ମର୍ମାନ୍ତକ ।

 

‘ଆଃ’ କହି ଗୋଟିଏ ଗଭୀର ଦୀର୍ଘନିଃଶ୍ୱାସ ପକାଇଲେ ଜ୍ଞାନେନ୍ଦ୍ରବାବୁ । ମର୍ମାନ୍ତକ ମୃତ୍ୟୁ ସୁମତିର । ସାର୍ଟଟାକୁ ଖୋଲୁଥିଲେ ସେ; ଆଙ୍ଗୁଠି ଅଗଟା ନିଜ ପିଠି ଉପରେ ପଡ଼ିଲା । ଗେଞ୍ଜିଟା ବି ଖୋଲି ପକାଇଲେ । ପିଠି ଉପରର ଚମଡ଼ାଟା ଅସମତଳ, ବନ୍ଧୁର । ବେକ ନୁଆଇଁ ଛାତିଟା ଆଡ଼କୁ ଚାହିଁଲେ । ଛାତି ଉପରେ ବି ଗୋଟିଏ କ୍ଷତଚିହ୍ନ । ହାତ ବୁଲାଇ ଦେଖିଲେ–ଦର୍ପଣ ସାମନାରେ ଠିଆହୋଇ ଛାତିର କ୍ଷତଚିହ୍ନଟାର ପ୍ରତିବିମ୍ବ ଆଡ଼କୁ ଚାହିଁରହିଲେ ସେ । ବାଁହାତରେ ପିଠିର କ୍ଷତ ଅନୁଭବ କରୁଥିଲେ ଗୋଟା ପିଠିଟାଯାକ...ଓଃ ! ବର୍ତ୍ତମାନ ସୁଦ୍ଧା ସ୍ପର୍ଶକାତର ହୋଇ ରହିଯାଇଛି । କୋଡ଼ିଏ ବର୍ଷ ହୋଇଗଲା; ତେବେକେ ଭଲହେଲା ନାହିଁ । କୋଟ୍‌, ସାର୍ଟ, ଗେଞ୍ଜି ତଳେ ଘୋଡ଼ିଆ ହୋଇ ରହିଥାଏ । ଅତର୍କିତରେ କୌଣସି ଚାପ ପଡ଼ିଲାମାତ୍ରେ ସେ ଚମକିପଡ଼ନ୍ତି, ଚିନ୍‌ଚିନ୍ ହୋଇ ଉଠେ । ଶେଷ ସମୟରେ ସୁମତିକୁ ଚିହ୍ନିବାର ଉପାୟ ନଥିଲା । ସେ ଶୁଣିଛନ୍ତି, ତେବେ କଳ୍ପନା କରିପାରନ୍ତି । ସେତେବେଳେ ସେ ଅଜ୍ଞାନ, ବୋଧହୁଏ ଥରେ ଦେଖିଥିଲେ କି କ’ଣ-! ଥରକ ପାଇଁ ଜ୍ଞାନ ହୋଇଥିଲା ତାଙ୍କର ।

 

ଡ୍ରେସିଂରୁମ୍‌ ସଂଲଗ୍ନ ବାଥରୁମ୍‌ ଭିତରକୁ ଯାଇ ପଶିଲେ ଜ୍ଞାନେନ୍ଦ୍ରବାବୁ । ଚୌକି ଉପରେ ବସି ମୁହଁହାତ ଧୋଇଲେ । ସାବୁନଦାନିରୁ ଟେକିନେଲେ ସାବୁନଟାକୁ ।

 

ଠିକ୍‌ ସେହି ମୁହୂର୍ତ୍ତରେ ଗୋଟା ବାଥ୍‌ରୁମ୍‌ଟା ଗୋଟାଏ ଲାଲ୍‌ରଙ୍ଗର ଆଲୋକ ଆଭାରେ ଲାଲ୍‌ହୋଇ ଉଜ୍ଜ୍ୱଳ ହୋଇଗଲା; ଯେପରି କେଉଁଠି ଦପ୍‌କିନା ଜଳିଉଠିଛି ପ୍ରଦୀପ୍ତ ଅଗ୍ନିର ଆଭା ! ଚମକିପଡ଼ିଲେ ଜ୍ଞାନେନ୍ଦ୍ରବାବୁ, ହାତରୁ ସାବୁନଟା ପଡ଼ିଗଲା ଫେରିଚାହିଁଲେ ପାଖର ଝରକାଟାକୁ । ଆଭାଟା ସେହିପଟୁ ହିଁ ଆସୁଛି, ଝରକାର ଘଷା କାଚଗୁଡ଼ିକ ନିଆଁର ରକ୍ତଛଟାରେ ଦୀପ୍ୟମାନ ହୋଇଯାଇଛନ୍ତି । ଗୋଟାଏ ଦାରୁଣ ଆତଙ୍କରେ ତାଙ୍କର ଆଖିଦୁଇଟା ବିସ୍ଫାରିତ ହୋଇଗଲା, ସେ ଚିତ୍କାର କରି ଉଠିଲେ–ଗୋଟାଏ ଭୟାର୍ତ୍ତ ଆର୍ତ୍ତନାଦ–ଭାଷା ନାହିଁ, ଖାଲି ଶବ୍ଦ ।

 

X X X

 

ଦପ୍‌କିନା ନିଆଁ ଜଳିଉଠିଥିଲା ସତ; କିନ୍ତୁ ଅଗ୍ନିକାଣ୍ଡ ଯାହାକୁ କହନ୍ତି ତା’ ନୁହେଁ ।

 

ଝରକାଟାର ଠିକ୍‌ ସେପାଖକୁ ଟିକିଏ, ବୋଧହୁଏ ଆଠ ଦଶଫୁଟ ଖୋଲା ଜାଗା ପରେ କୋଠିର ବବୁର୍ଚ୍ଚିଖାନାରେ ବବୁର୍ଚ୍ଚି ଆମ୍‌ଲେଟ୍‌ ଭାଜୁଥିଲା । ଆମ୍‌ଲେଟ୍‌ ଭାଜିବା ପାତ୍ରଟି ସମ୍ଭବତଃ ମାତ୍ରାତିରିକ୍ତ ଉତ୍ତପ୍ତ ହୋଇଯାଇଥିଲା । ତା’ ଉପରେ ଘିଅ ଢାଳିବାକ୍ଷଣି ସେଇଟା ଦାଉଦାଉ ହୋଇ ଜଳିଉଠିଲା ଏବଂ ବିଭ୍ରାନ୍ତ ପାଚକ ହାତରୁ ଘିଅପାତ୍ରଟି ବି ପଡ଼ିଗଲା । ନିଆଁଟା ଟିକେ ବେଶି ଜଳିଥିଲା । ତା’ରି ଆଭା ଯାଇ ପ୍ରତିଫଳିତ ହୋଇଥିଲା ଘଷାକାଚ ଲାଗିଥିବା ଝରକାରେ ।

 

ସେଇୟାକୁ ଦେଖି ଜ୍ଞାନେନ୍ଦ୍ରନାଥ ଭୟରେ ବିଭ୍ରାନ୍ତ ହୋଇଯାଇଛନ୍ତି । ଭୟାର୍ତ୍ତ ଚିତ୍କାର କରୁ କରୁ ଖାଲିଦେହରେ, ଖାଲିପାଦରେ ପ୍ରାୟ ଦୌଡ଼ି ବାହାରି ଆସିଲେ ସେ । ସେ କି ଚିତ୍କାର ! ଖାଲି ଗୋଟାଏ ଭୟାର୍ତ୍ତ ଓ-ଓ-ଓ ଶବ୍ଦ । ସୁରମା ଦେବୀ ଧାଇଁଆସି ତାଙ୍କୁ ଧରିପକାଇ ଉତ୍କଣ୍ଠିତ ଚିତ୍କାର କରି ପଚାରିଲେ–କ’ଣ ହେଲା ? କ’ଣ ହେଲା ! ଶୁଣୁଛ ! କ’ଣ ହେଲା !

 

ଥରଥର ହୋଇ ଥରୁଥିଲେ ଜ୍ଞାନେନ୍ଦ୍ରବାବୁ; କିନ୍ତୁ ଧୀମାନ୍‌ ପଣ୍ଡିତ ବ୍ୟକ୍ତି ସେ । ଦୂରନ୍ତ ଭୟ ଭିତରେ ବି ତାଙ୍କର ଧୀମତ୍ତା ପ୍ରାଣପଣେ, ଝଡ଼ ସହିତ ବନସ୍ପତି ଶୀର୍ଷପରି, ଲଢ଼େଇ କରି ଅବନମିତ ଅବସ୍ଥାରୁ ମୁଣ୍ଡଟେକି ଠିଆହେଲା । ପଛକୁ ଫେରି କୋଠିଆଡ଼କୁ ଚାହିଁଲେ ସେ । ଆଖିର ଭୟାର୍ତ୍ତ ଦୃଷ୍ଟିର ଚେହେରା ବଦଳିଲା, ପ୍ରଶ୍ନାତୁର ହୋଇଉଠିଲା । କହିଲେ–ନିଆଁ । କିନ୍ତୁ... !

 

ଅର୍ଥାତ୍‌ ସେ ଖୋଜୁଥିଲେ, ଏକମିନିଟ୍‌ ପୂର୍ବେ ଯେଉଁ ନିଆଁକୁ ଦାଉଦାଉ ଶିଖାରେ ଜଳିଉଠିବା ଦେଖିଲେ ସେ, ସେ ନିଆଁ କାହିଁ ? କ’ଣ ହେଲା !

 

ବିସ୍ମୟରେ ପଚାରିଲେ ସୁରମା–ନିଆଁ ? କେଉଁଠି ?

 

ଆତ୍ମଗତ ଭାବରେ ହିଁ ଜ୍ଞାନେନ୍ଦ୍ରବାବୁ ପଚାରିଲେ–କ’ଣ ହେଲା ?

 

ଅଗ୍ନିର ସେ ଲେଲିହାନ୍‌ ଶିଖା ଯେ ସେ ଦେଖିଛନ୍ତି; ଆଖି ତାଙ୍କର ଝଲସି ଯାଇଛି ! ପରକ୍ଷଣରେ ସେ ଡାକିଲେ–ବୟ୍‌ !

 

ବୟ୍‌ ଆସି ସବୁକଥା ପ୍ରକାଶ କରି କହିଲା–ଟିକିଏ ଜଳିଥିଲା, ତା’ପରେ ଲିଭିଗଲା ।

 

ଜ୍ଞାନବାବୁ କହିଲେ–ଏତେ ଅସାବଧାନ କାହିଁକି ? ଘରେ ନିଆଁ ଲାଗିଯାଇଥାନ୍ତା !

 

ବିନୟ ସହିତ ବୟ୍‌ କହିଲା–ଟିଣ ଚାଳ– !

 

–ଲୋକଟାର ଲୁଗାପଟାରେ ଲାଗିଯାଇଥାନ୍ତା । କହିଲେ ଜ୍ଞାନବାବୁ । ସ୍ତ୍ରୀଙ୍କ ଆଡ଼କୁ ଫେରି କହିଲେ–‘‘ତାକୁ ବାହାର କରିଦିଅ !’’ କହି ଦୁମ୍‌ଦୁମ୍‌କରି କୋଠି ଭିତରେ ପଶିଗଲେ । ସୁରମା କୌଣସି ଉତ୍ତର ଦେଲେନାହିଁ । ସ୍ୱାମୀଙ୍କ ପିଠିଗୋଟାକ ଯାକରେ ଥିବା କ୍ଷତଚିହ୍ନ ଆଡ଼କୁ ଚାହିଁରହିଲେ । ବହୁତ ଦିନ ତଳର କଥା ମନେପଡ଼ିଲା ତାଙ୍କର । ଜ୍ଞାନେନ୍ଦ୍ରନାଥ ଏବଂ ସୁମତି ଘରେ ନିଆଁଲାଗି ଜଳନ୍ତା ଚାଳତଳେ ଚାପିହୋଇ ଯାଇଥିଲେ । ଖବର ପାଇ ଜଜ୍‌ସାହେବ ଓ ସୁରମା ଧାଇଁଯାଇଥିଲେ । ରାତିରେ ଘରେ ନିଆଁ ଲାଗିଯାଇଥିଲା । ମଫସଲିଆ ସହରର ଛପର କରାଯାଇଥିବା ବଙ୍ଗଳା-ଘର, ଶୀତଦିନ, ଦ୍ୱାର-ଝରକା ଭଲରୂପେ ବନ୍ଦ କରାଯାଇଥିଲା । ଛଣଛପର କରାଯାଇଥିବା ଚାଳର ନିଆଁ ପ୍ରଥମେ ବୋଧହୁଏ ବେଶ୍‌ ଉତ୍ତାପଜନିତ ଆରାମ୍‌ କିଛି ଦେଇଥିଲା । ଯେତେବେଳେ ଜ୍ଞାନେନ୍ଦ୍ରନାଥ ଓ ସୁମତିଙ୍କର ନିଦ ଭାଙ୍ଗିଥିଲା, ଚାରିଆଡ଼େ ନିଆଁ ଧରିଯାଇଥିଲା । ଦ୍ୱାରଖୋଲି ବାହାରୁ ବାହାରୁ ସାମନାର ଚାଳଟା ଖସି ତଳେ ପଡ଼ିଗଲା । ସୁମତି ଓ ଜ୍ଞାନେନ୍ଦ୍ରବାବୁ ସେହି ଚାଳତଳେ ଚିପି ହୋଇଗଲେ । ଜ୍ଞାନେନ୍ଦ୍ର ତା’ର ହାତ ଧରି ବାହାରକରି ନେଇ ଆସୁଥିଲେ; ହଠାତ୍‌ ସୁମତିର ପାଦରେ କାଚ ଗଳିଯିବାରୁ ଝୁଣ୍ଟିପଡ଼ିଲା ସେ, ଜ୍ଞାନେନ୍ଦ୍ରବାବୁ ଛାଟିହୋଇ ସାମନାରେ ପଡ଼ି ସୁଦ୍ଧା ତାଙ୍କ ଛାତି ଓ ପିଠିରେ ଜଳନ୍ତା ଛଣ ରହିଗଲା । ସୁମତିର ସର୍ବାଙ୍ଗ ପୋଡ଼ିଯାଇ ଝଲସିଯାଇଥିଲା–ଓଃ, ସେ କି ମର୍ମାନ୍ତକ ଦୃଶ୍ୟ ! ସେତେବେଳେ ଜ୍ଞାନେନ୍ଦ୍ରନାଥ ଡାକ୍ତରଖାନା ଭିତରେ ବେଡ୍‌ ଉପରେ ଅଜ୍ଞାନ ଅବସ୍ଥାରେ ଶୋଇଥାନ୍ତି । ସୁମତିର ଦେହଟାରେ ଲୁଗା ଘୋଡ଼ାଇ ଦିଆଯାଇଥାଏ । ଲୁଗା ଟେକି ଦେଖାଇଥିଲେ ଡାକ୍ତର ।

 

ଓଃ ! ଓଃ ! ଓଃ ! ସୁରମାଦେବୀ ମଧ୍ୟ ଆଖି ବୁଜିଦେଇ ଶିହରି ଉଠିଲେ ।

 

କି ସୁନ୍ଦର ଚେହେରା କି ବୀଭତ୍ସ ହୋଇଯାଇଥିଲା ! ଓଃ ! ମନେପଡ଼ୁଛି ସୁମତିକୁ । ଶ୍ୟାମବର୍ଣ୍ଣ, ପିଠି ଭର୍ତ୍ତି କଳାବାଳ, ବଡ଼ ବଡ଼ ଆଖିଦୁଇଟା, ଟିକିଏ ମୋଟାସୋଟା ନରମ ନରମ ଗଢ଼ଣ; ମୁକ୍ତା ପଙ୍‌କ୍ତିପରି ସୁନ୍ଦର ଦାନ୍ତଗୁଡ଼ିକ, ହସିଲେ ଗାଲରେ ତା’ର ଭଉଁରି ପଡ଼ୁଥିଲା ଏବଂ ଦୁଇଜଣଙ୍କ ଭିତରେ ଅନିର୍ବଚନୀୟ ସ୍ନେହ ଥିଲା । ଅଫିସର ମହଲରେ ସେ ବିଷୟ ନେଇ କେତେ କଳ୍ପନା-ଜଳ୍ପନା ହୋଇଛି । ହେବା କଥା । ବିଲାତ ଫେରନ୍ତା ବ୍ରାହ୍ମ ବାରିଷ୍ଟର୍‌ ଜଜ୍‌ସାହେବଙ୍କ କଲେଜପଢ଼ା ଝିଅ ସହିତ ଅର୍ଦ୍ଧଶିକ୍ଷିତା ଗ୍ରାମ୍ୟ ଜମିଦାର-କନ୍ୟା, ସାମାନ୍ୟ ମୁନ୍‌ସିଫ୍‌ର ସ୍ତ୍ରୀ ସୁମତିର ଏତେ ନିବିଡ଼ ଅନ୍ତରଙ୍ଗତା କେଉଁଥିପାଇଁ ? କିଏ କହିଥିଲା–କୋଉଠି କୋଉ ଜିଲା ସ୍କୁଲରେ ସୁରମା ଓ ସୁମତି ଏକାଠି ପଢ଼ୁଥିଲେ । କିଏ କହିଥିଲା ସୁରମା ଓ ସୁମତିର ପିତୃପକ୍ଷ ଆଗେ ଦାର୍ଜଲିଂକୁ ଯାଇ ପାଖାପାଖି ହୋଇ ରହିଥିଲେ; ସେକାଳୁ ଦୁହେଁଯାକ ସାଙ୍ଗ । ହଠାତ୍‌ ଏଠି ସବ୍‌ଜଜ୍‌ଙ୍କ ଘରେ ଦୁହେଁ ଦୁହିଁଙ୍କୁ ଚିହ୍ନିପକାଇ ପୁରୁଣା ବନ୍ଧୁତ୍ୱକୁ ନୂଆକରି ଗଢ଼ିଛନ୍ତି; କିନ୍ତୁ ସବୁକଥା ଭିତରେ ଗୋଟାଏ ନା ଗୋଟାଏ ଅସଙ୍ଗତି ସବୁବେଳେ ଦେଖାଦେଇଛି । ଶେଷକୁ ସତକଥାଟା ପ୍ରକାଶପାଇଲା ।

 

ତା’ର ନିଜର ପିଉସୀ-ଝିଅ ଭଉଣୀ ଥିଲା ସୁମତି; ଜଜ୍‌ସାହେବ ଅରବିନ୍ଦ ଚାଟାର୍ଜୀ ହେଉଛନ୍ତି ସୁମତିର ମାମୁ; ସୁମତିର ମା’ଙ୍କର ସହୋଦର ଭାଇ । କଲେଜରେ ପଢ଼ିଲାବେଳେ ବ୍ରାହ୍ମ ହୋଇ ସୁରମାର ମା’ଙ୍କୁ ବିବାହ କରିଥିଲେ ସେ । ବାପା ତ୍ୟାଜ୍ୟପୁତ୍ର କରିଦେଇଥିଲେ । ଘରେ ପୁଅର ନାଁ ସୁଦ୍ଧା ମୁହଁରେ ଧରିବା ନିଷିଦ୍ଧ ଥିଲା । ଦୁଇପକ୍ଷ ଭିତରେ କୌଣସି ସମ୍ପର୍କ ବି ନଥିଲା । ଅରବିନ୍ଦବାବୁ ବିଲାତ ଗଲେ, ବାରିଷ୍ଟର୍‌ ହୋଇ ଆସି ବିଚାର ବିଭାଗରେ ଚାକିରିପାଇ ପୂରା ଅଲଗା ମଣିଷ ହୋଇଯାଇଥିଲେ । ତାଙ୍କ ପକ୍ଷରେ ଖବର ନ ରଖିବାଟା ହିଁ ସ୍ୱାଭାବିକ । ପିତୃପକ୍ଷ ବି ରଖୁନଥିଲେ । ଜାଣିଜାଣି ରଖିନଥିଲେ; ବରଂ ଏହି ପୁଅଟିର ନାଁକୁ ସଯତ୍ନରେ ପୋଛିଦେଇଥିଲେ ସେକାଳର ସାମାଜିକ କଳଙ୍କ ଓ ଲଜ୍ଜାର ବିଚିତ୍ର କାରଣପାଇଁ । ଏ ପରିଚୟ ପ୍ରକାଶିତ ହେଲେ ସେକାଳରେ ସାମାଜିକ ଆଦାନପ୍ରଦାନ କଠିନ ହୋଇଥାନ୍ତା । ସୁମତି ତା’ ମା’ପାଖରୁ ମାମୁଁଙ୍କ ନାଁ ଶୁଣିଥିଲା । ସେ ବ୍ରାହ୍ମ ହୋଇ ଘରୁ ଚାଲିଯାଇଛନ୍ତି, ଏତିକି କେବଳ ଶୁଣିଥିଲା । ମା’ ତା’ର ବାହାବେଳେ ବାରମ୍ବାର କହିଦେଇଥିଲେ–ମାମୁ କଥା ଗପିବୁନିଟି । କେଜାଣି କିଏ କି ଭାବରେ କଥାଟାକୁ ନେବେ ! ସୁରମା ଅବଶ୍ୟ ଗଳ୍ପଟି ଶୁଣିଥିଲା ତା’ର ବାପାଙ୍କ ପାଖରୁ । ଏବେ କେତେଦିନ ହେଲା ଜଜ୍‌ସାହେବ ଅରବିନ୍ଦ ଚାଟାର୍ଜୀ ଟିକିଏ ଭାବପ୍ରବଣ ହୋଇପଡ଼ୁଥିଲେ । ବିଶେଷରେ ରାତିସମୟରେ ବ୍ରାଣ୍ଡି ପାନକରି ମା’ଙ୍କ ପାଇଁ କାନ୍ଦୁଥାନ୍ତି । କହନ୍ତି, My mother was a godess । ଆଉ କି ସୁନ୍ଦର ଥିଲେ ସେ । ସାକ୍ଷାତ୍‌ ମାତୃଦେବତା ! ଯେମିତି ସାକ୍ଷାତ୍‌ ମୋର ଭାରତବର୍ଷ ଶ୍ୟାମବର୍ଣ୍ଣ, ପିଠିଏ ଘନକଳା ବାଳ, ବଡ଼ ବଡ଼ ଆଖି, ମୁହଁରେ ମଧୁର ହସ, ନରମ ନରମ ଗଢ଼ଣ...ଆହା-ହା !

 

ସୁମତିର ଚେହେରା ଥିଲା ଠିକ୍‌ ତାଙ୍କପରି, ନିଜ ମା’ପରି । ସେଇୟାକୁ ଦେଖି ହିଁ ପ୍ରକାଶିତ ହେଲା ଏହି ପରିଚୟ । ଚାଟାର୍ଜୀ ସାହେବ ନିଜେ ଚିହ୍ନିଲେ । ବର୍ଦ୍ଧମାନକୁ ଦୁଇମାସ ହେବ ସୁମତିହେରିକା ଆସିଥାନ୍ତି । ସବ୍‌ଜଜ୍‌ଙ୍କ ସାନପୁଅର ବିଭାଘରପାଇଁ ସାମାଜିକ ଅନୁଷ୍ଠାନ, ପ୍ରୀତିଭୋଜନ ଥିଲା ତାଙ୍କ ଘରେ । ସୁରମା, ସୁରମାର ମା’ ଏବଂ ବାପା ବାହାରେ ସଭାରେ ବସିଥିଲେ । ସେଠି ମାଜିଷ୍ଟ୍ରେଟ୍‌ ସାହେବ, ପୋଲିସ୍‌ ସାହେବ୍‌, ଡାକ୍ତର ସାହେବ ବି ସସ୍ତ୍ରୀକ ବସିଥିଲେ । ପାଖରେ, ଟିକିଏ ଛାଡ଼ି ଡେପୁଟି, ସବ୍‌ଡେପୁଟି, ମୁନ୍‌ସିଫ୍‌ମାନଙ୍କ ଦଳ ବସିଥିଲେ । ସେମାନଙ୍କ ଗୃହିଣୀମାନଙ୍କ ଆସ୍ଥାନ ହୋଇଥିଲା ଭିତରେ; ବାହାର ସଭାର ମଧ୍ୟପଥ ଦେଇ ହିଁ ଭିତରକୁ ଯାଉଥିଲେ ସେମାନେ । ସୁମତି ବି ଚାଲିଯାଇଥିଲା । ସୁରମାର ବାପା କଥା ହେଉଥିଲେ ମାଜିଷ୍ଟ୍ରେଟ୍‌ଙ୍କ ସହିତ । ହଠାତ୍‌ ସ୍ତବ୍‌ଧ ହୋଇଗଲେ ସେ, ଦୃଷ୍ଟିରେ ତାଙ୍କର ଅପରିସୀମ ବିସ୍ମୟ ଫୁଟିଉଠିଲା । ଅବଶ୍ୟ ପରମୁହୂର୍ତ୍ତରେ ଆତ୍ମସମ୍ବରଣକରି ପୁଣି କଥା କହିବାକୁ ଆରମ୍ଭ କରିଥିଲେ ସେ; କିନ୍ତୁ ସେହି କ୍ଷଣିକର ବିସ୍ମୟ-ବିମୂଢ଼ତାକୁ ଅନେକେ ଲକ୍ଷ୍ୟ କରିଥିଲେ । ସୁରମାର ମା’ଙ୍କ ଆଖିରେ ବି ପଡ଼ିଥିଲା । କିଛି ସମୟ ପରେ ଯେଉଁ କଥା ସେ କହୁଥିଲେ, ସେ କଥାଟା ଶେଷ ହେଲା କ୍ଷଣି ପୁଣି ଯେପରି ଗଭୀର ଅନ୍ୟମନସ୍କତାରେ ବୁଡ଼ିଗଲେ ସେ ସୁରମାର ମା’ ଆଉ ଆତ୍ମସମ୍ବରଣ କରିପାରିନଥିଲେ, ମୃଦୁକଣ୍ଠରେ ପଚାରିଥିଲେ–କ’ଣ ହେଲା କହିଲ ?

 

–ଏଁ– ? ଚମକି ପଡ଼ିଥିଲେ ସୁରମାର ବାପା ।

 

ସ୍ତ୍ରୀ ପଚାରିଥିଲେ–ହଠାତ୍‌ ତମର କ’ଣ ହେଲା ଯେ ? ସେତେବେଳେ ଇମିତି ଚମକିପଡ଼ିଲ ? ପୁଣି ଯେପରି ତନ୍ମୟ ହୋଇ ଭାବୁଛ !

 

–କେତେକାଳ ପରେ ହଠାତ୍‌ ମା’ଙ୍କୁ ଦେଖିଲି ଯିମିତି । ଗଭୀର ଦୀର୍ଘନିଃଶ୍ୱାସଟିଏ ପକାଇ ଚାଟାର୍ଜୀ ସାହେବ କଥାଟା କହିଥିଲେ, ‘‘ଅବିକଳ ମୋର ମା’ । ଅବିକଳ ! ଫରକ ଏତିକି, ଏ ଝିଅଟି ଟିକିଏ ମଡର୍ଣ୍ଣ ।’’

 

–କିଏ ? କ’ଣ କହୁଛ ତମେ ?

 

ଲାଲ୍‌ ଧଡ଼ିଥିବା ପାଟଶାଢ଼ି ପିନ୍ଧି ଝିଅଟିଏ ସେତେବେଳେ ଘରଭିତରକୁ ଗଲା, ଦେଖିଛ-? ଶ୍ୟାମବର୍ଣ୍ଣ, ବଡ଼ ବଡ଼ ଆଖି; କପାଳରେ ସିନ୍ଦୂର ଟୋପାଟା ଟିକିଏ ବଡ଼, ନିଷ୍ଠାବାନ୍‌ ହିନ୍ଦୁଘରେ ଯିମିତି ଲଗାନ୍ତି । ଅବିକଳ ମୋ ମା’ ! ପିଲାଦିନେ ଯିମିତି ଦେଖିଥିଲି ।

 

ଏ କଥାର ଉତ୍ତରରେ ସୁରମାର ମା’ କ’ଣ କହିବେ ଆଉ, ଚୁପ୍‌ହୋଇ ହିଁ ରହିଲେ । ଚାଟାର୍ଜୀ ମଧ୍ୟ କିଛି ସମୟପାଇଁ ଚୁପ୍‌ ହୋଇଯାଇଥିଲେ । ତା’ପରେ ହଠାତ୍‌ ଟିକିଏ ସାମନାକୁ ଲଇଁପଡ଼ି ମୃଦୁକଣ୍ଠରେ କହିଲେ, ଟିକିଏ ଖବର ନେଇପାରିବ ? ଏ ଝିଅଟି କିଏ ? ସହଜରେ ଚିହ୍ନିଦେଇ ପାରିବ, ଲାଲ୍‌ଧଡ଼ିର ପାଟଶାଢ଼ି ପିନ୍ଧି ଆସିଛି, ଭାରି ନରମ ଚେହେରା, କଅଁଳ ପତ୍ରଭଳି ଶ୍ୟାମବର୍ଣ୍ଣ, ବଡ଼ ବଡ଼ ଆଖି, କପାଳରେ ସିନ୍ଦୂର ଟୋପାଟା ବଡ଼ । ସହଜରେ ଚିହ୍ନିଦେଇ ହେବ । ଦେଖିନ ? ଦେଖିବ ?

 

ସୁରମାର ମା’ ଅନୁରୋଧକୁ ଉପେକ୍ଷା କରିପାରିନଥିଲେ ଏବଂ ଅତି ସହଜରେ ସୁମତିକି ଆବିଷ୍କାର କରିପାରିଥିଲେ । ଫେରିଆସି କହିଥିଲେ, ଏଠାକୁ ନୂଆହୋଇ ଯେଉଁ ମୁନ୍‌ସଫ୍‌ ଆସିଛନ୍ତି; ମିଷ୍ଟର ଘୋଷାଲ, ତାଙ୍କ ସ୍ତ୍ରୀ ।

 

–ଥାର୍ଡ ମୁନ୍‌ସିଫ୍‌ଙ୍କ ସ୍ତ୍ରୀ ? –ଟିକିଏ ତୁନିହୋଇ ରହି କହିଥିଲେ ଚାଟାର୍ଜୀ, ଅବିକଳ ମୋର ମା’ । ଝିଅଟିର ସୁନ୍ଥାର ଠିକ୍‌ ଆରମ୍ଭରେ, ହେଇଟି ମୋର ଏଇ କପାଳ ଉପରକୁ ଯିମିତି ଗୋଟାଏ ବାଳର ଭଉଁରି ଅଛି, ସିମିତି ଭଉଁରିଟିଏ ଅଛି । ମୋ ମା’ଙ୍କର ବି ଥିଲା ।

 

ସେଦିନ ରାତିରେ ଚାଟାର୍ଜୀ ସାହେବ ଘରକୁ ଫେରି ମଦ ପିଇ ମା’ ପାଇଁ ଭୋ-ଭୋ ହୋଇ କାନ୍ଦିଥିଲେ । କହିଥିଲେ, ନିଶ୍ଚୟ ମୋର ମା’ ! ଏ ଜନ୍ମରେ ସୁରମାର ମା’ କହିଥିଲେ, ପୁନର୍ଜନ୍ମ ? କହନି, ଲୋକେ ଶୁଣିଲେ ହସିବେ ।

 

ହଠାତ୍‌ ଚାଟାର୍ଜୀ ସାହେବ କହିଥିଲେ–ତା’ ନହେଲେ ଇମିତି ଏକାପରି ହେଲା କିପରି-? Yes, ହୋଇପାରେ । ସୁର, ମାମି, ତୁ ଟିକେ କାଲି ଯିବ ସେ ଝିଅଟି ପାଖକୁ । ତୁ ସ୍ୱଚ୍ଛନ୍ଦରେ ଯାଇପାରିବୁ । ପଚାରିଆସିବୁ, ତୋର ବାପାଙ୍କ ନାଁ କ’ଣ, ଜେଜେବାପାଙ୍କ ନାଁ କ’ଣ, ଘର କେଉଠିଁ-?

 

ମା’ଙ୍କର ବିଶେଷ ଇଚ୍ଛାନଥିଲା; କିନ୍ତୁ ପ୍ରୌଢ଼ ବାପାଙ୍କୁ ପିଲାଙ୍କଭଳି ଏହିପରି ମା’ ମା’ ହେବା ଦେଖି ସୁରମା ବେଦନା ଅନୁଭବ କରିଥିଲା; ନଯାଇ ରହିପାରିନଥିଲା ।

 

ପ୍ରଥମରେ ସୁମତି ଅବାକ୍‌ ଓ ଶଙ୍କିତ ହୋଇଯାଇଥିଲା । ଖୋଦ୍‌ ଜଜ୍‌ ସାହେବଙ୍କ ଝିଅ ଆସିଛନ୍ତି, କଲେଜପଢ଼ା ଆଧୁନିକା ଝିଅ ! ଯେଉଁ ଝିଅ ସମାଜରେ ସଭାରେ ସେମାନଙ୍କଠାରୁ ଅନେକ ଦୂରରେ ଏବଂ ଉଚ୍ଚରେ ଆସୀନ, ସେ ନିଜେ ଆସିଛି ତାଙ୍କ ଘରକୁ !

 

ସୁରମା ଗୋପନ କରିନାହିଁ । ହସି କହିଥିଲା, ଆପଣ କୁଆଡ଼େ ଅବିକଳ ମୋ ଜେଜେମା’ଙ୍କ ଭଳି ଦେଖିବାକୁ । ଆପଣଙ୍କ ସୁନ୍ଥା ଆଗରେ ଭଉଁରିଟା ସୁଦ୍ଧା ଠିକ୍‌ ତାଙ୍କରି ଭଳି । ମୋ ବାପାଙ୍କ ଭିତରେ ଫେରେ ଗୋଟାଏ ଇଟର୍‌ନ୍ୟାଲ୍‌ ଚାଇଲ୍‌ଡ୍‌ ଅର୍ଥାତ୍‌ ଚିରନ୍ତନ ଶିଶୁ ରହିଛି । ମା’ଙ୍କୁ ମନେପକାଇ ପ୍ରାୟ ସବୁବେଳେ କାନ୍ଦନ୍ତି । କଇଁକଇଁ ହୋଇ ତାଙ୍କର କାଲି ସେ କି କାନ୍ଦ ! ସେଥିପାଇଁ ଆପଣଙ୍କ ସହିତ ଜେଜେମା’ ସମ୍ବନ୍ଧ ଜାଣିବାକୁ ମୁଁ ଆସିଛି !

 

ସୁମତି ସ୍ଥିର ଦୃଷ୍ଟିରେ ସୁରମା ଆଡ଼କୁ କିଛିସମୟ ପର୍ଯ୍ୟନ୍ତ ଚାହିଁରହିଥିଲା । ସୁରମା ହସିଦେଇ କହିଲା, ଅବାକ୍‌ ହୋଇଯାଉଛନ୍ତି ? ସତରେ ଅବାକ୍‌ ହେଲାଭଳି କଥାଟା; କିନ୍ତୁ ଆପଣଙ୍କର ବାପଘର କେଉଁଠି, କହିଲେ ? ଆପଣ କ’ଣ ଦେଖିବାକୁ ଅବିକଳ ଆପଣଙ୍କ ଜେଜେମା’ଙ୍କ ଭଳି ?

 

ସୁମତି କହିଥିଲା–ନା । ତେବେ ମୋ ଆଈଙ୍କ ସାଙ୍ଗରେ ମୋ ଚେହେରାର ବହୁତ ସାଦୃଶ୍ୟ ରହିଛି । ମା’ କହନ୍ତି– ଅବିକଳ ।

 

ଏହାପରେ ଅସଲ ସମ୍ପର୍କଟା ଆବିଷ୍କୃତ ହେବାକୁ ବିଳମ୍ବ ହେଲାନାହିଁ । ଠିକ୍‌ ତା’ର ଆଈଙ୍କ ଭଳି ସୁମତି ଦେଖିବାକୁ ହୋଇଥିଲା । ସେ ଜନ୍ମହେବାର କେତେବର୍ଷ ପର୍ଯ୍ୟନ୍ତ ଆଈ ତା’ର ବଞ୍ଚିଥିଲେ, ନହେଲେ ଏ ଘଟଣା ପରେ ଲୋକେ ଅନ୍ତତଃ କହିଥାନ୍ତେ, ସେ ହିଁ ଫେରିଆସି ସୁମତି ରୂପେ ଜନ୍ମ ହୋଇଛନ୍ତି ଏବଂ ଧର୍ମାନ୍ତର ଗ୍ରହଣ କରିଥିବା ଅରବିନ୍ଦ ଚାଟାର୍ଜୀ ଜଜ୍‌ସାହେବଙ୍କ ସଙ୍ଗେ ଏହି ଦେଖାହେବାଟା ଗୋଟିଏ ବିଚିତ୍ର ଘଟଣା ବୋଲି କୁହାଯାଇଥାନ୍ତା । ଲୋକେ କହନ୍ତେ, ଜଜ୍‌ସାହେବ ପୁଅର ସମାଦର ପାଇବାପାଇଁ ହିଁ ସେ ଫେରିଆସିଛନ୍ତି । ଏସବୁ କଥା ସୁମତି କହିନି; ସୁରମା କହିଥିଲା । ସୁମତି ଖୁବ୍‌ ହସିଥିଲା, ଖୁବ୍‌ ହସିପାରୁଥିଲା ସେ । ଠିକ୍‌ ଏତିକିବେଳେ ବସାଘରର ସାମନାରେ ଆସି ଉପସ୍ଥିତ ହୋଇଥିଲେ ଜ୍ଞାନେନ୍ଦ୍ରନାଥ । ଦୁଆରମୁହଁରେ ଜଜ୍‌ଙ୍କ ଅର୍ଦ୍ଦଳି ଓ ଗାଡ଼ି ଦେଖି କ’ଣ କରିବା ଉଚିତ ଭାବିନପାରି ସେଇଠି ସିମିତି ଠିଆହୋଇ ରହିଥିଲେ ସେ ନିଜ ଘରେ ପର ମଣିଷଟିଏ ଭଳି ! ଦିନସାରା ମୁନ୍‌ସିଫ୍‌-କୋର୍ଟରେ ରେଣ୍ଟ୍‌-ସୁଟ୍‌ ଆଉ ମନି-ସୁଟ୍‌ର ଜଟକୁ ଛଡ଼େଇ, କଲମ ପେଷି, ଶ୍ରାନ୍ତ ଦେହରେ ଓ କ୍ଳାନ୍ତ ମସ୍ତିଷ୍କ ନେଇ ତିନିମାଇଲ୍‌ ହେବ ସାଇକେଲ୍‌ ଠେଲି ଘରକୁ ଫେରି ଦେଖିଥିଲେ ଗୃହଦ୍ୱାର ଏକାବେଳକେ ରୁଦ୍ଧ, ଖୋଲାଥିଲେ ବି ପ୍ରବେଶାଧିକାର ନାହିଁ । ଘରଭିତରେ ସୁମତି ସହିତ କଥାବାର୍ତ୍ତା ହେଉ ହେଉ ସୁରମା ହିଁ ଜ୍ଞାନେନ୍ଦ୍ରନାଥଙ୍କ ଏହି ‘ନ ଯଯୌ ନ ତସ୍ଥୌ’ ଅବସ୍ଥା ଦେଖିପାରିଥିଲା ଏବଂ ପ୍ରଚୁର କୌତୁକରେ ବୟସ ଓ ସ୍ୱଭାବଧର୍ମ ଯୋଗୁ କୌତୁକମୟୀ ହୋଇଉଠିଥିଲା ।

 

(୭)

 

ବୟ୍‌ !

 

ଚମକିପଡ଼ିଲେ ସୁରମା । ସ୍ୱାମୀ ବଙ୍ଗଳା ଭିତରକୁ ଫେରିଯିବା ପରଠାରୁ ସ୍ତବ୍‌ଧହୋଇ ଠିଆହୋଇଥିଲେ ସେ । ସ୍ୱାମୀଙ୍କ ଭୟାର୍ତ୍ତ ଅବସ୍ଥା ଏବଂ ପିଠିର ଓ ଛାତିର କ୍ଷତଚିହ୍ନ ଦେଖି ଅତୀତର କଥାଗୁଡ଼ିକ ମନେପଡ଼ିଯାଇଥିଲା । ସୁମତିର ସେହି ମର୍ମାନ୍ତକ ମୃତ୍ୟୁସ୍ମୃତିର ବେଦନା ଭିତରେ ତାଙ୍କ ନିଜର ତରୁଣ ଜୀବନର ପୂର୍ବରାଗର ରଙ୍ଗିନ୍‌ ଦିନଗୁଡ଼ିକର ପ୍ରତିଚ୍ଛବି ଫୁଟିରହିଛି–ଗଦାଏ କଳା କୋଇଲା ଉପରେ କେତୋଟି ମଲା ପ୍ରଜାପତିଙ୍କ ଭଳି ।

 

ସ୍ୱାମୀଙ୍କ କଣ୍ଠସ୍ୱର ଶୁଣି ସେ ଚମକିପଡ଼ିଲେ । ପାଇଜାମା, ପଞ୍ଜାବି ପିନ୍ଧି ରବର୍‌ର ସ୍ଳିପର୍‌ ପାଦରେ ଲଗାଇ କେତେବେଳେ ଯେ ସେ ଆସିଛନ୍ତି ତାହା ସୁରମା ଜାଣିପାରିନାହାନ୍ତି । ବଙ୍ଗଳାଆଡ଼କୁ ପିଠିକରି ରକ୍ତସନ୍ଧ୍ୟା ଆଡ଼କୁ ହିଁ ଚାହିଁରହି ଠିଆହୋଇଥିଲେ ସେ ।

 

ଚଉକି ଟାଣି ବସିପଡ଼ିଲେ ଜ୍ଞାନେନ୍ଦ୍ରନାଥ । ତାଙ୍କର ମୁହଁ ଓ ଆଖି ଯେପରି ଏବେ ମଧ୍ୟ ଥମ୍‌ଥମ୍‌ ଦିଶୁଛି । ତାଙ୍କୁ ଦେଖି ସୁରମା ଶଙ୍କିତ ହେଲେ । ମନେହେଲା, ସେ ବଡ଼ କ୍ଳାନ୍ତ । ସୁରମା ଆଗେଇଆସି ସ୍ୱାମୀଙ୍କ ପିଠିପଟେ ଠିଆହୋଇ ତାଙ୍କ କାନ୍ଧ ଉପରେ ନିଜର ହାତ ଦୁଇଟାକୁ ପ୍ରଗାଢ଼ ସ୍ନେହ ସହିତ ରଖି ଉଦ୍‌ବିଗ୍ନ କଣ୍ଠରେ ପଚାରିଲେ–ଡାକ୍ତରଙ୍କୁ ଟିକେ ଡକେଇବ ?

 

‘‘ଡାକ୍ତର !’’ ଟିକିଏ ଚମକିପଡ଼ି ଜ୍ଞାନେନ୍ଦ୍ର କହିଲେ-‘‘କାହିଁକି ?’’

 

–ତମେ ବହୁତ ଅପ୍‌ସେଟ୍‌ ହୋଇଯାଇଛ । ନିଜେ ବୋଧହୁଏ ଠିକ୍‌ ଜାଣିପାରୁନାହଁ । ଏପର୍ଯ୍ୟନ୍ତ...

 

ପଛପଟକୁ ହାତବଢ଼େଇ ସ୍ତ୍ରୀର ହାତଟିକୁ ହାତରେ ଧରି ଜ୍ଞାନେନ୍ଦ୍ର କହିଲେ–ନାଃ, ମୁଁ ଠିକ୍‌ ଅଛି ।

 

–ନା, ତମେ ତମର ଆଜିର ଅବସ୍ଥାକୁ ଠିକ୍‌ରୂପେ ବୁଝିପାରୁନାହଁ । ନିଆଁକୁ ତମର ଡର ରହିଛି । ଟିକକରେ ଚମକିପଡ଼, କିନ୍ତୁ ଇମିତି ତ ହୁଏନି । ବିଶ୍ରାମ ନେବା ଉଚିତ ତମର । ଆଉ ଏଭଳି ପରିଶ୍ରମ...

 

ବାଧାଦେଇ ଜ୍ଞାନେନ୍ଦ୍ର ନାଥ ହସିଦେଇ କହିଲେ–ନାଃ, ମୁଁ ଠିକ୍‌ ଅଛି । ଆଜିର ଘଟନାଟା ଟିକିଏ ଅସ୍ୱାଭାବିକ ।

 

–ନିଆଁଟା କ’ଣ ବହୁତ ବେଶୀ ଜଳିଉଠିଥିଲା ?

 

–ଓଃ, ତାହା ତମେ କଳ୍ପନା କରିପାରିବନି । ବାଥ୍‌ରୁମ୍‌ର ଝରକା କାଚ ଭିତରଦେଇ ରିପ୍ଳେକ୍‌ସନ୍‌ରେ ଏକାବେଳେ ଲାଲ୍‌ ହୋଇଯାଇଥିଲା । ଅବଶ୍ୟ ମୁଁ ବି ଟିକିଏ...ଟିକିଏ, କ’ଣ କହିବି dreamy…ସ୍ୱପ୍ନାତୁର ଅବସ୍ଥାରେ ଥିଲି । ଶକ୍ତ ମାଟି ଉପରେ ଠିକ୍‌ ଠିଆହୋଇନଥିଲି । ଟିକେ ବେଶୀ ଚମକିପଡ଼ିଲି !

–ମାନେ ?

–କହୁଛି । ଆଗକୁ ଆସ, ପଛପଟେ ରହିଲେ କ’ଣ କଥା କହିହେବ ? ଆଗର ଚଉକିଟା ଉପରେ ଆସି ବସିଲେ ସୁରମା । ସେ ଦୁଇଜଣଙ୍କର ପଛରେ ବବୁର୍ଚ୍ଚି ଚାହା ଟ୍ରେ ଏବଂ ଜଳଖିଆ ନେଇ ଅପେକ୍ଷା କରୁଥିଲା; ସାହେବ ଓ ମେମ୍‌ସାହେବଙ୍କର ଏହି ହାତ ଧରାଧରି ଅବସ୍ଥା ଭିତରେ ଆଗକୁ ଆସିପାରୁନଥିଲା । ସେ ଏଥର ସୁଯୋଗ ପାଇ ଆଗେଇଆସି ଟେବୁଲଉପରେ ଚାହା ସରଞ୍ଜାମଗୁଡ଼ିକ ରଖିଦେଲା ।

ସୁରମା କହିଲେ–ତମେ ଖାଉଥାଅ, ମୁଁ ସବୁ ଠିକ୍‌ କରିଦେଉଛି ।

ଜ୍ଞାନେନ୍ଦ୍ର କହିଲେ–ଇଏ ଦଫେ ତୁମ୍‌ହାରା କସୁର୍‌ ମାଫ୍‌ କିୟା ଗୟା, ଲେକିନ୍‌ ଦୁସ୍‌ରା ଦଫେ ନେହି ହୋଗା । ହୁଁସିଆର୍‌ ହୋନା ଚାହିଏ । ତୁମ୍‌ହାରା କପଡ଼ା ମେ ଆଗ୍‌ ଲଗା ଯାତା ତୋ କ୍ୟା ହୋଗା ? ଆଃ ?

ସଲାମ କରି ଖାନ୍‌ସାମା ଚାଲିଗଲା ।

ଜ୍ଞାନେନ୍ଦ୍ର କହିଲେ–ଆଜିର ଘଟଣାଗୁଡ଼ିକ ମୂଳରୁ ମତେ ଟିକିଏ...କ’ଣ...କହିବି...ଟିକିଏ ଭାବପ୍ରବଣ କରିପକାଇଥିଲା । ଏଠାକୁ ଆସିଲାକ୍ଷଣି ତମକୁ ଦେଖିଲି, ରକ୍ତସନ୍ଧ୍ୟାର ଆକାଶ ଆଡ଼କୁ ଚାହିଁରହିଛ । ସେହି ପୁରୁଣା କବି-କବି ଭାବ, ବହୁତଦିନ ପରେ କହିଲ କବିତା ଶୁଣାଇବ ବୋଲି । ପୁରୁଣା ଶୁଖିଲା ମାଟିରେ ନୂଆ ବର୍ଷାପାଣି ପଡ଼ିଲେ ସେ ବି ଟିକିଏ ସରସ ହୋଇଯାଏ । ମୋର ମନଟା ମଧ୍ୟ ଠିକ୍‌ ସେଇୟା ହୋଇଗଲା । ଏକାସାଙ୍ଗରେ ମନେପଡ଼ିଗଲା ଅନେକ କଥା । ରକ୍ତସନ୍ଧ୍ୟାର ଦିନରେ ବର୍ଦ୍ଧମାନ ଜଜ୍‌ କୋଠିରେ ତମକୁ ଦେଖିବାର କଥା । ଘରେ ପଶିଲାକ୍ଷଣି ସେପଟର ଦୁଆର ଉପରକୁ ତମର ସେହି ଛବିଟା....ଦାଟ୍‌ ରିମାଇଣ୍ଡେଡ୍‌ ମି... ସେଇ ପ୍ରଥମ ଦିନର ପରିଚୟ ହେବା କଥାକୁ ମନେପକାଇଦେଲା । ସ୍ୱାଭାବିକ ଭାବରେ ମନେପଡ଼ିଲା ସୁମତି; ସେହି ହତଭାଗିନୀ କଥା ଭାବି ଭାବି ହିଁ ବାଥ୍‌ରୁମ୍‌ ଭିତରକୁ ଯାଇଥିଲି । ଗେଞ୍ଜି ଖୋଲିଲାବେଳକୁ ପିଠିର ପୋଡ଼ା ଚମଡ଼ାଟା ଉପରେ ହାତ ପଡ଼ିଯାଏ; ଆଜି ମଧ୍ୟ ପଡ଼ିଯାଇଥିଲା । କିନ୍ତୁ ଆଜି ମନେପଡ଼ିଥିଲା ସେହି ନିଆଁ କଥା । ଠିକ୍‌ ମନର ଏହି ଭାବବିହ୍ୱଳ ଅବସ୍ଥା ଭିତରେ ହଠାତ୍‌ ବାହାରେ ଦାଉଦାଉ ହୋଇ ନିଆଁ ଜଳିଉଠିଲା । ମୋର ମନେହେଲା ମତେ ଘେରିଦେଇ ନିଆଁଟା ଜଳିଉଠିଲା ।

ଚାହା କପ୍‌ ଏବଂ ଜଳଖିଆ ପ୍ଳେଟ୍‌ଟିକୁ ଆଗେଇଦେଲେ ସୁରମା । ମୃଦୁସ୍ୱରରେ କହିଲେ–ତେବେକେ ଆଜିର ଘଟଣାଟା ଯେପରି କିମିତି ଗୋଟେ ପ୍ରକାର ବୋଲି କହିବି । ନିଆଁକୁ ତମେ ଡରିବାଟା ସ୍ୱାଭାବିକ । କିନ୍ତୁ...

ନିଆଁକୁ ଡରିବାଟା ତାଙ୍କର ସ୍ୱାଭାବିକ ଅତର୍କିତ ନିଆଁ ଦେଖିଲେ ଚମକି ପଡ଼ନ୍ତି, ଚାଳଘରେ ଶୋଇପାରନ୍ତି ନାହିଁ, ରାତିରେ ତକିଆତଳେ ଦିଆସିଲିଟେ ସୁଦ୍ଧା ରଖନ୍ତି ନାହିଁ । ସିଗାରେଟ୍‌ ସୁଦ୍ଧା ଖାଆନ୍ତି ନାହିଁ । ଘର ଭିତରେ ପେଟ୍ରୋଲ୍‌ କି କିରାସିନି ଟିଣ ରଖନ୍ତି ନାହିଁ । କେବେହେଲେ ଖୋଲା ଜାଗାରେ ଫାୟାର୍‌ୱାର୍କସ୍‌ ଦେଖିବାକୁ ଯାଆନ୍ତି ନାହିଁ । କିନ୍ତୁ ଆଜି ଯେପରି ଭୟରେ କିମିତିକା ପ୍ରକାର ହୋଇଯାଇଥିଲେ ସେ ।

ଚାହାକପ୍‌ରେ ଚାମଚ ହଲାଉ ହଲାଉ ବୋଧହୁଏ ସମସ୍ତ ଘଟନାଟାକୁ ହାଲୁକା କରିଦେବାର ଅଭିପ୍ରାୟରେ ହସିଦେଇ ଜ୍ଞାନେନ୍ଦ୍ରନାଥ ସୁରମା ଆଡ଼କୁ ତର୍ଜନୀ ବଢ଼ାଇ କହିଲେ–ସେସବୁ କିଛି ନାହିଁ । ତମେ ! ସବୁଟା ପାଇଁ ରେସ୍‌ପନସିବଲ୍‌ ତମେ ।

–ମୁଁ ?

 

–ହଁ, ତମେ । କବି ହୋଇଥିଲେ କହିଥାନ୍ତି, ‘ମୁକ୍ତକେଶେ କି ଗୋ ତୁମ ବହି ଆଣିଅଛ ମୋହେ ସେଦିନର ପରିମଳ ।’ କହିଲି ତ...ଆଜିର ତମକୁ ଦେଖି ପ୍ରଥମ ଦିନର ତମକୁ ଦେଖିବାଟା ମନେପଡ଼ିଗଲା ଏବଂ ସବୁ ଗୋଳମାଳ କରିଦେଲା । ଜଜସାହେବଙ୍କ କଲେଜପଢ଼ା ତରୁଣୀ ଝିଅଟି ସେଦିନ ଯିମିତି ମୁଣ୍ଡକୁ ଘୂରାଇ ଦେଇଥିଲା, ଆଜି ବି ମୁଣ୍ଡଟା ସିମିତି ଘୂରିଗଲା ।

 

ହସିପକାଇଲେ ସୁରମା ଦେବୀ ।

 

ଜ୍ଞାନେନ୍ଦ୍ର ବାବୁ କହିଲେ–ଓଃ, ସେଦିନ ଯେଉଁ ସମ୍ବୋଧନଟା କରିଥିଲ ନା ! ଜଡ଼ଭରତ-!

 

ଏଥର ସଶବ୍ଦରେ ହସିଉଠିଲେ ସୁରମା । କହିଲେ–କହି ନଥାନ୍ତି ? ନିଜ ଘର ଦ୍ୱାରମୁହଁକୁ ଆସି ଘରକୁ ଜଜ୍‌ସାହେବଙ୍କ କଲେଜପଢ଼ା ଝିଅ ଆସିଛି ଶୁଣି ଜଣେ ମଡର୍ଣ୍ଣ ତରୁଣ ଯୁବକ ପେଟ ଜଳେଇ ଦେଉଥିବା କ୍ଷୁଧା ନେଇ ତୁନିହୋଇ ଫେରିଯାଉଥିଲେ । କ’ଣ କୁହାଯାଇଥାନ୍ତା ସେତେବେଳେ, ତମେ କହୁନ ? କୋଉଠାର ଗାଉଁଲିଆଟେ !

 

ସେଦିନ ଘର ଦ୍ୱାରମୁହଁରୁ ସତରେ ମୁହଁ ବନ୍ଦ କରି ଫେରିଯାଉଥିଲେ ଥାର୍ଡ ମୁନସଫ୍‌ ଜ୍ଞାନେନ୍ଦ୍ର ନାଥ ! କ’ଣ କରିବେ ? ଜଜ୍‌ସାହେବଙ୍କ କଲେଜପଢ଼ା ଝିଅ, କିଏ ଜାଣନ୍ତି କେଉଁଠି କି ତ୍ରୁଟି ଧରି ମିଜାଜ୍‌ ଖରାପ କରିବ । ତା’ଠାରୁ ବରଂ ଫେରିଯିବାଟା ହିଁ ଭଲ । ଠିକ୍‌ ଏତିକିବେଳେ ସାମନା ଘରର ପର୍ଦ୍ଦା ଘୁଞ୍ଚାଇ ସୁରମା ହିଁ ଆବିର୍ଭୂତ ହୋଇଥିଲା; ଜ୍ଞାନେନ୍ଦ୍ରନାଥଙ୍କ ବିବ୍ରତ ଅବସ୍ଥା ଦେଖି ଅନ୍ତର ଭିତରେ ତା’ର କୌତୁକ ଉଜ୍ଜ୍ୱଳ ହୋଇଉଠିଥିଲା । ସେଦିନ ସେତେବେଳେ ସେ ଜଜ୍‌ସାହେବଙ୍କ ଝିଅ ଓ ଜ୍ଞାନେନ୍ଦ୍ରନାଥ ମୁନ୍‌ସଫ୍‌ ନୁହନ୍ତି; ଆତ୍ମୀୟତାର ମାଧୁର୍ଯ୍ୟ ପଦମର୍ଯ୍ୟାଦାର ପାର୍ଥକ୍ୟର ରୂଢ଼ତାକୁ ଭୁଲାଇଦେଇଥିଲା ବରଂ କିଛି ମୋହ ସୃଷ୍ଟି କରିଥିଲା ଏହିପରି ବିଚିତ୍ର କ୍ଷେତ୍ରରେ । ସେଥିପାଇଁ ସୁମତି ପୂର୍ବରୁ ହିଁ ପର୍ଦ୍ଦାଘୁଞ୍ଚାଇ ମୃଦୁ ହସି କହିଥିଲା–ଆସନ୍ତୁ ମିଷ୍ଟର୍‌ ଘୋଷାଲ୍‌, ବାହାରେ ଠିଆହୋଇ ରହିଲେ ଯେ । ମୁଁ ଆପଣଙ୍କ ପାଇଁ ଅପେକ୍ଷା କରି ବସିଛି । କଥାବାର୍ତ୍ତା ହେବାକୁ ଆସିଛି ।

 

ସୁମତି ସୁରମା ଆଡ଼କୁ ମୁହଁ ବଢ଼ାଇ ହସି କହିଥିଲା, ଆସ । ସୁରମା ମୋର ମାମୁଝିଅ ଭଉଣୀ । ତା’ର ବାପା ହେଉଛନ୍ତି ମୋର ସେହି ମାମୁ ଯେ ଘର ଛାଡ଼ି ଚାଲିଯାଇଥିଲେ...

 

ବାକିତକ ଆଉ କହିନଥିଲା ସୁମତି ।

 

କି ଆଶ୍ଚର୍ଯ୍ୟ !

 

ଏକମାତ୍ର ସେହି ପଦକ କଥା ହିଁ ସେଦିନ ଖୋଜି ପାଇଥିଲେ ଜ୍ଞାନେନ୍ଦ୍ର ।

 

ସୁରମା କହିଥିଲା–ଟ୍ରୁଥ୍‌ ଇଜ୍‌ ଷ୍ଟ୍ରେଞ୍ଜର୍‌ ଦେନ୍‌ ଫିକ୍‌ସନ୍‌ ।

 

କିନ୍ତୁ ଜ୍ଞାନେନ୍ଦ୍ରନାଥ ସେତେବେଳ ସୁଦ୍ଧା ବସିନଥିଲେ । ବସିବାକୁ ବୋଧ ହୁଏ ସାହସ ହିଁ ହୋଇନାହିଁ ଅଥବା ଅବସ୍ଥାଟା ଠିକ୍‌ ସ୍ୱାଭାବିକ ବୋଲି ବୋଧ ହେଉନଥିଲା । ସୁରମା ହିଁ କହିଥିଲା–କିନ୍ତୁ ଆପଣ ବସନ୍ତୁ । ଠିଆହୋଇ ରହିଲେ ଯେ ! ମୁଁ ତ ଆପଣଙ୍କର ଆତ୍ମୀୟା; ଆପଣାର ଲୋକ-

 

ବେଶ୍‌ ଭଙ୍ଗୀଟିଏ କରି ମୁଣ୍ଡ ହଲାଇ ଆଖିଦୁଇଟିକୁ ବଡ଼ କରି ବକ୍ର ହସ ହସି ସୁମତି କହିଥିଲା–ଅତି ମଧୁର ଆପଣାଲୋକ, ଶାଳୀ ।

 

ମୁହୂର୍ତ୍ତକରେ ସୁରମାକୁ ଗ୍ରାମ୍ୟତାର ସ୍ପର୍ଶ ଲାଗିଯାଇଥିଲା । ସଭ୍ୟତାକୁ ବଞ୍ଚେଇ ରଖି ଜ୍ଞାନେନ୍ଦ୍ରନାଥଙ୍କ ଭଳି ସୁପୁରୁଷ ଅପ୍ରସ୍ତୁତ ବିବ୍ରତ ତରୁଣଟିକୁ ବିଦ୍ରୂପ ନକରି ତୃପ୍ତି ଲାଗୁ ନଥିଲା । ଏହି ଗ୍ରାମ୍ୟ ସ୍ପର୍ଶର ସୁଯୋଗ ନେଇ ଉଚ୍ଛ୍ୱସିତ ହୋଇ ସେ କହିଉଠିଥିଲା–ହେଲେ କ’ଣ ହେବ, ମୋ ଭଗ୍ନୀପତିଟି ତ ଏକାବେଳେ ଗୋଟାଏ ଜଡ଼ଭରତ ।

 

ସୁମତି ହସିପକାଇଥିଲା ।

 

ପରକ୍ଷଣରେ ନିଜକୁ ସଂଶୋଧନ କରିବା ଅଭିପ୍ରାୟରେ ହିଁ ସୁରମା କହିଥିଲା–କ୍ଷମା କରିବେ । ରାଗିବେନି ଟି ।

 

ସୁମତି ପୁଣି ସେହିପରି ଭଙ୍ଗୀ କରି ମୁଣ୍ଡ ହଲାଇ କହିଥିଲା–ୟା’ଠୁ ବେଶୀ ଖରାପ ଥଟ୍ଟା ଶାଳୀମାନେ କରନ୍ତି । ଏ ପୁଣି ଲେଖାପଢ଼ାଜଣା ଆଧୁନିକା ଶାଳୀ, ଏ ଥଟ୍ଟା ଥନ୍ତରା ନୁହେଁ, ଦାଢ଼ୁଆ-

 

ଏତେବେଳପରେ ଜ୍ଞାନେନ୍ଦ୍ର ଗୋଟାଏ ଭଲକଥା ଖୋଜି ପାଇଥିଲେ; କହିଥିଲେ–ଶାଳୀର ଥଟ୍ଟା ଖରାପ ହେଲେ ବି ଖରାପ ଲାଗେନି, ଦାଢ଼ୁଆ ହେଲେ ବି ଦେହକୁ କାଟେନି । ମହାଭାରତରେ ଅର୍ଜୁନଙ୍କ ପ୍ରଣାମ–ବାଣ ଓ ଚୁମ୍ବନ–ବାଣ କଥା ପଢ଼ିଛ ତ ? ବାଣ–ଏକାବେଳକେ ଦାଢ଼ୁଆ ଚକ୍‌ଚକ୍‌ ଲୁହାର ମୁନ ବସିଥିବା ତୀର, ସେ ତୀର ଆସି ପାଦରେ ଲୋଟିପଡ଼ୁଥାଏ । ଏକାବେଳକେ କପାଳକୁ ମଧୁର ଚୁମ୍ବନ ଦେଇ ପଡ଼ିଯାଉଥାଏ । ଶାଳିକାଙ୍କ ଥଟ୍ଟା ସେହିପରି । ତାଙ୍କ କଥାଗୁଡ଼ିକ ଅନ୍ୟମାନଙ୍କୁ ଧାରୁଆ, ବିଷାକ୍ତ ମନେହେଲେ ବି ଭଗ୍ନୀପତିଙ୍କ କାନରେ ତାହା ପୁଷ୍ପ-ବାଣ ପରି ଲାଗେ । ତା’ପରେ ପୁଣି ୟାଙ୍କରି ପରି ଶାଳୀ ।

 

ସୁମତି ଚାହା କରୁ କରୁ ମୁହୂର୍ତ୍ତକ ପାଇଁ ମୁଣ୍ଡଟେକି ତାଙ୍କ ଆଡ଼କୁ ଚାହିଁଥିଲା । କୁଞ୍ଚିତ ଭ୍ରୂ ଦୁଇଟି ତଳେ ସେ ଦୃଷ୍ଟି ଥିଲା ତୀବ୍ର ଏବଂ ତୀକ୍ଷ୍‌ଣ । କହିଥିଲା, କଥା କହିବାର କି ଶ୍ରୀ ତମର ! ସେ ତମକୁ ପୁଷ୍ପବାଣ ମାରିବାକୁ ଯିବ କାହିଁକି ? ପୁଷ୍ପବାଣ କାହାକୁ କହନ୍ତି ? ସୁରମା କ’ଣ ଭାବିବ ?

 

ଜ୍ଞାନେନ୍ଦ୍ରନାଥ ସଙ୍କୁଚିତ ହୋଇଯାଇଥିଲେ, ଘରର ପରିମଣ୍ଡଳ ଅସ୍ୱସ୍ତିକର ହୋଇପଡ଼ିଥିଲା ।

 

କଥାଟା ଦିହିଁଙ୍କର ମନେପଡ଼ିଗଲା । ଅତୀତ କଥାର ସରସ ସ୍ମୃତି ସ୍ମରଣ କରି ଯେଉଁ ଆନନ୍ଦ-ମୁଖରିତ ସନ୍ଧ୍ୟା ଆକାଶରେ ତାରା ଫୁଟିବା ଭଳି ଫୁଟିଉଠିଥିଲା, ତା’ ଉପରେ ଖଣ୍ଡେ ମେଘ ଘୋଡ଼ାଇ ଆସିଲା । ପ୍ରାୟ ଏକାସଙ୍ଗେ ଦୁଇଜଣ ଯାକ ତୁନି ହୋଇଗଲେ । ଟିକିଏ ପରେ ସୁରମା ପଚାରିଲେ–ଆଉ ଟିକେ ଚାହା ଖାଇବନି ?

 

–ନା ।

 

ସ୍ଥିରଦୃଷ୍ଟିରେ ଦିଗନ୍ତ ଆଡ଼କୁ ଚାହିଁ ରହିଥିଲେ ଜ୍ଞାନେନ୍ଦ୍ରନାଥ । ଚାହାଣି ତାଙ୍କର ଅସ୍ୱାଭାବିକ ଭାବରେ ଉଜ୍ଜ୍ୱଳ ହୋଇଯାଇଛି । ନ କହୁଣୁ ସେ ଚୌକିରୁ ଉଠିପଡ଼ିଲେ । ପଛପଟେ ହାତ ଦୁଇଟିକୁ ଆବଦ୍ଧ କରି ପଦଚାରଣ କରିବାକୁ ଲାଗିଲେ । ହତା ସେପଟେ ଜଣେ ଗଉଡ଼ ଗୋଟାଏ ଗାଈକୁ ତଡ଼ିନେଉଛି ପିଟିପିଟି । ଓଃ ! ସୁମତି ତାଙ୍କୁ ତା’ଠାରୁ ଅଧିକ ନିଷ୍ଠୁର ତାଡ଼ନାରେ ତାଡ଼ିତ କରିଛି । ଓଃ ! ଗୋରୁ-ମଇଁଷିଆଳମାନେ ଅଗରେ ଛୁଞ୍ଚି ବା ଆଲ୍‌ପିନ୍‌ ଗୁଞ୍ଜା ହୋଇଥିବା ଠେଙ୍ଗା ଖେଞ୍ଚି ଯିମିତି ଦଉଡ଼େଇ ନେଉଥାନ୍ତି ସେହିପରି ଆଡ଼େଇ ନେଇ ବୁଲାଇଛି ସେ । ସେ କି ନିଷ୍ଠୁର ଯନ୍ତ୍ରଣା ! ସେ ଯନ୍ତ୍ରଣାରେ ଜୀବନର ସମସ୍ତ ବିଶ୍ୱାସ ହରାଇ ପକାଇଥିଲେ ସେ–ଈଶ୍ୱରବିଶ୍ୱାସ, ଧର୍ମବିଶ୍ୱାସ, ସବୁ ବିଶ୍ୱାସ । ଈଶ୍ୱରଙ୍କ ନାମ ନେଇ ସେ ସୁମତି ପାଖରେ ଶପଥ କରିଛନ୍ତି, ଧର୍ମର ନାମ ନେଇ ଶପଥ କରିଛନ୍ତି । ସୁମତି ମାନିନି । ଦିନକ ଭିତରେ ଦି’ ତିନିଥର କହୁଥାଏ–କହ, ଭଗବାନଙ୍କ ରାଣ ପକାଇ କହ ! କହ, ଧର୍ମର ମୁହଁକୁ ଚାହିଁ କହ ।

 

ସେ କହିଛନ୍ତି । ତା’ ରାଣ ପକାଇ କହିଲେ ସେ କହିଛି–ମୁଁ ମରିଗଲେ ତମର କ’ଣ ଯିବ ? ତା’ ତ ଆହୁରି ଭଲ ହେବ ।

 

ସେହି ପ୍ରଥମ ଦିନରୁ ହିଁ ସନ୍ଦେହ କରିଥିଲା ସୁମତି । ଥରକୁଥର କହିଥିଲା ସେ–ସେଇୟା ତ ସେଇ ଗୋଟିଏ କଥାରୁ ମୁଁ ବୁଝିଥିଲି । ସେଇ ପ୍ରଥମ ଦିନ, ତା’ଠୁ ଆଖିଦୁଇଟା ଜଳୁଥାଏ । ପ୍ରଥମଦିନ ରହସ୍ୟର ଆବରଣ ଦେଇ ସେ ଯେଉଁ କଥାଗୁଡ଼ିକ କହିଥିଲା, ତା’ର ପ୍ରତ୍ୟେକଟି ଭିତରେ ଥିଲା ଏହି ସନ୍ଦେହର ଆଭାସ । ଜ୍ଞାନେନ୍ଦ୍ର କି ସୁରମା ଦୁହିଁଙ୍କ ଭିତରୁ କେହି ଜଣେ ହେଲେ ସେଦିନ ତାହା ଧରି ପାରିନଥିଲେ ।

 

ଅରବିନ୍ଦ ଚାଟାର୍ଜୀଙ୍କ ଭଳି ଉଦାର ଲୋକକୁ ବି ସେ କଟୁ କଥା କହୁଥାଏ । ନିଜ ମା’ଙ୍କ ସହିତ ନିବିଡ଼ ସାଦୃଶ୍ୟ ଯୋଗୁଁ ଚାଟାର୍ଜୀ ସାହେବଙ୍କ ସ୍ନେହର ଆଉ ପରିସୀମା ନଥିଲା । ସୁମତିକି ଦିଆଦେଇ କରି ସୁଦ୍ଧା ତାଙ୍କ ମନ ଓରମାନ ମେଣ୍ଟୁ ନ ଥିଲା । ସୁମତିର ସ୍ୱାମୀ ବୋଲି ଜ୍ଞାନେନ୍ଦ୍ରନାଥଙ୍କ ପ୍ରତି ମଧ୍ୟ ଗଭୀର ସ୍ନେହ ଜନ୍ମିଥିଲା ତାଙ୍କର । ଜ୍ଞାନେନ୍ଦ୍ରନାଥଙ୍କ ବୁଦ୍ଧିଦୀପ୍ତ ଅନ୍ତରର ସ୍ପର୍ଶରେ, ଜ୍ଞାନେନ୍ଦ୍ରନାଥଙ୍କ ଉଦାର ମନ ଏବଂ ପ୍ରସନ୍ନ ମୁଖଶ୍ରୀର ଆକର୍ଷଣରେ ସେ ସ୍ନେହ ତାଙ୍କର ଗାଢ଼ରୁ ଗାଢ଼ତର ହୋଇଥିଲା । ତାଙ୍କୁ ପାଖକୁ ଟାଣିନେଇଥିଲେ ସେ । ସୁମତି ତାଙ୍କ ନିକଟକୁ ଯିବାକୁ ଆଦୌ ଚାହୁଁନଥିଲା; ଅରବିନ୍ଦବାବୁ ଜ୍ଞାନେନ୍ଦ୍ରନାଥଙ୍କୁ ଟାଣିଆଣି ତାଙ୍କରି ହାତରେ ସୁମତି ପାଇଁ ଅଜସ୍ର ସ୍ନେହର ସମ୍ଭାର ପଠାଇବାକୁ ଚାହୁଁଥିଲେ । ଜ୍ଞାନେନ୍ଦ୍ରଙ୍କ ଜୀବନରେ ଉନ୍ନତିର ପଥକୁ ସେ ହିଁ ଗଢ଼ିଦେଇଥିଲେ । ରାୟ ଲେଖିବା ପଦ୍ଧତି, ବିଚାରର ସିଦ୍ଧାନ୍ତରେ ଉପସ୍ଥିତ ହେବାର କୌଶଳ ସେ ହିଁ ତାଙ୍କୁ ଶିଖାଇ ଦେଇଥିଲେ । କିନ୍ତୁ ଏସବୁ କିଛି ସହିପାରୁନଥାଏ ସୁମତି । ସେ ପଠାଇଥିବା କୌଣସି ଜିନିଷ ଜ୍ଞାନେନ୍ଦ୍ର ନେଇଆସିଲେ ତାହା ଅବଶ୍ୟ ଫେରସ୍ତ ପଠାଇଦେଉନଥିଲା ସୁମତି; କିନ୍ତୁ ନିଜ ହାତରେ ତାହା ସେ ଗ୍ରହଣ କରୁନଥିଲା । କହୁଥିଲା–ସେଇଠି ରଖିଦିଅ । ଏ ଦିଆକୁ କ’ଣ କହିବି; ଆଉ ଆଈ ସହିତ ମୋର ଚେହେରାର ସାଦୃଶ୍ୟକୁ କ’ଣ କହିବି ! କ’ଣ କହିବି ଜଜ୍‌ସାହେବଙ୍କ ଏହି ବୁଢ଼ା ବୟସରେ ଉଛୁଳି ଉଠିଥିବା ଭକ୍ତିକୁ । ଗୋହତ୍ୟା କରି ଜୋତାଦାନ କରିବା ଯାହା, ସେଇୟା ! ସେହି ଦାନ ନେବାକୁ ପଡ଼ୁଛି ମତେ !

 

ରାୟ ଲେଖା ବା ବିଚାର-ପଦ୍ଧତି ଶିଖାଇବା ନେଇ କହୁଥିଲା–ନିଆଁ ଲାଗୁ ସେ ବିଚାର ଶିଖେଇବା ମୁହଁରେ । ଯିଏ ଗୋଟେ ଝିଅ ପାଇଁ ଧର୍ମକୁ ଛାଡ଼ିଦେଇପାରେ, ସେ ତ ଅଧାର୍ମିକ । ଯିଏ ଅଧାର୍ମିକ, ସେ ଫେର୍‌ ବିଚାର କରିବ କ’ଣ ? ଧର୍ମ ନ ହେଲେ କ’ଣ ବିଚାର ହେବ ? ଆଉ ସିମିତି ଲୋକ ପାଖରେ ବିଚାର ଶିଖିବାଟା !

 

ଥାଉ । ସୁମତିର କଥା ଥାଉ । ସୁମତିର ଫଟୋ କାନ୍ଥରେ ଟଙ୍ଗାଯାଇଥିଲେ ବି ପର୍ଦ୍ଦା ଢଙ୍କା ହୋଇ ରହିଥାଏ । ସୁମତିର କଥା ଥାଉ ! ଅରବିନ୍ଦବାବୁ କହୁଥାନ୍ତି, ସୁମତିର କଥା ନେଇ କହୁଥାନ୍ତି–କ’ଣ କରିବ ? ସହିଯାଅ । ତାକୁ ଭଲପାଅ–Love is god and god is love ।

 

ଚାଟାର୍ଜୀ ସାହେବ କହୁଥାନ୍ତି–ଈଶ୍ୱରଙ୍କ ଅସ୍ତିତ୍ୱକୁ ମୁଁ ବିଶ୍ୱାସ କରେନି । ବ୍ରହ୍ମ-ଫ୍ରହ୍ମ ସେସବୁ ବି ନୁହେଁ । ମୁଁ ଗୋଟିଏ ଝିଅକୁ ଭଲପାଇଥିଲି । ସେ ବ୍ରାହ୍ମଘରର ଝିଅ, ସେଇଥିପାଇଁ ତ ମୁଁ ବ୍ରାହ୍ମ ହୋଇଛି । ତେବେ ଈଶ୍ୱରତ୍ୱର କଳ୍ପନାରେ ମୁଁ ବିଶ୍ୱାସ କରେ, ସେଠାରେ ପହଞ୍ଚିବାକୁ ଚେଷ୍ଟାକରେ । ଜ୍ଞାନେନ୍ଦ୍ର, ମଣିଷ ସବୁ କରେ, ସବୁ କରେ ମଣିଷ । ସେହି ଈଶ୍ୱରତ୍ୱ । ଗୋଟିଏ ପବିତ୍ର ଗୋଟିଏ ମହିମାମୟ ମନୁଷ୍ୟର ମାନସିକ ସତ୍ତାରେ ତା’ର ପ୍ରକାଶ !

 

ସୁମତିର କ୍ଷୁଦ୍ରତା, ଭଲପାଇବା ପାଇଁ ତାଙ୍କର ଧର୍ମାନ୍ତର ଗ୍ରହଣର ବ୍ୟକ୍ତିଗତ ପ୍ରସଙ୍ଗରୁ ଲୋକଟି କେତେବେଳେ ଚାଲିଆସନ୍ତି ସର୍ବଜନୀନ ଜୀବନଦର୍ଶନର ମହିମାମୟ ପ୍ରାଙ୍ଗଣକୁ–ମୁହଁର ସମସ୍ତ ବିଷଣ୍ଣତା ଲିଭିଯାଏ ଏହି ରକ୍ତସନ୍ଧ୍ୟାର ଆଭା ପରି; ଏକ ପ୍ରଦୀପ୍ତ ପ୍ରସନ୍ନ ପ୍ରଭାରେ ଉଦ୍‌ଭାସିତ ହୋଇଉଠେ ମୁହଁଟି । ଦୂର ଦିଗନ୍ତ ଉପରେ ଦୃଷ୍ଟି ରଖି ମାନସଲୋକରୁ ସେ କଥା କହନ୍ତି–ବର୍ତ୍ତମାନ ମୋର ଉପଲବ୍‌ଧି ହେଉଛି ମାନବ-ଚୈତନ୍ୟର ଭିତର ଦେଇ ଈଶ୍ୱରତ୍ୱ ହିଁ ନିଜକୁ ପ୍ରକାଶ କରୁଛି । God ନୁହଁନ୍ତି godliness, Yes, godliness, Yes… । କହୁ କହୁ ସ୍ମିତ ହାସ୍ୟରେଖାରେ ଉଦ୍‌ଭାସିତ ହୋଇଯାଏ ମୁହଁଟି ।

 

ସେତେବେଳକୁ ଭାରତବର୍ଷରେ ଗାନ୍ଧି-ଯୁଗ ଆରମ୍ଭ ହୋଇଛି–୧୯୩୦ ମସିହାର ଅବ୍ୟବହିତ ପୂର୍ବରୁ । ସେ କହିଥିଲେ, ଗାନ୍ଧିଙ୍କ ଭିତରେ ସେହି ଆଭାସ ପାଉଛି । ବୁଦ୍ଧଙ୍କ ଭିତରେ ତାହା ପ୍ରକାଶିତ । ରବୀନ୍ଦ୍ରନାଥଙ୍କ କାବ୍ୟ ଭିତରେ ତା’ର ଆଲୋକ ରହିଛି । ସେଠାରେ ବୁଦ୍ଧିଦ୍ୱାରା ପହଞ୍ଚି ପାରିବା, ପ୍ରାଣ ଦେଇ, ନିଜର ଶ୍ରଦ୍ଧା ଦେଇ ପାରିବାନି । ପାରିବା ନାହିଁ । ମଦ ନ ଖାଇ ମୁଁ ଯେ ରହିପାରେନି । ଆହୁରି ଅନେକ କିଛି ଦୁର୍ବଳତା ମୋର ଅଛି । କିନ୍ତୁ, ମୁଁ ଅନ୍ୟ ପ୍ରତି ଅନ୍ୟାୟ କରେନାହିଁ । କରିବିନି । ସେଇଟା ହିଁ ପ୍ରଥମ ଶିକ୍ଷା । ମୁଁ ବିଚାର ବିଭାଗରେ ଏହାର ପ୍ରାକ୍‌ଟିସର ସୌଭାଗ୍ୟ ପାଇଛି । ମାତୃଭାଷାରେ ତାକୁ କ’ଣ କହିବି ? ଅନୁଶୀଳନ ? ହଁ, ସେଇୟା । ରାୟ ଲେଖିଲାବେଳେ ମୁଁ ସେହିପରି ରାୟ ଲେଖିବାକୁ ଚେଷ୍ଟା କରେ, ଲେଖେ; ଯାହାକୁ କୁହାଯାଏ ଧର୍ମର ବିଚାର । ଡିଭାଇନ୍‌ ଜଷ୍ଟିସ୍‌ ।

 

ଡିଭାଇନ୍‌ ଜଷ୍ଟିସ୍‌ କଥାଟା ତାଙ୍କର କଥା ।

 

–ହଜୁର୍‌ !

 

ଚମକି ଜ୍ଞାନେନ୍ଦ୍ରନାଥ ଫେରି ଚାହିଁଲେ । ବେହେରା ଡାକୁଛି ।

 

–‘‘କାଲିରାତିରେ ଏଠି ଗୋଟାଏ ସାପ ବାହାରିଥିଲା । ହଜୁର୍‌ !’’ ଟିକିଏ ରହି ପୁଣି କହିଲା, ବୋଧହୁଏ ତାଙ୍କୁ ମନେପକାଇଦେଲା–‘‘ଅନ୍ଧାର ହୋଇଗଲାଣି ।’’

 

ମୁହଁଟେକି ଥରେ ଚାରିଆଡ଼େ ଆଖି ବୁଲାଇ ଆଣିଲେ ଜ୍ଞାନେନ୍ଦ୍ରନାଥ ।

 

ସନ୍ଧ୍ୟା ହୋଇଗଲାଣି । ଖାଲି ତା’ ନୁହେଁ, ପୁଣି ଆକାଶରେ ମେଘ ଦେଖାଦେଲାଣି । ଦୂର ଦିଗ୍‌ବଳୟରେ ଗ୍ରାମର ବନରେଖାର ଚିହ୍ନ ସୁଦ୍ଧା ଲୁପ୍ତ ହୋଇଯାଇଛି ଅନ୍ଧକାରରେ, ପ୍ରାନ୍ତର ବ୍ୟାପ୍ତ କରି କ୍ରମଶଃ ଗାଢ଼ ହୋଇ ତାଙ୍କରି ଆଡ଼କୁ ଆଗେଇ ଆସୁଛି । ବଙ୍ଗଳା ଆଡ଼କୁ ଚାହିଁଲେ; ସେଠି ଆଲୁଅ ଜଳିଲାଣି । ସୁରମା ମଧ୍ୟ ବଗିଚାରେ ନାହିଁ; ସେ କେତେବେଳେ ଉଠି ବଙ୍ଗଳା ଭିତରକୁ ଚାଲିଯାଇଛି । ନିଃଶବ୍ଦରେ ହିଁ ଚାଲିଯାଇଛି ।

 

(୮)

 

ଘରର ଝରକା ସାମନାରେ ସ୍ତବ୍‌ଧ ହୋଇ ଠିଆହୋଇଥିଲେ ସୁରମା, ଆକାଶ ଆଡ଼କୁ ଚାହିଁ ଭାବୁଥିଲେ ଅତୀତ-କଥା–ସୁମତିର କଥା–ସୁମତି ଆଶ୍ଚର୍ଯ୍ୟ ! ଯେତେ ମଧୁର, ସେତିକି ତିକ୍ତ । ଯେତେ କୋମଳ, ସେତିକି ଉଗ୍ର ତୀବ୍ର । ଯେତେ ଅମୃତ ସେତେ ବିଷ । ତା’ ଭାଗ୍ୟରେ ଅମୃତ ଯୁଟିନାହିଁ, ସେ ପାଇଥିଲା ବିଷ । ସେ ବିଷ ନିଆଁହୋଇ ଜଳିଥିଲା । ସୁମତିର ପୋଡ଼ିମରିବା କଥା ମନେପଡ଼ିଲାକ୍ଷଣି ସୁରମାର ମନେହୁଏ, ହତଭାଗିନୀର ନିଜ ହାତରେ ଜଳାଇଥିବା ସନ୍ଦେହର ନିଆଁରେ ସେ ନିଜେ ପୋଡ଼ି ମରିଛି । ତାହା ଯେପରି ତା’ର ଜୀବନର ବିଚିତ୍ର ଅମୋଘ ପରିଣାମ । ପ୍ରଥମଦିନରୁ ହିଁ ସୁମତି ତାକୁ ସନ୍ଦେହ କରିଥିଲା । ସେଦିନ ସୁରମା କୌତୁକ ଅନୁଭବ କରିଥିଲା । ଭାବିଥିଲା ଜ୍ଞାନେନ୍ଦ୍ରନାଥଙ୍କୁ ସେ ଭଲପାଇଛି ବା ନିଶ୍ଚେ ଭଲପାଇବ । ଭଲପାଇବାଟା ହୁଏତ ଅନ୍ଧ-। ଭଲପାଇବାରେ କାହାକୁ ଭଲପାଉଛି, କାହିଁକି ଭଲପାଉଛି, ଏ ପ୍ରଶ୍ନ ଜମାରୁ ଉଠେନାହିଁ । ତେବେ ବି ୟୁରୋପ୍‌ରେ ଶିକ୍ଷିତ, ଜଜ୍‌ସାହେବ ବାପାଙ୍କ ଝିଅ ସେ; ଆବାଲ୍ୟରୁ ସେହି ଶିକ୍ଷାରେ ଶିକ୍ଷିତା, ସେତେବେଳେ ବି.ଏ. ପଢ଼ିଲାଣି, ତା’ର ଏ ଟିକକ ବୋଧ ଥିଲା ଯେ, ବିବାହିତ ନିଷ୍ଠାପର ହିନ୍ଦୁ ଘରର ପୁଅ, ପଦବୀରେ ମୁନସଫର ପ୍ରେମରେ ପଡ଼ିବାଠାରୁ ହାସ୍ୟକର ନିର୍ବୁଦ୍ଧିତ । ଅନ୍ତତଃ ତା’ ପକ୍ଷରେ ଆଉକିଛି ହୋଇପାରେନା । ମନେମନେ ଆଜି ବି ରାଗ ହୁଏ, ସୁମତି ପରି ହିନ୍ଦୁ ଘରର ଅର୍ଦ୍ଧଶିକ୍ଷିତା ଝିଅମାନେ ଭାବନ୍ତି ଯେ, ସେମାନଙ୍କର ଅର୍ଥାତ୍‌ ବିଲାତ ଫେରନ୍ତା ସମାଜର ଝିଅମାନଙ୍କର ସତୀତ୍ୱ ବୋଲି କିଛିନାହିଁ; ସେମାନେ ସ୍ୱାଧୀନ ଭାବରେ ପ୍ରେମର ଖେଳ ଖେଳି ବୁଲନ୍ତି ପ୍ରଜାପତି ପରି । ଜ୍ଞାନେନ୍ଦ୍ରନାଥ ଖାଲି ସୁମତିର ବର ବୋଲି ସେ ତାଙ୍କ ସହିତ ହାସ୍ୟକୌତୁକ କରି କଥାବାର୍ତ୍ତା ହୋଇଥିଲା । ଜ୍ଞାନେନ୍ଦ୍ରନାଥ ସୁପୁରୁଷ, ବିଦ୍ୱାନ୍‌, କିନ୍ତୁ ତାଙ୍କ ଆଡ଼କୁ ସପ୍ରେମ ଦୃଷ୍ଟିପାତ କରିବା କଥା ତା’ ମନଭିତରେ ସ୍ୱପ୍ନରେ ସୁଦ୍ଧା ଉଦୟ ହୋଇନି । ସୁମତିର ବର, ଭଲ ଲୋକଟି, ବନ୍ଧୁ ଭାବରେ ଗ୍ରହଣ କରିବାକୁ ଚାହିଁଥିଲା, ହତଭାଗିନୀ ସୁମତି ହିଁ ଅପବାଦ ଦେଇ ତା’ର ଜିଦ୍‌କୁ ଜାଗ୍ରତ କରିଦେଲା । ସେହି ଜିଦ୍‌ ଯୋଗୁ ସପ୍ରେମ ଦୃଷ୍ଟିର ଅଭିନୟ କରିବାକୁ ଯାଇ ଜଡ଼ିତ ହୋଇଗଲା ସେ । ସୁମତି ଯେପରି ସୁରମାକୁ ଠେଲିନେଇ ଯାଇ ଜ୍ଞାନେନ୍ଦ୍ରନାଥଙ୍କ ଦେହ ଉପରେ ପକାଇଦେଲା !

 

ସୁମତିର ସନ୍ଦେହ ଏବଂ ଈର୍ଷା ଦେଖି ସେ ଜ୍ଞାନେନ୍ଦ୍ରନାଥଙ୍କୁ ନେଇ ଖେଳ ଖେଳିବାକୁ ଯାଇଥିଲା; ସୁମତିକି ଦେଖାଇ ସେ ଜ୍ଞାନବାବୁଙ୍କ ସଙ୍ଗେ ଟିକିଏ ଅନ୍ତରଙ୍ଗ ଭାବରେ ମିଳାମିଶାର ଅଭିନୟ କରିବାକୁ ଯାଇଥିଲା । ସୁମତି ଆହୁରି ଅଧିକ ଜଳିଯାଇଥିଲା । ବିଚରା ଥାର୍ଡ୍‌ ମୁନ୍‌ସଫ୍‌ ଗୋଟିଏ ପଟେ ବିହ୍ୱଳ ହୋଇପଡ଼ିଥିଲେ । ଅନ୍ୟପଟେ ହୋଇଥିଲେ ନିଦାରୁଣ ଭାବରେ ବିବ୍ରତ । ସୁରମାର କୌତୁକୋଚ୍ଛ୍ୱଳତାର ଆଉ ସୀମା ନ ଥିଲା; ତାରୁଣ୍ୟର ଉଲ୍ଲାସ ପ୍ରଣୟ ପାଇଁ ବନ୍ୟ ହୋଇଉଠିଥିଲା । ପ୍ରଶ୍ରୟଟା ଏହି ଆତ୍ମୀୟତାର । ଛୁଟି ପରେ କଲିକତା ଫେରିଯାଇ ସେ କବିତାରେ ଚିଠି ଲେଖିଥିଲା ଜ୍ଞାନବାବୁଙ୍କୁ । ଇଚ୍ଛାକରି ଲେଖିଥିଲା ସୁମତିକି ଜଳେଇବାପାଇଁ । ଖାଲି ତା’ର ବାପା ସୁମତିକି ଭଲପାଉନଥିଲେ, ସେ ବି ତାକୁ ଭଲପାଇଥିଲା । ଅନୁଗ୍ରହ ସହିତ ସ୍ନେହ ମିଶାଇଲେ ଯେଉଁ ବସ୍ତୁ ହୁଏ, ସେ ବସ୍ତୁର ଦାତା ହେବାଭଳି ତୃପ୍ତି ଆଉ କେଉଁଥିରେ ନାହିଁ । ପରମ ସ୍ନେହର ଛୋଟ ଶିଶୁକୁ ରଗାଇବାକୁ ଯେପରି ଭଲଲାଗେ, ସୁମତିକି ଚିଡ଼େଇବାକୁ ସେହିପରି ଭଲ ଲାଗୁଥାଏ । ସୁମତି ଦେଢ଼ବର୍ଷ ଖଣ୍ଡେ ବଡ଼ ଥିଲା ବୟସରେ; କିନ୍ତୁ ମନର ଗଠନରେ, ବୁଦ୍ଧିରେ, ଆଚରଣରେ ସୁରମା ହିଁ ଥିଲା ବଡ଼ । ତା’ ସହିତ ଏହି ସାଦାସିଧା ହିନ୍ଦୁ ଜୁଆଇଁବାବୁଟିକୁ ବିଦ୍ରୂପ କରି ସେ ଏକ ଅନାସ୍ୱାଦିତ କୌତୁକର ଆନନ୍ଦ ଅନୁଭବ କରୁଥାଏ । ପ୍ରଥମ କବିତାଟି ତାଙ୍କର ଆଜି ବି ମନେଅଛି । ସୁମତିର ଚିଠିରେ ହିଁ ସେଦିନର ସୁରମା ଲେଖିଥିଲା–‘ଜୁଆଇଁଙ୍କୁ କହିବୁ,

 

–ସୁମତି ତୁମର ପତ୍ନୀ, ଦୁର୍ମତି ଶାଳିକା

ଟୋବାକୋ ପାଇପ୍‌ ମୁହିଁ, ସୁମତି କଳିକା

ପବିତ୍ର ହୁଙ୍କାର, ତହିଁ ନାହିଁ ନିକୋଟିନ୍‌ ।

ସୁମତି ରେଶମ ଧୋତି, ମୁଁ ଟାଇ-ପିନ୍‌ ।

ପିନ୍‌ର ସ୍ୱଧର୍ମ କେଞ୍ଚା, ନିକୋଟିନ୍‌ରେ କାଶ

ଧନ୍ୟବାଦ, ସହିଅଛ ମୁହେଁ ରଖି ହସ ।’

 

ଉତ୍ତରରେ ସୁମତିର ଚିଠିର ତଳେ ଦୁଇଧାଡ଼ି କବିତା ହିଁ ଆସିଥିଲା ।

 

‘ଧନ୍ୟବାଦେ କାର୍ଯ୍ୟ ନାହିଁ ଲୋଡ଼ା ଅନ୍ୟବାଦ,

ଅର୍ଥାତ୍‌–ମାର୍ଜନା କରିବ ଦେବୀ ହେଲେ ଅପରାଧ ।’

 

କବିତା ଦୁଇ-ଲାଇନ ପଢ଼ି ଭ୍ରୂକୁଞ୍ଚିତ କରିଥିଲା ସୁରମା, ଅଧରରେ ତା’ର ବିଚିତ୍ର ହସ ଫୁଟି ଉଠିଥିଲା । ମନେମନେ କହିଥିଲା, ହୁଁ, ଗବୁଚନ୍ଦ୍ରଟି ତ ବେଶ୍‌ ଲୋକଟିଏ ! ଧାର୍‌ ଅଛି ! ମିଶିରିର ମେଞ୍ଚା ନୁହେଁ, ମିଶିରିର ଛୁରି !

 

ୟାରିପରେ ହିଁ ହଠାତ୍‌ ଅଘଟଣ ଘଟିଯାଇଥିଲା । ପରେ ପରେ ଦୁଇଟି, ଗୋଟିଏ ବିଖ୍ୟାତ ଇଂରାଜୀ ପତ୍ରିକାରେ ଗୋଟିଏ ପ୍ରବନ୍ଧ ବାହାରିଥିଲା, ‘‘ଗୋଟିଏ ଅହିଂସ ସିଂହ ଓ ତା’ର ଶାବକଗଣ ।’’ ଗାନ୍ଧିଜୀଙ୍କୁ ଆକ୍ରମଣ କରି ଲେଖାଯାଉଥିବା ପ୍ରବନ୍ଧ ଲେଖକ କହିଥିଲେ, ଗୋଟିଏ ସିଂହ ହୁଏତ ଅଭ୍ୟାସରେ ଓ ସାଧନାରେ ଅହିଂସ ହୋଇପାରେ; କିନ୍ତୁ ତା’ ବୋଲି କ’ଣ ଧରି ନିଆଯିବ ଯେ ତା’ ଶାବକମାନେ ମଧ୍ୟ ସେମାନଙ୍କର ସ୍ୱଭାବଧର୍ମ ହିଂସା ନ ନେଇ ଜନ୍ମଗ୍ରହଣ କରିବେ, ବା ରକ୍ତ ପ୍ରତି ସେମାନଙ୍କର ଅରୁଚି ଜନ୍ମିବ ? ପ୍ରବନ୍ଧର ଭାଷା ଯେପରି ଓଜପୂର୍ଣ୍ଣ, ଯୁକ୍ତି ସେହିପରି କ୍ଷୁରଧାର । ବୁଦ୍ଧଙ୍କ କାଳରୁ ଏପର୍ଯ୍ୟନ୍ତ ଇତିହାସର ଦୃଷ୍ଟାନ୍ତ ଦେଇ ଏହି କଥାହିଁ ଲେଖକ କହିଛନ୍ତି, ଅହିଂସାର ସାଧନା ଅନ୍ୟାନ୍ୟ ଧର୍ମର ସାଧନା ପରି ବ୍ୟକ୍ତିଗତ ଜୀବନରେ ହିଁ ସଫଳ ହୋଇପାରେ । ଏହି ବାଦକୁ ରାଷ୍ଟ୍ରରେ ପ୍ରୟୋଗ କଲାଭଳି ଅଯୌକ୍ତିକ ଆଉ କିଛି ହୋଇପାରେନା-। ଏହିପରିକି, ସମ୍ପ୍ରଦାୟଗତ ଭାବେ ମଧ୍ୟ ଏ ବାଦ ସଫଳ ହୋଇନାହିଁ, ହୋଇପାରେନା-

 

ପ୍ରବନ୍ଧଟି କେତେଦିନଧରି ଚାରିଆଡ଼େ, ବିଶେଷକରି ଶିକ୍ଷିତସମାଜରେ ବେଶ୍‌ ଗୋଟାଏ ଚହଳ ପକାଇଦେଇଥିଲା । ସୁରମା ବି ସେ ପ୍ରବନ୍ଧ ପଢ଼ିଥିଲା । ଲେଖକଙ୍କର ବକ୍ତବ୍ୟଗୁଡ଼ିକ ତାକୁ ମନ୍ଦ ଲାଗିନଥିଲା । ସେକାଳରେ ସରକାରୀ ଚାକିରିଆମାନେ, ବିଶେଷତଃ ବଡ଼ ଚାକିରିଆ ଯେଉଁମାନେ ଏବଂ ଅଚାକିରିଆ ଅତିମାତ୍ରାରେ ୟୁରୋପୀୟ ସଭ୍ୟତା-ଛୁଆଁ ସମାଜର ଦଳେ ଲୋକ ମନଃପ୍ରାଣରେ ବିଶ୍ୱାସ କରୁଥିଲେ ଯେ, ଗାନ୍ଧିଜୀଙ୍କର ଏହି ଅହିଂସା ନିହାତି ଅବାନ୍ତର ଏବଂ ସେହେତୁ ବ୍ୟର୍ଥ ହେବାକୁ ବାଧ୍ୟ । ଖାଲି ତା’ ନୁହେଁ, ଅତ୍ୟାଧୁନିକ ୟୁରୋପୀୟ ମତବାଦ ଓ ସଭ୍ୟତା-ବିରୋଧୀ ଏହି ଗାନ୍ଧି-ବାଦୀ ଆନ୍ଦୋଳନକୁ ଅନେକାଂଶରେ ତାଙ୍କରି ବିରୁଦ୍ଧରେ ପରିଚାଳିତ ବୋଲି ମନେ କରୁଥାନ୍ତି । ସମାଜରେ, ସଭାରେ, ମଜଲିସ୍‌ରେ ଏ ସମ୍ପର୍କରେ ଅନେକ ଆଲୋଚନା ହେଉଥାଏ । ସେ ସମସ୍ତଙ୍କର ଧାରଣା ଥିଲା ଯେ ଅହିଂସାର ଏହି ମତବାଦ–ଏଇଟା କେବଳ ବାହାରର ଗୋଟାଏ ଖୋଳପା ମାତ୍ର । ସିଂହଚର୍ମାବୃତ ଗର୍ଦ୍ଦଭ ନୁହେଁ, ଗର୍ଦ୍ଦଭଚର୍ମାବୃତ ସିଂହ । ସୁରମାର ବାପା ଅରବିନ୍ଦବାବୁ ଭିନ୍ନମତର ମଣିଷ ଥିଲେ । ଗାନ୍ଧିଜୀଙ୍କ ପ୍ରତି ତାଙ୍କର ଅସାଧାରଣ ଶ୍ରଦ୍ଧା ଥିଲା; କିନ୍ତୁ କେତେବେଳେ ଜଜ୍‌ସାହେବ ହିସାବରେ ସେ ଏବଂ ତାଙ୍କ ସହିତ ସ୍ତ୍ରୀ, କନ୍ୟା ବାଧ୍ୟହୋଇ ବିରୋଧୀ ଶିବିରର ମଣିଷ ବୋଲି ଲୋକଙ୍କଦ୍ୱାରା ଗଣ୍ୟ ହେଉଥାନ୍ତି ଏବଂ ନିଜେ ସେମାନେ ନିଜର ଅଜ୍ଞାତସାରରେ ବୋଧହୁଏ ନିଜକୁ ସେୟା ବୋଲି ଗଣୁଥାନ୍ତି । ସେହିକାରଣ ଯୋଗୁଁ ହିଁ ପ୍ରବନ୍ଧର ବିଷୟବସ୍ତୁଟି ଭଲ ଲାଗିଥିଲା । ଲେଖାର ଢଙ୍ଗଟି ମଧ୍ୟ ବେଶ୍‌ ଧାରୁଆ, ବଙ୍କା । କେତେଦିନ ପରେ ତା’ ବାପା ତା’ ପାଖକୁ ଲେଖିଲେ–ଏ ପ୍ରବନ୍ଧ ଜ୍ଞାନେନ୍ଦ୍ର ଲେଖିଛି । ଅବଶ୍ୟ ମତେ ଦେଖାଉଥିଲା । ଭଲ ଲେଖିଛି, ପଢ଼ି ଦେଖିବୁ ।

 

ସୁରମାର ବିସ୍ମୟର ଆଉ ସୀମା ରହିନଥିଲା । ଏ ଲେଖା ସୁମତିର ଲାଜକୁଳା କାର୍ତ୍ତିକର କଲମରୁ ବାହାରିଛି ! ଠିକ୍‌ ଭଲଲାଗିନି ଯିମିତି ! ମନେହେଉଥିଲା ସେ ଯେପରି ଠକିହୋଇ ଯାଇଛି, ଜ୍ଞାନେନ୍ଦ୍ରନାଥ ହିଁ ଭଲ ମଣିଷ ସାଜି ତାକୁ ଠକେଇ ଦେଇଛନ୍ତି ।

 

ଏହାର ମାତ୍ର କିଛିଦିନ ପରେ ହିଁ ସେ ପୁଣି ଏକ ବିସ୍ମୟ । ହଠାତ୍‌ ସେଦିନ କଲେଜ-ହଷ୍ଟେଲ୍‌ରେ ଗୋଟିଏ ନୂଆ ଟେନିସ୍‌ ରେକେଟ୍‌ ହାତରେ ଧରି ଦେଖା କରିବାକୁ ଆସିଲେ ସୁମତିର ପତି ! ଟେନିସ୍‌, ରେକେଟ୍‌ । ସୁରମାକୁ ହସ ଲାଗିଥିଲା । ଉଚ୍ଚପଦର ଦଣ୍ଡା ମଫସଲଗାଁର ପୁଅ, ଅନେକ ବିନିଦ୍ର ରାତ୍ରିରେ ଅଧ୍ୟୟନ କରି ପରୀକ୍ଷାରେ ଭଲ ଫଳ ଲାଭକରି ଗୋଟିଏ ବଡ଼ ଚାକିରି ପାଇଛନ୍ତି । ସେଇଥିପାଇଁ ବାଧ୍ୟହୋଇ ଅଫିସିଆଲ କ୍ଳବ୍‌ରେ ଚାନ୍ଦା ତ ଗଣିବାକୁ ହିଁ ପଡ଼ୁଛି, ତା’ ଉପରେ ଫେର୍‌ ଏତେଗୁଡ଼େ ଟଙ୍କା ଖର୍ଚ୍ଚ କରି ଟେନିସ ରେକେଟ୍‌ କିଣି ବିଚରାକୁ ଏକଦା ହୁଏତ ପାଦ ଖସି ପଡ଼ିଯାଇ ଆଣ୍ଠୁଗଣ୍ଠି ଭାଙ୍ଗିବାକୁ ପଡ଼ିବ । ହସିଦେଇ ସେ କହିଥିଲା–ଖେଳିବାକୁ ଜାଣିଛନ୍ତି, ନା ହାତଖଡ଼ି କରେଇଦେବି ?

 

ଜ୍ଞାନେନ୍ଦ୍ରବାବୁ କହିଥିଲେ–ଶିଖାଇଦେବେ ?

 

–ଶିଖେଇଲେ ବି କ’ଣ ସବୁ ଜିନିଷ ମଣିଷକୁ ଆସେ ? ନିଜର ଭରସା ଅଛି ?

 

–ସେଇଟା ଅଛି । ପିଲାଦିନେ ଭଲ ଡାହି-ପୁଆ ଖେଳୁଥିଲି ।

 

ଖିଲିଖିଲି ହୋଇ ହସିଉଠିଥିଲା ସୁରମା । ତା’ପରେ କହିଥିଲା, ପାରିବିନି ନୁହେଁ କିନ୍ତୁ କ’ଣ ଗୁରୁଦକ୍ଷିଣା ଦେବେ ?

 

–କହନ୍ତୁ କ’ଣ ଦେବାକୁ ପଡ଼ିବ ? ଭାବି ଦେଖିବି ।

 

–ଆପଣଙ୍କର ଏହି କାର୍ତ୍ତିକ-ଢଙ୍ଗର ନିଶ ଦୁଇପଟ କାଟିଦେବାକୁ ପଡ଼ିବ । ହସିଦେଇ ଜ୍ଞାନେନ୍ଦ୍ର କହିଥିଲେ–ବିପଦରେ ପକାଇଲେ । କାରଣ ଏହି ନିଶ ଦୁଇପଟ ସୁମତିର ବଡ଼ ପ୍ରିୟ । ତା’ର ଗୋଟାଏ ପୋଷା ବିରାଡ଼ି ଥିଲା, ସେଇଟା ମରିଯାଇଛି । ଏହି ନିଶ ଦୁଇପଟକୁ ଦେଖି ହିଁ ସୁମତି ସେ ଦୁଃଖ ଭୁଲିଯାଇଛି ।

 

ସୁରମା ବଙ୍କା ହସ ହସି କହିଥିଲା–ତା’ହେଲେ ସେ ଦୁଇଟି କାଟିଦେବାକୁ ପଡ଼ିବ ହିଁ ପଡ଼ିବ । ମୁଁ ବରଂ ସୁମତିକି ଗୋଟିଏ ଭଲ କାବୁଲି ବିରାଡ଼ି ଉପହାର ଦେବି ।

 

ଏହାପରେ ହିଁ ହଠାତ୍‌ କଥାର ମୋଡ଼ଟା ଘୂରିଯାଇଥିଲା । ପାଖରେ ଟେବୁଲ ଉପରେ ପୁରୁଣା ଖବରକାଗଜ ଭିତରେ ଲାଲ୍‌ନୀଳ ପେନ୍‌ସିଲରେ ଦାଗ ଦିଆଯାଇଥିବା ସେହି କାଗଜଟି ଥିଲା, ଜ୍ଞାନେନ୍ଦ୍ରଙ୍କ ନଜରରେ ପଡ଼ିଥିଲା ସେଇଟା । ସେ କୌତୁକସହ କାଗଜଟିକୁ ଟାଣିନେଇଥିଲେ ଏବଂ ପାଖରେ ଲେଖାଯାଇଥିବା ନାନା ଧରଣର ମନ୍ତବ୍ୟ ଉପରେ ଆଖି ବୁଲାଇ ହସି କହିଥିଲେ–ଆରେ ବାପ୍‌ରେ ! ଲୋକଟା ନିଶ୍ଚୟ ବସାରେ ମରିଯାଇଛି । ଓଃ କି କଠିନ ମନ୍ତବ୍ୟ ସବୁ !

 

ମୁହୂର୍ତ୍ତକରେ ଜ୍ଞାନେନ୍ଦ୍ରନାଥଙ୍କୁ ଆକ୍ରମଣ କରିଥିଲା ସୁରମା । କାହିଁକି, ତାହା ସେ କହିପାରିବନି; କାରଣ ମନ୍ତବ୍ୟଗୁଡ଼ିକ ଭିତରୁ ଗୋଟିଏ ସୁଦ୍ଧା ତା’ର ନିଜର ଲେଖା ନଥିଲା ଏବଂ ଜଜ୍‌ ସାହେବଙ୍କ ଝିଅ ଏହି ମତବାଦର ଠିକ୍‌ ବିରୁଦ୍ଧ ମତବାଦ ବି ସେ ପୋଷଣ କରୁନଥିଲା । ସେଥିପାଇଁ ଆଜି ବି ସେ ଭାବି ଠିକ୍‌ କରିପାରୁନି କାହିଁକି ସେ ସେଦିନ ଏଭଳି ତୀବ୍ରଭାବରେ ତାଙ୍କୁ ଆକ୍ରମଣ କରିଥିଲା । କହିଥିଲା–‘‘ବସାରେ ସେ ମରିଯାଇନାହାନ୍ତି; ମୋ ଆଗରେ ସେ ବସିଛନ୍ତି, ସେ କଥା ମୁଁ ଜାଣେ । ଛଦ୍ମନାମର ଆଢ଼ୁଆଳରେ ସେ ବସିଛନ୍ତି ।’’ ଏହିପରି କହି ସେ ଆକ୍ରମଣ କରିବା ଆରମ୍ଭ କରିଥିଲା । ତାପରେ ସେହି ଅବିଶ୍ରାନ୍ତ; ଶରବର୍ଷଣ । ଜ୍ଞାନେନ୍ଦ୍ରନାଥ ଖାଲି ମୁରୁକି ହସ ହସିଥିଲେ । ଶରଗୁଡ଼ିକ ଯେପରି କୌଣସି ଅଦୃଶ୍ୟ ଚର୍ମରେ ଆହତ ହୋଇ ଧାର ହଜାଇ ନିରୀହ କାଠିପରି ଧୂଳିରେ ଲୋଟିପଡ଼ିଥିଲା । ସୁରମା କ୍ଳାନ୍ତ ହୋଇପଡ଼ିଲାପରେ କହିଥିଲେ; ମଧୁର ମୁହଁର ଗାଳି ଖାଇ ଭାରି ଭଲ ଲାଗିଲା ।

 

ସୁରମା ଦପ୍‌କିନା ଜଳିଉଠିଲା, କହିଥିଲା–ଡାକିବି ଅନ୍ୟ ମଧୁମୁଖୀମାନଙ୍କୁ ? ଡାକିଦେଇ କହିବି ଯେ ହେଇଟି ଦେଖ ସେହି କୁଖ୍ୟାତ ପ୍ରବନ୍ଧର ଲେଖକକୁ ? ଦେଖିବେ ?

 

ଜ୍ଞାନେନ୍ଦ୍ରନାଥଙ୍କ ଆଖିଦୁଇଟା ମଧ୍ୟ ଦପ୍‌କିନା ଜଳିଉଠିଲା । ସୁରମାର ଦୃଷ୍ଟିକୁ ଆଡ଼େଇଦେଇ ପାରିନାହିଁ । ସେ ବିସ୍ମିତ ହୋଇଥିଲା । ଗୋବରଗଣେଶ ହେଲେ ବି ତା’ ହାତରେ କଲମ ଦେଖିଲେ ବିସ୍ମୟ ଜାଗେନାହିଁ; ସୌଖିନ ବାବୁ କାର୍ତ୍ତିକଙ୍କ ହାତରେ ଖେଳର ତୀର-ଧନୁ ବି ବେମାନିଆ ଦିଶେନି; କିନ୍ତୁ ଲଲାଟବହ୍ନି ଚକ୍ଷୁକୋଣରେ ନିଆଁହୋଇ ଜଳିଲା କିପରି ? କିନ୍ତୁ ପରମୁହୂର୍ତ୍ତରେ ଜ୍ଞାନେନ୍ଦ୍ରନାଥ ସେହି ନିରୀହ ଗୋପାଳ ଜ୍ଞାନେନ୍ଦ୍ରନାଥ ହୋଇଯାଇଥିଲେ !

 

ପରମୁହୂର୍ତ୍ତରେ ହସିଦେଇ ଜ୍ଞାନେନ୍ଦ୍ରନାଥ କହିଥିଲେ–ଦେଖିବାକୁ ରାଜିଅଛି; କିନ୍ତୁ ଆଜି ନୁହେଁ, କାଲି । ତା’ହେଲେ କାଲି ସୁମତିକି ଟେଲିଗ୍ରାମ କରି ଅଣାଉଛି । ମୋ ପକ୍ଷରେ ଓକିଲ ହୋଇ ସେ ଲଢ଼ିବ । କାରଣ ଝିଅମାନଙ୍କର ଗାଳିଗୁଜବର ଜବାବ ଏବଂ ଅଯୌକ୍ତିକ ଯୁକ୍ତିର ଉତ୍ତରରେ ସେହି ଧରଣର ଜବାବ ଦେବା ମୋ ପକ୍ଷରେ ତ ସମ୍ଭବପର ନୁହେଁ ।

 

କେତେଜଣ ଝିଅ ଆସି ପହଞ୍ଚିଗଲାରୁ ଆଲୋଚନାଟା ବନ୍ଦ ହୋଇଯାଇଥିଲା । ତା’ ପରେ ପରେ ଦ୍ୱିତୀୟ ଘଟନା । ଟେନିସ୍‌ ରେକେଟ୍‌ ନେଇ ଘଟନାଟା ଘଟିଲା ।

 

(୯)

 

ପୂଜାଛୁଟିରେ ସେଥର ବାପା ପନ୍ଦର ଦିନ ଖଣ୍ଡେ ଦାର୍ଜିଲିଙ୍ଗରେ କଟାଇ କର୍ମସ୍ଥଳକୁ ଫେରିଆସିଲେ । ସାନ୍ତାଳ ପରଗଣା ପାଖରେ ସେହି ସହରଟି ଶରତକାଳରୁ କେତେମାସ ବେଶ୍‌ ମନୋରମ ହୋଇଯାଏ । ଫେରି ସୁରମା ଶୁଣିଲା, ସୁମତି ହେରିକା ସେଥର ପୂଜାଛୁଟିରେ ଗାଁକୁ ଯାଇନାହାନ୍ତି, ଏଇଠି ଅଛନ୍ତି; ସୁମତିର ଦେହ ଖରାପ ହୋଇଥିଲା । ସୁମତି ସେତେବେଳକୁ ପଥି କଲାଣି; କିନ୍ତୁ ଦୁର୍ବଳତା ରହିଥାଏ । ପୂଜାର ଭାର–ଲୁଗାପଟା, ମିଠା ନେଇ ନିଜେ ଚାଟାର୍ଜୀସାହେବ ତାଙ୍କ ଘରକୁ ଯାଇ ଦେଇଥିଲେ, ସାଙ୍ଗରେ ସୁରମା ବି ଥିଲା । ଆସିଲାବେଳକୁ ସୁରମା ଜ୍ଞାନେନ୍ଦ୍ରନାଥଙ୍କୁ କହି ଆସିଥିଲା, ଉପରଓଳି ଯିବେ । ଆଜି ଟେନିସ୍‌ରେ ହାତକଡ଼ି କରେଇଦେବି ।

 

ଚାଟାର୍ଜୀସାହେବ ନିଜେ ଭଲ ଖେଳୁଛନ୍ତି । ଏକ ସମୟରେ ସ୍ତ୍ରୀକୁ ବି ଶିଖାଇଥିଲେ । ସୁରମା ପିଲାଦିନରୁ ଖେଳି ଖେଳରେ ନାଁ କରିଥିଲେ । ସେଦିନ ଚାଟାର୍ଜୀସାହେବ ଖେଳିବାକୁ ଆସିନଥାନ୍ତି, ସୁରମା ଜ୍ଞାନେନ୍ଦ୍ରନାଥଙ୍କୁ ନେଇ ଏକା ଏକା ଖେଳିବାକୁ ଯାଇ ପ୍ରଥମେ ନିଜେ ସର୍ଭ କରି ବଲ୍‌ଟାର ଫେରସ୍ତ ମାଡ଼ ଦେଖି ଚମକିପଡ଼ିଥିଲା । ସେ ବଲ୍‌ ସେ ଆଉ ଫେରାଇ ମାରିପାରିନଥିଲା । ଜ୍ଞାନେନ୍ଦ୍ରଙ୍କ ମାଡ଼ ଯେ ପକ୍‌କା ଖେଳୁଆଡ଼୍‌ର ମାଡ଼ । ସୁରମା ହାରିଯାଇଥିଲା ।

 

ଖେଳ ଶେଷରେ ସେ କହିଥିଲା–ଆପଣ ଭାରି ସ୍ର୍ୟୁଡ୍‌ ଲୋକ । ତା’ଠାରୁ ଅଧିକ କପଟୀ ଲୋକ ଆପଣ । ଡେଞ୍ଜରଅସ୍‌ ମେନ୍‌ ।

 

କାହିଁକି ? କ’ଣ କଲି ?

 

–କେଡ଼େ ନିରୀହ ଲୋକ ଭଳି ତ ରହିଥାନ୍ତି, ଯିମିତିକି ଭଜା ମାଛଟିକୁ ଓଲଟାଇ ଖାଇବା ସୁଦ୍ଧା ଜାଣିନାହାଁନ୍ତି, ଅଥଚ-

 

ଜ୍ଞାନେନ୍ଦ୍ରନାଥ ହସିଦେଇ କହିଥିଲେ; ତା’ହେଲେ ମୋ ନିଶ ଦୁଇପଟ ମୋର ହୋଇ ରହିଲା ତ ?

 

ସେହି ଖେଳର ଫାଙ୍କରେ ହିଁ କେଉଁଆଡ଼ୁ କ’ଣ ହେଇଗଲା । ସେ ଜ୍ଞାନେନ୍ଦ୍ରନାଥଙ୍କ ପ୍ରତି ଆକୃଷ୍ଟ ହେଲା । ତା’ ଉପରେ କ୍ଷିପ୍ତ ହେଇଉଠିଲା ସୁମତି । ସୁରମା ଗ୍ରାହ୍ୟ କଲାନାହିଁ; ବରଂ ତା’ ଉପରେ ରାଗିଯାଇଥିଲା ସେ । କଥାଟା ଚରମରେ ଯାଇ ପହଞ୍ଚିଲା ସେଠାକାର ଟେନିସ୍‌ କମ୍ପିଟେସନ୍‌ ସମୟରେ, ବଡ଼ଦିନ ଛୁଟିରେ ସୁରମା ଆସି କମ୍ପିଟେସନ୍‌ରେ ଯୋଗଦେଲା, ପାଟନର୍‌ ରୂପେ ନେଲା ଜ୍ଞାନେନ୍ଦ୍ରଙ୍କୁ । ଫାଇନାଲ୍‌ ଦିନ ଖେଳ ଜିତି ଦୁଇଜଣଯାକ ଫଟୋ ଉଠାଇବାକୁ ଯାଇଥିଲେ । ଫଟୋ ଉଠାଇବା ଆଗରୁ ଜ୍ଞାନେନ୍ଦ୍ର କହିଥିଲେ, ତମ ସହିତ ଫଟୋ ଉଠାଇବି, ନିଶଟା କାଟିବିନି ।

 

ସେହି ଖେଳର ଅବସରରେ ହିଁ ‘ଆପଣ’ ଘୁଞ୍ଚିଯାଇ ସେତେବେଳକୁ ସେମାନେ ପରସ୍ପର ପାଖରେ ‘ତମେ’ ହୋଇଯାଇଛନ୍ତି ।

 

ସୁରମା ହସିପକାଇଥିଲା ଏବଂ ସେଦିନ ଯେତେବେଳେ ଜ୍ଞାନେନ୍ଦ୍ର ତାଙ୍କ କୋଠିରୁ ବିଦାୟ ନେଇଥିଲେ, ସେତେବେଳେ ନିଜର କେରାଏ ବାଳ କାଟିନେଇ ଗୋଟାଏ ଲଫାଫାରେ ପୂରାଇ ତାଙ୍କ ହାତରେ ଦେଇ ସେ କହିଥିଲା; ମୁଁ ଦେଲି, ମୋର ଦକ୍ଷିଣା କିନ୍ତୁ ଆଉ ନୁହେଁ । ଆଉ ମୁଁ ବି ତମସଙ୍ଗେ ଦେଖା କରିବିନି, ତମେ ବି ଦେଖା କରନି । ସୁମତି ସହିପାରୁନି । ଆଜି ମତେ ସେ ସ୍ପଷ୍ଟକରି କହିଛି, ତୁ ମୋର ସର୍ବନାଶ କଲୁ ।

 

ଅନେକଦିନ ପରେ ଆଜି ସୁରମା ଆସି ଠିଆହେଲେ ସେହି ଟେନିସ୍‌ ଫାଇନାଲ୍‌ ପରେ ଉଠାଇଥିବା ସେହି ଫଟୋଟି ଆଗରେ । ପରସ୍ପର ଆଡ଼କୁ ଚାହିଁ ରହିଛନ୍ତି ସେମାନେ । ଫୋକସ୍‌ ସମୟରେ ସେମାନେ କ୍ୟାମେରା ଆଡ଼କୁ ହିଁ ଚାହିଁଥିଲେ; କିନ୍ତୁ ଠିକ୍‌ ଛବି ଉଠାଇବା ସମୟରେ ନିଜ ନିଜର ଅଜ୍ଞାତସାରରେ ପରସ୍ପର ଆଡ଼କୁ ଚାହିଁ ହସି ଦେଉଛନ୍ତି । ଜ୍ଞାନେନ୍ଦ୍ରନାଥଙ୍କ କପିଟା ନାହିଁ, ସେଇଟା ସୁମତି–ସେହି ଘଟନାର ସ୍ମୃତି ମୁଣ୍ଡଭିତରେ ନିଆଁ ଜାଳିଦିଏ ।

 

ଈର୍ଷାତୁରା ସୁମତି । ଆଶ୍ଚର୍ଯ୍ୟ କଠିନ କ୍ରୂର ଈର୍ଷା । ପରଲୋକ, ପ୍ରେତବାଦ ଏସବୁରେ ସୁରମା ବିଶ୍ୱାସ କରନ୍ତିନି; କିନ୍ତୁ ତାଙ୍କର ଏ ବିଶ୍ୱାସ ଜନ୍ମିଛି ଯେ ମଣିଷର ପ୍ରକୃତି ବିଷ ହେଉ ବା ଅମୃତ ହିଁ ହେଉ, ଯାହା ତା’ର ସ୍ୱଭାବ-ଧର୍ମ ତାହା ତା’ର ଦେହର ମୃତ୍ୟୁରେ ବି ମରେନାହିଁ, ଯାଏନାହିଁ, ତାହା ରହିଥାଏ, କ୍ରିୟା କରିଯାଏ । ସୁମତିର ଈର୍ଷା ଆଜି ସୁଦ୍ଧା କ୍ରିୟା କରି ଚାଲିଛି । ଜୀବନର ଆନନ୍ଦ ମୁହୂର୍ତ୍ତରେ ଅକସ୍ମାତ୍‌ ବ୍ୟାଧିର ଆକ୍ରମଣ ପରି ଆକ୍ରମଣ କରେ । ମଝିରେ ମଝିରେ ହେଉଥିବା ସେହି ଆକ୍ରମଣଠାରୁ ବୋଧହୁଏ ଏଜନ୍ମରେ ଆଉ ନିଷ୍କୃତି ମିଳିବନାହିଁ; କିନ୍ତୁ ଆଜି ଯେପରି ଏ ଆକ୍ରମଣ ଅତି ତୀବ୍ର, ହଠାତ୍‌ ସେହି ନିଆଁଟା ଜଳିଉଠିବା ପରି ହି ଜଳିଉଠିଛି । ଛଣର ନିଆଁଟା ଲିଭିଯାଇଛି, ଏଇଟା ଲିଭିଲାନାହିଁ ।

 

X X X

 

ତାଙ୍କ କାନ୍ଧ ଉପରେ ଗୋଟିଏ ଭାରି ହାତ ଆସି ରହିଲା । ଗାଢ଼ ସ୍ନେହର ଆଭାସ ରହିଛି ତା’ ଭିତରେ; କିନ୍ତୁ ହାତଟି ଅତ୍ୟନ୍ତ ଥଣ୍ଡା । ସ୍ୱାମୀ ରବର ଚଟି ପିନ୍ଧି ସତରଞ୍ଜି ଉପରେ ବସିଛନ୍ତି । ଯେଉଁ ଟିକକ ମୃଦୁ ଶବ୍ଦ ଉଠିଛି, ଚିନ୍ତାମଗ୍ନତା ଭିତରେ ସେହି ଟିକକ ସୁରମାଙ୍କ କାନକୁ ଶୁଭିନି ।

 

‘‘ଅକାରଣରେ ନିଜକୁ ପୀଡ଼ିତ କରନାହିଁ’’ ଧୀର ମୃଦୁକଣ୍ଠରେ କହିଲେ ଜ୍ଞାନେନ୍ଦ୍ରନାଥ, ‘‘ପରର ଦୁଃଖପାଇଁ ଯେ କାନ୍ଦିପାରେ, ସେ ମହତ୍‌; କିନ୍ତୁ ଅକାରଣ ଅପରାଧରେ ନିଜକୁ ଦାୟୀ କରି ପୀଡ଼ିତ କରିବାର ନାଁ ଦୁର୍ବଳତା । ଦୁର୍ବଳତାକୁ ପ୍ରଶ୍ରୟ ଦିଅନାହିଁ ! ଆସ !’’

 

ଫେରି ଚାହିଁଲେ ସୁରମା, ସ୍ୱାମୀଙ୍କ ମୁହଁଆଡ଼କୁ । ଚାହିଁବାକ୍ଷଣି ଆଖିଦୁଇଟି ଫାଟି ଲୁହ ଭରିଯାଇ ଢଳଢଳ ହେବାକୁ ଲାଗିଲା ମୁହୂର୍ତ୍ତକରେ ।

 

ଜ୍ଞାନେନ୍ଦ୍ରବାବୁ ମୃଦୁ ଆକର୍ଷଣ କରି ତାଙ୍କୁ ପାଖକୁ ଟାଣିନେଇ କାନ୍ଧ ଉପରେ ହାତଟି ରଖି ଅନୁଚ୍ଚ ଗାଢ଼ ଗମ୍ଭୀର କଣ୍ଠରେ କହିଲେ, ‘‘ମୁଁ କହୁଛି, ତମର କିଛି ଦୋଷନାହିଁ, ମୋର ବି ନାହିଁ-। ସବୁ ଦୋଷ ତା’ର । ହଁ ତା’ର । ଉଇ ଡିଡ୍‌ ନଥିଂ ଇମ୍‌ମରାଲ । ନଥିଂ ଇଲ୍‌ଲିଗାଲ । ତମ ସଙ୍ଗେ ବନ୍ଧୁତ୍ୱର ଅଧିକାର ମୋର ଥିଲା ସେହି ଅଧିକାରର ସୀମା ଆମେ କୌଣସିଦିନ ଅନ୍ୟାୟ ଭାବରେ ଅତିକ୍ରମ କରିନାହୁଁ । ବିବାହ ଦାୟରେ ଅପର କୌଣସି ନାରୀ ସହିତ ପୁରୁଷର କିମ୍ବା କୌଣସି ପୁରୁଷ ସହିତ ବିବାହିତା ନାରୀର ବନ୍ଧୁତ୍ୱର ବା ପ୍ରୀତିଭାଜନତାର ଅଧିକାର ଖର୍ବ ହୁଏନାହିଁ-। ମୋର ବି ହୋଇନି, ତମର ବି ହୋଇନି ।

 

ସୁରମାଙ୍କ ଆଖିରୁ ଲୁହର ଟୋପା କେତୋଟି ଝରିପଡ଼ିଲା । ପଡ଼ିଲା ଜ୍ଞାନେନ୍ଦ୍ରନାଥଙ୍କ ବାଁହାତ ଉପରେ । ସେ ନିଜର ବାଁହାତରେ ସୁରମାର ଗୋଟିଏ ହାତ ଧରିଥିଲେ ଠିକ୍‌ ସେହି ମୁହୂର୍ତ୍ତରେ । ଜ୍ଞାନେନ୍ଦ୍ରନାଥ କହିଲେ, ‘‘ତମେ କାନ୍ଦୁଛ ? ନା, କାନ୍ଦନି । ମତେ ତମେ ବିଶ୍ୱାସ କର । ମୁଁ ଅନେକ ଭାବିଛି । ମୁଁ କହୁଛି ଅନ୍ୟାୟ ନୁହେଁ । ଅନ୍ୟାୟ ହୋଇନି । ଖାଲି ବନ୍ଧୁତ୍ୱ କାହିଁକି ସୁରମା-! ପ୍ରେମ, ତାହା ମଧ୍ୟ ବିବାହଦ୍ୱାରା ଖୋଳାଯାଇଥିବା ନାଳ ଭିତରେ ବହିଯାଏନି । ବିବାହ ହେଲେ ହିଁ ପ୍ରେମ ହୁଏନା ସୁରମା ! ବିବାହର ଦାୟିତ୍ୱ ଖାଲି କର୍ତ୍ତବ୍ୟର ଶପଥ ପାଳନର-। ସୁମତିକି ବିବାହକରି ମଧ୍ୟ ତମକୁ ମୁଁ ଯେଉଁ ନିୟମରେ ଭଲପାଇଥିଲି, ସେ ନିୟମ ଅମୋଘ, ସେ ନିୟମ ପ୍ରକୃତିର ଅତି ବିଚିତ୍ର ନିୟମ, ତା’ ଉପରେ କୌଣସି ନ୍ୟାୟ ବା ନୀତିଶାସ୍ତ୍ରର ଅଧିକାର ନାହିଁ-। ଯେଉଁ ଅଧିକାର ଥିଲା, ସେ ଅଧିକାର ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଥିଲି । ପ୍ରକୃତିର ଅମୋଘ ନିୟମରେ ଆସିଥିଲା ଭଲପାଇବା । ତାକୁ ମୁଁ ସଂଯମର ବନ୍ଧ ଦେଇ ବାନ୍ଧିପକାଇଥିଲି । ପ୍ରକାଶ କରିନଥିଲି । ତମ ପାଖରେ ନୁହେଁ, ସୁମତି ପାଖରେ ନୁହେଁ, କାହାରି ପାଖରେ ନୁହେଁ । ଆଉ ତମ କଥା ? ତମର ବିଚାର ଆହୁରି ଅନେକ ସହଜ । ତମେ କୁମାରୀ ଥିଲ । ଅନ୍ୟପାଖରେ ତମ ଦେହ ମନ ବିନ୍ଦୁମାତ୍ର ବନ୍ଧା ହୋଇନଥିଲା; କିନ୍ତୁ ଭଲପାଇବାର ଅଧିକାର ତମର ଲକ୍ଷେ ଥର ଥିଲା-। ସୁରମା ଆଜି ବି ସ୍ଥିର ବିଶ୍ୱାସରେ ଭଗବାନଙ୍କୁ ମାନେନାହିଁ, ନହେଲେ କହିଥାନ୍ତି, ଭଗବାନଙ୍କର ବି ନ ଥିଲା । ଆମମାନଙ୍କର କିଛି ଦୋଷ ନାହିଁ । ବିଚରାଳୟରେ କହ ବା ଯେକୌଣସି ଦେଶର ମନୁଷ୍ୟଙ୍କ ବିଚରାଳୟରେ କହ, ସେଠାରେ ସିଦ୍ଧାନ୍ତ–ନିର୍ଦ୍ଦୋଷ । ବଡ଼ିମାଶୂନ୍ୟ ପରିଷ୍କାର କଣ୍ଠର ଦୃଢ଼ ଉଚ୍ଚାରଣରେ ଉଚ୍ଚାରିତ ସିଦ୍ଧାନ୍ତ ! ଦୁର୍ବଳତା ହିଁ ଏକମାତ୍ର ଅପରାଧ, ଯାହାପାଇଁ ପ୍ରାଣ ଅଭିଶାପ ଦିଏ ଆତ୍ମାକୁ ।’’

 

ସ୍ଥିରଦୃଷ୍ଟିରେ ଅଭିଭୂତ ପରି ସୁରମା ସ୍ୱାମୀଙ୍କ ମୁହଁଆଡ଼କୁ ଚାହିଁ କଥାଗୁଡ଼ିକ ଶୁଣୁଥିଲେ-। ଜ୍ଞାନେନ୍ଦ୍ରନାଥଙ୍କ ଦୃଷ୍ଟି ସ୍ଥିର । ସେ ଟିକିଏ ମୁହଁଟେକି ଚାହିଁଥିଲେ ଘରଟିର କୋଣସ୍ଥିତ ଛାତଟିର ଅଂଶଆଡ଼କୁ । ସେଇଠି ସେହି ଅଳ୍ପ ଅନ୍ଧକାର ଭିତରେ କାନ୍ଥ ଦେହରେ କେଉଁ ଏକ ମହାମନ୍ତ୍ର ପୃଷ୍ଠା ଫୁଟିଉଠିଛି ଏବଂ ସେ ତାହାକୁ ପଢ଼ି ଯାଉଛନ୍ତି, ଧୀରେ ଧୀରେ ଦୃଢ଼ କଣ୍ଠରେ ।

 

–ଚାଲ, ବାହାରକୁ ଚାଲ, ବୁଲିବାକୁ ଯିବା ।

 

ସୁରମା ଏହା ଜାଣିଥିଲା । ଏଥର ସେ ବାହାରକୁ ଯିବାକୁ କହିବେ । ଯିବେ । ଅନେକ ଦୂରକୁ ଯାଇ ବୁଲିଆସିବେ । ଆଗେ ସାରାରାତି ବୁଲିଛନ୍ତି, କ୍ଲବ୍‌କୁ ଯାଇଛନ୍ତି, ମଦ୍ୟପାନ କରିଛନ୍ତି । ରାତିରେ ଆଲୁଅ ଜାଳି ଟେନିସ୍‌ ଖେଳିଛନ୍ତି ଦୁଇଜଣଯାକ । ବର୍ତ୍ତମାନ ସୁମତିକି ଏହିପରି ବହୁତ କମ୍‌ ମନେପଡ଼େ । ଏଥର ବୋଧହୁଏ ଦୁଇବର୍ଷପରେ ଏହିପରି ଭାବରେ ମନେପଡ଼ିଲା । ସିଧାବାଟରେ ତ ସୁମତିକି ସେମାନେ ଆସିବାକୁ ଦିଅନ୍ତିନାହିଁ । କଥାର ରାସ୍ତା ଧରି ସୁମତି ତାଙ୍କ ସାମନାରେ ଆସି ଠିଆହେବାକୁ ଚେଷ୍ଟା କଲାକ୍ଷଣି କଥା-ରାସ୍ତାର ମୁହଁ ଘୂରାଇ ଦିଅନ୍ତି ସେମାନେ । ଅନ୍ୟକଥାରେ ଯାଇ ଉପସ୍ଥିତ ହୁଅନ୍ତି । ଆଜି ଦୀର୍ଘଦିନ ପରେ ସୁମତି ବୁଲାଣିଆ ବାଟ ଧରି ଆଗକୁ ଆସିଛି । ବାଥ୍‌ରୁମ୍‌ର ଝରକା ଦେଇ ସେହି ନିଆଁର ଆଭା ସହିତ ମିଶି ଅଶରୀରିଣୀ ଈର୍ଷାତୁରା ସେ ଆସି ଦୁଇଜଣଙ୍କ ମଝିରେ ଠିଆହୋଇଛି ।

 

(୧୦)

 

ଗାଡ଼ି ଚାଲିଲା । ଶ୍ରାବଣରାତିରେ ଆଉଥରେ ମେଘ ଜମିଉଠିଲାଣି । ପ୍ରଥମ ପଞ୍ଚବାର୍ଷିକୀ କଳ୍ପନାର ନୂତନ ଆସ୍‌ଫଲ୍‌ଟର ସମତଳ ସରୁ ପଥ । ସହର ପାର୍‌ହୋଇ ନଦୀଟା ଉପରେ ନୂତନ ବେରେଜ ସହିତ ତିଆରି ବ୍ରିଜ୍‌ ପାର୍‌ହୋଇ ଶାଳ–ଜଙ୍ଗଲର ଭିତର ଦେଇ ଚାଲିଯାଇ ନୂଆକରି ତିଆରି ହୋଇଥିବା ରାସ୍ତାଟି ଦୁଇପାଖର ଶାଳବଣରୁ ବର୍ଷା ପବନରେ ମାତିଉଠିଛନ୍ତି । ନୂଆ ପତ୍ରଗୁଡ଼ିକରେ ବର୍ଷାଧାରାର ଆଘାତରେ ଝରଝର ହୋଇ ଗୋଟାଏ ଏକାଭଳି ଶବ୍ଦ ଉଠୁଛି । ମଝିରେ ମଝିରେ ଗୋଟିଏ ଗୋଟିଏ ସ୍ଥାନରେ ରାସ୍ତା ପାଖରେ କିଆବୁଦା, ସେଠି କିଆଫୁଲ ଫୁଟିଛି, ବାସ୍ନା ଆସୁଛି । ଆସ୍‌ଫଲ୍‌ଟର ଭିଜା ରାସ୍ତା ଛାତିରେ ହେଡ୍‌ଲାଇଟିର ତୀବ୍ର ଆଲୋକ ପଡ଼ିଛି । ରାସ୍ତାବାଙ୍କରେ ହେଡ୍‌ଲାଇଟିର ଆଲୁଅ ଜଙ୍ଗଲର ଶାଳଗଛ ଦେହରେ ଯାଇ ପଡ଼ିଛି, ଅଦ୍ଭୁତ ଜଣାଯାଉଛି ।

 

ଗାଡ଼ି ଚାଲିଛି । ଏକସମୟରେ ଯେପରି ପ୍ରକୃତିର ରୂପ ବଦଳିଗଲା । ଅନ୍ଧକାର ଓହ୍ଲାଇ ଆସି ଗାଢ଼ତର ହୋଇଗଲା । ଚାରିପାଖରେ ଆକାଶରୁ ଘନ କଳାମେଘ ପୁଞ୍ଜ ପୁଞ୍ଜ ହୋଇ ମାଟିରେ ଓହ୍ଲାଇପଡ଼ିଲା ଭଳି ଲାଗିଲା । ମେଘ ନୁହେଁ, ସେଗୁଡ଼ିକ ପାହାଡ଼, ଅରଣ୍ୟଭୂମି ଏବଂ ପାର୍ବତ୍ୟଭୂମି ଏହିଠାରୁ ଏକ ହୋଇଗଲା । ଆସ୍‌ଫଲଟ୍‌ର ରାସ୍ତା ଏଥର ସର୍ପିଳ ଗତି ନେଉଛି, ସତରେ ସାପପରି ଅଙ୍କେଇ ବଙ୍କେଇ ହୋଇ ଚାଲିଛି । ଦୂରରେ କେଉଁଠି ଗୋଟାଏ ପ୍ରବଳ ଝରଝର ଶବ୍ଦ ହେଉଛି, ଏକାଭଳି ଶବ୍ଦ । ଦିଗ୍‌ମଣ୍ଡଳ ବ୍ୟାପ୍ତ କରିଥିବା ପ୍ରଚଣ୍ଡ ଉଲ୍ଲାସର ବାଦ୍ୟ ଗୋଟାଏ ଯେପରି କେଉଁଠି ବାଜି ଚାଲିଛି; ବାଜଣା ନୁହେଁ–ପାହାଡ଼ରୁ ଝରଣା ଝରୁଛି । ଗାଡ଼ି ଭିତରେ ସ୍ୱାମୀ ସ୍ତ୍ରୀ ଦୁହେଁଯାକ ସ୍ତବ୍‌ଧ ହୋଇ ବସିଛନ୍ତି । ଜଜ୍‌ସାହେବ ତାଙ୍କ ହାତ ଭିତରେ ସୁରମାଙ୍କର ଗୋଟିଏ ହାତକୁ ଧରି ବସିଛନ୍ତି । ମଝିରେ ମଝିରେ ପଦେ ଦି’ପଦ କଥା କହୁଥାନ୍ତି । ଛାଡ଼ି, ଛାଡ଼ି– ପରସ୍ପର ସହିତ ସମ୍ବନ୍ଧବିହୀନ କଥା– ।

 

–ଏଇଟା ସେହି କ’ଣ ନୁହେଁ ? ଯେଉଁଠି ସୁନାମୁହିଁ ଫୁଲଗଛ ଦେଖିଥିଲି ?

 

–ହେଇଟି ବାଁପଟେ; ଛାଡ଼ି ଆସିଲେ ।

 

–ତା’ପରେ ପୁଣି ଦି’ଜଣଯାକ ସ୍ତବ୍‌ଧ । ଫୁଲଗୁଡ଼ିକର ରଙ୍ଗ ସୁନା ଭଳି । ଫୁଲ ତୋଳି ସୁରମାକୁ ଦେଇଥିଲେ; ସୁରମା ଗୋଟିଏ ଫୁଲ ଖୋଷାରେ ପିନ୍ଧିଥିଲେ । ଜଜ୍‌ସାହେବଙ୍କ ହାତମୁଠା କ୍ରମଶଃ ଦୃଢ଼ ହୋଇଯାଉଥିଲା; ଅନ୍ତରରେ ଆବେଗ ଗାଢ଼ ହୋଇଆସୁଛି । ଏକ ଅସ୍ଫୁଟ କାତର ଧ୍ୱନି କଲେ ସୁରମା–ଓଃ !

 

ବିଚାରକ

–କ’ଣ ହେଲା ? ସ୍ୱାମୀ ବିସ୍ମିତ ହୋଇ ପଚାରିଲେ ।

 

ମୃଦୁସ୍ୱରରେ ସୁରମା ଖାଲି କହିଲେ–ମୁଦିଟା ।

 

–କାଟିଲା ? କହିଦେଇ ହସି ଜ୍ଞାନେନ୍ଦ୍ର ହାତଟା ଛାଡ଼ିଦେଲେ, ‘‘ହାତରେ ମୁଦି ଥିଲେ, ଚିପି ଧରିଲେ ଭାରି କାଟେ ।’’

 

–‘‘ନା ।’’ ଅନ୍ଧାର ଭିତରେ ଅଳ୍ପ ଟିକିଏ ମୁହଁଟାକୁ ଫେରାଇ ସ୍ୱାମୀଙ୍କ ଆଡ଼କୁ ଚାହିଁ ତାଙ୍କ ହାତଟିକୁ ନିଜ ହାତଭିତରକୁ ଟାଣିନେଲେ ସୁରମା । –ନା, ସେ ଛାଡ଼ିଦେବାକୁ ଚାହାନ୍ତିନାହିଁ ।

 

ପୁଣି ଦୁଇଜଣଯାକ ସ୍ତବ୍‌ଧ ହେଲେ । ମନର ଯେଉଁ ଘନାୟମାନ ଅନ୍ଧକାର ପତଳା ହୋଇଆସୁଛି, ତାହା ଯେପରି ବାହାରେ ବିଞ୍ଚି ହୋଇପଡ଼ୁଛି ପ୍ରତ୍ୟେକ ମୁହୂର୍ତ୍ତରେ; ସେମାନେ ପ୍ରଶାନ୍ତ କ୍ଳାନ୍ତିରେ ଆଚ୍ଛନ୍ନ ହୋଇ ଚାହିଁ ଚାହିଁ ତାହାହିଁ ଦେଖୁଛନ୍ତି । ଅକସ୍ମାତ୍‌ ଦୂରର ଏକଚାଟିଆ ବାଜଣା ଭଳି ଝରଣାର ସେହି ଝରଝର ଶବ୍ଦଟା ପ୍ରବଳ ଉଲ୍ଲାସରେ ବାଜିଉଠିଲା । ଯେପରି କାନ୍ଥଟାଏ ଘୁଞ୍ଚିଗଲା, ଗୋଟିଏ ବନ୍ଦ ସିଂହଦ୍ୱାର ଖୋଲିଗଲା । ଗୋଟିଏ ଉଠାଣିକି ଅତିକ୍ରମ କରି ଗଡ଼ାଣିଆ ପାଖରେ ହିଁ ବଙ୍କେଇଲାବେଳକୁ ଶବ୍ଦଟା ଶତଧାରାରେ ବାଜିଉଠିଲା । ସୁରମା ଚମକିପଡ଼ିଲେ ।

 

ଶବ୍ଦଟା କେଉଁଥିର ?

 

ଝରଣାର । ବର୍ଷାପାଣି ଢାଳି ହୋଇପଡ଼ୁଛି । ନିର୍ଝରର ସ୍ୱପ୍ନଭଙ୍ଗ ହୋଇଛି । ସ୍ୱପ୍ନାତୁର ହସ ଫୁଟିଉଠିଲା ଜଜ୍‌ସାହେବଙ୍କ ମୁହଁରେ । ସୁରମା ଉତ୍ସୁକା ହୋଇ ଝରକାର କାଚରେ ମୁହଁକୁ ରଖିଲେ, କାଳେ ଦେଖାଯାଇପାରିବ !

 

ଜଜ୍‌ସାହେବ ଆଖିବୁଜି ମୃଦୁସ୍ୱରରେ ଆବୃତ୍ତି କଲେ,

 

‘‘ଶିଖରରୁ ମୁହଁ ଶିଖରେ ଧାଇଁବି

ଭୂଧରରୁ ଯାଇ ଭୂଧରେ ଲୋଟିବି

ଖିଲିଖିଲି ହସି କଳକଳ ଗାଇ, ତାଳେ ତାଳେ ଦେବି ତାଳି ।’’

 

କେତେ ସେକେଣ୍ଡ୍‌ ସ୍ତବଧ୍‌ ହୋଇ ପୁଣି କହିଲେ–‘‘ଏତେ କଥା ଅଛି, ଏତେ ଗୀତ ଅଛି, ଏତେ ପ୍ରାଣ ଅଛି ମୋର ।’’ ତା’ପରେ କହିଲେ, ‘‘ପ୍ରାଣ ଗୀତ ଗାଉଛି । ଲାଇଫ୍‌ ଫୋର୍ସ । ଯେଉଁଠି ଜୀବନ ଯେତେ ଦୁର୍ବାର, ସେଠି ତା’ର ଗୀତ ସେତେ ଉଚ୍ଚ; କିନ୍ତୁ ସବୁପ୍ରାଣର କାମନା ହିଁ ବିଶ୍ୱଗ୍ରାସୀ, ସେଥିପାଇଁ ତା’ର ଦାବି, ‘‘ନାଳ୍ପେ ସୁଖମସ୍ତି–ଭୂମୈବ ସୁଖମ୍‌ ।’’ ବିପୁଳ ବିଶାଳ ପ୍ରାଣର ଯେତେ ଦାବି, ଏକ କଣା ପ୍ରାଣର ବି ସେତିକି ଦାବି । ବଡ଼ ଅବୁଝ । ବଡ଼ ଅବୁଝ ।’’

 

ଟିକିଏ ତୁନିହୋଇ ରହି କହିଲେ–‘‘କିନ୍ତୁ ଯାହାର ଯେତେ ଶକ୍ତି ସେଥିରୁ ଏକ କଣା ସୁଦ୍ଧା ବେଶି ପାଇବାର ଅଧିକାର ତା’ର ନାହିଁ । ନୈଚର୍‌ସ୍‌ ଜଜ୍‌ମେଣ୍ଟ୍‌ । କେଉଁଠି ନଦୀ ପାହାଡ଼କୁ କାଟି ଭାଙ୍ଗି ଚୁର୍‌ମାର୍‌ କରିଦେଇ ନିଜର ରାସ୍ତା କରିନେଇ ବାହାରିଯାଉଛି, କେଉଁଠି ସ୍ତବଧ୍‌ ହୋଇ କିଛି ଖାତ ସୃଷ୍ଟିକରି ପାହାଡ଼ର ପାଦତଳେ ପଡ଼ିରହିଛି, ଶୁଖିଯାଉଛି ! ଅତି ବେଶି ହେଲେ ମାନସ ସରୋବର । କିନ୍ତୁ ମୁଣ୍ଡ ପିଟିବାର ବିରାମ ନାହିଁ ।

 

ଅକସ୍ମାତ୍‌ ସୁରମାଦେବୀ ସଚେତନ ହୋଇଉଠିଲେ, କହିଲେ–କେତେଟା ବାଜିଲାଣି ?

 

ସେ ଶଙ୍କିତ ହୋଇପଡ଼ିଛନ୍ତି । ଦର୍ଶନତତ୍ତ୍ୱ ଭିତରକୁ ଜଜ୍‌ସାହେବ ପ୍ରବେଶ କଲେ ଆଉ ତାଙ୍କର ଧରାଛୁଆଁ ପାଇବେନି ସେ । ମନେହେବ, ଏହି ଝରଣାର ଠିକ୍‌ ଓଲଟା ଗତିରେ ସେ ପାହାଡ଼ର ଉଚ୍ଚରୁ ଉଚ୍ଚତର ଶିଖରକୁ ଉଠି ଚାଲିଛନ୍ତି, ଆଉ ସମତଳ ଜାଗାରେ ରହି ସୁରମା ଅସହାୟ ଭାବରେ ତାଙ୍କରି ଆଡ଼କୁ ଚାହିଁ ରହିଛନ୍ତି । କ୍ରମଶଃ ଯେପରି ଚିହ୍ନା ମଣିଷଟା ଅଚିହ୍ନା ହୋଇଯାଉଛି । ପ୍ରାଣଟାର ଊର୍ଦ୍ଧ୍ୱଶ୍ୱାସ ହୁଏ ଯେପରି । ଏକଥା କହିଲେ ଆଗେ ବିଚିତ୍ର ଭ୍ରୂଭଙ୍ଗୀ କରି ତାଙ୍କ ଆଡ଼କୁ ଚାହିଁ କହନ୍ତି–‘‘ତା’ହେଲେ ଇନ୍‌ସ୍ୟୁରେନ୍‌ସ ପଲିସି । ଗଭର୍ଣ୍ଣମେଣ୍ଟ ପେପର୍‌ ଆଉ ଶେଆର୍‌ ସ୍କ୍ରିପ୍‌ଟଗୁଡ଼ାକ ନେଇଆସ । ସେଇଆ ନେଇ କଥାବାର୍ତ୍ତା କରେ । ଅଥବା ଆଲମାରି ଖୋଲି ହୁଇସ୍କିର ବୋତଲ ବାହାର କରିଦିଅ । ଗିଭ୍‌ ମି ଡ୍ରିଙ୍କ୍‌ । ଚାଲିଚାଲି ଓହ୍ଲାଇଲାବେଳକୁ ଅନେକ ଡେରି ଲାଗିବ । ତା’ଠାରୁ ବରଂ ସ୍ଖଳିତ ଚରଣରେ ଗଡ଼ଗଡ଼ ହୋଇ ଗଡ଼ିଗଡ଼ି ଆସି ପଡ଼ିବ ତମପାଖରେ । ତମ ଦେହରେ ଧକ୍‌କା ଖାଇ ଠିଆହୋଇ ଅବାକ୍‌ ହେଲାପରି ଚାହିଁ ରହିଥିବି–’’ କହି ହା ହା କରି ହସିଉଠନ୍ତି । ଯେଉଁ ହସକୁ ଆଦୌ ସହ୍ୟ କରିପାରନ୍ତିନି ସୁରମା ।

 

ଆଗେ ଜଜ୍‌ସାହେବ ସତକୁ ସତ ଏକଥା କହିବା ପରେ ମଦ ଖାଉଥାନ୍ତି, ପରିମାଣ ପରିମାପ କିଛି ମାନନ୍ତିନାହିଁ । ବର୍ତ୍ତମାନ ଆଉ ମଦ ଖାଉନାହାନ୍ତି । ସୁଦୀର୍ଘ କାଳର ଅଭ୍ୟାସ ଗୋଟିଏ ଦିନରେ–ମହାତ୍ମାଙ୍କ ମୃତ୍ୟୁଦିନ ସନ୍ଧ୍ୟାରେ ଛାଡ଼ିଦେଇଛନ୍ତି ! ଜ୍ଞାନେନ୍ଦ୍ରନାଥ ମଦ ଧରିଥିଲେ ସୁରମାର ସଂସ୍ପର୍ଶକୁ ଆସି ଟେନିସ୍‌ ଖେଳ ପରେ କ୍ଲବ୍‌ରେ ତାହାର ଆରମ୍ଭ ହୋଇଥିଲା । ସେଇଟା ବଢ଼ିଯାଇଥିଲା ସୁମତି ସହିତ ଅଶାନ୍ତି ଭିତରେ । ସୁମତିର ମୃତ୍ୟୁ ପରେ ସରମାକୁ ବାହାହୋଇ ସୁଦ୍ଧା ମଝିରେ ମଝିରେ ଏହିପରି କୌଣସି ଅସ୍ୱସ୍ତିକର ଅବସ୍ଥା ଘନେଇ ଉଠିଲେ ହିଁ ସେହିଦିନ ମଦ ବେଶି ଖାଉଥିଲେ । ଗାନ୍ଧିଜୀଙ୍କ ମୃତ୍ୟୁ ପରେ ଗୋଟା ରାତି ଓ ଦିନଟା ସେ ସ୍ତବଧ୍‌ ହୋଇ ବସି ରହିଥିଲେ ଗୋଟାଏ ଘର ଭିତରେ । ଉପବାସ କରିଥିଲେ । ଜୀବନରେ ଗାନ୍ଧିଜୀଙ୍କ ସମ୍ପର୍କରେ ଯେତେ ଯାହା ମନ୍ତବ୍ୟ ସବୁ ସେ କରିଥିଲେ, ଡାଏରି ଓଲଟାଇ ଓଲଟାଇ ସବୁ ଦେଖି ତା’ ନିକଟରେ ଲାଲ୍‌ କାଳିର ଦାଗ ଦେଇ ଲେଖିଥିଲେ–‘ଭୁଲ, ଭୁଲ’ । ତାଙ୍କ ଆଗକୁ କେତେଥର ଯାଇ ମଧ୍ୟ କଥା କହିନପାରି ଫେରିଆସିଥିଲେ ସୁରମା । ତା’ପରେ ସେତେବେଳକୁ ବୋଧହୁଏ ରାତି ନଅଟା ହେବ, ଘରୁ ବାହାରିଆସି ବେହେରାକୁ ଡାକି କହିଥିଲେ,–ସେ ସେଲର୍‌ରେ ଯେତେଗୁଡ଼ିଏ ବୋତଲ ଅଛି ନେଇଆସ ।

 

ବୋତଲଗୁଡ଼ିକ ଖୋଲି ଓଲଟାଇଦେଇ ଢାଳିଦେଇଥିଲେ ମାଟି ଉପରେ । ତା’ପରେ କହିଥିଲେ, ‘‘ମୋ ଖାଇବାଜିନିଷ ଭିତରେ ଆଜିଠାରୁ ଯେପରି ମାଛ ମାଂସ ନରହେ ସୁରମା !’’

 

ସୁରମା ଆଶ୍ଚର୍ଯ୍ୟ ହୋଇନାହାନ୍ତି । ଏହି ବିଚିତ୍ର ମଣିଷଟିର କୌଣସି ବ୍ୟବହାରରେ ଆଉ ତାଙ୍କର ସେତେବେଳକୁ ବିସ୍ମୟ ହେଉନଥିଲା । ସେହିଦିନଠାରୁ ଗୋଟା ମଣିଷଟା ଯେପରି ବଦଳିଗଲେ । ଏ ଆଉ ଅନ୍ୟ ଏକ ମଣିଷ । ମଣିଷ ଅବଶ୍ୟ ବଦଳେ, ପ୍ରତିଦିନ, ପ୍ରତିକ୍ଷଣରେ ବଦଳେ, ପ୍ରକୃତିର ନିୟମ, ପରିବର୍ତ୍ତନ ହେଉଛି ଅନିବାର୍ଯ୍ୟ ପରିଣତି; କିନ୍ତୁ ଏ ପରିବର୍ତ୍ତନ ଯେପରି ଦିଗ ପରିବର୍ତ୍ତନ । ଥରେ ନୁହେଁ, ଦୁଇଥର । ପ୍ରଥମ ପରିବର୍ତ୍ତନ ସୁମତିର ମୃତ୍ୟୁପରେ । ଶାନ୍ତ ମୃଦୁ ମିଷ୍ଟଭାଷୀ କୌତୁକପରାୟଣ ଜ୍ଞାନେନ୍ଦ୍ରନାଥ ସୁମତିର ମୃତ୍ୟୁପରେ ହୋଇଯାଇଥିଲେ ଅଗ୍ନିଶିଖା ପରି ଦୀପ୍ତ ଏବଂ ପ୍ରଖର; କଥାବାର୍ତ୍ତାରେ ଶାଣିତ ଏବଂ ବସ୍ତ୍ର, ଦୁନିଆର ସବୁ କିଛିକି ହା ହା ହୋଇ ଉଡ଼େଇ ଦେଉଥିଲେ ।

 

ଥରେ, ସେତେବେଳେ ଜ୍ଞାନେନ୍ଦ୍ରନାଥ ବର୍ଦ୍ଧମାନ୍‌ରେ ଡିଷ୍ଟ୍ରିକ୍ଟ୍ ଜଜ୍‌, ତାଙ୍କ ଘରେ ସମବେତ ହୋଇଥିଲେ ରାଜକର୍ମଚାରୀମାନଙ୍କର ନବଗ୍ରହମଣ୍ଡଳୀ, ତା’ଠାରୁ ବି ବେଶି; କାରଣ ସେମାନେ ସମସ୍ତେ ସପରିବାର ଉପସ୍ଥିତ ଥିଲେ । ଈଶ୍ୱରଙ୍କୁ ନେଇ ତର୍କ ଜମିଉଠିଥିଲା । ତର୍କ ଭିତରେ ଜ୍ଞାନେନ୍ଦ୍ରନାଥ ବେଶି କଥା କହିନାହାନ୍ତି; କିନ୍ତୁ ଯେଉଁ କେତୋଟି କଥା ଅତି କମ୍‌ରେ କହିଥିଲେ, ତାହା ଯେତେ ମାରାତ୍ମକ ସେତେ ଧାରୁଆ ଓ ବସ୍ତ୍ର ବ୍ୟଙ୍ଗାତ୍ମକ । ଲଙ୍କା ବଘରା ପରି ରାଗୁଆ ଏବଂ ସଶବ୍ଦ । ହଠାତ୍‌ ତାରି ଭିତରେ ଡିଷ୍ଟ୍ରିକ୍ଟ ମେଜିଷ୍ଟ୍ରେଟ୍‌ଙ୍କ ବାରବର୍ଷର ପୁଅଟି କହି ଉଠିଥିଲା–ଗଡ୍ ଇଜ୍‌ ନଥିଂ ବଟ୍‌ ବଦରେସନ୍‌ ।

 

କଥାଟା ପିଲାଳିଆ । ଶୁଣି ସମସ୍ତେ ହସିଥିଲେ; କିନ୍ତୁ ଜ୍ଞାନେନ୍ଦ୍ରନାଥଙ୍କ ସେ କି ଅଟ୍ଟହାସ୍ୟ । ତିନିଦିନ ପର୍ଯ୍ୟନ୍ତ ସେ ହସିଥିଲେ ।

 

ଧୀରେ ଧୀରେ ବୟସ ସଙ୍ଗେ ସଙ୍ଗେ ହସର ଉଚ୍ଛ୍ୱଳତା ତାଙ୍କର କମି ଆସିଥିଲା; କିନ୍ତୁ ପ୍ରକୃତିରେ ସେ ବଦଳିନଥିଲେ । ପ୍ରଥମେ ଯେପରି ସ୍ତବ୍‌ଧ ହୋଇଗଲେ ଯୁଦ୍ଧ ସମୟରେ । ତା’ପରେ ଗାନ୍ଧିଜୀଙ୍କ ମୃତ୍ୟୁ ଦିବସରେ ଚବିଶି ଘଣ୍ଟା ଭିତରେ ଅନ୍ୟ ମନୁଷ୍ୟ ହୋଇଗଲେ । ବର୍ତ୍ତମାନ ଦର୍ଶନତତ୍ତ୍ୱର ଗହନରେ ପ୍ରବେଶପଥରେ ତାଙ୍କୁ ପଛରୁ ଡାକିଲେ ସେ ଆଗପରି ଅଟ୍ଟହାସ୍ୟ କରନ୍ତି ନାହିଁ, ମଦ ଖାଆନ୍ତି ନାହିଁ, ଆଖି ବନ୍ଦ କରି ତୁନିହୋଇ ବସିରହନ୍ତି ଏବଂ ତାରି ଭିତରେ ଏକ ସମୟରେ ଶୋଇପଡ଼ନ୍ତି । ଏପରି କ୍ଷେତ୍ରରେ ତାଙ୍କୁ ସହଜ ଜୀବନର ସମତଳକୁ ଓହ୍ଲାଇ ଆଣିବାକୁ ଗୋଟିଏ କୌଶଳ ଆବିଷ୍କାର କରିଛନ୍ତି ସୁରମା । କୌଣସି ଗୁରୁଦାୟିତ୍ୱ ବା କର୍ତ୍ତବ୍ୟର କଥା ସ୍ମରଣ କରାଇଦିଅନ୍ତି । ସେଥିରେ ହିଁ କାର୍ଯ୍ୟସିଦ୍ଧି ହୁଏ ।

 

(୧୧)

 

ଆଜି ସେହି ନଦୀଜଳର ବେଗ ଏବଂ ସେହି ପାହାଡ଼ର ବନ୍ଧର ଦୃଢ଼ତା କଥା ଧରି ଜୀବନତତ୍ତ୍ୱର ଜଟିଳ ଗହନରେ କ୍ରମେ କ୍ରମେ ସେ ସୁରମାଙ୍କର ଧରାଛୁଆଁର ବାହାରକୁ ଚାଲିଯିବାର ଉପକ୍ରମ କଲାକ୍ଷଣି ଶଙ୍କିତା ହୋଇ ସୁରମା ନିଜ ହାତଘଣ୍ଟାଟା ଆଡ଼କୁ ଚାହିଁଲେ । ବୋଧହୁଏ ବିଦ୍ୟୁତ୍‌ ଚମକ ଦେଖି ମନକୁ ମନ ଆଖି ବୁଜି ପକାଇବା ପରି ସେହି ଚାହିଁବା, କହିଲେ–କେତେଟା ବାଜିଛି ? ମୋ ଘଣ୍ଟାଟାରେ କିଛି ଦେଖିପାରୁନି । ଆଖିର ପାଓ୍ୱାର ବହୁତ ବଢ଼ିଗଲାଣି । ଦେଖିଲ ?

 

ଜ୍ଞାନେନ୍ଦ୍ରନାଥ ଆଖି ବନ୍ଦକରି ଗାଡ଼ିରେ ଆଉଜା ହୋଇଥିବା ଗଦିରେ ମୁଣ୍ଡଟି ତଳେଇଦେଇ ମୃଦୁସ୍ୱରରେ କହିଲେ, ଗାଡ଼ିର ଡେସବୋର୍ଡର ଘଣ୍ଟାଟାକୁ ଦେଖ ।

 

ଡେସବୋର୍ଡର ଘଣ୍ଟାଟା ଗୋଟାଏ ବେଶ୍‌ ବଡ଼ ଟାଇମ୍‌–ପିସ୍‌ । ତା’ ଉପରେ ରେଡ଼ିଅମ୍‌ ଦିଆଯାଇଛି । ଜଳଜଳ ଦିଶୁଛି । ସୁରମା ଚମକିପଡ଼ି କହିଲେ ଆରେ ! ଏ ତ ବାରଟା !

 

–ବାରଟା ? କ୍ଳାନ୍ତକଣ୍ଠରେ ଉଚ୍ଚାରଣ କଲେ ଜ୍ଞାନେନ୍ଦ୍ରନାଥ; କିନ୍ତୁ ତା’ଠାରୁ ଅଧିକ ଚାଞ୍ଚଲ୍ୟ କିଛି ପ୍ରକାଶ କଲେନାହିଁ । ଆଖିବୁଜି ଭାବୁଥିଲେ, ଆଖି ଖୋଲିଲେ ନାହିଁ ।

 

‘ଗାଡ଼ି ଫେରାଇ’ କହିଲେ ସୁରମା ।

 

ଫେରେଇବ ?

 

–ଫେରେଇବନି ? ଫେରିଲେ ତ ପୁଣି ସେହି ନଥିପତ୍ର ନେଇ ବସିବ । ତେଣେ ସେସେନ୍‌ସ ଚାଲିଛି, ସେଇ ଦଶଟାବେଳେ–

 

ସେତେବେଳେ ସେହିପରି ବସି ରହିଲେ ଜ୍ଞାନେନ୍ଦ୍ରନାଥ ।

 

ଗୋଟା କେସ୍‌ଟା ମୁଣ୍ଡ ଭିତରେ ଯବନିକା–ଉଦ୍‌ଘାଟିତ ରଙ୍ଗମଞ୍ଚର ଦୃଶ୍ୟପଟ ପରି ଫୁଟିଉଠିଲା ।

 

ଜଟିଳ ବିଚାର୍ଯ୍ୟ ଘଟଣା । ନୌକା ଓଲଟିଯାଇଥିଲା । ନୌକା ବୁଡ଼ିଥିଲା ସାନଭାଇର ଦୋଷରୁ । ସେମାନେ ପାଣିରେ ବୁଡ଼ିଯାଇଥିଲେ । ସାନଭାଇ ଜାବୁଡ଼ି ଧରିଥିଲା ବଡ଼ଭାଇକି । ଛଡ଼େଇବାକୁ ଚେଷ୍ଟାକରି ମଧ୍ୟ ବଡ଼ଭାଇ ପାରିନାହିଁ । ଶେଷକୁ ସାନଭାଇର ବେକରେ ତା’ ହାତଟା ପଡ଼ିଥିଲା । ଏବଂ– । ସେ ସ୍ୱୀକାର କରିଛି । କିନ୍ତୁ– ।

 

ତାଙ୍କର ମନେପଡ଼ିଲା ଆସାମିକୁ !

 

ପୁଣି ଗୋଟିଏ ଦୀର୍ଘନିଃଶ୍ୱାସ ପକାଇଲେ ସେ ।

 

ସୁରମା ବି ସ୍ତବଧ୍‌ ହୋଇ ବସି ରହିଲେ । ଜ୍ଞାନେନ୍ଦ୍ରନାଥ ସ୍ତବଧ୍‌ ହୋଇ ହିଁ ବସିଛନ୍ତି; କିନ୍ତୁ ସେତେବେଳେ ବୁଡ଼ିଯାଇଛନ୍ତି ମକଦ୍ଦମାର ଚିନ୍ତା ଭିତରେ, ସେକଥା ବୁଝିପାରିଛନ୍ତି ସୁରମା । ଜ୍ଞାନେନ୍ଦ୍ରନାଥଙ୍କ କପାଳରେ ଚିନ୍ତାର ରେଖା ଫୁଟିଉଠିଛି । ୟାକୁ ପଛକେ ସହି ହେବ । ନ ସହି ଉପାୟ ନାହିଁ । ୟା ହେଉଛି କର୍ତ୍ତବ୍ୟ; କିନ୍ତୁ ଏ କ’ଣ ହେଲା ତାଙ୍କ ଜୀବନରେ ? ସେ ପାଇପାରିଲେନି ? ତାଙ୍କ ସହିତ ଚାଲି ପାରିଲେନି ? ନା– ! ହାରିଗଲେ ? ଥପ୍‌ ଥପ୍‌ ହୋଇ ତାଙ୍କ ଆଖିରୁ ଲୁହ ଝରିଯିବାକୁ ଲାଗିଲା; କିନ୍ତୁ ସେ କଥା ଜ୍ଞାନେନ୍ଦ୍ରନାଥ ଜାଣିପାରିଲେନି । ଅନ୍ଧାରୁଆ ଗାଡ଼ିଭିତରେ ଆଖି ବନ୍ଦକରି ସେ ବସିଛନ୍ତି । ମନଶ୍ଚକ୍ଷୁରେ ଭାସିଉଠିଛି ଅଦାଲତ, ଜୁରି, ପବ୍‌ଲିକ୍‌ ପ୍ରୋସ୍‌କ୍ୟୁଟର୍‌, ଆସାମୀ ।

 

X X X

 

ତା’ପର ଦିନ । କାଠଗଡ଼ା ଭିତରେ ଆସାମୀ ଠିଆହୋଇ ରହିଥିଲା ଠିକ୍‌ ସେହି ଏକଭଙ୍ଗୀରେ । ବୟସ ଅନୁମାନ କରିହେବନି, ତେବେ ପରିଣତ ଯୌବନର ସବଳ ସ୍ୱାସ୍ଥ୍ୟର ଚିହ୍ନ ତା’ର ସର୍ବାଙ୍ଗରେ । ଖାଲି ପୁଷ୍ଟିସାରପୂର୍ଣ୍ଣ ଆହାରଗତ ସୁନ୍ଦର କୋମଳ ଦେହ ନୁହେଁ, ଉପଯୁକ୍ତ ଆହାର ଓ ପରିଶ୍ରମରେ ପ୍ରତିଟି ଛନ୍ଦଛନ୍ଦରେ ଗଢ଼ି ଉଠିଛି ଦେହଟି । ତୀକ୍ଷ୍ଣ ଦୃଷ୍ଟି ଦେଖି ମନେହୁଏ ଆଜନ୍ମରୁ ଦେହର ଉପାଦାନର ସ୍ୱଚ୍ଛଳତା ଏବଂ ଦୃଢ଼ସଙ୍କଳ୍ପ ପରିଶ୍ରମର ଅଭ୍ୟାସ ନେଇ ଜନ୍ମିଛି । ଟିକିଏ କମ୍ ଉଚ୍ଚତା । ଡ୍ରାମାଭରଙ୍ଗ ମୁହଁଟା ଦେଖିଲେ ଠିକ୍‌ ମୁହଁର ଅସଲ ଗଢ଼ଣଟା ଜଣାପଡ଼େନି-। ଦୀର୍ଘଦିନ ଧରି ବିଚାରଧୀନ ରହିଥିବା ପାଇଁ ମୁଣ୍ଡବାଳଗୁଡ଼ିକ ବଡ଼ ହୋଇଯାଇଛି, ମୁହଁରେ ନିଶଦାଢ଼ି ହୋଇଯାଇଛି । ଅବଶ୍ୟ ଆଗକାଳପରି କେଶରେ ରୁକ୍ଷତା ନାହିଁ । ଆଜିକାଲି ଜେଲଖାନାର ଅଧିବାସୀମାନେ ତେଲ ପାଆନ୍ତି । ତେବେକେ ନିଶ–ଦାଢ଼ି–ବାଳ ବିଶୃଙ୍ଖଳ-। ହତଭାଗ୍ୟର ବିଭ୍ରାନ୍ତ ମନର ଅଭ୍ୟାସ ଯେପରି ଫୁଟି ରହିଛି ତାରି ଭିତରେ । ଅଙ୍ଗାରଗର୍ଭ ମାଟି ଉପରେ ଥିବା ରୁକ୍ଷତାପରି । ମୋଟା ନାକ, ଆଖିଦୁଇଟା ବଡ଼, ଦୃଷ୍ଟି ଯେପରି ଉଗ୍ର । ଉଦ୍ଧତ କି ନିଷ୍ଠୁର ଠିକ୍‌ ବୁଝିପାରୁନାହାନ୍ତି ଜ୍ଞାନେନ୍ଦ୍ରନାଥ । ସାଦା ମୋଟା ଧୋତି ଖଣ୍ଡେ ପିନ୍ଧିଛି, ବେକରେ ତୁଳସୀର ମାଳ, କପାଳରେ ତିଳକ ।

 

ୟୋର୍‌ ଅନ୍‌ର, ଏହି ଆସାମୀ ନଗେନ୍ଦ୍ରର ବାଲ୍ୟଜୀବନର ପ୍ରକୃତି ଏବଂ ପ୍ରବୃତ୍ତି କଥା ମୁଁ ବର୍ଣ୍ଣନା କରିଛି । ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଦ୍ୱାରା ସତ୍ୟ ଉପରେ ତାହା ସୁପ୍ରତିଷ୍ଠିତ । ତା’ପରେ ଏହି ନଗେନ୍ଦ୍ର ଗୃହତ୍ୟାଗ କରି ଚାଲିଗଲା । ଅନୁତାପ ଯୋଗୁଁ ହେଉ କି କ୍ଷୋଭ ବା ଅଭିମାନରେ ହେଉ ନିରୁଦ୍ଦେଶ ହୋଇ ଚାଲିଗଲା ଏବଂ ଦୀର୍ଘକାଳ ପରେ ବୈରାଗୀ ସନ୍ନ୍ୟାସୀ ବେଶରେ ଫେରିଆସିଲା ।

 

ପବ୍‌ଲିକ୍‌ ପ୍ରୋସ୍‌କ୍ୟୁଟର୍‌ ଅବିନାଶବାବୁ ତାଙ୍କର ଗତକାଲିର ବକ୍ତବ୍ୟର ମୂଳସୂତ୍ରଟି ଧରି ଅଗ୍ରସର ହେଲେ । ହାତର ଚଷମାଟି ଆଖିରେ ଲଗାଇ କାଗଜପତ୍ର ଦେଖି ଖଣ୍ଡେ କାଗଜ ବାଛି ନେଇ ପୁଣି ଆରମ୍ଭକଲେ–

 

ୟୋର୍ ଅନର୍, ମୋର ବକ୍ତବ୍ୟରେ ଅଗ୍ରସର ହେବା ପୂର୍ବରୁ ଆପଣଙ୍କୁ ଆଉଥରେ ପୋଷ୍ଟମର୍ଟମ୍‌ର ରିପୋର୍ଟ ଆଡ଼କୁ ଦୃଷ୍ଟି ପକାଇବାକୁ ଅନୁରୋଧ କରିବି ।

 

ଅବିନାଶବାବୁ ଜୁରିମାନଙ୍କ ଆଡ଼କୁ ଚାହିଁ କହିଲେ–ରିପୋର୍ଟରେ ଅଛି ଜଳମଗ୍ନ ହୋଇ ମୃତ୍ୟୁହେଲେ ମଣିଷର ପାକସ୍ଥଳୀରେ ଯେଉଁ ପରିମାଣର ଜଳ ମିଳେ, ଏହି ମୃତବ୍ୟକ୍ତିର ପାକସ୍ଥଳୀରେ ଜଳ ମିଳିଥିଲେ ବି ତା’ର ପରିମାଣ ଆଶ୍ଚର୍ଯ୍ୟ ପ୍ରକାର କମ୍‌ । ଅର୍ଥାତ୍‌ ଜଳମଗ୍ନ ହେବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇନାହିଁ ଏ କ୍ଷେତ୍ରରେ । ଅଥଚ ମୃତ୍ୟୁ ଘଟିଛି ଶ୍ୱାସରୁଦ୍ଧ ହୋଇ ଏବଂ ଶବଦେହରେ ବି ସେହି ଲକ୍ଷଣଗୁଡ଼ିକ ସୁପରିସ୍ଫୁଟ । ତା’ହେଲେ ହତଭାଗ୍ୟ ମରିଗଲା କିପରି ? ମୃତର କଣ୍ଠନଳୀରେ ସୁସ୍ପଷ୍ଟ ପାଞ୍ଚଟି ନଖକ୍ଷତର ଚିହ୍ନ ଭିତରେ ତାହାର ପ୍ରମାଣ ଲୁଚିରହିଛି । ବାଁପଟେ ଗୋଟିଏ, ଡାହାଣପଟେ ଚାରୋଟି । ମଣିଷ ହାତର ଚିହ୍ନ । ଆସାମୀ ନଗେନ୍ଦ୍ର ଥାନାରେ ଏବଂ ନିମ୍ନ ଅଦାଲତରେ ସ୍ୱୀକାର କରିଛି, ଖଗେନ୍ଦ୍ର ଜଳମଗ୍ନ ଅବସ୍ଥାରେ ତାକୁ ଏହିପରି ଭିଡ଼ି ଧରିଥିଲା ଯେ ସେ ମଧ୍ୟ ବୁଡ଼ିଯାଉଥିଲା, ତା’ର ଶ୍ୱାସରୁଦ୍ଧ ହୋଇ ଛାତିଟା ଯେପରି ଫାଟିଯାଉଥିଲା । ସେଥିରୁ ଉଦ୍ଧାର ପାଇବାପାଇଁ ସେ ପ୍ରାଣପଣ ଚେଷ୍ଟା କରୁଥିଲା । ସେହି ଅବସ୍ଥାରେ କୌଣସିପ୍ରକାରେ ନିଜର ଡାହାଣ ହାତଟା ଛଡ଼ାଇ ନେବାକୁ ସେ ସକ୍ଷମ ହେଲା ଏବଂ ସେହି ହାତ ଯାଇ ପଡ଼ିଲା ଖଗେନ୍ଦ୍ରର କଣ୍ଠନଳୀ ଉପରେ ସେ ତା’ର କଣ୍ଠନଳୀକି ଚିପି ଧରିଲା । ଖଗେନ୍ଦ୍ର ଛାଡ଼ିଦେଲା ବା ସର୍ବଦେହ ସହିତ ତା’ର ହାତ ଶିଥିଳ ହୋଇ ଢିଲା ହୋଇଗଲା । ସେତେବେଳେ ସେ ଭାସିଉଠିଲା । ଏକଥା ସେ ଅସ୍ୱୀକାର କରୁନାହିଁ । ବର୍ତ୍ତମାନ ଦୁଇଟି ସିଦ୍ଧାନ୍ତ ହୋଇପାରେ । ଏକ, କଣ୍ଠନଳୀ ଚିପି ଧରିବା ଯୋଗୁ ଖଗେନ୍ଦ୍ରର ମୃତ୍ୟୁ ହେବାରୁ ସେ ଛାଡ଼ିଦେଇ ଢଳିପଡ଼ିଲା, ବା ମୃତ୍ୟୁର କିଛି ପୂର୍ବରୁ ମୃତକଳ୍ପ ଅଚେତନ ଅବସ୍ଥାରେ ସେ ଢଳି ପଡ଼ିଥାଇପାରେ । ସିଦ୍ଧାନ୍ତ ଯାହାହେଉନା କାହିଁକି, ମୃତ୍ୟୁ ଏହି କାରଣରୁ ଆସାମୀ ଦ୍ୱାରା ହିଁ ଘଟିଛି ।

 

ଏହି ସିଦ୍ଧାନ୍ତରେ ଉପନୀତ ହେଲା ପରେ ବି ଦୁଇଟି ବିଷୟରେ ବିଚାର ଅଛି । ଜଟିଳ, ଅତ୍ୟନ୍ତ ଜଟିଳ । ଦୁଇଟି ବିଷୟରୁ ଗୋଟିଏ ହେଲା, ଆସାମୀ ଆତ୍ମରକ୍ଷା ପାଇଁ ଅର୍ଥାତ୍‌ ମୃତ୍ୟୁ ଯନ୍ତ୍ରଣା ଭିତରେ ମାନସିକ ସମସ୍ତ ଚୈତନ୍ୟ ଏବଂ ଚେତନା ହରାଇ ଏହିପରି କ୍ଷେତ୍ରରେ ଅବଶିଷ୍ଟ ଜାନ୍ତବ ଚେତନାର ପକ୍ଷରେ ଅତି ସ୍ୱାଭାବିକ ପ୍ରେରଣାରେ ମୃତ ଖଗେନ୍ଦ୍ରର ଗଳାକୁ ଚିପି ଧରିଥିଲା, ଅଥବା ତା’ ପୂର୍ବରୁ ହିଁ ତା’ର ମାନସିକ କୂଟବୁଦ୍ଧି, ଲୋଭ ହିଂସାସଂକ୍ରାନ୍ତ କ୍ରୂରତା ଓ ଜୀବନର ଅଭ୍ୟସ୍ତ ପାପପରାୟଣତା ଏହି ସୁଯୋଗରେ ଲବକରେ ଜାଗ୍ରତ ହୋଇ ଉଠିଥିଲା । ଯେପରି ନିର୍ଜନରେ ଅସହାୟ ଅବସ୍ଥାରେ ନାରୀକୁ ଦେଖିଲେ ବ୍ୟଭିଚାରୀର ପାଶବ ପ୍ରବୃତ୍ତି ଜାଗ୍ରତ ହୋଇଉଠେ, ପୁଣି ଜାଗ୍ରତ ହୁଏ ଲୁଣ୍ଠନକାରୀର ଲୁଣ୍ଠନ ପ୍ରବୃତ୍ତି, ସେହିପରି କାଳ ଓ ପାତ୍ରର ସମାବେଶରେ ସ୍ପଷ୍ଟ ସୁବର୍ଣ୍ଣ ସୁଯୋଗ ପରି ପରିବେଶର ସୁଯୋଗ ଦେଖି ଜାଗ୍ରତ ହୋଇଉଠିଥିଲା । ୟୋର୍‌ ଅନର୍‌ ! ସତ୍‌ ଏବଂ ଅସତ୍‌ର ଦ୍ୱନ୍ଦ୍ୱ ଭିତରେ ଏହି ସଂସାରର ଅନେକ କ୍ଷେତ୍ରରେ ବିଶ୍ୱାସପରାୟଣ ଅସହାୟ ବନ୍ଧୁକୁ ଯେଉଁ ବନ୍ଧୁ ହତ୍ୟା କରେ, ସେମାନଙ୍କ ସଂଖ୍ୟା ବି ଅନେକ ! ଗୋପନ ପ୍ରବୃତ୍ତି, ସୁଯୋଗ ଦେଖି ଅକସ୍ମାତ୍‌ ଦାନବ ପରି ଜାଗିଉଠେ । ଚିରନ୍ତନ ପଶୁ ଜାଗ୍ରତ ହୁଏ; ଅସହାୟ ମନୁଷ୍ୟ ଦେଖି ବାଘ ଯେପରି ଗୋପନ ସ୍ଥାନରୁ ଲମ୍ଫ ପ୍ରଦାନ କରି ଡେଇଁପଡ଼େ, ଠିକ୍‌ ସେହିପରି ଡେଇଁପଡ଼େ ।

 

ଗୋପନ ମନର ପାଶବ ପ୍ରବୃତ୍ତିର ଅସ୍ତିତ୍ୱ ହିଁ ମନୁଷ୍ୟ ସଭ୍ୟତାର ଶୃଙ୍ଖଳାର ଭୟଙ୍କରତମ ଶତ୍ରୁ । ନାନା ଛଦ୍ମବେଶ ଧରି ନାନା ଛଳନାରେ ମଣିଷର ସର୍ବନାଶ କରେ ସେ । ମୁଁ ସାକ୍ଷ୍ୟପ୍ରମାଣ ଦ୍ୱାରା ପ୍ରମାଣ କରିଛି ବୋଲି ହିଁ ବିଶ୍ୱାସ କରେ ଯେ, ସେହି ପ୍ରବୃତ୍ତି ହିଁ ସଜାଗ ଥିଲା ଆସାମୀର ମନ ଭିତରେ । ବର୍ତ୍ତମାନ ସେହି ଟିକକ ବିଚାର୍ଯ୍ୟ ବିଷୟ; ସେହି ଜଳମଗ୍ନ ଅବସ୍ଥାରେ ଆସାମୀର ମନର ସ୍ୱରୂପ ନିର୍ଣ୍ଣୟ ! ଏ ନିର୍ଣ୍ଣୟ ଅତ୍ୟନ୍ତ କଠିନ, ଅତି ଜଟିଳ, ଏହାର କୌଣସି ସାକ୍ଷୀ ନାହିଁ । ଆସାମୀ କହେ, ସେ ଜାଣେନାହିଁ ଏବଂ ଏକଥା ମଧ୍ୟ କହେ ଯେ, ସେ ଯଦି ହତ୍ୟା କରିଥାଏ, ତେବେ ସେ ମୃତ୍ୟୁ ଶାସ୍ତି ହିଁ ଚାହେଁ । ଆସାମୀ ବୈଷ୍ଣବ, ଏହି ବିଚାରଧୀନ ଅବସ୍ଥାରେ ବି ସେ ଚିତା କାଟିଛି, ଦେଖୁଛି । ଏକଦା ସେ ଗୃହତ୍ୟାଗ କରିଥିଲା ବୈରାଗ୍ୟ ଯୋଗୁ । ଜୀବହତ୍ୟା କରି କୁଳଧର୍ମ ଲଘଂନ କରିଥିବାପାଇଁ ଅନୁତାପ ହେତୁ । ବାରବର୍ଷ ପରେ ଫେରିଆସି ଏହି ସାବତ ଭାଇଟିକୁ ସେ ଗଭୀର ସ୍ନେହରେ ଛାତି ଉପରକୁ ଟେକିନେଇଥିଲା । ସେହି ଭାଇଟିକୁ ସେ ନିଜେ ହିଁ କୋଡ଼ିଏ ବର୍ଷର ଯୁବକରେ ପରିଣତ କରିଥିଲା । ଏହା ଦିଗରୁ ଦେଖିଲେ ଅବଶ୍ୟ ମନେହେବ ଏବଂ ଏହି ସିଦ୍ଧାନ୍ତରେ ହିଁ ଆମେ ପହଞ୍ଚିବା ଯେ ଆସାମୀ ଯେତେବେଳେ ଭାଇର ଗଳାକୁ ଚିପି ଧରିଥିଲା, ସେତେବେଳେ ତା’ଭିତରେ ମୌଳିକ ଜୀବନରକ୍ଷାର ଜୀବନ୍ତ ଚେତନା ଛଡ଼ା ମାନସିକ ଜ୍ଞାନ ବା ଚୈତନ୍ୟ ସମ୍ପୂର୍ଣ୍ଣରୂପେ ବିଲୁପ୍ତ ହୋଇଥିଲା । ସେ କ୍ଷେତ୍ରରେ ସେ ଯେଉଁ ଅପରାଧ କରିଛି, ସେ ଅପରାଧ ଅନେକ ଲଘୁ । ଏହିପରି ତାକୁ ନିରପରାଧ ବି କୁହାଯାଇପାରିବ ।

 

ବିଚାରକ ଜ୍ଞାନେନ୍ଦ୍ର ନାଥ ପୁଣି ଚାହିଁଲେ ଆସାମୀ ଆଡ଼କୁ । ମାଟି କଣ୍ଢେଇ ପରି ସେ ଠିଆହୋଇ ରହିଛି । ଠିକ୍‌ ତାଙ୍କ ନିଜରପରି ଭାବଲେଖହୀନ ମୁହଁ । ସେ ଜାଣନ୍ତି, ଏ ସମୟରେ ତାଙ୍କ ମୁହଁର ଗୋଟିଏ ରେଖା ସୁଦ୍ଧା ପରିବର୍ତ୍ତନ ହୁଏନାହିଁ । ନିରାସକ୍ତଙ୍କ ଭଳି ଶୁଣିଯାଆନ୍ତି । ଟିକିଏ ପ୍ରଭେଦ ରହିଛି । ଆସାମୀର ଦୃଷ୍ଟିରେ ବିସ୍ମୟରେ ଆଭାସ ରହିଛି । ବିଶ୍ଳେଷଣର ଧାରା ତାକୁ ବିସ୍ମିତ କରି ପକାଇଛି । ବିହ୍ୱଳତା ମଝିରେ ବି ସେହି ବିସ୍ମୟ ତାକୁ ସଚେତନ କରି ରଖିଛି ।

 

ଅବିନାଶବାକୁ କହୁଥିଲେ–କିନ୍ତୁ ଏହି ବ୍ୟକ୍ତି ଯଦି ଆକସ୍ମିକ ସୁଯୋଗ, ଲୋଭ ଏବଂ ହିଂସାର ବଶବର୍ତ୍ତୀ ହୋଇ ନିଜ ହାତରେ ମଣିଷ କରିଥିବା ଭାଇକୁ ହତ୍ୟା କରିଥାଏ, ତେବେ ସେ ନୃଶଂସତମ ବ୍ୟକ୍ତି ଏବଂ ଚତୁରତମ ନୃଶଂସ ବ୍ୟକ୍ତି ଏବଂ ସେ ତାହା ବୋଲି ହିଁ ମୋର ଦୃଢ଼ବିଶ୍ୱାସ-। ଆପାତଦୃଷ୍ଟିରେ ଏକଥା ଅସମ୍ଭବ ବୋଲି ମନେହେବ । ମନେହେବ ଏବଂ ହେବା ବି ଉଚିତ, ଯେଉଁଲୋକ ଛେଳି ମାରିବାର ଅନୁତାପ ଓ ଲଜ୍ଜାରେ ସନ୍ନ୍ୟାସୀ ହୋଇଯାଇଥିଲା, ଯିଏ ଭାଇକୁ ଛାତି ଉପରେ ଧରି ମଣିଷ କରିଛି, ଯାହାର କପାଳରେ ତିଳକ ଟୋପା, ବେକରେ କଣ୍ଠ, ଯେଉଁ ବ୍ୟକ୍ତି ସେହି ଅଞ୍ଚଳରେ ଖ୍ୟାତନାମା ବୈଷ୍ଣବ, ସେ କ’ଣ ଏହି କାର୍ଯ୍ୟ କରିପାରେ ? କିନ୍ତୁ ପାରେ-। ମୁଁ କହୁଛି ସେ କରିପାରେ । ଏ କ୍ଷେତ୍ରରେ ମୋର ଦୁଇଟି ବକ୍ତବ୍ୟ ରହିଛି । ପ୍ରଥମ କଥା ମଣିଷର ଶୈଶବ–ବାଲ୍ୟର ଅଭ୍ୟାସ, ତା’ର ଜନ୍ମଗତ ପ୍ରକୃତି ଅବଚେତନ ମଧ୍ୟରେ ସ୍ଥାୟୀ ଅଧିକାରରେ ଅବସ୍ଥାନ କରେ । ତାହା ମରେନି, ଚିପି ହୋଇ ରହିଥାଏ ମାତ୍ର ଏବଂ ମାନବ ଜୀବନ ଘଟନାର ଘାତ ପ୍ରତିଘାତରେ ଅହରହ ପରିବର୍ତ୍ତନଶୀଳ । ନିତ୍ୟ ଅହରହ ପରିବର୍ତ୍ତନ ଭିତରେ ହିଁ ତା’ର ଜୀବନର ପ୍ରକାଶ ଏବଂ ସେହି ପ୍ରକାଶ ଭିତରେ ବିପ୍ଳବାତ୍ମକ ପରିବର୍ତ୍ତନ ଅନେକଥର ହୋଇପାରେ-। ଯେଉଁ ପଥରେ ସେ ଚାଲୁଥାଏ, ହଠାତ୍‌ ତା’ର ବିପରୀତ ପଥ ଧରି ଚାଲିବାକୁ ଆରମ୍ଭ କରେ-। ୟୋର୍‌ ଅନର୍‌ । ଗୃହଧର୍ମ ମନୁଷ୍ୟର ସ୍ୱାଭାବିକ ଧର୍ମ । ହଠାତ୍‌ ଦେଖାଯାଏ ମଣିଷ ସନ୍ନ୍ୟାସୀ ହୋଇଗଲା, ପୁଣି ଦେଖାଯାଏ ସେହି ସନ୍ନ୍ୟାସୀ ହିଁ ଗୈରିକ ଛାଡ଼ି ଗୃହଧର୍ମ କରୁଛି-। ମାମଲା ମକଦ୍ଦମା ବିଷୟ ନେଇ ବିବାଦ ସାଧାରଣ ସଂସାରୀଠାରୁ ଶହେଗୁଣ ଅଧିକ ଆସକ୍ତି ଓ କୁଟୀଳତା ସହିତ କରୁଛି । ଯେଉଁ ମନୁଷ୍ୟ ପତ୍ନୀବିୟୋଗରେ ବିରହର ମହାକାବ୍ୟ ଲେଖେ, ସେହି ମନୁଷ୍ୟ କେତେବର୍ଷ ପରେ ବିବାହକରି ନୂତନ ପ୍ରେମର କବିତା ମଧ୍ୟ ଲେଖେ ।

 

ଜ୍ଞାନେନ୍ଦ୍ର ବାବୁ କହିଲେ–ସଂକ୍ଷିପ୍ତ କରନ୍ତୁ ଅବିନାଶ ବାବୁ । ବି ବ୍ରୀଫ୍‌ ପ୍ଳିଜ୍‌ ।

 

ଇୟେସ୍‌ ୟୋର୍‌ ଅନର୍‌, ମୋର ଆଉ ସାମାନ୍ୟ ବକ୍ତବ୍ୟ ହିଁ ରହିଛି । ସେ ଟିକକ ହେଲା ଏଇୟା–ଏହା ଆସାମୀ ନଗେନ୍ଦ୍ରର ପୁଣି ଏକ ପରିବର୍ତ୍ତନ ଘଟିଥିଲା । ଆମେ ତା’ର ପରିଚୟ ବା ପ୍ରମାଣ ପାଉଛେ । ସେ ସାନଭାଇଠାରୁ ପୃଥକ୍‌ ହେବାର ବ୍ୟବସ୍ଥା କରୁଥିଲା ଏହି ଘଟଣା ସମୟରେ କିନ୍ତୁ ଏହା ବାହ୍ୟ । ଅଭ୍ୟନ୍ତରରେ ଥିଲା ଦି ଇଟର୍‌ନେଲ୍‌ ଟ୍ରାଏଙ୍ଗଲ୍‌–

 

–‘‘ହ୍ୱାଟ୍‌ ?’’ ଭ୍ରୂକୁଞ୍ଚିତ କରି ସଜାଗ ହୋଇ ଫେରିଚାହିଁଲେ ବିଚାରକ ।

 

–ସେହି ସନାତନ କ୍ଷତ୍ରୀର ବିରୋଧ, ୟୋର୍‌ ଅନର୍‌–

 

–ଦୁଇଟି ନାରୀ, ଗୋଟିଏ ପୁରୁଷ– ?

 

–ଏ କ୍ଷେତ୍ରରେ ଦୁଇଟି ପୁରୁଷ ଗୋଟିଏ ନାରୀ, ୟୋର୍‌ ଅନର୍‌ ।

 

–ଇୟେସ୍‌ ।

 

ଅବିନାଶବାବୁ କହିଲେ–ନାରୀଟି ଗୋଟିଏ ଲୀଳାମୟୀ ।

 

–ଲୀଳାମୟୀ ? ୟୁ ମିନ୍‌ ଏ ମଡର୍ଣ୍ଣ ଗାର୍ଲ ?

 

–ନା, ୟୋର୍‌ ଅନର୍‌ । ଝିଅଟି ଲାସ୍ୟମୟୀ । ତାଠାରୁ ବେଶି–ସ୍ୱୈରିଣୀ । ଏ ହାର୍ଲେଟ୍‌ । ସେହି ଗାଁର ଏକ ଦରିଦ୍ର ଶ୍ରମଜୀବୀର ଝିଅ । ନଗେନ୍ଦ୍ର ଓ ଖଗେନ୍ଦ୍ର ବାପ ଅମଳରୁ ଏ ଝିଅଟିର ବାପା ମା’ଙ୍କର ହୃଦ୍ୟତା ଥିଲା ନାନା କର୍ମସୂତ୍ର ଧରି । ଚାଷ ସମୟରେ ଝିଅଟିର ମା’ବାପ ସେମାନଙ୍କ ଜମି ଚଷୁଥିଲେ । ଶେଷ ଆଡ଼କୁ କେତେବର୍ଷ ଯେତେବେଳେ ନଗେନ୍ଦ୍ରର ବାପ ଶେଷଶଯ୍ୟାରେ ଦୀର୍ଘଦିନ ଅସୁସ୍ଥ ହୋଇ ପଡ଼ିରହିଥିଲା, ଯେତେବେଳେ ସ୍ଥାୟୀଭାବରେ ମୂଲିଆ କାମଟି କରିଥିଲା । ଝିଅଟିର ମା’ ସେମାନଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିବା ଘର ଓଳିଆଓଳି କାମ କରୁଥାଏ, ସେମାନଙ୍କ ଘରର ଧାନ ସିଝାଇବା, ଧାନ କୁଟିବା କାମ ବି ନିୟମିତ ଭାବରେ କରେ–ଦରମାନିଆ ଚାକରାଣୀ କାମ କରୁଥିଲା । ସେତିକିବେଳୁ ସେହି ଝିଅଟି ମଧ୍ୟ ଚମ୍ପା ମା’ ସହିତ ଦୁଇଓଳି ଏମାନଙ୍କ ଘରକୁ ଆସୁଥିଲା । ବୟସରେ ସେ ଥିଲା ଖଗେନ୍ଦ୍ରର ସମବୟସୀ, ଦି ବର୍ଷ ଖଣ୍ତେ ବଡ଼, ଖଗେନ୍ଦ୍ର ସହିତ ସେ ଖେଳୁଥାଏ । ପରେ ଚମ୍ପାର ବାହାଘର ହୋଇଗଲା, ସେ ଶାଶୁ ଘରକୁ ଚାଲିଗଲା । ସେତେବେଳେ ସେ ବାଳିକା । ଆମଦେଶର ନିମ୍ନଶ୍ରେଣୀ ଭିତରେ ସାତ–ଆଠ ବର୍ଷ ବୟସରେ ବିବାହର କଥା ସମସ୍ତେ ଜାଣନ୍ତି ତା’ପରେ ଏହି ଘଟଣାର ଦୁଇବର୍ଷ ପୂର୍ବେ ବିଧବା ହୋଇ ସେ ଯେତେବେଳେ ଫେରିଆସିଲା, ସେତେବେଳେ ସେ ଯୁବତୀ ଏବଂ ସ୍ୱଭାବରେ ପୂର୍ଣ୍ଣମାତ୍ରାରେ ସ୍ୱୈରିଣୀ । ସେ ତା’ର ସ୍ୱାମୀର ଘରୁ ହିଁ ଏହି ସ୍ୱୈରିଣୀ ସ୍ୱଭାବ ଅର୍ଜନ କରିଥିଲା ଏବଂ ଯେତେଦୂର ମନେହୁଏ, ଜନ୍ମଗତଭାବରେ ହିଁ ସେ ସେହି ପ୍ରକୃତିର ହୋଇଥିଲା । ଗୋଟିଏ କି ଦୁଇଟା ଘଟଣା ଅଦାଲତ ପର୍ଯ୍ୟନ୍ତ ଯାଇଥିଲା । ଏହି ଚମ୍ପା ଫେରିଆସି ସ୍ୱାଭାବିକ ଭାବରେ ଏବଂ ଅତି ସହଜରେ ପିଲାଦିନର ଖେଳସାଥୀ ସେହି ପ୍ରିୟଦର୍ଶନ ତରୁଣ ଖଗେନ୍ଦ୍ର ପିଲାଟିକୁ ଆକର୍ଷଣ କରିଥିଲା । ତା’ପରେ ଆକୃଷ୍ଟ ହେଲା ବଡ଼ଭାଇ । ସେହି ଚମ୍ପା ଝିଅଟି ହିଁ ମକଦ୍ଦମାର ପ୍ରଧାନ ସାକ୍ଷୀ-। ଆସାମୀ ନଗେନ୍ଦ୍ର ପ୍ରଥମରେ ଏହି ତରୁଣୀଙ୍କ ମଧ୍ୟରେ ସଂସ୍କାରକ ଭୂମିକାରେ ଆବିର୍ଭୂତ ହୋଇଥିଲା-। ଚମ୍ପାର ମୋହରୁ ଭାଇକୁ ପ୍ରତିନିବୃତ୍ତ କରିବାପାଇଁ ହିଁ ଚେଷ୍ଟା କରିଥିଲା । ଝିଅଟିକି ମଧ୍ୟ ଅନୁରୋଧ କରିଥିଲା ନିବୃତ୍ତ ହେବାକୁ ।

 

ହସିଦେଇ ଅବିନାଶବାବୁ କହିଲେ–ସାଧୁଜନୋଚିତ ଅନେକ ଧର୍ମ ଉପଦେଶ ସେ ସେତେବେଳେ ଦେଉଥିଲା । ତା’ପରେ–

 

ଆଉଥରେ ହସିଲେ ଅବିନାଶବାବୁ । କହିଲେ–ସାଧୁର ଛଦ୍ମବେଶ ତା’ ଜୀବନରୁ ଖସି ପଡ଼ିଗଲା । ସେ ତା’ ଆଡ଼କୁ ଆକୃଷ୍ଟ ହେଲା । ଏବଂ ଉନ୍ମତ୍ତ ହୋଇଉଠିଲା । ଚମ୍ପା ନିକଟରେ ବିବାହ–ପ୍ରସ୍ତାବ ସୁଦ୍ଧା ଦେଇଥିଲା ସେ । ସାମୟିକ ଭାବରେ ଚମ୍ପା ବି ତା’ ଆଡ଼କୁ ଆକୃଷ୍ଟ ହେଲା । ସାନଭାଇ ମୃତ ଖଗେନ୍ଦ୍ର ସେତେବେଳେ ବଡ଼ଭାଇଙ୍କୁ ଘରୁ ଚାଲିଯିବାକୁ କହିଲା । ସନ୍ୟାସୀ ହୋଇ ବଡ଼ ଭାଇ ଯେତେବେଳେ ଗୃହତ୍ୟାଗ କରିଥିଲା ଏବଂ ବାପର ମୃତ୍ୟୁଶଯ୍ୟାରେ ନିଜ ମୁହଁରେ କହିଥିଲା ଯେ, ସେ ଗୃହଧର୍ମ ଆଚରଣ କରିବନାହିଁ, ସାନଭାଇକି ମଣିଷ କରିଦେଇ ସେ ପୁଣି ଚାଲିଯିବ, ସେତେବେଳେ ପୈତୃକ ଜମିଜମା ଉପରେ ତା’ର କୌଣସି ଅଧିକାର ନାହିଁ । ସବୁ ସମ୍ପତ୍ତିର ମାଲିକ ସେ ଏକା; କିନ୍ତୁ ଆସାମୀ ନଗେନ୍ଦ୍ର ସେତେବେଳେ ସେ କଥା ଅସ୍ୱୀକାର କଲା । କହିଲା, ମୁହଁର କଥାର ମୂଲ୍ୟ କ’ଣ ? ପ୍ରକାଶ୍ୟରେ ହିଁ ସେ କହିଥିଲା ଯେ ସେ ମନ ଆଉ ତା’ର ନାହିଁ । କହିଥିଲା, ତୋରି ପାଇଁ ମତେ ସଂସାରରେ ରହିବାକୁ ପଡ଼ିଛି; ସେହି ସଂସାର ଆଜି ମତେ ଜାବୁଡ଼ି ଧରିଛି । ତୋରି ସକାଶେ ମତେ ଚମ୍ପାର ସଂଶ୍ରବକୁ ଆସିବାକୁ ହୋଇଛି । ତୁଇ ମତେ ଚମ୍ପାର ମୋହକୁ ଠେଲି ପକାଇଦେଇଛୁ । ଆଜି ମୁଁ ଚମ୍ପାକୁ ବୈଷ୍ଣବ କରି ମାଳାଚନ୍ଦନ ଦେଇ ଆଖଡ଼ା କରିବି । ଆଜି ମତେ ସମ୍ପତ୍ତି ଭାଗଟା ପାଇବାକୁ ହିଁ ପଡ଼ିବ, ମୁଁ ନେବି ।

 

ବିରୋଧର ଗୋଟିଏ ଜଟ ସହିତ ଆଉ ଗୋଟିଏ ଜଟ ଯୁକ୍ତ ହୋଇ ରୂଢ଼ତର ଓ କଠିନତର ହୋଇଉଠିଲା । ତା’ର ପରିଣତିରେ ଏହି ଘଟନା ଘଟିଲା । ସମ୍ପତ୍ତି ନେଇ ବିରୋଧରେ ଗ୍ରାମର ପାଞ୍ଚଜଣଙ୍କ ମୀମାଂସାରେ ଶେଷକୁ ସ୍ଥିର ହେଲା ଯେ, ନଗେନ୍‌ ବାପା ପାଖରେ ମୁହଁରେ ଯାହା କହିଥାଉ ପଛକେ, ଯେତେବେଳେ ସେ ବିଷୟ କିଛି ଲେଖାପଢ଼ା କରାଯାଇନାହିଁ ଏବଂ ବାପା ଯେତେବେଳେ ନିଜେ ଏକଥା କହିନି ବା ଉଇଲ୍‌ କରିଯାଇନି ଯେ ତା’ର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଏକମାତ୍ର ଖଗେନ୍ଦ୍ର ହେବ, ସେତେବେଳେ ନଗେନ୍ଦ୍ର ଅବଶ୍ୟରେ ସମ୍ପତ୍ତିର ଅଂଶ ପାଇବ । ପ୍ରାୟ ସବୁ ଜମି ଭାଗ ହେଇଯାଇ ଖାଲି ଖଣ୍ଡେ ଜମି ବାକି ଥିଲା । ପଞ୍ଚ କହିଥିଲେ, ଦିହେଁ ମିଶି ମାପକରି ମଝିରେ ବନ୍ଧ ପକାଇଦେବେ । ସେହି ଜମିଟିକୁ ମାପ କରି ଭାଗ କରିବାପାଇଁ ହିଁ ଦୁଇଭାଇ ଘଟନାଦିନ ନଦୀର ଅପରପାର୍ଶ୍ୱକୁ ଯାଇଥିଲେ । ଏଠାରେ ଗୋଟିଏ କଥା କହିବାର ପ୍ରୟୋଜନ ଅଛି । ଜଣେ ବନ୍ଧୁ ସହିତ ମିଶି ଭାଗରେ ଖଗେନ୍ଦ୍ରର ପାନ–ବିଡ଼ିର ଦୋକାନଟିଏ ଥିଲା-। ସେ ସେହି ଦୋକାନରେ ହିଁ ରହୁଥିଲା । ନଗେନ୍ଦ୍ର ଆସି ଖଗେନ୍ଦ୍ରକୁ ଡାକିବ ଏବଂ ଦୁଇଭାଇ ସେପାରିକୁ ଯିବେ; କିନ୍ତୁ ନଗେନ୍ଦ୍ର ଆସିଲାନାହିଁ ଡେରି ହେଲା । ସେତେବେଳେ ଖଗେନ୍ଦ୍ର ଯାଇ ନଗେନ୍ଦ୍ରକୁ ଡାକିଲା । ନଗେନ୍ଦ୍ରର ମନଭିତରେ ସେତେବେଳକୁ ଏହି ପ୍ରବୃତ୍ତି ଜାଗ୍ରତ ହେଲାଣି ବୋଲି ମୋର ବିଶ୍ୱାସ । ସେତେବେଳକୁ ଗୋଟାଏ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି–ଏହି ସୁଯୋଗରେ ଯଦି କଣ୍ଟା କାଢ଼ି ଦେଇପାରିବି, ତାହେଲେ ମନ୍ଦ କ’ଣ ? ପୁଣି ଭୟ–ମାୟା–ମମତା ସେମାନେ ବି ସ୍ୱାଭାବିକ ଭାବରେ ବାଧାଦେଇ ଚାଲିଥିଲେ ପ୍ରାଣପଣ ଶକ୍ତିରେ । ସ୍ନେହ, ଦୟା ପ୍ରଭୃତି ମାନବିକ ପ୍ରବୃତ୍ତିଗୁଡ଼ିକ ସେତେବେଳକୁ ଶଙ୍କିତ ହୋଇଉଠିଲେଣି । ସେହି ନଦୀରେ ଭାଇକି ଏକାକୀ ପାଇବାର ସୁଯୋଗ ଆସିଲାକ୍ଷଣି ଅନ୍ତରର ଗୁହାଦ୍ୱାରରେ ପ୍ରତୀକ୍ଷମାଣ ହିଂସା ଯେ ହୁଙ୍କାର ଦେଇ ଝାମ୍ପିପଡ଼ିବ, ସେ ତାହା ବୁଝିପାରିଥିଲା । ସେହି କାରଣରୁ ହିଁ ନଗେନ୍ଦ୍ର ଘରୁ ବାହାରିନଥିଲା । ସେ ନିଜେ ଖଗେନ୍ଦ୍ରକୁ ଡାକିବା କଥା ଥିଲା । ଖଗେନ୍ଦ୍ରର ଦୋକାନର ଅଂଶୀଦାର ବନ୍ଧୁଠାରୁ ଆମେ ଏକଥାର ପ୍ରମାଣ ପାଇଛୁ । ଖଗେନ୍ଦ୍ରର ଦୋକାନର ଅଂଶୀଦାର ବନ୍ଧୁଟି କହିଛି, ଚମ୍ପା ଏବଂ ନଗେନ୍ଦ୍ରର ବ୍ୟବହାରରେ ସେତେବେଳକୁ କ୍ଷୋଭ ଓ ଅଭିମାନରେ ଖଗେନ୍ଦ୍ର ପ୍ରାୟ ପାଗଳ । ରାଗ ଓ ଅଭିମାନରେ ସେ ପ୍ରତିଜ୍ଞା କରିଥିଲା, ସେ ଆଉ ଏ ଗାଁରେ ରହିବନି । ସମ୍ପତ୍ତି ଭାଗ କରିଦେଇ ସବୁ ବିକିଦେଇ ଯେତେଶୀଘ୍ର ପାରେ ସେ ଅନ୍ୟସ୍ଥାନକୁ ଚାଲିଯିବ । ସେଦିନ ସକାଳେ ଦୋକାନର ଅଂଶକୁ ବନ୍ଧୁକୁ ବିକ୍ରି କରିଦେଇଥିଲା ଖଗେନ୍ଦ୍ର ଏବଂ କହିଥିଲା ନଦୀ ସେପାରିର ସେହି ଜମିଟା ଭାଗ ହୋଇଗଲେ ସେ ଏ ଗାଁ ଛାଡ଼ିଦେଇ ପ୍ରଥମେ ଯିବ ନଦୀ ସେପାରିର ଗାଁକୁ । ସେଠାରେ ରହି ଜମିବାଡ଼ିତକ ନଗେନ୍ଦ୍ରର କେଉଁ ଶତ୍ରୁକୁ ବିକ୍ରି କରିଦେଇ ଦେଶଛାଡ଼ି ଚାଲିଯିବ । ସେଇଥିପାଇଁ ସେ ନଗେନ୍ଦ୍ରକୁ ଅଧୀର ହୋଇ ଅପେକ୍ଷା କରିଥିଲା; କିନ୍ତୁ ନଗେନ୍ଦ୍ର ଆସିଲାନାହିଁ ଦେଖି ବିରକ୍ତ ହୋଇ ଘରପର୍ଯ୍ୟନ୍ତ ଯାଇ ନଗେନ୍ଦ୍ରକୁ ଡାକିଆଣିଲା । ନଈଘାଟକୁ ଯିବା ରାସ୍ତାରେ ଥିଲା ସେହି ଦୋକାନଟି । ଖଗେନ୍ଦ୍ରର ସେହି ସାଙ୍ଗ କହିଲା–ସେପାରିକୁ ଯିବାପାଇଁ ବାହାରି ଦୋକାନ ପର୍ଯ୍ୟନ୍ତ ଆସି ସୁଦ୍ଧା ନଗେନ୍ଦ୍ର କହିଥିଲା, ଖଗେନ୍ଦ୍ର ଆଜି ଥାଉ । ମୋ ଦେହଟା ଆଜି ଭଲଲାଗୁନି । ଆଉ ଏକଥା ମଧ୍ୟ କହିଥିଲା, ଆଜି ଦି’ପହରଟା ଭଲ ନୁହେଁ, ବୃହସ୍ପତିବାରର ବାରବେଳା, ତା’ପରେ ପୁଣି କିମିତି ଗମ୍‌ ଗମ୍‌ କରୁଛି । ଚୈତ୍ରମାସର ଶେଷ, ଝଡ଼ ପବନ ହେବ ଯଦି ତତେ ଧରି ହଇରାଣ ହୋଇଯିବି-

 

ଖଗେନ୍ଦ୍ର ଭଲରୂପେ ପହଁରା ଜାଣିନଥିଲା; କିନ୍ତୁ ସେଦିନ ସେ କହିଥିଲା, ନା । ଆଉ ତମସଙ୍ଗେ ସମ୍ପର୍କ ମୁଁ ରଖିବିନି । ସେଇ ଜମିଟାର ବନ୍ଧଟା ପକେଇଦେଲେ ସାତଟା ଦଉଡ଼ିର ଶେଷଟା କଟିଯିବ । ଆଜି ଯେକୌଣସିମତେ ସାରିବାକୁ ହିଁ ପଡ଼ିବ ।

 

ଦୀର୍ଘନିଃଶ୍ୱାସ ପକାଇ ନଗେନ୍ଦ୍ର କହିଥିଲା, ଚାଲେ ।

 

ୟାଭିତରେ ଥିବା ଇଙ୍ଗିତଟି ଯେପରି ସ୍ପଷ୍ଟ । ତା’ର ବର୍ବର ପ୍ରକୃତି ନିକଟରେ ସେତେବେଳକୁ ସେ ଅସହାୟ ହୋଇପଡ଼ିଛି, ଦୀର୍ଘନିଃଶ୍ୱାସଟି ତହିଁର ଚିହ୍ନ ଏବଂ ପରବର୍ତ୍ତୀ ଘଟନା, ଯାହା ଏଥିପୂର୍ବରୁ ମୁଁ ବିଶଦ ଭାବରେ ବର୍ଣ୍ଣନା କରିଛି, ସେଇୟା ଘଟିଛି । ଜଳମଗ୍ନ ଅବସ୍ଥାର ସୁଯୋଗ ପାଇ ବର୍ବର ପ୍ରବୃତ୍ତିର ତାଡ଼ନାରେ ଏହି ନୃଶଂସ ହତ୍ୟାକାଣ୍ତ ଘଟାଇଛି ସେ ।

 

ସେପଟେ ବାହାରେ ପିଟା ଯାଉଥିବା ଘଣ୍ଟାରେ ଗୋଟାଏ ବାଜିଲା । କୋର୍ଟର ଘଡ଼ିଟା ତା’ଠାରୁ ଦୁଇମିନିଟ୍‌ ସ୍ଲୋ ।

 

ଜ୍ଞାନବାବୁ ଉଠିପଡ଼ିଲେ ।

 

ଶରୀର ଆଜି ଅତ୍ୟନ୍ତ ଅବସନ୍ନ । କାଲି ରାତ୍ରି ଜାଗରଣର କ୍ଳାନ୍ତି ଯୋଗୁ ସାରାଦେହଟା ଭାରି ହୋଇଯାଇଛି । ମୁଣ୍ତ ଝିମ୍‌ ଝିମ୍‌ ହେଉଛି । ନିଜ କପାଳରେ ହାତ ବୁଲାଇଆଣି ଆଖି ବନ୍ଦକରି ଶୋଇରହିଲେ ସେ ।

 

ଅର୍ଦ୍ଦଳି ଟେବୁଲ୍‌ ପକାଇଦେଇ ଗଲା । ମୃଦୁ ଶବ୍ଦରେ ଆଖି ବନ୍ଦକରି ସୁଦ୍ଧା ଅନୁମାନ କଲେ ସେ । ଆଖି ବନ୍ଦ ରଖି ହିଁ କହିଲେ, ଖାଲି ଟୋଷ୍ଟ୍ ଆଉ କଫି । ଆଉ କିଛି ଦରକାର ନାହିଁ ।

 

ସକାଳେ ଉଠିଲାବେଳୁ ଏଇଟା ସେ ଅନୁଭବ କରିଛନ୍ତି । ସୁରମାଙ୍କ ଦୃଷ୍ଟି ତୀକ୍ଷ୍‌ଣ । ସେ ମଧ୍ୟ ଲକ୍ଷ୍ୟ କରିଛନ୍ତି । କହିଥିଲେ, ତମ ଦେହଟା ଯେ ଖରାପ ହେଲା ।

 

ସେ ସ୍ୱୀକାର କଲେନାହିଁ । କହିଥିଲେ–ନାଃ । ଦେହ ଠିକ୍‌ ଅଛି । ତେବେ ରାତି ଚେତା ରହିବାର କ୍ଳାନ୍ତି କୁଆଡ଼େ ଯିବ ? ସେଥିର ଗୋଟାଏ ଛାପ ତ ନିଶ୍ଚୟ ପଡ଼ିବ । ତମ ମୁହଁ ଉପରେ ବି ତାହା ପଡ଼ିଛି ।

 

ହସିଥିଲେ ସେ ।

 

–ତା’ଛଡ଼ା କାଲି ଉପରଓଳି ସେହି ନିଆଁ ଲାଗିବାଟା– !

 

–ଓଃ ! ଗାଧୋଇ ପକାଇଲେ ସବୁ ଠିକ୍‌ ହୋଇଯିବ ।

 

କହିସାରି ସେ ଫାଇଲ୍‌ଟା ଟାଣିନେଇଥିଲେ ଏବଂ ଯାହା ସେ ପ୍ରତ୍ୟାଶା କରିଥିଲେ ତାହାହିଁ ଘଟିଥିଲା; ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ସୁରମା ଚାଲିଯାଇଥିଲେ । ଫାଇଲ୍‌ ଖୋଲି ବସିବାର ଅର୍ଥ ହିଁ ହେଲା ସେଇୟା ।

 

–ପ୍ଳିଜ ସୁରମା, ବର୍ତ୍ତମାନ ମତେ କାମ କରିବାକୁ ଦିଅ ।

 

ସୁମତି ଯାଏନାହିଁ; କିନ୍ତୁ ସୁରମା ଚାଲିଯାଆନ୍ତି । ଏ କର୍ତ୍ତବ୍ୟର ଗୁରୁଦାୟିତ୍ୱ ସୁରମାଠାରୁ ଅଧିକ କିଏ ବୁଝିବ ? ସୁରମା ବିଚାରକଙ୍କ କନ୍ୟା; ବିଚାରକଙ୍କ ସ୍ତ୍ରୀ ଏବଂ ନିଜେ ବି ଶିକ୍ଷିତା ଝିଅ । ସୁମତିକୁ ଶେଷପର୍ଯ୍ୟନ୍ତ କହିବାକୁ ପଡ଼ୁଥିଲା–ମତେ କାମ କରିବାକୁ ଦିଅ ! ଇମିତି କଲେ ଶେଷକୁ ମୋ ଚାକିରି ଖଣ୍ତକ ଚାଲିଯିବ ।

 

ସୁମତି ରାଗି ଚାଲିଯାଉଥିଲା ।

 

ସୁମତିର ପ୍ରକୃତି କଥା ଭାବିବାକୁ ହିଁ ସେ ଫାଇଲ୍‌ ଟାଣି ନେଇଥିଲେ । ନହେଲେ ଫାଇଲ୍‌ ଦେଖିବାର ଜରୁରି ତାଗିଦା କିଛି ନଥିଲା । ଅସଲକଥା ଗତରାତିର ସେହି ଚିନ୍ତାର ସ୍ରୋତ ତାଙ୍କ ମସ୍ତିଷ୍କ ଭିତରେ ଅବରୁଦ୍ଧ ଜଳସ୍ରୋତ ଭଳି ଆବର୍ତ୍ତିତ ହେଉଥିଲା । ସତ୍ୟ ପରେ ସତ୍ୟର ନବପ୍ରକାଶ ନୂତନ ଜଳସ୍ରୋତ ପରି ଆସି ଗତିବେଗ ସଞ୍ଚାରିତ କରୁଥିଲା; କିନ୍ତୁ ସମୟ ଅଭାବରୁ ସମ୍ମୁଖପଥରେ ଅଗ୍ରସର ହୋଇପାରିନଥିଲା । କ୍ଳାନ୍ତିରେ ଅବସନ୍ନ ହୋଇ ସେ ଶୋଇପଡ଼ିଥିଲେ । କିନ୍ତୁ ଆଶ୍ଚର୍ଯ୍ୟ, ସ୍ୱପ୍ନ ଭିତରେ ସୁମତି ଥରଟିଏ ସୁଦ୍ଧା ଆସି ଆଗରେ ଠିଆ ହୋଇନାହିଁ । କିନ୍ତୁ ସକାଳେ ନିଦ ଭାଙ୍ଗିଲାକ୍ଷଣି ସର୍ବାଗ୍ରେ ମନରେ ଭାସିଉଠିଛି ସୁମତିର ମୁହଁ । ଆଶ୍ଚର୍ଯ୍ୟ ! ଅବଚେତନରେ ନୁହେଁ, ସଚେତନ ମନର ଦୁଆର ଖୋଲି ଚୈତନ୍ୟ ଭିତରେ ଆସି ଠିଆହେଉଛି ସେ । ସୁମତିକି ଅବଲମ୍ୱନ କରି ହିଁ ଗତକାଲିର ଅସମାପ୍ତ ଚିନ୍ତାଟା ମନରେ ଉଦୟ ହେଲା । ମନେପଡ଼ିଯାଇଥିଲା, ଲାଇଫ୍‌ ଫୋର୍ସର, ପ୍ରାଣଶକ୍ତିର ଜୀବନ–ସଙ୍ଗୀତ ଶୁଣିଥିଲେ କାଲି ସେହି କଳ୍ପନାର କଳରବ ଭିତରେ ସେ ଝରଝର ଶବ୍ଦ ଏବେ ବି ତାଙ୍କ କାନରେ ବାଜୁଛି । ସେ ଏକ ବିନ୍ଦୁ ହିଁ ହେଉ ବା ବିପୁଳ ବିଶାଳ ହିଁ ହେଉ, ଆକାଙ୍‌କ୍ଷା ତା’ର ବିଶ୍ୱଗ୍ରାସୀ । କିନ୍ତୁ ଶକ୍ତିର ପରିମାଣ ଯେଉଁଠି ଯେତିକି, ପାଇବାର ପରିମାଣ ତା’ର ସେତିକିରେ ହିଁ ନିର୍ଦ୍ଦିଷ୍ଟ, ତାଠାରୁ ଏକକଣା ବି ବେଶି ନୁହେଁ । ବ୍ରହ୍ମା–କମଣ୍ତଳୁର ସ୍ୱଳ୍ପ ପରିମାଣ, ହୁଏତ ସେରେ ବା ପାଞ୍ଚପା’ ପାଣି, ଗୋମୁଖୀରୁ ବାହାରି ସମଗ୍ର ଆର୍ଯ୍ୟାବର୍ତ୍ତକୁ ଭସାଇ ବଙ୍ଗୋପସାଗରରେ ଆସି ମିଶିଛି ତା’ର ବିଷ୍ଣୁଚରଣରୁ ଉଦ୍‌ଭବ ମହିମାର ଗୁଣରେ ଓ ଭାଗ୍ୟରେ, ସୁମତି ମୁହଁରୁ ଏକଥା ଶୁଣି ସେ ହସୁଥିଲେ । କହୁଥିଲେ, ସେ କଥା ସମ୍ଭବ ନୁହେଁ ସୁମତି, ଏକ କମଣ୍ତଳୁ ପାଣି ଢାଳିଦେଇ ଦେଖୁନ କେତେଦୂର ଯାଉଛି !

 

ସୁମତି ରାଗେ, ତାଙ୍କୁ କହେ ଅଧାର୍ମିକ, ଅବିଶ୍ୱାସୀ ।

 

ପ୍ରଥମେ କଥାଟା ପଡ଼ିଥିଲା ଦାର୍ଜିଲିଙ୍ଗ୍‌–ବସ୍‌ରେ ।

 

ଜ୍ଞାନେନ୍ଦ୍ର ନାଥ ସୁମତିକି ହିମାଳୟର ମସ୍ତକର ତୁଷାର ପ୍ରାଚୀର ଦେଖାଇ ସୁଦ୍ଧା କଥାଟା ବୁଝାଇପାରିନଥିଲେ । ଅବୁଝ ଶକ୍ତିର ଦାବି ଠିକ୍‌ ସୁମତିର ପରି ବିଶ୍ୱଗ୍ରାସୀ । ସେ ଦାବି ପୂର୍ଣ୍ଣ ହୁଏନାହିଁ । ବେଦନା ଭିତରେ ହିଁ ତା’ର ବିଲୁପ୍ତି ଅବଶ୍ୟମ୍ଭାବୀ, ପ୍ରକୃତିର ଅମୋଘ ନିର୍ଦ୍ଦେଶ ନିଆଁ, ପାଣି, ପବନ–ଏମାନେ ଲଢ଼େଇ କରି ନିଜକୁ ଶେଷ କରି ସ୍ଥିର ହୁଅନ୍ତି–ଜୀବନ ଚିତ୍କାର କରି କାନ୍ଦି ମରେ, ଜାନୁଆର୍‌ ଚିତ୍କାର କରି ଜଣେଇଦେଇ ଯାଏ; ମନୁଷ୍ୟ ବାହୁନି ବାହୁନି କାନ୍ଦେ, ଅଭିଶାପ ଦିଏ । ଅବଶ୍ୟ ପ୍ରକୃତିର ମୌଳିକ ଧର୍ମକୁ ପଛକୁ ପକାଇ ମନୁଷ୍ୟ ନିଜର ଗୋଟାଏ ଧର୍ମ ଆବିଷ୍କାର କରିଛି । ବିଚିତ୍ର ତା’ର ଧର୍ମ, ବିସ୍ମୟକର । ମୃତ୍ୟୁ ଯନ୍ତ୍ରଣା ମଧ୍ୟରେ ସୁଦ୍ଧା ତୃଷାର୍ତ୍ତ ମଣିଷ ନିଜ ମୁହଁ ଆଗରେ ତୋଳି ଧରାଯାଇଥିବା ଜଳପାତ୍ରଟିକୁ ଅନ୍ୟ ତୃଷାର୍ତ୍ତର ମୁହଁକୁ ଟେକିଦେଇ କହେ, ‘ଦାଇ ନୀଡ୍‌ ଇଜ୍‌ ଗ୍ରେଟର୍‌ ଦେନ୍‌ ମାଇନ୍‌’ (Thy need is greater than mine.) । ଏହିପରି ଲକ୍ଷ ଲକ୍ଷ ଘଟନା ଘଟିଛି । ନିତି ଘଟୁଛି, ଅହରହ ଘଟୁଛି । କିନ୍ତୁ ଏ ମହାସତ୍ୟକୁ କିଏ ଅସ୍ୱୀକାର କରିବ ଯେ, ଯେଉଁ ମରଣୋନ୍ମୁଖ ତୃଷ୍ଣାର୍ତ୍ତ ନିଜ ମୁହଁ ଆଗର ଜଳକୁ ଅନ୍ୟକୁ ଦେଇଥିଲା, ତା’ର ତୃଷ୍ଣାର୍ତ୍ତ ଯନ୍ତ୍ରଣାର ଆଉ ସୀମା ନଥିଲା । ସେଠାରେ ପ୍ରକୃତିର ଧର୍ମ ଅମୋଘ । ଲଙ୍ଘନ କରାଯାଇପାରେନା । ମନୁଷ୍ୟର ଜୀବନରେ ସେହି ତ ଦ୍ୱନ୍ଦ୍ୱ, ସେହି ତ ସଂଗ୍ରାମ, ସେହିଠାରେ ହିଁ ତ ତା’ର ନିଷ୍ଠରୁ ଯନ୍ତ୍ରଣା । ପ୍ରକୃତି–ଧର୍ମଦ୍ୱାରା ଦିଆହୋଇଥିବା ଶାସ୍ତି ! ହଠାତ୍‌ ଜ୍ଞାନେନ୍ଦ୍ରନାଥ ଆଖି ଖୋଲି ବିସ୍ଫାରିତ ଦୃଷ୍ଟିରେ ଆଗକୁ ଚାହିଁଲେ । ସେହିପରି ଚାହିଁ ରହିଲେ ।

 

ନା । ଖାଲି ତ ସେହି ଟିକକ ନୁହେଁ । ଆହୁରି ତ ପୁଣି ଅଛି । ସେହି ତୃଷ୍ଣାର୍ତ୍ତ ମୃତ୍ୟୁଯନ୍ତ୍ରଣା ସଙ୍ଗେ ଆହୁରି ତ କିଛି ଅଛି । ଯେଉଁ ମରଣୋନ୍ମୁ‌ଖ ତୃଷ୍ଣାର୍ତ୍ତ ତା’ର ମୁହଁର ଜଳ ଅନ୍ୟକୁ ଦେଇ ମରିଯାଏ, ତା’ ମୁହଁର ଏକ କ୍ଷୀଣ ପ୍ରସନ୍ନ ହାସ୍ୟରେଖା ସେ ଯେପରି ସେହି ବିସ୍ଫାରିତ ଦୃଷ୍ଟିରେ ପ୍ରତ୍ୟକ୍ଷ ଭାବରେ ଦେଖିପାରୁଛନ୍ତି ।

 

ଗତ ରାତିରେ ସଦ୍ୟ–ଦେଖା ନଦୀର ବେରେଜ୍‌ଟା କଥା ମନେପଡ଼ିଗଲା । ବେରେଜ୍‌ଟାର ସେପାଖରେ ବିରାଟ ରିଜର୍ଭୟରେ ପାଣି ଜମି ଢଳ ଢଳ ହେଉଛି । ଦେଖିଲେ ମନେହେଉଛି ସ୍ଥିର; କିନ୍ତୁ ପ୍ରଚଣ୍ତ ନିମ୍ନାଭିମୁଖୀ ଗତିର କି ବେଗରେ ସେ ସେହି ଗାନ୍ଥେଣିଟାକୁ ନ ଠେଲୁଛି । ବେରେଜ୍‌ଟାର ଜମାଟ ଅଣୁ–ଅଣୁରେ ତା’ର ଚାପ ଯାଇ ପହଞ୍ଚୁଛି । ସର୍ବାଙ୍ଗରେ କ୍ଷତ ରହିଛି ।

 

ଜୀବନ ବାଗ୍‍ମୟ । ତେବେକେ ଜୀବନକୁ ଏ କ୍ଷତ ଏ ଚାପ ନିଃଶବ୍ଦରେ ସହିବାକୁ ପଡ଼େ । ଚୌଚିର ହୋଇ ଫାଟିଯିବାକୁ ଚାହେଁ । ତେବେକେ ସେ ସହ୍ୟ କରେ ।

 

X X X

 

ଅର୍ଦ୍ଦଳି ଟ୍ରେ ଆଣି ରଖିଦେଲା ।

 

ଜ୍ଞାନେନ୍ଦ୍ରନାଥ କହିଲେ–କଫି କର । କଣ୍ଟା–ଛୁରି ଘୁଞ୍ଚାଇ ରଖି ହାତରେ ଟୋଷ୍ଟ୍‌ ଉଠାଇନେଲେ । ଆଜି ସକାଳୁ ପ୍ରାୟ ଅନାହାରରେ ହିଁ ଅଛନ୍ତି ସେ । ଭୋକ ନ ଥିଲା । ରାତିରେ ଫେରିଆସି ଖାଇଲା ବେଳକୁ ସାଢ଼େ ବାରଟା ବାଜିଯାଇଥିଲା । ତା’ପରେ ବି ଘଣ୍ଟାଏ ଖଣ୍ଡେ ଚେତା ରହି ବସି ବସି କଟାଇଥିଲେ । ଏହି ଚିନ୍ତା ଭିତରେ ହିଁ ମଗ୍ନ ଥିଲେ । ଥରେ ଚିନ୍ତା ଜାଗ୍ରତ ହେଲେ ତା’ଠାରୁ ଆଉ ମୁକ୍ତି ନାହିଁ । ଏ ଦେଶର ଶାସ୍ତ୍ରକାରମାନେ କହିଛନ୍ତି, ଚିନ୍ତା ଅନିର୍ବାଣ ଚିତା ପରି । ସେ ଦହନ କରେ । ଉପମାଟି ଚମତ୍କାର । ତେବେକେ ତାଙ୍କୁ ବେଶି ଭଲ ଲାଗେନାହିଁ । ସେ ଚିତା ବୋଲି କହନ୍ତି ନାହିଁ । ପ୍ରାଣ ହିଁ ବହ୍ନି, ବସ୍ତୁଜଗତର ଘଟଣା ଗୁଡ଼ିକ ତା’ର ସମିଧ, ଚିନ୍ତା ତା’ର ଶିଖା-। ଚିନ୍ତା ହିଁ ତ ଚୌତନ୍ୟକୁ ପ୍ରକାଶ କରେ । ଚୈତନ୍ୟ ସେହି ଶିଖାର ଦୀପ୍ତଜ୍ୟୋତି । ନିଜକୁ ସ୍ୱପ୍ରକାଶ କରେ, ନିଜ ଆଲୋକରେ ବିଶ୍ୱରହସ୍ୟକୁ ଉଦ୍‌ଘାଟିତ କରେ । ଯେଉଁମାନେ ଗୁହାରେ ବସି ତପସ୍ୟା କରନ୍ତି, ସେମାନଙ୍କର ଆହାର ସମ୍ପର୍କରେ ଉଦାସୀନତାର ମର୍ମଟା ଉପଲବ୍‌ଧି ସେ କରନ୍ତି । ରାତ୍ରି ଜାଗରଣ ଫଳରେ ଦେହଟା କ’ଣ ତାଙ୍କର ଭାରି ଖରାପ ହୋଇଯାଇଥିଲା-? ନା, ତା’ ହେଇନି । ଅବଶ୍ୟ ଟିକିଏ ଅନୁଭବ କରିଥିଲେ, ସାରାରାତି ପାତଳନିଦ ଭିତରେ ବି ଏହି ଚିନ୍ତା ତାଙ୍କ ମନଭିତରେ ବିଚିତ୍ର ଦୁର୍ବୋଧ୍ୟ ସ୍ୱପ୍ନ ଆକାରରେ ଘୂରିଛି । ପୁଣି ସକାଳେ ହିଁ ସେ ଚିନ୍ତା ଧୂମାୟିତ ଅବସ୍ଥାରୁ ପୁଣି ଜଳିଉଠିଛି । ତାରି ଭିତରେ ସେ ଏତେ ନିମଗ୍ନ ହୋଇ ରହିଥିଲେ ଯେ ଖାଇବାକୁ ଇଚ୍ଛା ହୋଇନି । ଟୋଷ୍ଟ ଖାଇବାକୁ ଭଲ ଲାଗୁଛି । ଟୋଷ୍ଟ ତାଙ୍କର ପ୍ରିୟ ଖାଦ୍ୟ, ଆଜି ନୁହେଁ, ସେହି କଲେଜ ଜୀବନରୁ । ପ୍ରଥମ ମୁନ୍‌ସଫି ଜୀବନରେ ସକାଳେ ଉପରଓଳି ଘରେ ଟୋଷ୍ଟ୍‌ର ବ୍ୟବସ୍ଥା ଅନେକ କଷ୍ଟ କରି ସୁଦ୍ଧା ସେ କରିପାରିନାହାନ୍ତି । ସୁମତି କୌଣସିମତେ ପସନ୍ଦ କରିପାରୁନଥାଏ । ସେ ଲୋଡ଼ୁଥାଏ ଲୁଚି–ତରକାରି, ତରକାରି ଭିତରେ ଆଳୁଦମ୍‌-। ତାକୁଇ ସ୍ୱୀକାର କରିନେଇଥିଲେ ସେ । ସୁରମା ସୁମତିର ଏହି ରୁଚିବାଇର ନାଁ ଦେଇଥିଲା ଟୋଷ୍ଟେଫ୍ଳୋରିଆ । ଏହାକୁ ଉପଲକ୍ଷ୍ୟ କରି ମଧ୍ୟ ସେ ସୁମତିକି ବହୁତ ଚିଡ଼େଇଛି-। ସେ ଦୁହିଁଙ୍କୁ ତାହା ଖାଇବା ପାଇଁ ନିମନ୍ତ୍ରଣ କରି ତାଙ୍କୁ ଦିଏ ଟୋଷ୍ଟ୍‌, ଅଣ୍ଡା, କେକ୍‌, ଚା । ସୁମତିକି ଦେଉଥାଏ ନିମ୍‌କି, କଚୁରି, ମିଠା । ସୁମତି ମନେମନେ କ୍ରୂଦ୍ଧ ହୁଏ; କିନ୍ତୁ ମୁହଁରେ କିଛି କହିପାରେନି । ସୁମତିର ଅନେକ ସଂସ୍କାର ଥିଲା । ଜାତି–ଧର୍ମରେ ତା’ର ପ୍ରଚଣ୍ଡ ବିଶ୍ୱାସ ଥିଲା ଏବଂ ସେହି ସୂତ୍ରରେ ତା’ର ଧାରଣା ଥିଲା ଯେ, ଖାଦ୍ୟରେ ଯାହାର ବିଧର୍ମୀର ରୁଚି ରହିଛି, ମନଃପ୍ରାଣରେ ବି ସେ ବିଧର୍ମର ଅନୁରାଗୀ । କେତେଦିନ ସେ କହିଛି, ଖାଇ ମଣିଷ ବଞ୍ଚେ, ଜନ୍ମହେଲାକ୍ଷଣି ସର୍ବାଗ୍ରେ ଖାଇବାକୁ ଚାହେଁ । ସେହି ଖାଦ୍ୟ ଯଦି ଏ ଦେଶର ପସନ୍ଦ ନ ହୋଇ ଅନ୍ୟ ଦେଶର ପସନ୍ଦ ହୁଏ ତେବେ ସେ ଲୋକ ଏ ଦେଶ ଛାଡ଼ି ସେ ଦେଶକୁ ନିଶ୍ଚୟ ଚାଲିଯିବ । ଏ ଧର୍ମର ଖାଦ୍ୟ ପସନ୍ଦ ନ ହୋଇ ଅନ୍ୟଧର୍ମର ଖାଦ୍ୟ ଯାହାର ପସନ୍ଦ; ସେ ନିଶ୍ଚୟ ଧର୍ମକୁ ଛାଡ଼ିବ ହିଁ ଛାଡ଼ିବ । ମୁଁ ଜାଣେ ନିଜର କିଛି ତମର ପସନ୍ଦ ହେଉନି । ଧର୍ମ ନୁହେଁ, ଖାଦ୍ୟ ନୁହେଁ, ମୁଁ ନୁହେଁ । ସେଇଥିପାଇଁ ମୁଁ ତମର ଦି’ ଆଖିର ବିଷ ହୋଇଛି ।

 

ସୁରମା ଏତେଦୂର ଅନୁମାନ କରିପାରିନି । ସେ ବି ତାକୁ କହିନାହାନ୍ତି, ସୁମତିକୁ ନେଇ ଏହି ଚିଡ଼େଇବାରେ ଖେଳ ଖେଳିବାପାଇଁ ମଝି ମଝିରେ ସାଣ୍ଡଉଇଚ୍‌, କଟ୍‌ଲେଟ, କେକ୍‌, ପୁଡିଂ ତିଆରିକରି ପିଅନ ହାତରେ ସେ ପଠାଇ ଦେଉଥାଏ । ଲେଖି ପଠାଉଥାଏ, ନିଜ ହାତରେ କରିଛି । ଜୋଇଁ ଭଲପାଆନ୍ତି, ସେଇଥିପାଇଁ ପଠାଇଲି । ସାଣ୍ଡ୍ଉଇଚ୍‌ରେ ଚିକେନ୍‌ ଅଛି, କଟ୍‌ଲେଟ୍‌ର ସରୁ ହାଡ଼ ଖଣ୍ଡ ଚିହ୍ନିବାକୁ ଭୁଲ୍‌ ହେବନି । କେକ୍‌ ପୁଡିଂରେ କୁକୁଡ଼ାଡିମ୍ୱ ପଡ଼ିଛି । ତୋର ତ ଫେରେ ଛୁଆଁ ଛୁଇଁର ବାରଣ ଅଛି, ଘରେ ଗୋଟିଏ ଗଉଡ଼ ଠାକୁରର ଛବି ରହିଛି, ସେଥିପାଇଁ ଜଣାଇଲି ।

 

ଅର୍ଦ୍ଦଳି ଚାଲିଗଲାପରେ ସୁମତିର କ୍ରୋଧ ଫାଟିପଡ଼େ ।

 

ଫୋପାଡ଼ି ଦିଏ ସବୁ । ଶୁଚିତାର ଦ୍ୱାହିଦେଇ ଗାଧୋଇପକାଏ ।

 

ସୁରମା ସବୁ ଖବର ସଂଗ୍ରହ କରେ ଏବଂ ଦେଖାହେଲାକ୍ଷଣି ଖିଲି ଖିଲି ହୋଇ ହସେ; କହେ, କିମିତି ?

 

ସେ ବାଧ୍ୟହୋଇ ହସନ୍ତି । ହସିବାକୁ ପଡ଼େ । ନହେଲେ ଜୀବନ ତାଙ୍କର ଅସହ୍ୟ ହୋଇପଡ଼ିଥିଲା ।

 

ବିଚାରୀ ସୁରମା । ଏହିସବୁ ନେଇ ତା’ ମନରେ ଏକ ଗୋପନ ଗ୍ଳାନି ପୁଞ୍ଜିଭୂତ ହୋଇରହିଛି । ମଝିରେ ମଝିରେ ଅଶରୀରିଣୀ ସୁମତି ଯେତେବେଳେ ଆସି ସେ ଦୁହିଁଙ୍କ ମଝିରେ ଠିଆହୁଏ ସେତେବେଳେ ତା’ର ବିବର୍ଣ୍ଣ ମୁହଁକୁ ଦେଖି ସେ ତାହା ବୁଝିପାରନ୍ତି । ସୁମତିର ମୃତ୍ୟୁପାଇଁ କେହି ଦାୟୀ ନୁହଁନ୍ତି, ସୁରମା ସହିତ ସ୍ପଷ୍ଟ କଥାବାର୍ତ୍ତା ସେ ହୁଅନ୍ତି ନାହିଁ; କିନ୍ତୁ ଇଙ୍ଗିତରେ କହନ୍ତି । ସବୁବେଳେ ସେ କହିଛନ୍ତି–ଆଜି ମଧ୍ୟ କହିଛନ୍ତି–ମିଛରେ ନିଜକୁ ପୀଡ଼ନ କରନାହିଁ । ମୁଁ ପୁଙ୍ଖାନୁପୁଙ୍ଖରୂପେ ବିଚାରକରି ଦେଖିଛି । ତେବେକେ ସୁରମାର ମନର ଗ୍ଳାନି ପୋଛିହୋଇ ଯାଏନାହିଁ । ଜ୍ଞାନେନ୍ଦ୍ରନାଥ ଜାଣନ୍ତି, ଅନ୍ତରେ ଅନ୍ତରେ ସୁରମା ନିଜକୁ ହିଁ ପ୍ରଶ୍ନ କରେ । କାହିଁକି ସେ ଏପରି କରିଥିଲା ? ତାକୁ କଷ୍ଟ ଦେଇ କାହିଁକି ଖେଳିବାକୁ ଯାଇଥିଲା ସେ ? ହୁଏତ ସୁମତି ଓ ତାଙ୍କ ମଝିକୁ ଆସି ସେ ଏହି କୌତୁକ–ଖେଳ ଖେଳିବାକୁ ନଯାଇଥିଲେ ସୁମତିର ଏହି ଶୋଚନୀୟ ପରିଣାମ ହୋଇନଥାନ୍ତା । ଆଂଶିକଭାବରେ କଥାଟା ସତ । ନା । ପ୍ରଥମ ଦାୟିତ୍ୱ ସୁମତିର ନିଜର-। ସେ ନିଜେ ହିଁ ନିଆଁ ଲଗାଇଥିଲା, ସୁରମା ସେ ନିଆଁକୁ ଫୁଙ୍କିଥିଲା, ଇନ୍ଧନ ଯୋଗାଇଥିଲା-। ଈର୍ଷାର ନିଆଁ । ସେହି ନିଆଁ ହିଁ ବାହାରେ ଜଳିଉଠିଲା । ସତରେ, ତା’ ମନର ନିଆଁ ସେହି ଟେନିସ୍‌ ଫାଇନାଲ୍‌ ଦିନ ଉଠାଯାଇଥିବା ଫଟୋଗ୍ରାଫ୍‌ଟାରେ ଧରି ତାପରେ ବାହାରେ ବାସ୍ତବରେ ଜଳି ଉଠିଥିଲା । ଟେନିସ୍‌ ଫାଇନାଲ ଜିତିବା ପରେ ଉଠାଇଥିବା ଦୁହିଁଙ୍କର ଛବିଟି । ଦୁହେଁ ଦୁହିଁଙ୍କ ଆଡ଼କୁ ଚାହିଁ ଅଜ୍ଞାତରେ ହସିପକାଇଥିଲେ । ସୁରମାର କପିଟି ସୁରମାର ଘରେ ଟଙ୍ଗା ହୋଇରହିଛି-। ସେହି ଟେନିସ୍‌ ଫାଇନାଲର କେତେଦିନ ପରେ । ଦୋକାନୀ ଫଟୋଗ୍ରାଫ୍‌ଟିକୁ ଯଥାରୀତି ମାଉଣ୍ଟ କରି ପକେଟ୍‌ ବାନ୍ଧି ତିନୋଟି ତାଙ୍କ ଘରକୁ ଓ ତିନୋଟି ଜଜ୍‌ସାହେବଙ୍କ କୋଠିକୁ ସୁରମା ପାଖକୁ ପଠାଇଦେଇଥିଲା । ସେତେବେଳେ ସେ ନିଜେ କୋର୍ଟରେ ଥିଲେ । ସେ ଏବଂ ସୁରମା ଦୁହିଁଙ୍କ ଭିତରୁ କେହି ଜାଣିନଥିଲେ ଯେ, ଛବିରେ ସେମାନେ ପରସ୍ପର ଆଡ଼କୁ ହସ ହସ ମୁହଁରେ ଚାହିଁଦେଇଛନ୍ତି । ଆଖିର ଦୃଷ୍ଟିରେ ଗାଢ଼ ଅନୁରାଗର ବ୍ୟଞ୍ଜନା ଫୁଟିଉଠିଛି । ଜାଣିଥିଲେ ନିଶ୍ଚୟ ସାବଧାନ ହୋଇଥାନ୍ତେ । ଘରକୁ ଫଟୋ ପଠାଇବାକୁ ଫଟୋଗ୍ରାଫରକୁ ମନାକରିଦେଇଥାନ୍ତେ; ହୁଏତ ସେ ଛବିକି କଦାପି ଘର ଭିତରକୁ ପଶାଇନଥାନ୍ତେ-। ଜୀବନର ଭଲପାଇବାର ଦୁର୍ଦ୍ଦମ ବେଗକୁ ସେ ସେହି ନଦୀଟାର ବେରେଜ୍‌ପରି କଠିନ ବନ୍ଧରେ ବନ୍ଧାଇ ଦେଖିଥିଲେ । ପ୍ରକୃତିର ନିର୍ଦ୍ଦେଶରେ ଗତିପଥ ତାଙ୍କର ଯେଉଁଦିଗକୁ ଥିଲା, ସୁରମାର ଦୁଇବାହୁର ଦୁଇ ତଟର ମଧ୍ୟବର୍ତ୍ତୀ ପଥ, ପ୍ରଶସ୍ତ ଏବଂ ନିମ୍ନ ସମତଳଭୂମିର ପ୍ରସନ୍ନତାରେ ଯେଉଁ ପଥ ପ୍ରସନ୍ନ, ସେହିପଥରେ ଛୁଟିଯିବାକୁ ତାଙ୍କୁ ଦେଇନାହାନ୍ତି । ଜୀବନର ସର୍ବାଙ୍ଗରେ ଲୁଣି ଧରି ଦେଇଥିଲା, ଚାରିଫାଳ ହୋଇଯିବାକୁ ଚାହିଁଥିଲା ସେ; କିନ୍ତୁ ତେବେକେ ସେହି ବନ୍ଧନକୁ ଏତିକି ଟିକିଏ ବି ଶିଥିଳ କରିଦେଇନାହାନ୍ତି ସେ । ନଥିଂ ଇମ୍‌ମରାଲ୍‌, ନଥିଂ ଇଲ୍‌ଲିଗାଲ-। ନୀତିର ବିଚାରରେ, ଦେଶାଚାର ଆଇନ୍‌ ସବୁକିଛିର ବିଚାରରେ ସେ ନିରପରାଧ, ନିଦୋଷ ଥିଲେ-। କିନ୍ତୁ ସେ କଥା ବିଶ୍ୱାସ କରିନାହିଁ ସୁମତି । କରିବାକୁ ଚାହିଁନି । ସେ ଘରକୁ ଫେରିଲାକ୍ଷଣି ଫଟୋ କେତୋଟିକୁ ପ୍ରାୟ ତାଙ୍କ ମୁହଁ ଉପରକୁ ଫୋପାଡ଼ିଦେଇ ଅଗ୍ନ୍ୟୁଦ୍‌ଗାରର ପୂର୍ବ ମୁହୂର୍ତ୍ତର ଆଗ୍ନେୟଗିରିପରି ସ୍ତବ୍‌ଧ ହୋଇ ଠିଆହୋଇଥିଲା ।

 

ସାମନାରେ ବିଞ୍ଚିହୋଇ ପଡ଼ିଥିଲା ଫଟୋ କେତୋଟି । ଗୋଟିଏ ଟେବୁଲ ଉପରେ, ଗୋଟିଏ ତା’ ପାଦ ନିକଟରେ ତଳେ ଚଟାଣ ଉପରେ, ଆଉ ଗୋଟିଏ ବି ଚଟାଣ ଉପରେ ହିଁ ପଡ଼ିଥିଲା–ତେବେ ଓଲଟି ମୁହଁମାଡ଼ି ପଡ଼ିଥିଲା ।

 

ଫଟୋ କେତୋଟିକି ଦେଖି ସେ ଚମକିପଡ଼ିଥିଲେ ।

 

ସୁମତି ନିଷ୍ଠୁରକଣ୍ଠରେ କହିଉଠିଥିଲେ–ତମକୁ ଟିକେ ଲାଜ ଲାଗୁଛି ? ଲାଜ ଅଛି ତମର-? ନିର୍ଲଜ୍ଜ, ଚରିତ୍ରହୀନ...

 

ମୁହୂର୍ତ୍ତକରେ ଆତ୍ମସମ୍ୱରଣ କରି ସେ ଧୀର ଗମ୍ଭୀରକଣ୍ଠରେ କହିଥିଲେ–ସୁମତି

 

ସେ କଣ୍ଠସ୍ୱର ଭିତରେ ତାକୁ ସାବଧାନ କରିଦେବାର ବ୍ୟଞ୍ଜନା ରହିଥିଲା ।

 

ସୁମତି ସେକଥାକୁ ଗ୍ରାହ୍ୟ କଲାନାହିଁ । ସେହି ଏକାଭଳି ଚିତ୍କାରକରି କହିଉଠିଥିଲା–ଫଟୋଟାଆଡ଼କୁ ଭଲକରି ଚାହିଁ ଦେଖ, ଦେଖ କି ପରିଚୟ ତା’ ଭିତରେ ଲେଖାହୋଇ ରହିଛି !

 

ଜ୍ଞାନେନ୍ଦ୍ର ନାଥ କହିଲେ–ବନ୍ଧୁତ୍ୱର । ଆଉ ମେଚ୍‌ ଜିତିବା ଆନନ୍ଦର ।

 

–କେଉଁଥିର ?

 

–ବନ୍ଧୁତ୍ୱର ।

 

–ବନ୍ଧୁତ୍ୱର ? ଝିଅପୁଅଙ୍କ ବନ୍ଧୁତ୍ୱ ? ତା’ର ନାଁ କ’ଣ ?

 

–ବନ୍ଧୁତ୍ୱ ।

 

–ନା । ଭଲପାଇବା ।

 

–ବନ୍ଧୁତ୍ୱ ମଧ୍ୟ ଭଲପାଇବା । ତାହା ବୁଝିବାର ଶକ୍ତି ତୁମର ନାହିଁ । ତମେ ସନ୍ଦେହରେ ଅନ୍ଧ ହୋଇଯାଇଛ । ଇତରତାର ଶେଷ ପାହାଚକୁ ଓହ୍ଲାଇ ଯାଇଛ ତମେ ।

 

–ତମେ ଶେଷ ପାହାଚ ପରେ ଯେଉଁ ପାପପଙ୍କ ରହିଛି, ସେହି ପଙ୍କରେ ବେକ ପର୍ଯ୍ୟନ୍ତ ବୁଡ଼ିଯାଇଛ । ତମେ ଚରିତ୍ରହୀନ; ତମେ ଇତରଠାରୁ ବି ଅଧିକ ଇତର, ଅନନ୍ତ ନରକରେ ତମକୁ ଜାଗା ମିଳିବନି ।

 

କହି ସେ ଘରୁ ବାହାରିଯାଇଥିଲା । ସେତେବେଳେ ସେ କର୍ମକ୍ଳାନ୍ତ, କ୍ଷୁଧାର୍ତ୍ତ; କିନ୍ତୁ ମୁହୂର୍ତ୍ତକରେ ବିଶ୍ରାମ ଓ ଆହାର ବିଷ ହୋଇଯାଇଥିଲା । ସେ ମଧ୍ୟ ବାହାରି ଚାଲିଯାଇଥିଲେ ଏକାବେଳକେ ବାହାରକୁ । ଡରିଥିଲେ ମଧ୍ୟ; ସୁମତିକି ନୁହେଁ, ନିଜର କ୍ରୋଧକୁ । ଉଦ୍ୟତ କ୍ରୋଧ ଓ କ୍ଷୋଭକୁ ସମ୍ବରଣ କରିବାର ସୁଯୋଗ ପାଇ ସେ ଯେପରି ରକ୍ଷାପାଇ ଯାଇଥିଲେ । ଉନ୍ମତ୍ତଭଳି ନିଜର ମୃତ୍ୟୁ କାମନା କରିଥିଲେ । ସୁମତିକି ବୈଧବ୍ୟ–ଶାସ୍ତି ଦେବାକୁ ଚାହିଁଥିଲେ । ସାଇକେଲରେ ସହରର ଏକ ଦୂରପ୍ରାନ୍ତକୁ ଯାଇ ପଥର ପାଲଟିବା ମଣିଷ ଭଳି ସ୍ତବ୍‌ଧ ହୋଇ ବସି ରହିଥିଲେ । ପ୍ରଥମେ ଖାଲି ସେହି ସବୁ ଉନ୍ମତ୍ତ ଚିନ୍ତା; ନା ଚିନ୍ତା ନୁହେଁ କାମନା; ମୃତ୍ୟୁ କାମନା, ସଂସାରତ୍ୟାଗର କାମନା, ସୁମତିର ହାତରୁ ଅବ୍ୟାହତି ପାଇବାର କାମନା । ତାପରେ ଧୀରେ ଧୀରେ ସେ ଚିନ୍ତା ସ୍ଥିର ହୋଇ ଆସିଥିଲା–ଦାଉ ଦାଉ ହୋଇ ଜଳୁଥିବା ଗ୍ରହ ଜ୍ୟୋତିଷ୍ମାନ୍‌ ହୋଇଉଠିଲା ପରି । ସେହି ଜ୍ୟୋତିରେ ଅନ୍ତରକୁ ଆଲୋକିତ କରି ତୀକ୍ଷ୍‌ଣ ଦୃଷ୍ଟିରେ ତନ୍ନ ତନ୍ନ କରି ଖୋଜି ଦେଖିଥିଲେ । ନଥିଂ ଇମ୍‌ମରାଲ, ନଥିଂ ଇଲ୍‌ଲିଗାଲ । କୌଣସି ପ୍ରକାର ଦୁର୍ନୀତି ନୁହେଁ, କୌଣସି ପ୍ରକାର ପାପ ନୁହେଁ । ବନ୍ଧୁତ୍ୱ । ଗାଢ଼ତମ ବନ୍ଧୁତ୍ୱ । ସୁରମା ତାଙ୍କର ଅନ୍ତରଙ୍ଗତମ ବନ୍ଧୁ, ସେ କଥା ସେ ସ୍ୱୀକାର କରୁଛନ୍ତି । ସୁରମାକୁ ପାଇବାର ଆକାଙ୍‌କ୍ଷା ବି ରହିଛି ! ହିଁ ଅଛି ! ପରମୁହୂର୍ତ୍ତରେ ଆହୁରି ଅଧିକ ତୀକ୍ଷ୍‌ଣ ଦୃଷ୍ଟିରେ ପର୍ଯ୍ୟବେକ୍ଷଣ କରି ଦେଖିଥିଲେ । ନା ! ପାଇବାର ଆକାଙ୍‌କ୍ଷା ନୁହେଁ । ପାଇବାର ଆକାଙ୍‌କ୍ଷା ନାହିଁ–ପାଇ ପାରିବେନି ବୋଲି ଫଲ୍‌ଗୁପରି ବେଦନାର ଧାରଟିଏ ଖାଲି ଅନ୍ତରରେ ବହିଯାଉଛି ଏବଂ ସେ ଧାର ବନ୍ୟା ପ୍ରବାହରେ ଦୁଇକୂଳକୁ ଭାଙ୍ଗି ଚୂର୍ଣ୍ଣ କରିଦେବା ପାଇଁ ଉଦ୍ୟତ ନୁହେଁ; ନିଃଶବ୍ଦରେ ଜୀବନର ଗଭୀର ପ୍ରଦେଶରେ ଅଶ୍ରୁର ଉତ୍ସ ହୋଇ ଖାଲି ଆବର୍ତ୍ତିତ ହିଁ ହେଉଛି । ଆଜୀବନ ହେବ ।

 

ଚିନ୍ତାର ଦୀପ୍ତିକୁ ପ୍ରସାରିତ କରିଥିଲେ ନ୍ୟାୟ ଏବଂ ନୀତିର ବିଧାନ–ଲେଖା ଅକ୍ଷୟ ଶିଳାଲିପି ଉପରେ । ଅବିଚଳିତ ଧୈର୍ଯ୍ୟ ସହିତ ଜୀବନର ଶ୍ରେଷ୍ଠ ବୁଦ୍ଧି ପ୍ରୟୋଗ କରି ପ୍ରାୟ ଧ୍ୟାନଯୋଗ ମଧ୍ୟରେ ସେ ଲିପିର ପାଠୋଦ୍ଧାର କରିଥିଲେ । କେଉଁ ସମାଜ, କେଉଁ ରାଷ୍ଟ୍ର, କେଉଁ ଧର୍ମର ବ୍ୟାଖ୍ୟ ଗ୍ରହଣ କରିନାହାନ୍ତି କୌଣସି ବ୍ୟାକରଣର କୌଣସି ବିଶେଷ ଅର୍ଥ ଗ୍ରହଣ କରିନାହାନ୍ତି ଏବଂ ପାଠ ଶେଷକରି ନିଃସଂଶୟ ହୋଇ ତେବେଯାଇ ସେ ସେଦିନ ସେହିଠାରୁ ଉଠି ଠିଆହୋଇଥିଲେ । ସେତେବେଳକୁ ଚତୁର୍ଦ୍ଦିଗ ଗାଢ଼ ଅନ୍ଧକାରରେ ଆବୃତ ହୋଇଯାଇଛି । ଦିଆସିଲି ଜାଳି ଘଣ୍ଟା ଦେଖି ଥରେ ଆକାଶ ଆଡ଼କୁ ଚାହିଁ ଦେଖିଥିଲେ । କତେ ରାତି ହୋଇଗଲାଣି-। ଜାନୁଆରୀ ମାସର ପ୍ରଥମଭାଗ, ରାତି ପ୍ରାୟ ଦଶଟା ! ଅଫିସ୍‌ରୁ ବାହାରିଥିଲେ ପାଞ୍ଚଟାରେ; ଘରୁ ବୋଧହୁଏ ଛ’ଟାରେ ବାହାରି ଆସିଛନ୍ତି । ଦଶଟା ବାଜିବ । ପ୍ରାୟ ଚାରି ଘଣ୍ଟାକାଳ ଖାଲି ଭାବିଛନ୍ତି-। ସିଗାରେଟ୍‌ ସୁଦ୍ଧା ଖାଇନାହାନ୍ତି । ସେତେବେଳେ ସେ ପ୍ରଚୁର ସିଗାରେଟ୍‌ ଖାଉଥିଲେ-। ସୁମତିର ସେଥିରେ ବି ଆପତ୍ତି ଥିଲା ।

 

(୧୨)

 

X X X ଶାନ୍ତଚିତ୍ତରେ ଘରକୁ ଫେରିଥିଲେ ସେ, କ୍ରୋଧ ଅସହିଷ୍ଣୁତା ସବୁକିଛିକୁ କଠିନ ସଂଯମରେ ସଂଯତ କରିଥିଲେ । ସୁମତି ମୁହଁମାଡ଼ି ବିଛଣାରେ ଶୋଇଥିଲା । ସାଇକେଲ୍‌ ଟେକିନେବା ପାଇଁ ପିଅନ୍‌କୁ ଡାକି ପାଇଲେନାହିଁ । ଚାକରଟା ବି ନଥିଲା । ପୂଝାରୀର ଦେଖାଦର୍ଶନ ମିଳିନଥିଲା । ଭାବିଲେ, ସମସ୍ତେ ବୋଧହୁଏ ତାଙ୍କରି ସନ୍ଧାନରେ ବାହାରିଯାଇଛନ୍ତି ! ମନଟା ଛିଃ ଛିଃ ହୋଇଗଲା । କାଲି ଲୋକ କ’ଣ କହିବେ, ଯେଉଁ ଠାକୁ ଖୋଜିବାକୁ ଯିବେ, ସେଠି ସମସ୍ତେ ଚମକିପଡ଼ିବେ । ତେବେକେ କିଛି କଥା କହିନାହାନ୍ତି । ନିଃଶବ୍ଦରେ ପୋଷାକ ବଦଳାଇ ମୁହଁହାତ ଧୋଇ, ଫେରିଆସି ଶୋଇବାଘରେ ଗୋଟାଏ ଚଉକିରେ ବସିଥିଲେ । ଆବଶ୍ୟକ ହେଲେ ସେହି ଚଉକିରେ ହିଁ ସାରାରାତିଟା କଟାଇଦେବେ । ସୁମତି ଠିକ୍‌ ଏକାଭଳି ଶୋଇଥିଲା ହଲଚଲ ନହୋଇ-। ଅବଶେଷରେ ସେ କହିଥିଲେ, ମତେ ଖୋଜିବାକୁ ଏ ସମସ୍ତଙ୍କୁ ପଠାଇବାର କୌଣସି ଦରକାର ତ ନଥିଲା ।

 

ଏଥର ସୁମତି ଉତ୍ତର ଦେଇଥିଲା, ‘‘ଖୋଜିବାକୁ କେହି ଯାଇନାହାନ୍ତି । କାରଣ ତମେ ଯେ କେଉଁଠାକୁ ଯାଇଥିବ, ସେକଥା ଅନୁମାନ କରିବାକୁ କାହାରି ତ କଷ୍ଟ ହୁଏନି । ଆଜି ମୁଁ ସେମାନଙ୍କୁ ଛୁଟି ଦେଇଦେଇଛି ! ବଜାରରେ ଯାତ୍ରା ହେଉଛି, ସେମାନେ ଯାତ୍ରା ଦେଖିବାକୁ ଯାଇଛନ୍ତି ।

 

ତା’ପରେ ସେ ଉଠି ବସିଥିଲା । କହିଥିଲା, ମୁଁ ଜାଣି ଜାଣି ଛୁଟି ଦେଇଛି, ତମ ସାଙ୍ଗରେ ମୋର କଥାବାର୍ତ୍ତା ଅଛି ।

 

ସୁମତିର ଆଖିଦୁଇଟା ଲାଲ୍‌ ହୋଇଯାଇଛି । ଅବିଶ୍ରାନ୍ତି କାନ୍ଦିଥିଲା ସେ ଦୀର୍ଘସମୟ ପର୍ଯ୍ୟନ୍ତ । ମମତାରେ ଅନ୍ତରଟା ତାଙ୍କର ଟଣକି ଉଠିଥିଲା । ସେ ଅକୃତ୍ରିମ ଗାଢ଼ ସ୍ନେହର ଆବେଗରେ ହିଁ କହିଥିଲେ–ସୁମତି, ତମେ ବଡ଼ ପିଲାଳିଆ । ଗୋଟାଏ କଥା ତମେ କାହିଁକି ବୁଝୁନାହଁ ।

 

–ମୁଁ ସବୁ ବୁଝୁଛି । ତମ ଭଳି ପଣ୍ଡିତ ମୁଁ ନୁହେଁ । ସେହି ଅଧାର୍ମିକ ବାପ–ମା’ଙ୍କର ଆଦରିଣୀ ଝିଅ ଭଳି ଲେଖାପଢ଼ାର ଢଙ୍ଗ ମୁଁ ଜାଣିନି ସତ, ହେଲେ ସବୁକଥା ବୁଝୁଛି ।

 

ଧୀରକଣ୍ଠରେ ଜ୍ଞନେନ୍ଦ୍ରବାବୁ କହିଥିଲେ–ନା ! ବୁଝୁନାହଁ ।

 

–ବୁଝୁନି ? ତମେ ସୁରମାକୁ ଭଲପାଉନ ?

 

–ପାଏ । ବନ୍ଧୁ ବନ୍ଧୁକୁ ଯେପରି ଭଲପାଏ ସେହିପରି ଭଲପାଉଛି ।

 

–ବନ୍ଧୁ, ବନ୍ଧୁ, ବନ୍ଧୁ ! ମିଛ, ମିଛ, ମିଛ ! କହ, ଈଶ୍ୱରଙ୍କ ଶପଣ ନେଇ କହ, ତା’ର ସଙ୍ଗ ତମକୁ ଯେତେ ଭଲ ଲାଗୁଛି ମୋ ସଙ୍ଗ ତମକୁ ସେହିପରି ଭଲ ଲାଗୁଛି ?

 

–ୟାର ଉତ୍ତରରେ ଗୋଟାଏ କଥା ହିଁ କହୁଛି, ଟିକିଏ ଧୀର ହୋଇ ଭାବି ଦେଖ–ତମର ମୋର ସଙ୍ଗ ଜୀବନେ ଜୀବନେ, ଅଙ୍ଗେ ଅଙ୍ଗେ ଜଡ଼ିତ ହୋଇ ରହିଛି । ତମର ବା ମୋର ଜଣଙ୍କର ମୃତ୍ୟୁରେ ବି ସେ ବନ୍ଧନର ଗ୍ରନ୍ଥି ଖୋଲିବନାହିଁ । ମୁଁ ପାଖରେ ଥାଏ କି ଦୂରରେ ଥାଏ, ଏକାନ୍ତଭାବରେ ତମର–

 

ସୁମତି ଚିତ୍କାର କରି ଉଠିଥିଲା–ନା, ମିଛକଥା ।

 

–ନା, ମିଛ ନୁହେଁ । ମନକୁ ପ୍ରସନ୍ନ କର ସୁମତି, ସେହି ପ୍ରସନ୍ନତା ହିଁ ଜୀବନର ଶ୍ରେଷ୍ଠ ମିଷ୍ଟତା । ତା’ର ଅଭାବରେ ଅନ୍ନଭଳି ଜିନିଷ ସେ ବି ତିକ୍ତ ହୋଇଯାଏ । ତମେ ଯଦି ସତରେ ମତେ ଭଲପାଉଛ ତେବେ ତମର ଏପରି କାହିଁକି ହେଉଛି ? ତମରି ସାଙ୍ଗରେ ହିଁ ତ ମୋର ଏକାଘରେ ବସବାସ, ଏକ ଆଶା, ଏକ ସଞ୍ଚୟ । ସୁରମା ତ ଅତିଥି । ସେ ଆସେ, ଦି’ଘଡ଼ି ରହେ, ଚାଲିଯାଏ । ତା’ ସହିତ ମିଳାମିଶା ତ ଅବସର ସମୟରେ । ଖେଳ ପଡ଼ିଆରେ, ଆଲୋଚନା ସଭାରେ ତା’ ସଙ୍ଗେ ମୋର ସଙ୍ଗଲାଭ ହୁଏ ।

 

ମିନତି କରି କହିଥିଲେ ଜ୍ଞାନେନ୍ଦ୍ରନାଥ; କିନ୍ତୁ ସୁମତି ତୀବ୍ରକଣ୍ଠରେ ଉତ୍ତର ଦେଇଥିଲା–ହଁ, ସେଇୟା ତ କହୁଛି । ମୋ ସଙ୍ଗ, ମୋ ବନ୍ଧନରେ ତମେ କଣ୍ଟାଶେଯରେ ଶୋଇଥାଅ, ସାପର ଆଲିଙ୍ଗନ ଭିତରେ ଜଡ଼େଇ ହୋଇ ରହିଥାଅ ସବୁବେଳେ । ଅଳ୍ପକ୍ଷଣ ପାଇଁ ହେଲେ ବି ତା’ର ସଙ୍ଗ ପାଇଲେ ହିଁ ତମକୁ ଯେତେସବୁ ଆନନ୍ଦ ମିଳେ, ଯେତେସବୁ ଅମୃତ–ସ୍ପର୍ଶ ଅନୁଭବ କର ।

 

ଏକ କ୍ଷୀଣ କରୁଣ ହାସ୍ୟରେଖା ପ୍ରୌଢ଼ ଜ୍ଞାନେନ୍ଦ୍ରନାଥଙ୍କ ମୁହଁରେ ଫୁଟିଉଠିଲା । ଆନନ୍ଦ ଏବଂ ଅମୃତସ୍ପର୍ଶ ଶବ୍ଦ ଦୁଇଟି ତାଙ୍କ ନିଜର । ସୁମତି ଦୁଇଟି ଗ୍ରାମ୍ୟ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିଲା । ସେ ସେତେବେଳକୁ କ୍ଷୁଧାର୍ତ୍ତ । ପ୍ରକୃତିର ଅମୋଘ ନିୟମର କ୍ରିୟା ତାଙ୍କର ଚୈତନ୍ୟକୁ ଜେଲଖାନାର ବେତ୍ରଦଣ୍ଡ ପାଇଥିବା ଆସାମୀପରି ନିଦାରୁଣ ଆଘାତ କରିଚାଲିଛି । ବେତ୍ରାଘାତ–ଜର୍ଜ୍ଜର କଏଦୀମାନେ ବେତମାଡ଼ କେତେଥର ଖାଇଦେଲାପରେ ଏକାବେଳେ ଭାଙ୍ଗିପଡ଼ନ୍ତି । ତାଙ୍କ ଚୈତନ୍ୟ ବି ସେହିପରି ଭାଙ୍ଗି ପଡ଼ିଥିଲା; ପ୍ରାଣପଣେ ନିଜକୁ ସଂଯତ କରିବାକୁ ଚେଷ୍ଟାକରି ବି ସେ ସଫଳ ହୋଇନଥିଲେ । ଅଥବା କାଚର ଢାଙ୍କୁଣି ଫଟାଇ ଦପ୍‌କିନା ଜଳିଉଠିବା ଲଣ୍ଠନ–ଶିଖା ଭଳି ଅଗ୍ନିକାଣ୍ଡ ଭିତରେ ନିଜକୁ ବିଞ୍ଚ୍ଥି ଦେଇଥିଲେ । ସଂଯମର କାଚ ଆବରଣରେ ଅନ୍ତରକୁ ଘୋଡ଼ାଇ ନିଜକୁ ଆଉ ସ୍ନିଗ୍‌ଧ ଏବଂ ନିରାପଦକରି ପ୍ରକାଶ କରିପାରିନଥିଲେ । କ୍ଷୁବ୍‌ଧ କ୍ରୂଦ୍ଧ ଅନ୍ତର ଅଗ୍ନିର ଲେଲିହାନ ବିଶ୍ୱଗ୍ରାସୀ ଶିଖାପରି ଆତ୍ମପ୍ରକାଶ କରିଥିଲା । ସେ କହିଥିଲେ–ତମେ ଯେଉଁ କଥା ଦୁଇଟା କହିଲ, ତାହା ଉଚ୍ଚାରଣ କରିବାକୁ ମୋ ଜିଭକୁ ବାଧା ଲାଗୁଛି । ତା’ ବଦଳରେ ମୁଁ କହୁଛି–ଆନନ୍ଦ ଆଉ ଅମୃତସ୍ପର୍ଶ । ହଁ, ସୁରମାର ସଂସ୍ପର୍ଶରେ ମୁଁ ତାହା ପାଏ । ସତ୍ୟକୁ ମୁଁ ଅସ୍ୱୀକାର କରିବିନାହିଁ, କିନ୍ତୁ କାହିଁକି ପାଏ, ତମେ କହିପାରିବ ? ଆଉ ତୁମେ କାହିଁକି ତା’ ଦେଇପାରୁନ ?

 

–ତମେ ଭ୍ରଷ୍ଟଚରିତ୍ର ବୋଲି ଦେଇପାରୁନି । ଆଉ ଭ୍ରଷ୍ଟଚରିତ୍ର ବୋଲି ହିଁ ତମେ ତା’ ନିକଟରେ ଆନନ୍ଦ ପାଉଛ ! ମାତାଲମାନେ ଯିମିତି ମଦକୁ ଅମୃତ ବୋଲି କହିଥାନ୍ତି ।

 

–ମୁଁ ଯଦି ମାତାଲ ହିଁ ହୋଇଥାଏ ସୁମତି, ମଦକୁ ପିଇ ଯଦି ସୁଧା ବୋଲି ମୋର ମନେହେଉଥାଏ, ତା’ ହେଲେ ମତେ ଘୃଣା କର, ମତେ ମୁକ୍ତି ଦିଅ ।

 

ନିଷ୍ଠୁର ଶ୍ଳେଷ ସହିତ ମୁହୂର୍ତ୍ତକ ଭିତରେ ସୁମତି ଜବାବ ଦେଇଥିଲା । ସାପର ଦଂଶନ ଭଳି–ତା’ହେଲେ ଭାରି ମଜା ହୁଅନ୍ତା, ନାଇଁ ?

 

ସେ ଦଂଶନଜ୍ୱାଳାରେ ସେ ବିଚଳିତ ହୋଇଥିଲେ; କିନ୍ତୁ ବିଷରେ ଢଳି ପଡ଼ିନଥିଲେ । କେତୋଟି ମୁହୂର୍ତ୍ତ ସ୍ତବ୍‌ଧ ହୋଇ ରହି ପୁଣି ସେ ଧୀରକଣ୍ଠରେ କହିଥିଲେ–ଶୁଣ ସୁମତି ! ମୋ ଧୈର୍ଯ୍ୟର ବନ୍ଧକୁ ତମେ ଭାଙ୍ଗି ଦେଉଛ । ତା’ପରେ ମୁଁ କ୍ଷୁଧାର୍ତ୍ତ, କ୍ଳାନ୍ତ । ତମକୁ ମୋର ଶେଷକଥା କହିଦେଉଛି । ତମ ସଙ୍ଗେ ମୋ ଜୀବନ ଜଡ଼ିତ ହୋଇଯାଇଛି ସାମାଜିକ ବିଧାନ ଦ୍ୱାରା । ସେ ବିଧାନ ଅନୁସାରେ ତମେ କି ମୁଁ ଏ ବନ୍ଧନ ଛିଣ୍ଡାଇ ଦେଇପାରିବାନି । ତମେ ସ୍ତ୍ରୀ, ମୁଁ ସ୍ୱାମୀ । ତମର ଭରଣପୋଷଣ କରିବାକୁ ମୁଁ ପ୍ରତିଜ୍ଞାବଦ୍ଧ, ତମକୁ ରକ୍ଷା କରିବି, ମୋର ଉପାର୍ଜନ ମୋର ସମ୍ପତ୍ତି ତମକୁ ଦେବି । ମୋ ଘରେ ତମେ ହେବ ଗୃହିଣୀ । ମୋ ଦେହ ତମର । ସଂସାରରେ ଯାହା ବସ୍ତୁ, ଯାହା ବାସ୍ତବ, ଯାହା ହାତରେ ଟେକିଦେଇ ହେବ, ତାହା ମୁଁ ତମକୁ ହିଁ ଦେବାକୁ ପ୍ରତିଶ୍ରୁତି । ମୁଁ ତମକୁ ତା’ ଦେଇଛି, ଚିରକାଳ ମୁଁ ତାହା ତମକୁ ଦେବି । ବିନ୍ଦୁଏ ପ୍ରତାରଣା ମୁଁ କରିନି । କୌଣସି ଅନାଚାର କରିନି ।

 

–କରିନ ?

 

–ନା ।

 

–ସୁରମାକୁ ତମେ ଭଲପାଉନ ? ଏଡ଼େବଡ଼ ମିଛ ତମେ ଶପଥ କରି କହିଦେଇପାରିବ-?

 

–ତମ ଅଧିକାରରେ ହସ୍ତକ୍ଷେପ ନକରି କାହାକୁ ଭଲପାଇବା ଅନାଚାର ନୁହେଁ ।

 

–ନୁହେଁ ?

 

–ନା–ନା–ନା । ତା’ ଆଗରୁ ତମକୁ ପଚାରିବି । କହିପାରିବ ତମେ ଭଲପାଇବାର ଆକାର କିପରି ? ତାକୁ ହାତରେ ଛୁଇଁହୁଏ ? ତାକୁ କ’ଣ ହାତକୁ ଟେକିଦେଇ ହୁଏ ? ଦେଇପାରିବ ? ତମର ଅକପଟ ଭଲପାଇବା ମୋ ହାତରେ ଟେକି ଦେଇପାରିବ ?

 

ଏଥର ବିସ୍ମିତ ହୋଇଥିଲା ସୁମତି । ଗୋଟିଏ ମୁହୂର୍ତ୍ତ ଭିତରେ ଆଉ ଉତ୍ତର ଦେଇପାରିନଥିଲେ । କେତେ ମୁହୂର୍ତ୍ତ ସ୍ତବ୍‌ଧ ହୋଇ ରହି କହିଥିଲା, ଗୋଲୋକଧନ୍ଦା ସୃଷ୍ଟିକରି ଅସଲ କଥାଟିକୁ ଘୋଡ଼ାଇ ପକାଇବାକୁ ଚାହୁଁଛ । କିନ୍ତୁ ମୁଁ ତା’ ହେବାକୁ ଦେବିନି ।

 

–ଗୋଲୋକଧନ୍ଦା ନୁହେଁ । ମୁଁ ତା’ କରୁନି । ସୁମତି, ଭଲପାଇବା ଦେବାର ବସ୍ତୁ ନୁହେଁ, ନେବାର ବସ୍ତୁ । କେହି କାହାକୁ ଭଲପାଇ ପାଗଳହେବାର କଥା ଶୁଣାଯାଏ, ଦେଖାଯାଏ, ସେଠାରେ ପ୍ରକୃତ ମହିମା ଯେ ଭଲପାଏ ତା’ର ନୁହେଁ; ଯାହାକୁ ଭଲପାଏ, ମହିମା ତା’ର । ମଣିଷ ଆଗ ଭଲପାଏ ମହିମାକୁ, ତା’ପରେ ସେହି ମଣିଷକୁ । କେଉଁଠି ମହିମା ରୂପର, କେଉଁଠି କୌଣସି ଗୁଣର । ସୁରମାର ମହିମା ଅଛି, ତା’ ହୁଏତ ତମେ ଦେଖିପାରୁନାହଁ, ମୁଁ ଦେଖିପାରୁଛି, ସେଇଥିପାଇଁ ମୁଁ ତାକୁ ପ୍ରକୃତିର ନିୟମ ଅନୁସାରେ ଭଲପାଇଛି ।

 

–ତମକୁ ଲାଜ ଲାଗୁନି ? ମୁହଁରେ କହିପାରୁଛ ?

 

ଚିତ୍କାରକରି ଉଠିଥିଲା ସୁମତି ।

 

–ନା । ସବଳ ଦୃଢ଼କଣ୍ଠରେ ଉଚ୍ଚାରଣ କରିଥିଲେ ସେ । ସେ କଣ୍ଠସ୍ୱର ଥରି ଯାଇନଥିଲା-। ସୁମତିର ଆଖି ଉପରୁ ତାଙ୍କର ଆଖିଦୁଇଟି ଥରକ ପାଇଁ ହେଲେ ଘୁଞ୍ଚି ଆସିନଥିଲା; ମାଟି ଉପରେ ନିବଦ୍ଧ ହୋଇନଥିଲା । ବରଂ ସୁମତି ହିଁ ଯେପରି ବିଭ୍ରାନ୍ତ ହୋଇଯାଇଥିଲା-। କେତେ ମୁହୂର୍ତ୍ତ ପରେ ସେ ବିଭ୍ରାନ୍ତିକି ସେ କାଟିଦେଇ ପାରିଥିଲା । ବିଭ୍ରାନ୍ତି ଦୂର ହେବାମାତ୍ରେ ସେ ଚିତ୍କାର କରି କହିଉଠିଥିଲା–ମୁହଁ ତମର ଖସିପଡ଼ିବ । ସେ କଥା କହନି ।

 

–ଲକ୍ଷେଥର କହିବି ମୁଁ; ଚିତ୍କାରକରି ସମସ୍ତଙ୍କ ଆଗରେ କହିବି । ମୋ ମୁହଁ ଖସିପଡ଼ିବନି ! ମୁଁ ନିର୍ଦ୍ଦୋଷ; ମୁଁ ନିଷ୍ପାପ ।

 

–ନିଷ୍ପାପ ? ନିଷ୍ଠୁର ଭାବରେ ହସିଉଠିଥିଲା ସୁମତି । ତା’ପରେ କହିଥିଲା ଧର୍ମ ତା’ର ସାକ୍ଷୀ ଦେବ !

 

–ଧର୍ମ ? ହସି ଉଠିଥିଲେ ଜ୍ଞାନେନ୍ଦ୍ରନାଥ, ‘‘ଧର୍ମକୁ ତମେ ଜାଣିନାହଁ, ତମେ ଧର୍ମର ଦ୍ୱାହି ଦିଅନାହିଁ । ତମର ଅବିଶ୍ୱାସର ଧର୍ମ ଖାଲି ତମର । ମୋ ଧର୍ମ ମଣିଷର ଧର୍ମ, ଜୀବନର ଧର୍ମ । ସେକଥା ତମେ ବୁଝିପାରିବନି । ନବୁଝ । ଖାଲି ଏଇଟିକକ ଜାଣିରଖ–ତମକୁ ବାହାହେଲାବେଳେ ଯେଉଁ ଯେଉଁ ଶପଥ ମୁଁ ଗ୍ରହଣ କରିଛି, ସେହି ସବୁଗୁଡ଼ିକୁ ମୁଁ ନିଷ୍ଠାର ସହିତ ପାଳନ କରିଛି; କରୁଛି-! ଯେତେଦିନ ବଞ୍ଚିବି ନିଶ୍ଚୟ ପାଳନ କରିବି ।

 

–କର୍ତ୍ତବ୍ୟ । କିନ୍ତୁ ମନ ?

 

–ସେ କଥା ତ କହୁଛି; ତାକୁ କାହାକୁ ଦେଲିବୋଲି ନିଜେ ଦେଇହେବନି । ଯାହାର ନେବାର ଶକ୍ତି ଅଛି, ସେ ନେବ । ସେଠି ମଣିଷର ବିଧାନ ଖଟେନାହିଁ । ତାହା ପ୍ରକୃତିର ବିଧାନ । ସେହି ବସ୍ତୁକୁ ନେବାର ଶକ୍ତି ତମର ଯେତିକି, ତା’ଠାରୁ କଣାଏମାତ୍ର ଅଧିକ ତମେ ପାଇବନାହିଁ । ତେବେ ହିଁ, ଏ ଟିକକ ମଣିଷ କରିପାରିବ, ମନ–ଘରର ହାହାକାରକୁ ଲୁହାର ଦରଜା ଦେଇ ବନ୍ଦ କରି ରଖିପାରିବ । ସେହିପରି ରଖି ସୁଦ୍ଧା ସେ ହସିପାରିବ, କର୍ତ୍ତବ୍ୟ କରିପାରିବ, ବଞ୍ଚିପାରିବ । ମୁଁ ସେଇୟା କରିବି । ମତେ ତମେ କେଞ୍ଚି କେଞ୍ଚି କ୍ଷତବିକ୍ଷତ କର ନାହିଁ ।

 

ସୁମତି ଏ କଥାର ଆଉ ଉତ୍ତର ଖୋଜି ପାଇନଥିଲା । ଅକସ୍ମାତ୍‌ ପାଗଳ ଭଳି ଉଠି ଟେବୁଲ ଉପରେ ରଖାଯାଇଥିବା ଫାଇଲଗୁଡ଼ିକୁ ଆଡ଼େଇ, କେତେକକୁ ତଳେ ପକାଇ ଫିଙ୍ଗାଫୋପଡ଼ା କରିଦେଇଥିଲା ! ସେ ତା’ର ହାତଟାକୁ ଚିପିଧରି କହିଥିଲେ–କ’ଣ ହେଉଛି ?

 

–ଫଟୋଗୁଡ଼ାକ କାହିଁ ?

 

–ଫଟୋ କ’ଣ ହେବ ?

 

–ମୁଁ ପୋଡ଼ିବି ।

 

–ନା ।

 

–ନା ନୁହେଁ । ନିଶ୍ଚୟ ମୁଁ ପୋଡ଼ିଦେବି ।

 

–ନା ।

 

–ଦବନି ?

 

–ନା । ଫଟୋ ମୁଁ ଘରେ ରଖିବିନି; କିନ୍ତୁ ପୋଡ଼ିବାକୁ ଦେବିନି ମୁଁ । ସୁମତି ମୁଣ୍ଡ ବାଡ଼େଇବାକୁ ଆରମ୍ଭ କରିଥିଲା–ଦବନି ? ଦବନି ?

 

ଜ୍ଞାନେନ୍ଦ୍ରବାବୁ ଡ୍ରଏର୍‌ରୁ ଫଟୋ କେତୋଟି ବାହାରକରି ଫୋପାଡ଼ି ଦେଇଥିଲେ । ଖାଲି ଫଟୋ କେତୋଟି ନୁହେଁ, କେଶଗୁଚ୍ଛ ପୂରା ଯାଇଥିବା ଲଫାଫାଟା ମଧ୍ୟ । ରାଗରେ ଆତ୍ମହରା ସୁମତି ସେଇଟାକୁ ଖୋଲି ଦେଖିନାହିଁ–ଦେଖିନଥିଲା । ଏକାବେଳେ ଗୋଚ୍ଛାକଯାକ ସାଙ୍ଗରେ ନେଇଯାଇ ଚୁଲିରେ ପୂରାଇଦେଇଥିଲା ।

 

ତାଙ୍କର ବି ଆଉ ସହିବାର ଶକ୍ତି ନଥିଲା । ଖାଇବାକୁ ପ୍ରବୃତ୍ତି ନଥିଲା । ଖାଲି ଚାହିଁଥିଲେ ସବୁକିଛି ଭୁଲିଯିବାକୁ । ସେ ଆଲମାରି ଖୋଲି ବ୍ରାଣ୍ଡିର ବୋତଲ ବାହାର କରିଥିଲେ । ସେତେବେଳକୁ ସେ ପିଇବାକୁ ଆରମ୍ଭ କରିଦେଲେଣି । ନିୟମିତ, ପରିଶ୍ରମ କିଛି ଲାଘବ କରିବାପାଇଁ । ସେଦିନ ଅନିୟମିତ ପିଇ ବିଛଣାରେ ଗଡ଼ିପଡ଼ିଥିଲେ ।

 

ସୁମତିର ଅନ୍ତରର ନିଆଁ ସେତେବେଳକୁ ବାହାରେ ଜଳିଲାଣି । ସେ ସେତେବେଳେ ଉନ୍ମତ୍ତ । ଖାଲି ସେହି କେତୋଟି ଫଟୋ ଚୁଲିରେ ମାଡ଼ିଦେଇ ସେ କ୍ଷାନ୍ତ ହୋଇନାହିଁ, ଆହୁରି କେତୋଟି ବନ୍ଧେଇ ହୋଇଥିବା ଫଟୋ ଥିଲା ସୁରମାର । ସେଥିରୁ ଖଣ୍ଡେ ସୁରମା ପାଖରୁ ନିଜେ ମାଗି ଆଣିଥିଲା ସୁମତି, ଆଉ କେତୋଟି ସୁରମା ଆତ୍ମୀୟତା କରି ଦେଇଥିଲା, ସେ କେତେଖଣ୍ଡକୁ ବି କଣ୍ଟାରୁ କାଢ଼ି ଆଣି ପିଟି କାଚ ଭାଙ୍ଗି, ଫଟୋଗୁଡ଼ାକୁ ନିଆଁରେ ଗୁଞ୍ଜି ଦେଇଥିଲା । ଆଉ ତା’ ସହିତ ଗୁଞ୍ଜି ଦେଇଥିଲା ସୁରମାର ଚିଠିଗୁଡ଼ିକ । ଫୁଙ୍କି ନିଆଁ ଜାଳି ତା’ପରେ ଯାଇ ସେ ଆସି ଶୋଇଥିଲା । ଦୁଇଘଣ୍ଟା ଖଣ୍ଡେ ପରେ ସେହି ନିଆଁ ହିଁ ଯାଇ ଲାଗିଥିଲା ଚାଳରେ । ସୁମତିର ଅନ୍ତରରେ ନିଆଁ । ପ୍ରକୃତିର ଅମୋଘ ନିୟମ । ବନସ୍ପତିର ଶାଖା–ଶାଖାରେ ପତ୍ର–ପଲ୍ଲବରେ ଫୁଲଗୁଡ଼ିକରେ ଯେଉଁ ତେଜଶକ୍ତି ସୃଷ୍ଟି କରେ ସୃଷ୍ଟି–ସମାରୋହ, ସେହି ତେଜ ହିଁ ପରସ୍ପରର ସଂଘର୍ଷର ପଥ ଦେଇ ନିଆଁ ହୋଇ ବାହାରି ଆସି ପ୍ରଥମେ ଲାଗେ ଶୁଖିଲା ପତ୍ରରେ, ତାପରେ ଜଳାଇଦିଏ ବନସ୍ପତିକି; ତା’ ସହିତ ସାରା ବନକୁ ଧ୍ୱଂସ କରେ । ଅଙ୍ଗାର ଓ ଭସ୍ମରେ ହୁଏ ତା’ର ଶେଷ ପରିଣତି ।

 

ଜ୍ଞାନେନ୍ଦ୍ରବାବୁ ଦୀର୍ଘନିଃଶ୍ୱାସ ପକାଇଲେ । ପୋଡ଼ି ପାଉଁଶ ହୋଇଯାଇ ବି ସୁମତି ନିଷ୍କୃତି ଦେଇନାହିଁ ।

 

ବାହାରେ ଢଂ ଢଂ ଶବ୍ଦ କରି ଦୁଇଟା ବାଜିଲା । କଫି କପ୍‌ଟା ତାଙ୍କ ହାତରେ ହିଁ ରହିଥିଲା । ତଳେ ରଖିବାକୁ ଭୁଲିଯାଇଥିଲେ; ଏତେବେଳପରେ ରଖିଲେ ।

 

ଅର୍ଦ୍ଦଳି ଆସି ଇଜଲାସ୍‌କୁ ଯିବା ଦ୍ୱାରର ପର୍ଦ୍ଦା ଟେକିଧରି ଠିଆହେଲା । ଜୁରୀ ଓ ଓକିଲ ଆଗରୁ ଆସି ନିଜ ନିଜର ଆସନରେ ବସିଗଲେଣି । ଅଦାଲତ ବାହାରେ ସେତେବେଳକୁ ସାକ୍ଷୀର ଡାକ ଆରମ୍ଭ ହେଲାଣି ।

 

ଜ୍ଞାନେନ୍ଦ୍ରନାଥ ଆସି ନିଜର ଆସନ ଗ୍ରହଣ କଲେ । ହାତରେ ପେନ୍‌ସିଲ୍‌ଟିକୁ ଟେକିନେଲେ । ଖୋଲା ଦୁଆର ଭିତର ଦେଇ ଦୃଷ୍ଟି ପ୍ରସାରିତ କରିଦେଲେ ସମ୍ମୁଖସ୍ଥ କମ୍ପାଉଣ୍ଡ ଭିତରକୁ । ଗଭୀରରୁ ଗଭୀରତରରେ ମନ ବୁଡ଼ିଗଲା । ସେଠାରେ ସୁମତି ନାହିଁ, ସୁରମା ନାହିଁ, ବୋଧହୁଏ ବିଶ୍ୱସଂସାର ହିଁ ନାହିଁ–ଅଛି ଖାଲି ଗୋଟିଏ ପ୍ରଶ୍ନ, ସେହି ଆସାମୀ ଯେଉଁ ପ୍ରଶ୍ନ ପଚାରିଛି-। ସାଧାରଣ ଫୌଜଦାରୀ ବିଚାରରେ ଏ ପ୍ରଶ୍ନ ଏହିପରି ଭାବରେ ଆସି ଉପସ୍ଥିତ ହୁଏନାହିଁ-। ସେଠାରେ ପ୍ରଶ୍ନ ଥାଏ ଆସାମୀ ସମ୍ପର୍କରେ । ଆସାମୀ ଆଡ଼କୁ ଚାହିଁଲେ ସେ । ଚମକି ପଡ଼ିଲେ ଜ୍ଞାନେନ୍ଦ୍ରନାଥ । ଆସାମୀର ପଛରେ କ’ଣ ସେଇଟା ? କିଏ ?

 

–ନା ! କେହି ନୁହେଁ, ସେଇଟା ଛାୟା, ସ୍କାଇଲାଇଟ୍‌ ଭିତରଦେଇ ଈଷତ୍‌ ତିର୍ଯ୍ୟକ୍‌ଭାବରେ ଆକାଶର ଆଲୁଅ ଆସି ପଡ଼ିଛି ଆସାମୀ ଉପରେ । ଗୋଟାଏ ଛାୟା ପଡ଼ିଛି ତା’ ପଛପଟେ । ଠିକ୍‌ ଯେପରି କିଏ ଠିଆହୋଇଛି !

 

ପ୍ରଥମସାକ୍ଷୀ ଆସି ଠିଆହେଲା କାଠଗଡ଼ା ଭିତରେ । ତଦନ୍ତକାରୀ ପୋଲିସ୍‌ କର୍ମଚାରୀ-। ନିୟମ କରି ସେ କହିଗଲା–ଖଗେନ୍ଦ୍ରର ମୃତ୍ୟୁ ସମ୍ୱାଦ ପ୍ରଥମ କରି ପାଇବା କଥା, ଥାନାର ଖାତାରେ ଲିପିବଦ୍ଧ କରିବା କଥା । ଆସାମୀ ନଗେନ୍ଦ୍ର ହିଁ ଖବର ଆଣିଥିଲା । ଜ୍ଞାନେନ୍ଦ୍ରବାବୁ ପୁଣି ଚାହିଁଲେ ଆସାମୀ ଆଡ଼କୁ । ଆସାମୀର ପଛପଟର ଛାଇଟା ଦୀର୍ଘତର ହୋଇ ପୂର୍ବଦିଗର କାନ୍ଥ ଦେହରେ ଯାଇ ପଡ଼ିଛି । ବର୍ଷାଦିନର ଅପରାହ୍‌ଣ–ଆଲୋକ ଏଥର ପଶ୍ଚିମଦିଗରେ ଝରକାବାଟେ ଆସି ବିଞ୍ଚିହୋଇ ପଡ଼ିଛି । ଦାରୋଗୀଙ୍କ ସାକ୍ଷୀ ଦେବା ଶେଷହେଲା-

 

ଘଣ୍ଟାରେ ଢଂ ଢଂ ହୋଇ ଚାରିଟା ବାଜିଲା । ଜ୍ଞାନେନ୍ଦ୍ର ନାଥ କହିଲେ–କାଲି ଜେରା ହେବ । ଉଠିପଡ଼ିଲେ ସେ । ଆଃ ! ତେବେ ସୁଦ୍ଧା ଯେପରି ଆଚ୍ଛନ୍ନତା କଟିଯାଉନାହିଁ !

 

ସମ୍ପୂର୍ଣ୍ଣ ରୂପେ ଆଚ୍ଛନ୍ନ ହୋଇଗଲାପରି ଅବସ୍ଥାରେ ଫେରିଆସିଲେ ଜ୍ଞାନେନ୍ଦ୍ର ନାଥ । ଦୁଇଦିନ ପରେ । ମକଦ୍ଦମାର ଶେଷଦିନ । ସବୁ ଶେଷ କରିଦେଇ ଘରକୁ ଫେରିଲେ । ପୃଥିବୀର ସବୁ କିଛି ତାଙ୍କର ଦୃଷ୍ଟି–ମନ–ଚୈତନ୍ୟରେ ଗୋଚରରୁ ଘୁଞ୍ଚି ଯାଇଛି । କେଉଁଠି କିଛି ନାହିଁ । ଆଖି ଆଗରେ ଭାସୁଛି ଆସାମୀର ମୂର୍ତ୍ତି । କାନରେ ବାଜୁଛି ଦୁଇପକ୍ଷ ଓକିଲଙ୍କ ଯୁକ୍ତି । ମନ ଭିତରେ ରହିଛି ସମସ୍ତ ଘଟଣାଗୁଡ଼ିକର ବିବରଣୀରୁ ରଚିତ ହୋଇଥିବା ପଟ । ଆଉ ଚୈତ୍ୟନକୁ ଆଚ୍ଛନ୍ନ କରି ରହିଛି ଆସାମୀର କଥାଗୁଡ଼ିକ ।

 

ଥାନାରୁ ଆରମ୍ଭ କରି ସେସନସ୍‌ କୋର୍ଟର ଏହି ବିଚାର ପର୍ଯ୍ୟନ୍ତ ସବୁଠାରେ ସେ ଗୋଟିଏ କଥା ହଁ କହିଆସୁଛି–‘‘ହଜୁର‌୍‌ ! ମୁଁ ଜାଣେନି ମୁଁ ଦୋଷୀ କି ନିର୍ଦ୍ଦୋଷ ! ଭଗବାନ ଜାଣନ୍ତି, ଆଉ ହଜୁର୍‌ ବିଚାର କରି କହିବେ ।’’ ଏବଂ ଏହି କଥାଗୁଡ଼ିକ ଯେପରି ଖାଲି କଥା ନୁହେଁ । ତା’ଠାରୁ ଅଧିକ ବେଶି କିଛି । ଜବାବ ଭିତରେ ଅତି କଠିନ ପ୍ରଶ୍ନ ଉପସ୍ଥାପିତ କରିଛି ସେ । କଣ୍ଠ ସ୍ୱରର ସକରୁଣ ଅସହାୟ ଅଭିବ୍ୟକ୍ତି, ଆଖିର ଦୃଷ୍ଟିର ସେହି ଅସହାୟ ବିହ୍ୱଳତା, ତା’ର ହାତଯୋଡ଼ି ନିବେଦନର ସେହି ଅକପଟ ଭଙ୍ଗୀ, ସବୁ ମିଶାଇ ସେ ଏକ ଆଶ୍ଚର୍ଯ୍ୟ ପ୍ରଭାବ ବିସ୍ତାର କରିଛି ତାଙ୍କ ଚୈତନ୍ୟ ଉପରେ । ‘‘ଦୋଷ କରିନି’’ ଜବାବ ଦେଇ ଖାଲି ଶେଷ କରିନି, ପ୍ରଶ୍ନ କରିଛି–ବିଚାରକ, ତମେ ସେ କଥା କହ ! ଈଶ୍ୱରକୁ ଯେପରି ଭାବରେ ଯୁଗ–ଯୁଗରେ ମନୁଷ୍ୟ ପ୍ରଶ୍ନ କରିଛି, ଠିକ୍‌ ସେହିପରି ଭାବରେ ।

 

ଏ ପ୍ରଶ୍ନ ତାଙ୍କର ସମସ୍ତ ଚୈତନ୍ୟକୁ ଯେପରି ଚମକାଇ ଦେଉଛି; ଘୂମନ୍ତ ଅବସ୍ଥାରେ ଆଖିଉପରେ ତୀବ୍ର ଆଲୋକର ଆଭା ଏବଂ ଉତ୍ତାପର ସ୍ପର୍ଶରେ ଜାଗିଉଠି ମଣିଷ ଯେପରି ବିହ୍ୱଳ ହୋଇପଡ଼େ, ସେହିପରି ବିହ୍ୱଳ ହୋଇପଡ଼ିଛନ୍ତି ସେ । ସେହି ଲୋକଟିର ସେହି ଚରମ ସଙ୍କଟ ମୁହୂର୍ତ୍ତର ଅବସ୍ଥାର କଥା କଳ୍ପନା କରିବାକୁ ପଡ଼ିବ । ସ୍ଥଳଚାରୀ ମୁକ୍ତବାୟୁ ସ୍ତରବାସୀ ଜୀବ ନିଶ୍ଚିଦ୍ର ଶ୍ୱାସରୋଧୀ ଜଳ ଭିତରେ ବୁଡ଼ିଯାଇ ମୁହୂର୍ତ୍ତ ମୁହୂର୍ତ୍ତରେ କେଉଁ ଅବସ୍ଥାରେ ଯାଇ ପହଞ୍ଚିଥିଲା, କେଉଁଠି ଯାଇ ଠିଆହୋଇଥିଲା ଅନୁମାନ କରିବାକୁ ପଡ଼ିବ । ମୁତ୍ୟୁର ସମ୍ମୁଖରେ ସୀମାହୀନ ଘନ କୃଷ୍ଣ ଏକ ଆବେଷ୍ଟନୀ ପ୍ରତି ମୁହୂର୍ତ୍ତରେ ତାକୁ ଘେରିପକାଉଥିଲା ନିଦାରୁଣ ଭୟ, ନିଷ୍ଠୁରତମ ଯନ୍ତ୍ରଣା ଭିତରେ ଆଜିକାର ମଣିଷକୁ । ହଜାର ହଜାର ବର୍ଷର ଇତିହାସର ସଭ୍ୟ ମଣିଷକୁ ପ୍ରାଗୈତିହାସିକ ଅରଣ୍ୟ ଯୁଗରେ ଆଦିମତମ ମଣିଷର ଜାନ୍ତବ ଚେତନାର ଯୁଗକୁ ଠେଲି ନେଇଯାଇଥିଲା । ସେଠାରେ ଦୟା ନାହିଁ, ମାୟା ନାହିଁ, ସ୍ନେହ ନାହିଁ, ମମତା ନାହିଁ, କର୍ତ୍ତବ୍ୟ ନାହିଁ; ଅଛି ଖାଲି ଆଦିମତମ ପ୍ରେରଣା ନେଇ ପ୍ରାଣ, ଜୀବନ ।

 

ସେ କଳ୍ପନା କରିପାରିଥିଲେ । କଳ୍ପନା ନୁହେଁ, ଠିକ୍‌ ଏହି ଭୟଙ୍କର ଅବସ୍ଥାରେ ପ୍ରତ୍ୟକ୍ଷ ଅଭିଜ୍ଞତାର ସ୍ମୃତି ତାଙ୍କ ମନ ଭିତରେ ଜାଗିଉଠିଥିଲା । ସେ ଅନୁଭବ କରିପାରୁଥିଲେ ।

 

X X X ଅକସ୍ମାତ୍ ମର୍ମାନ୍ତିକ ଶ୍ୱାସରୋଗୀ ସେ ଏକ ନିଷ୍ଠୁର ଯନ୍ତ୍ରଣା । ହୃତ୍‌ପିଣ୍ଡଟାକୁ କିଏ ଯେପରି କଠିନ କଠୋର ହାତମୁଠାରେ ଚିପିଧରିଥିଲା । ତା’ ସହିତ ମସ୍ତିଷ୍କ ଭିତରେ ଗୋଟାଏ ଜ୍ୱାଳା । କାଶୁ କାଶୁ ନିଦ ଭାଙ୍ଗି ଯାଇଥିଲା ଯନ୍ତ୍ରଣାରେ । ଆତଙ୍କ–ବିସ୍ଫାରିତ ଦୃଷ୍ଟି ମେଲା କରି ମଧ୍ୟ କିଛି ବୁଝିପାରିନଥିଲେ । ଏକ ଘନ ସାଦା ପୁଞ୍ଜ ପୁଞ୍ଜ କିଛି ତାଙ୍କୁ ଯେପରି ଛାଇପକାଇଛି-। ଆଉ ଗୋଟାଏ ଗନ୍ଧ ! ଆଉ ଆଖିରେ ପଡ଼ିଥିଲା ସେହି ପୁଞ୍ଜ ପୁଞ୍ଜ ଆବରଣକୁ ପ୍ରଦୀପ୍ତ କରିଥିବା ଗୋଟାଏ ଆଲୋକ ।

 

ଧୂଆଁ ! ମୁହୂର୍ତ୍ତକରେ ଉପଲବ୍‌ଧି ହୋଇଥିଲା ନିଆଁ । ଘରେ ନିଆଁ ଲାଗିଛି ।

 

ମୁଣ୍ଡଉପରେ ଘରର ଗୋଟା ଚାଳଟା ନିଆଁଧରି ଜଳୁଛି । ଜାନୁଆରୀ ଶେଷର ଶୀତରେ ଘରର ଦୁଆର ଝରକା ସବୁ ବନ୍ଦ । ଧୂଆଁରେ ଘରଟା ବିଷ–ବାଷ୍ପାଚ୍ଛନ୍ନ ଆଦିମ ପୃଥିବୀ ପରି ଭୟଙ୍କର ହୋଇଯାଇଛି । ଘରର ଆଲୁଅ ଲିଭିଯାଇଛି । ନିଆଁର ଛଟାରେ ରଙ୍ଗ ଧୂଆଁ ଖାଲି, ତା’ ସହିତ ସେ କି ଉତ୍ତାପ ! ତାଙ୍କ ନିଜ ମୁଣ୍ଡଭିତରେ ସେତେବେଳେ ମଦନିଶାର ଏକ ଘୋର ଯନ୍ତ୍ରଣା-। ମୃତ୍ୟୁ ଯେପରି ଅଗ୍ନିମୁଖୀ ହୋଇ ଗିଳିବାକୁ ଆସୁଛି ତାଙ୍କୁ ଏବଂ ସୁମତିକୁ । ସୁମତି ଚଟାଣ ଉପରେ ଶୋଇଥିଲା । ସେ ସେତେବେଳକୁ ଉଠିଲାଣି; କିନ୍ତୁ ଭୟାର୍ତ୍ତ ବିହ୍ୱଳ ଆଖିର କୋଟରରୁ ଆଖିଦୁଇଟା ଯେପରି ବାହାରି ଆସିବାକୁ ଚାହୁଁଛି । ବିହ୍ୱଳ ପରି ଖାଲି ଗୋଟିଏ ଚିତ୍କାରକଲା ସେ-

 

ତା’ ଭିତରେ ବି ଜ୍ଞାନେନ୍ଦ୍ରନାଥ ନିଜକୁ ସଂଯତ କରି ସାହସ ଆଣି ଟାଣହୋଇ ଠିଆହୋଇଥିଲେ । ଧୂଆଁ ଭିତରେ ସବୁ ଘୋଡ଼ାଇ ହୋଇ ଆସୁଥିଲା, ଆଖିରୁ ପାଣି ବାହାରୁଥିଲା, ତା’ର ଭିତରେ ସେ ଯାଇ ସୁମତିର ହାତ ଧରି କହିଥିଲେ–ଆସ, ଶୀଘ୍ର ଆସ ।

 

ସୁମିତ ତାଙ୍କ ହାତକୁ ଜାବୁଡ଼ି ଧରିଥିଲା ।

 

–ଦୁଆରଟା କୁଆଡ଼େ ? କେଉଁ ପଟକୁ ?

 

ସୁମତି ସେଦିନ ଦୁଆରରେ ଉପରେ ତଳେ ଦୁଇଟା ଛିଟିକିଣି ଲଗାଇ ଯାଇ ଶୋଇଥିଲା-। ଏତେଗୁଡ଼ିଏ ଖୋଲୁ ଖୋଲୁ ସେଥିର ଶବ୍ଦରେ ନିଶ୍ଚେ ତା’ର ନିଦ ଭାଙ୍ଗିବ । ସେ ଜାଣନ୍ତି, ତା’ର ଡର ଥିଲା, ରାତିରେ ସନ୍ତର୍ପଣରେ ଦୁଆର ଖୋଲି କାଳେ ସେ ବାହାରିଯିବେ !

 

ତେବେକେ ସେ ଧୈର୍ଯ୍ୟ ହରାଇ ନାହାନ୍ତି । ପ୍ରାଣପଣେ ନିଜର ଶିକ୍ଷା ଓ ସଂଯମରେ ସ୍ଥିର ରଖିଥିଲେ ନିଜକୁ । ଗୋଟାଏ ପରେ ଗୋଟାଏ ଛିଟିକିଣି କିଳିଣି ଖୋଲି ବାହାରି ଆସିଥିଲେ ବାରଣ୍ଡାକୁ । ସେଠାରେ ନିଃଶ୍ୱାସ ନେବା ସହଜ ହୋଇଥିଲା; କିନ୍ତୁ ଗୋଟା ବାରଣ୍ଡାର ଚାଳଟା ସେତେବେଳେ ପୋଡ଼ି ଖସିପଡ଼ୁଛି; ଗୋଟାଏ ପଟ ପଡ଼ିଗଲାଣି, ମଝିଟା ପଡ଼ୁଛି । ମୁଣ୍ଡଉପରେ ନଇଁଆସୁଛି ଜ୍ୱଳନ୍ତ ଅଗ୍ନିର ଗୋଟାଏ ସ୍ତର । ଠିକ୍‌ ସେହି ମୁହୂର୍ତ୍ତରେ ହିଁ ସୁମତି ଚିତ୍କାର କରିଉଠିଲା ଏବଂ ଭାରି ବୋଝଟାଏ ପରି ମୁହଁମାଡ଼ି ତଳେ ପଡ଼ିଗଲା । ତା’ର ଆକର୍ଷଣ ସାଙ୍ଗରେ ସେ ନିଜେ ବି ପଡ଼ିଗଲେ । ସେମାନଙ୍କ ଉପରେ ଖସିପଡ଼ିଲା ବାଉଁଶ ଫ୍ରେମ୍‌ ସହିତ ବନ୍ଧା ଗୋଟାଏ ସ୍ତରବନ୍ଧା ରାଶି ରାଶି ଜ୍ୱଳନ୍ତ ଛଣ । ସେ କି ଯନ୍ତ୍ରଣା । ବିଶ୍ୱବ୍ରହ୍ମାଣ୍ଡ ବିଲୁପ୍ତ ହୋଇଗଲା ଏକ ମହା ଅଗ୍ନିକୁଣ୍ଡ ଭିତରେ । ତେବେକେ ସେ ଝାଡ଼ିଝୁଡ଼ି ହୋଇ ଉଠିବାକୁ ଚେଷ୍ଟାକଲେ; କିନ୍ତୁ ବାଧା ପଡ଼ିଲା ! ହାତଟା କେଉଁଠି ଅଟକିଯାଇଛି ! ଓଃ, ସୁମତି ଧରିଛି । ପରମୁହୂର୍ତ୍ତରେ ସେ ହାତ ଛଡ଼େଇଦେଇ ଉଠିପଡ଼ି କୌଣସି ପ୍ରକାରରେ ବାରଣ୍ଡା ଉପରୁ ତଳକୁ ଡେଇଁପଡ଼ି ଓହ୍ଲାଇ ଖୋଲା ଅଗଣାରେ ପଡ଼ିଯାଇଥିଲେ । ଅବସ୍ଥାଟା ସେ ବୁଝିପାରୁଛନ୍ତି । ଏ ଅବସ୍ଥା ଠିକ୍‌ କଳ୍ପନା କରିହେବନି । ସେ କରୁଛନ୍ତି, ଭୁକ୍ତଭୋଗୀ ବୋଲି ହିଁ ସେ ବୁଝିପାରିଛନ୍ତି !

 

‘‘ଈଶ୍ୱର ଜାଣନ୍ତି । ଆଉ ହଜୁର ବିଚାରକରି କହିବେ ।’’–ଆସାମୀର କଥା କେତୋଟି ଚୈତନ୍ୟକୁ ଆଚ୍ଛନ୍ନକରି ଏବେ ସୁଦ୍ଧା ଧ୍ୱନିତ ହେଉଛି ।

 

ଡିଫେନ୍‌ସର ଓକିଲ ମଧ୍ୟ ଆତ୍ମରକ୍ଷା ଅଧିକାରର ମୌଳିକ ପ୍ରଶ୍ନଟିକୁ ହିଁ ସର୍ବାପେକ୍ଷା ଅଧିକ ଗରୁତ୍ୱଦେଇ ଉପସ୍ଥାପିତ କରିଛନ୍ତି । ଜୀବନର ଜନ୍ମଗତ ପ୍ରଥମ ଅଧିକାର, ନିଜର ବଞ୍ଚିବା ଅଧିକାର ରହିଛି ତା’ର ସର୍ବାଗ୍ରେ । ଏହି ସ୍ୱତ୍ୱର ଅଧିକାରୀ ହୋଇ ସେ ଜନ୍ମଗ୍ରହଣ କରେ । ଦଣ୍ଡବିଧିର ସେକ୍‌ସନ୍‌ ଏଇଟି–ଓ୍ୱାନ୍‌ର ଦୃଷ୍ଟାନ୍ତ ଦେଇଛନ୍ତି । ଗୋଟିଏ ଛୋଟ ଦୀର୍ଘନିଃଶ୍ୱାସ ପକାଇଥିଲେ ସେ । ହତଭାଗ୍ୟ ଆସାମୀ । ସେକ୍‌ସନ୍‌ ଏଇଟି–ଓ୍ୱାନ୍ ତାକୁ ଜଳମଗ୍ନ ଅବସ୍ଥାରେ ବି ବେକ ଚିପି ଧରିବାର ଅଧିକାର ଦେଇନାହିଁ । ଆସାମୀର ଓକିଲ ଅବଶ୍ୟ ସୁକୌଶଳରେ ସେହି ପ୍ରୟୋଜନୀୟ ଅଂଶଟିକକ ଜୁରିଙ୍କ ସାମନାରେ ଉପସ୍ଥାପିତ କରିଥିଲେ ।

 

‘‘A and B, swimming in the sea after a ship wreck, get hold of a plank not large enough to support both. A pushes B, who is drowned. This in the opinion of sir James Stephen, is not a crime...’’

 

କିନ୍ତୁ ତା’ପରେ ବି ଟିକିଏ ଅଛି ଯେ । ସାର୍‌ ଜେମସ୍‌ ଷ୍ଟିଫେନ୍‌ ଆହୁରି ମଧ୍ୟ କହିଛନ୍ତି,’‘...as thereby A does B No direct bodily harm But leaves him to his chance of another Plante.’’

 

ଏ–ସେକ୍‌ସେନ୍‌ ଯେ ତାଙ୍କ ମନଭିତରେ ଉଜ୍ଜ୍ୱଳ ଅକ୍ଷରରେ ଖୋଦେଇ ହୋଇ ରହିଛି ।

 

ଏହି ବିଧାନଟିକୁ ନେଇ ଯେ ସେ ବାରମ୍ୱାର ପରୀକ୍ଷା କରିନେଇ ନିଜକୁ ମୁକ୍ତି ଦେଇଛନ୍ତି ।

 

ସୁମତିର ହାତଟାକୁ ଖାଲି ସେ ଛଡ଼େଇ ଦେଇଥିଲେ, କୌଣସି ଆଘାତ ସେ କରିନାହାନ୍ତି । ଆଘାତ କରି ତା’ର ହାତ ଛଡ଼ାଇଥିଲେ ଅପରାଧ ହୋଇଥାନ୍ତା ତାଙ୍କର; ଅବଶ୍ୟ ସୁମତିର ଦେହରେ ଗୋଟିଏ କ୍ଷତଚିହ୍ନ ଥିଲା; ସେଇଟା କାହାରି ଦେବା ନୁହେଁ । ସେଇଟା ସୁମତିକି ତା’ର ନିୟତିର ପରିହାସ, ସେଇଟା ତା’ର ସ୍ୱକର୍ମର ଫଳ, ସୁମତିର ପାଦତଳେ ଗୋଟାଏ ଦୀର୍ଘ କାଚର ଫଳକ ଆମୂଳ ପଶିଯାଇ ବିନ୍ଧିହୋଇ ରହିଥିଲା । ଯେଉଁ ବନ୍ଧେଇ ଫଟୋ କେତେଖଣ୍ଡକୁ ସେ ନିଜେ ହିଁ ପିଟି ଭାଙ୍ଗିଥିଲା, ସେହି ଫଟୋର ଭଙ୍ଗା କାଚର ଗୋଟାଏ ଲମ୍ୱା ସରୁ ଖଣ୍ଡ ! ସେଇଟା ଭୁକିଯିବାରୁ ହିଁ ସେ ହଠାତ୍‌ ଏହିପରି ସେହି ଚରମ ସଙ୍କଟ ମୁହୂର୍ତ୍ତରେ ମୁହଁମାଡ଼ି ପଡ଼ିଯାଇଥିଲା ।

 

ବିଧିଲିପି ! ବଧିଲିପି ପରି ବିଚିତ୍ରରୂପର ଏକ ଅନିବାର୍ଯ୍ୟ ପରିମାଣ ନିଜହାତରେ ତିଆରି କରିଥିଲା ସୁମତି । ଗୋଟିଏ ହେଲେ ନିଷ୍କୃତିର ବାଟ ଖୋଲା ରଖିନଥିଲା । ନିଜ ହାତରେ ନିରନ୍ଧ୍ର କରି ରୁଦ୍ଧ କରିଦେଇଥିଲା । ଜୀବନ ପ୍ରକୃତି ଆଉ ଜଡ଼–ପ୍ରକୃତ ଏକାସଙ୍ଗେ ଯୁକ୍ତ ହୋଇ କ୍ଷୁବ୍ଧ ହେଲେ ଆଉ ରକ୍ଷା ମିଳେନାହିଁ । ସେଦିନ ସେମାନଙ୍କ ଜୀବନରେ ଏହିପରି ଏକ ପରିଣାମ ଅନିବାର୍ଯ୍ୟ ଥିଲା ନିଶ୍ଚୟ । ସୁମତି ହାତର ଜଳାହୋଇଥିବା ନିଆଁ ସେହିପରି ଘରେ ଲାଗିନଥିଲେ ଅନ୍ୟଭାବରେ ଏହିପରି ପରିଣାମ ଆସିଥାନ୍ତା । ସେ ନିଜେ ଆତ୍ମହତ୍ୟା କରିଥାନ୍ତେ । ସୁମତିର ନିଦ ଗାଢ଼ ହୋଇଗଲାଣି । ଆତ୍ମଘାତୀ ହେବେ ବୋଲି ସ୍ଥିରକରି ହିଁ ଶୋଇଥିଲେ ସେ; କିନ୍ତୁ ଅତିରିକ୍ତ ମଦନିଶାରେ ତାଙ୍କର ଚୈତନ୍ୟ ସହିତ ସଙ୍କଳ୍ପ ବି ନିଃସ୍ତେକ ହୋଇପଡ଼ିଥିଲା । ସେ ଆତ୍ମହତ୍ୟା କରିଥିଲେ ସୁମତି ମଧ୍ୟ ଆତ୍ମଘାତିନୀ ହୋଇଥା’ନ୍ତା । ସେଥିରୁ ତାଙ୍କର ସନ୍ଦେହ ନଥିଲା; କାୟା ସହିତ ଛାୟା ଭଳି ସେ ତାଙ୍କ ଜୀବନକୁ ଜାବୁଡ଼ି ଧରିଥିଲା ।

 

(୧୩)

 

କୋଠିର କମ୍ପାଉଣ୍ଡ ଭିତରେ ଗାଡ଼ି ରହିଲାକ୍ଷଣି ତାଙ୍କ ମନ ବାସ୍ତବକୁ ଫେରିଆସିଲା । ଜଜ୍‌ସାହେବଙ୍କ କୋଠି । ବର୍ଷାର ମଳିନ ଅପରାହ୍‌ଣ । ଆକାଶରେ ମେଘର ଆସ୍ତରଣ ଦିଗନ୍ତ ପର୍ଯ୍ୟନ୍ତ ବିସ୍ତୃତ । ଘରଟା ନିସ୍ତବ୍‌ଧ । କାହିଁ, ସୁରମା କାହିଁ ? ବାହାରେ କେଉଁଠି ନାହିଁ ସେ !

 

ସେ ନାହିଁ ଭଲହୋଇଛି ।

 

କିନ୍ତୁ ବାହାରେ ପ୍ରକୃତିର ଏହି ରୂପ ତା’ ଉପରେ ଯେପରି ଗୋଟାଏ ଛାୟା ପକାଇଛି । ମ୍ଳାନ ବିଷଣ୍ଣ ସ୍ତବ୍‌ଧ ହୋଇ ରହିଛି ସୁରମା ସେହି ବବୁର୍ଚ୍ଚି–ଖାନାରେ ନିଆଁ ଲାଗିବା ଦିନଠାରୁ ।

 

ଗାଡ଼ିରୁ ଓହ୍ଳାଇ ଜ୍ଞାନେନ୍ଦ୍ରନାଥ ମୁହୂର୍ତ୍ତକପାଇଁ ଠିଆହେଲେ ।

 

ଗୋଟିଏ ଛାୟା । ତାଙ୍କ ନିଜର ହିଁ ଛାୟା । ପାଖର ସବୁଜ ଲନ୍‌ ଉପରେ ନିଜକୁ ପ୍ରସାରିତ କରିଦେଇଛି । ଆସାମୀ ନଗେନ୍ଦ୍ରଠାରୁ ଅନେକ ଦୀର୍ଘ ତାଙ୍କ ଛାୟା । ନଗେନ୍ଦ୍ରଠାରୁ ଅନେକ ବେଶି ଲମ୍ୱା ସେ । ଜ୍ଞାନେନ୍ଦ୍ରନାଥ ଦୀର୍ଘନିଃଶ୍ୱାସ ପକାଇଲେ । ତା’ପରେ ଦୃଢ଼ ପଦକ୍ଷେପରେ ଅଗ୍ରସର ହେଲେ ବାଂଲୋ ଆଡ଼କୁ । ସିଧା ଅଫିସ–ଘର ଆଡ଼କୁ ।

 

ବେହେରା ଆସି ଠିଆହେଲା–ଜୋତା ଖୋଲିବ–

 

–ନା । ହାତରେ ଠାରି ସେ କହିଲେ–ଯାଅ । ଯାଅ ।

 

ଘର ଭିତରେ ପଶିଗଲେ ସେ; ଅଫିସଘର ପାରହୋଇ ଆସି ପଶିଲେ ମଝିରେ ଥିବା ବଡ଼–ଘରଟିରେ । ଘର ମଝିରେ ଠିଆହୋଇ ଚାରିଆଡ଼କୁ ଚାହିଁ ଦେଖିଲେ । ଘରଟି ପ୍ରାୟ ପ୍ରଦୋଷାନ୍ଧକାର ପରି ଛାୟାଚ୍ଛନ୍ନ, ତାଙ୍କ ନିଜର ଛାଇଟି ସୁଦ୍ଧା ମିଳାଇଯାଇଛି । ସେ ଆଗେଇଯାଇ ଆଗର କାନ୍ଥରେ ଟଙ୍ଗା ହୋଇଥିବା ପର୍ଦ୍ଦା ଢଙ୍କା ଛବିଟି ଉପରୁ ପର୍ଦ୍ଦାଟି ଟାଣି ଖୋଲିଦେଲେ ।

 

ସୁମତିର ଅଏଲ୍‌ ପେଣ୍ଟିଂ ଅନ୍ଧାର ଭିତରେ ସ୍ପଷ୍ଟ ଦେଖାଯାଉନାହିଁ । ଖାଲି ବଡ଼ ବଡ଼ ଧଳା ଆଖିଦୁଇଟି ଚକ୍‌ଚକ୍‌ ହେଉଛି ।

 

ଛବିଟି ଆଡ଼କୁ ନିଷ୍ପଲକ ଆଖିରେ ଚାହିଁ ସ୍ଥିରହୋଇ ଠିଆହୋଇ ରହିଲେ ସେ ।

 

ସେ କ’ଣ ଅଭିଯୋଗ କରୁଛି ?

 

ସେ ନିଜେ କ’ଣ ଦୁର୍ବଳ ହୋଇଯାଉଛନ୍ତି ?

 

–ତମେ ଏ ଘରେ ? କହୁ କହୁ ବାହାରୁ ଘରଭିତରେ ପଶି ସୁରମା ସ୍ୱାମୀଙ୍କୁ ସୁମତିର ଛବି ଆଡ଼କୁ ଚାହିଁ ରହିଥିବା ଦେଖି ସ୍ତବ୍ଧ ହୋଇଗଲେ ।

 

–ସେପଟର ଝରକାଟା ଖୋଲିଦିଅ ତ !

 

–ଖୋଲିଦେବି ?

 

–ହଁ !

 

ସେକଥାକୁ ଲଂଘନ କରିପାରିଲେନାହିଁ ସୁରମା । ଝରକାଟା ଖୋଲିଦେଲାକ୍ଷଣି ଝଲକାଏ ଆଲୁଅ ଆସି ପଡ଼ିଲା ଛବିଟି ଉପରେ ।

 

ସୁରମା ଶିହରି ଉଠିଲା । ପରମୁହୂର୍ତ୍ତରେ ଅଗ୍ରସର ହେଲେ–ଛବିଟା ଉପରେ ପର୍ଦ୍ଦାଟାକୁ ଟାଣିଦେବେ ସେ ।

 

–ନା, ଘୋଡ଼ାଅନି ।

 

–କାହିଁକି ? ହଠାତ୍‌ ତମର କ’ଣ ହେଲା ଯେ ?

 

ସୁରମାଙ୍କ ମୁହଁଆଡ଼କୁ ଚାହିଁ ଜ୍ଞାନେନ୍ଦ୍ରନାଥ କହିଲେ–ସେଦିନଠାରୁ ମଝିରେ ମଝିରେ ମନେପଡ଼ୁଛି ତାକୁ । ମଝିରେ ମଝିରେ ଆସି ସେ ଯିମିତି ଆଗରେ ଠିଆହେଉଛି । ଆଜି ଅନେକଥର ଠିଆହୋଇଛି । ସେଥିପାଇଁ ତା’ ଆଗରେ ଆସି ମୁଁ ନିଜେ ଠିଆହୋଇଛି । ଥାଉ ସେଇଟା ଖୋଲା ଥାଉ ।

 

–ହଉ ଥାଉ; କିନ୍ତୁ ଜାମାପଟା ଖୋଲିବ ଚାଲ । ଚା’ ଖାଇବ ।

 

–ଚା’ ଏଇଠିକୁ ପଠାଇଦିଅ । ଏଇଲେ ଲୁଗା ବଦଳାଇବିନି ।

 

ଏ କଣ୍ଠସ୍ୱର ଅଲଂଘନୀୟ । ନିଜର ନିଦକୁ ମନେମନେ ଅଭିଶାପ ଦେଲେ ସୁରମା । ଶୋଇପଡ଼ିଥିଲେ ସେ । ନହେଲେ ହୁଏତ ଗାଡ଼ି ପାଖରୁ ହିଁ ଜ୍ଞାନେନ୍ଦ୍ରନାଥଙ୍କୁ ଫେରାଇପାରିଥାନ୍ତେ; ଏ ଘରେ ପଶିବାକୁ ଦେଇନଥାନ୍ତେ ।

 

କେତେଦିନହେଲା ସ୍ୱାମୀଙ୍କ ପାଇଁ ତାଙ୍କର ଦୁଶ୍ଚିନ୍ତାର ଆଉ ସୀମା ନଥିଲା ।

 

ଦିନକୁଦିନ ସେ ଯେପରି ଦୂରରୁ ଦୂରାନ୍ତରକୁ ଚାଲିଯାଉଛନ୍ତି; ଏକ ନିର୍ଜନ ଗହନର ମୌନ ଏକାକୀତ୍ୱରେ ମଗ୍ନ ହୋଇଯାଉଛନ୍ତି । ବର୍ଷାଦିନର ଏହି ଦିଗନ୍ତବ୍ୟାପୀ ବର୍ଷଣୋନ୍ମୁଖ ମେଘଗୁଡ଼ିକପରି ହିଁ ଗମ୍ଭୀର ମ୍ଳାନ ଏବଂ ଭାରି ହୋଇଯାଉଛନ୍ତି । ଜୀବନର ଜ୍ୟୋତି ଯେପରି କୌଣସି ବିରାଟ ଗମ୍ଭୀର ପ୍ରଶ୍ନର ଅନିବାର୍ଯ୍ୟ ଆବିର୍ଭାବରେ ଘୋଡ଼ାଇ ହୋଇଯାଇଛି । ଅବଶ୍ୟ ଜ୍ଞାନେନ୍ଦ୍ରନାଥଙ୍କ ଜୀବନରେ ଏହା ନୂତନ ନୁହେଁ । ଋତୁପର୍ଯ୍ୟାୟ ଭଳି ଏହା ତାଙ୍କ ଜୀବନକୁ ବାରମ୍ୱାର ଆସିଛି, ବାରମ୍ୱାର କେତେ ପରିବର୍ତ୍ତନ ହେଲା ମଣିଷଟାର ଜୀବନରେ । ଓଃ !

 

କିନ୍ତୁ ଏହିପରି ଆଚ୍ଛନ୍ନତା, ଏହିପରି ମୌନ ମଗ୍ନତା କେବେହେଲେ ସେ ଦେଖିନାହାନ୍ତି ! ସବୁଠାରୁ ବେଶି ସେ ଡରୁଛନ୍ତି ସୁମତିର ଛବିକି । କି ପ୍ରଶ୍ନ ନେଇଆସିଲା ସେ ? କି ପ୍ରଶ୍ନ ? ସେ ପ୍ରଶ୍ନ ଯାହାହେଉ ପଛକେ ତା’ ସହିତ ସେ ନିଜେ ଯେ ଜଡ଼ିତ ହୋଇ ରହିଛନ୍ତି, ସେଥିରେ କୌଣସି ସନ୍ଦେହ ନାହିଁ । ସେହି ଆଭାସ ଯେ ତାଙ୍କ ଅନ୍ତର ପାଉଛି । ଆକୁଳ ହୋଇଉଠୁଛି । ତାଙ୍କ ମା’ ତାଙ୍କୁ ମନା କରିଥିଲେ । କାନରେ ବାଜୁଛି । ମନେପଡ଼ୁଛି । ନିଜେ ସେ ମଧ୍ୟ ଦୂରକୁ ଚାଲିଯିବାକୁ ଚାହୁଁଥିଲେ । ଟେନି୍‌ସ–ଫାଇନାଲ୍‌ ଜିତିବା ପରେ ଉଠାହୋଇଥିବା ଫଟୋଗ୍ରାଫ୍‌ କେତୋଟି ପାଇଲାକ୍ଷଣି ସେ ସଙ୍କଳ୍ପ କରିଥିଲେ ସୁମତି–ଜ୍ଞାନେନ୍ଦ୍ରନାଥଙ୍କଠାରୁ ଦୂରକୁ ଚାଲିଯିବେ । ଅନେକ ଦୂରକୁ । ଆରଦିନ ସକାଳୁ ହିଁ କଲିକତାକୁ ଚାଲିଯିବେ, ସେଠାରୁ ବାପାଙ୍କୁ ଲେଖିବେ ଅନ୍ୟ କେଉଁ ସ୍ଥାନକୁ ଟ୍ରାନ୍‌ସଫର୍‌ ହୋଇ ଚାଲିଯିବାକୁ; ଅଥବା ଜ୍ଞାନେନ୍ଦ୍ରନାଥଙ୍କୁ ଟ୍ରାନ୍‌ସଫର୍‌ କରାଇବାକୁ ବାପାଙ୍କୁ ଜଣାଇବାକୁ ତାଙ୍କର ସଙ୍କୋଚ ନଥିଲା; କିନ୍ତୁ ଘଟନାଚକ୍ର ବିଚିତ୍ର ।

 

ତା’ପରଦିନ ଭୋର୍‌ ସମୟରେ ଶୁଣିଥିଲେ ମୁନ୍‌ସଫ୍‌ବାବୁଙ୍କ ବସା ପୋଡ଼ି ଛାରଖାର ହୋଇଯାଇଛି । ମୁନ୍‌ସଫ୍‌ବାବୁଙ୍କ ସ୍ତ୍ରୀ ପୋଡ଼ି ମରିଯାଇଛନ୍ତି, ମୁନ୍‌ସଫ୍‌ବାବୁ ହସ୍‌ପିଟାଲରେ ଅଜ୍ଞାନ ଅବସ୍ଥାରେ, ଛାତି ଓ ପିଠି ବହୁତ ପୋଡ଼ିଯାଇଛି, ବଞ୍ଚିବେ କି ନାହିଁ ସନ୍ଦେହ !

 

ତାଙ୍କର ସବୁ ବନ୍ଧ ଭାଙ୍ଗି ଯାଇଥିଲା ।

 

ଯେଉଁ ପ୍ରେମକୁ ଜୀବନରେ କେବେହେଲେ ପ୍ରକାଶିତ କରିବେନି ବୋଲି ସଙ୍କଳ୍ପ କରିଥିଲେ,ସେହି ପ୍ରେମ ସଙ୍କଟମୟ ମୁହୂର୍ତ୍ତରେ ତା’ର ସ୍ୱରରେ କାନ୍ଦିଉଠି ଆତ୍ମପ୍ରକାଶ କରିଥିଲା । ସେ ଯାଇ ଜ୍ଞାନେନ୍ଦ୍ରନାଥଙ୍କ ମୁଣ୍ଡପାଖରେ ବସିଥିଲେ । ଉଠିବେନି, ସେ ଉଠିବେନି । ମା’ଙ୍କୁ କହିଥିଲେ–ମତେ ଉଠିବାକୁ କହନି, ମୁଁ ଯିବିନି, ଯାଇପାରିବିନି ।

 

କାତର ଦୃଷ୍ଟିରେ ସେ ବାପାଙ୍କ ଆଡ଼କୁ ଚାହିଁଥିଲେ ।

 

ବାପା କହିଥିଲେ–ବେଶ୍‌, ତୁ ରହିଥା !

 

ମା’ କହିଥିଲେ–ତୁ ଏ କ’ଣ କରୁଛୁ ଭାବି ଦେଖେ । ଯେଉଁ ଲୋକ ସ୍ତ୍ରୀକୁ ବଞ୍ଚେଇବାକୁ ଯାଇ ଏହିପରି ନିଜର ପ୍ରାଣକୁ ବିପନ୍ନ କରେ, ତା’ ମନରେ ଅନ୍ୟର ସ୍ଥାନ କେଉଁଠି ?

 

ଲୋକେ ଯେ ଦେଖିଥିଲେ, ଚକିତକ ପାଇଁ ସୁମତିର ହାତଧରି ଜ୍ଞାନେନ୍ଦ୍ରନାଥ ବାହାରିଆସିବା ଦେଖିଥିଲେ । ଚାଳ ଖସିପଡ଼ିବା ମୁହୂର୍ତ୍ତରେ ସୁମତିର ନାଁ ଧରି ତାଙ୍କର ଆର୍ତ୍ତ ଚିତ୍କାର ଶୁଣିଥିଲେ–ସୁମତି ! ସେମାନେ କହନ୍ତି, ସେ ଏକ ପ୍ରାଣଫଟା ଆର୍ତ୍ତନାଦ ଥିଲା ଯିମିତି !

 

ଜ୍ଞାନେନ୍ଦ୍ରନାଥ ଭଲହୋଇ ଉଠିବାପରେ ଏକଦା ଏକ ନିଭୃତ ଅବସରରେ ସୁରମା କହିଥିଲେ–ତମ ଜୀବନକୁ ମୁଁ ସର୍ବସ୍ୱାନ୍ତ କରିଦେଇଛି । ମୋରି ପାଇଁ ତମର ଏ ସର୍ବନାଶ ହୋଇଗଲା । ମତେ ତମେ ନିଅ । ସୁମତିର ଅଭାବ....

 

ଜ୍ଞାନେନ୍ଦ୍ର ନାଥ ଆଶ୍ଚର୍ଯ୍ୟ । ସୁରମାର କଥାରେ ବାଧାଦେଇ କହିଥିଲେ–ଅଭାବବୋଧରେ ସମସ୍ତ ସ୍ଥାନଟାକୁ ଯେ ଅଗ୍ନି ଜିହ୍ୱାଲେହନ କରି ତା’ର ରୂପ, ରସ, ଗନ୍ଧ, ସ୍ୱାଦ ସବୁ ନିଃଶେଷରେ ନେଇଯାଇଛି ସୁରମା !

 

ଆଙ୍ଗୁଠି ଦ୍ୱାରା ଦେଖାଇଥିଲେ ନିଜର ପୋଡ଼ିଯାଇଥିବା ଛାତି ଓ ପିଠିଟାକୁ ।

 

–ମୋର ଚା–ଟା–ଖାଲି ଚା, ଏଇଠିକି ପଠେଇଦିଅ ! ପ୍ଲିଜ୍‌ !

 

ଜ୍ଞାନେନ୍ଦ୍ରନାଥଙ୍କ ମୃଦୁ ଗମ୍ଭୀର କଣ୍ଠସ୍ୱର ! ଚମକି ପଡ଼ିଲେ ସୁରମା । ଫେରିଆସିଲେ ନିଷ୍ଠୁରତମ ବାସ୍ତବ ଅବସ୍ଥାକୁ । ଜ୍ଞାନେନ୍ଦ୍ରନାଥ ଠିଆହୋଇଛନ୍ତି ସୁମତିର ଅୟେଲ୍‌ପେଣ୍ଟିଂ ଆଗରେ ।

 

–‘‘ନା ।’’ ଆର୍ତ୍ତ, ମିନତି ସହିତ ସୁରମା ତାଙ୍କ ହାତଟିକୁ ଧରିବାକୁ ଗଲେ ।

 

–ପ୍ଲିଜ୍‌ !

 

ସୁରମାଙ୍କ ଉଦ୍ୟତ ହାତଟି ମନକୁମନ ଦୁର୍ବଳ ହୋଇ ତଳକୁ ହୋଇଗଲା । ଆଦେଶ ନୁହେଁ, ଆକୁତିଭରା କଣ୍ଠସ୍ୱର । ବିଦ୍ରୋହ କରିବାର ରାସ୍ତା ନାହିଁ । ଲଘଂନ କରାଯାଇପାରିବନି ମଧ୍ୟ-

 

ନିଃଶବ୍ଦରେ ହିଁ ବାହାରିଗଲେ ସୁରମା ।

 

୧୪

 

ସ୍ଥିରଦୃଷ୍ଟିରେ ଛବିଟି ଆଡ଼କୁ ଚାହିଁରହିଥିଲେ ଜ୍ଞାନେନ୍ଦ୍ରନାଥ । କ୍ଷୀଣତମ ଭାଷାର ସ୍ପନ୍ଦନ ସେଥିରେ ଥିଲେ ସେଇୟାକୁ ଶୁଣିବାକୁ ଚେଷ୍ଟା କରୁଥିଲେ, ଇଙ୍ଗିତ ଥିଲେ ବୁଝିବାକୁ ଚେଷ୍ଟା କରୁଥିଲେ, ସୁମତିର କୋମଳ ମିଷ୍ଟ ପ୍ରତିମୂର୍ତ୍ତି ଭିତରେ କେଉଁଠି ଫୁଟିରହିଛି ଅସନ୍ତୋଷ ଅଭିଯୋଗର ଛାୟା ?

 

–ତମେ ଆଜି କୋର୍ଟ ଭିତରେ ଅସୁସ୍ଥ ହୋଇପଡ଼ିଥିଲ ?

 

ଜ୍ଞାନେନ୍ଦ୍ରନାଥ ଫେରି ଚାହିଁଲେ ।

 

ଚା’ ନେଇ ସୁରମା ଆସି ଠିଆହୋଇଛନ୍ତି । ନିଜେ ନେଇଆସିଛନ୍ତି । ବେହେରାକୁ ସାଙ୍ଗରେ ଆଣିନାହାନ୍ତି ।

 

–ଅସୁସ୍ଥ ହୋଇପଡ଼ିଥିଲେ ? ମୁଣ୍ଡ ଘୂରିଯାଇଥିଲା ?

 

–କିଏ କହିଲା ?

 

–ଚପରାସୀ କହିଲା । ପବଲିକ୍‌ ପ୍ରସିକ୍ୟୁଟର୍‌ଙ୍କ ସୁଆଲ ଚାଲିଥିଲାବେଳେ ତମର ମୁଣ୍ଡ ଘୂରିଯାଇଥିଲା, ତମେ ଉଠିଯାଇ ଚେମ୍ବରରେ ମୁଣ୍ଡ ଧୋଇଲ... ?

 

–ହଁ, ଟିକିଏ ହସିଲେ ଜ୍ଞାନେନ୍ଦ୍ରନାଥ । ବିଚିତ୍ର ସେ ହସ । ବିଷଣ୍ଣତା ଭିତରେ ଯେ ଏହିପରି ପ୍ରସନ୍ନତା ଥାଇପାରେ, ଏହା ସୁରମା କଦାପି ଦେଖିନାହାନ୍ତି ।

 

ଅକସ୍ମାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ସେ ।

 

ପବ୍‌ଲିକ୍‌ ପ୍ରସିକ୍ୟୁଟର୍‌ ଆସାମୀର ଓକିଲଙ୍କ ସୁଆଲ ପରେ ସେଥିର ଜବାବ ଦେଉଥିଲେ । ଗଭୀର ଆତ୍ମମଗ୍ନତା ଭିତରେ ବୁଡ଼ି ରହିଥିଲେ ସେ । ନିଷ୍ପନ୍ଦ ପଥର ମୂର୍ତ୍ତି ପରି ବସିଥିଲେ ସେ, ଆଖିର ତାରା ଦୁଇଟି ସୁଦ୍ଧା ସ୍ଥିର, କାଚ ଆଖିପରି ମନେହେଉଥିଲା । ଖାଲି ଇଲେକ୍‌ଟ୍ରିକ୍‌ ଫେନର ପବନରେ ତାଙ୍କ ଗାଉନର ପ୍ରାନ୍ତଗୁଡ଼ିକ ହଲୁଥିଲା; ଦୋହଲୁଥିଲା । ସେ ମନେମନେ ଅନୁଭବ କରୁଥିଲେ ସେହି ଶ୍ୱାସରୋଧ ଅବସ୍ଥାର ସ୍ୱରୂପ । ଆଙ୍କିକ ନିୟମରେ ଅନ୍ଧ ବସ୍ତୁଶକ୍ତିର ନିପୀଡ଼ନ । ଅଙ୍କର ନିୟମରେ ଗୋଟିଏ ପଟେ ତା’ର ଶକ୍ତି ଘନୀଭୂତ ହୁଏ, ଅନ୍ୟପଟେ ଜୀବନର ସଂଗ୍ରାମ ଶକ୍ତି । ସହ୍ୟଶକ୍ତି କ୍ଷୀଣରୁ କ୍ଷୀଣତର ହୋଇଆାସେ । ତା’ର ଶେଷମୁହୂର୍ତ୍ତର ଅବ୍ୟବହିତ ପୂର୍ବେ–ସେହି ଚରମ ମୁହୂର୍ତ୍ତ–ସେତେବେଳେ ତା’ର ଶେଷ ଚେଷ୍ଟା, ପୁଞ୍ଜ ପୁଞ୍ଜ ଧୂଆଁ ଆଉ ଧୂଆଁ ଖାଲି, ନିର୍ମଳ ପ୍ରାଣପ୍ରଦାୟିନୀ ବାୟୁର ଅଭାବରେ ହୃତ୍‌ପିଣ୍ଡ ଫାଟିଯାଇଛି । ସକଳ ସ୍ମୃତି, ଧାରଣା, ବିଚାରବୁଦ୍ଧି ଅସ୍ପଷ୍ଟ ହୋଇ ମିଳାଇଯାଉଛି । ଅକସ୍ମାତ୍‌ ପବନ ବନ୍ଦ ହୋଇ ଯେପରି ଆଲୋକର ଶିଖା ବଢ଼ି ଉଠି ଲଣ୍ଠନର କାଚ ଭିତରେ କାଳିର ପ୍ରଲେପ ଲିପିଦିଏ । ତା’ର ଜ୍ୟୋତିର ଚୈତନ୍ୟକୁ ଆଚ୍ଛନ୍ନ କରିଦେଇ ନିଜେ ବି ଲିଭିଯାଏ–ଠିକ୍ ସେହିପରି । ଠିକ୍‌ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଛଣରାଶି, ଏକସଙ୍ଗେ ଶତ ବନ୍ଧନରେ ବନ୍ଧା ଗୋଟାଏ ନିନ୍ଦା ଅଗ୍ନି ପ୍ରାଚୀର ପରି । ଆସାମୀ ଠିକ୍‌ କଥା କହିଛି, ସେ–ସମୟର ମନର ଅବସ୍ଥାକୁ ସ୍ମରଣ କରାଯାଇପାରିବନାହିଁ । ପ୍ରକୃତିର ନିୟମ । ହତଭାଗ୍ୟ ଆସାମୀ ପାଣିଭିତରେ ବୁଡ଼ିଯାଉଥିଲା, ନିଷ୍ଠୁର ବନ୍ଧନରେ ବାନ୍ଧିଥିଲା ତା’ର ଭାଇ । ଘନ ଜଳ ଭିତରେ ଗଭୀରକୁ ଚାଲିଯାଉଥିଲା, ଶ୍ୱାସବାୟୁ ରୁଦ୍ଧ ହୋଇଯାଇ ଛାତି ଫାଟିଯାଉଥିଲା, ସେ ସେହି ଯନ୍ତ୍ରଣା ଭିତରେ ଚାଲିଥିଲା । ପଶ୍ଚାତ୍‌ ଦିଗରେ ଆଦିମତମ ଜୀବନଚେତନାର ଦିଗରେ– । ଅକସ୍ମାତ୍‌ ତାଙ୍କ କାନରେ ଆସି ବାଜିଲା ଅବିନାଶବାବୁଙ୍କ କଥା ।

 

ପବ୍‌ଲିକ୍‌ ପ୍ରସିକ୍ୟୁଟର କହୁଥିଲେ–ସେକ୍‌ସନ୍‌ ଏଇଟିଓ୍ୱାନ୍‌ର ଅନୁଲ୍ଲିଖିତ ଅଂଶଟି କଥା । ଆସାମୀ ଖଗେନ୍ଦ୍ରର ବେକକୁ ଚିପିଧରି ତାକୁ ଆଘାତ କରିଛି, ଶ୍ୱାସରୋଧ କରି ମୃତ୍ୟୁର କାରଣ ଘଟାଇଛି, ଖଗେନ୍ଦ୍ରକୁ ମାରି ନିଜେ ବଞ୍ଚିଛି, ଖଗେନ୍ଦ୍ରକୁ ବଞ୍ଚିବାର ଅବକାଶ ଦେଇନାହିଁ ।

 

‘‘ୟୁଅର୍‌ ଅନର୍‌, ତା’ ଛଡ଼ା ଆଉ ଗୋଟିଏ କଥା ଅଛି । ମୋର ପଣ୍ଡିତ ବନ୍ଧୁ ସେକସନ୍‌ ଏଇଟିଓ୍ୱାନର ଗୋଟିଏ ନଜିର୍‌ର ଅର୍ଦ୍ଧାଂଶ ମାତ୍ର ଉଲ୍ଲେଖ କରିଛନ୍ତି । ସେ ଅର୍ଦ୍ଧାଂଶର କଥା ମୁଁ କହିଛି । ଏହି ସେକ୍‍‌ସନ ଏଇଟିଓ୍ୱାନ୍‌ରେ ହିଁ ଆଉ ଗୋଟିଏ ଉଦାହରଣ କଥା ମୁଁ ଉଲ୍ଲେଖ କରିବି । ଭଗ୍ନପୋତ ନାବିକ ତିନିଜଣ, ଅକୂଳ ସମୁଦ୍ରରେ ଭେଳାରେ ଭାସୁଥିଲେ । ଦୁଇଜଣ ପ୍ରୌଢ଼ । ଜଣେ କିଶୋର । ଅକୂଳ ଦିଗନ୍ତ ହୀନ ସମୁଦ୍ର, ତା’ଉପରେ ପୁଣି କ୍ଷୁଧା । କ୍ଷୁଧା ସେହି ନିଷ୍କରୁଣ ନିଷ୍ଠୁରତମ ରୂପ ଧରି ଦେଖାଦେଲା, ଯେଉଁ ରୂପକୁ ଆମେ ସେହି ଆଦିମ ଉନ୍ମାଦିନୀ ଶକ୍ତି ବୋଲି ଭାବୁ । ‘‘ଯା ଦେବୀ ସର୍ବଭୂତେଷୁ କ୍ଷୁଧାରୂପେଣ ସଂସ୍ଥିତା ।’’ଯାହା ନିକଟରେ ବିଶ୍ୱବ୍ରହ୍ମାଣ୍ଡର ଜୀବନ ମଥା ଆନତ କରେ । ସେହି ଅବସ୍ଥାରେ ସେମାନେ କରି ସେହି କିଶୋରଟିକୁ ହତ୍ୟାକରି ତା’ର ମାସଂ ଖାଇ ବଞ୍ଚିଥିଲେ । ସେମାନେ ଲଟେରୀ ଉଦ୍ଧାର ପାଇଲେ । ପରେ ବିଚାର ହେଲା । ସେ ବିଚାରରେ ଆସାମୀମାନଙ୍କ ଓକିଲ ଜୀବନର ଏହି ଆଦିମ ଆଇନ୍‌ର କଥା ଉଲ୍ଲେଖକରି କହିଥିଲେ, ବିଚାରକଙ୍କୁ ମନେରଖିବାକୁ ପଡ଼ିବ, ସେମାନେ ସେତେବେଳେ ମନୁଷ୍ୟ ସଭ୍ୟତାର ଆଇନ୍‌ଠାରୁ ଆହୁରି ଅଧିକ ପ୍ରବଳତର ଆଇନ୍‌ ଦ୍ୱାରା ପରିଚାଳିତ !’’

 

‘‘କିନ୍ତୁ ସେଠାରେ ବିଚାରକ କହୁଛନ୍ତି, ଆତ୍ମରକ୍ଷା ଯେପରି ସହଜ ପ୍ରବୃତ୍ତି ସାଧାରଣ ଧର୍ମ–ସେହିପରି ଆତ୍ମତ୍ୟାଗ, ପରାର୍ଥେ ଆତ୍ମ–ବିସର୍ଜନ ମଧ୍ୟ ମଣିଷର ସହଜାତ ପ୍ରବୃତ୍ତି, ମହତ୍ତର ଧର୍ମ । ଇୟୋର୍‌ ଅନର, ଯେଉଁ ପ୍ରକୃତି ବସ୍ତୁଜଗତରେ ଅନ୍ଧ ନିୟମଦ୍ୱାରା ପରିଚାଳିତ; ଜନ୍ତୁ–ଜୀବନରେ ବର୍ବର, ହିଂସ୍ର କୁଟୀଳ, ଆତ୍ମପରତନ୍ତ୍ରତାରେ ଯାହାର ପ୍ରକାଶ, ମଣିଷ ଜୀବନରେ ତାହାର ହିଁ ପ୍ରକାଶ ଦୟାଧର୍ମରେ, ଆତ୍ମବଳିଦାନର ମହତ୍‌ ଏବଂ ବିଚିତ୍ର ପ୍ରେରଣାରେ । ଜନ୍ତୁର ମା’ ସନ୍ତାନକୁ ଭକ୍ଷଣ କରେ । ମନୁଷ୍ୟର ମା’ ଆକ୍ରମଣୋଦ୍ୟତ ସାପର ମୁହଁରୁ ସନ୍ତାନକୁ ବଞ୍ଚାଇବାକୁ ଯାଇ, ସେ ଦଂଶନକୁ ବୁକୁ ପାତିଦେଇ ଗ୍ରହଣ କରେ । କେଉଁଠି ଥାଏ ତା’ର ଆତ୍ମରକ୍ଷାର ସେହି ଜାନ୍ତବ ଦୀନତା ହୀନତା ? ମା’ ଯଦି ନିଜ ପ୍ରାଣପାଇଁ ସନ୍ତାନକୁ ହତ୍ୟାକରେ, ପିତା ଯଦି ପୁତ୍ରକୁ ହତ୍ୟା କରେ ନିଜର ପ୍ରାଣପାଇଁ, ବଡ଼ଭାଇ ଯଦି ଅସହାୟ ଦୁର୍ବଳ ସାନଭାଇକୁ ହତ୍ୟାକରି ନିଜର ପ୍ରାଣରକ୍ଷା କରି ମହତ୍ତ୍ୱର ମାନବଧର୍ମ ବିସର୍ଜନ ଦିଏ, ସବଳ ଯଦି ଦୁର୍ବଳକୁ ରକ୍ଷାନକରେ, ତେବେ ଏହି ମଣିଷସମାଜ ଆଉ ପଶୁର ସମାଜ ଭିତରେ ପ୍ରଭେଦ କେଉଁଠି ? ଆଦିଯୁଗରୁ ମନୁଷ୍ୟସମାଜ ଏହି ଘଟନା ଘଟିବା ଦିନଟି ପର୍ଯ୍ୟନ୍ତ ଅନେକ ଅନେକ କାଳଧରି ଅନେକ ଅନେକ ଦୀର୍ଘପଥ ଚାଲି ଚାଲି ଆସିଛି ଅନ୍ଧ ତମସାଚ୍ଛନ୍ନତାରୁ ଆଲୋକିତ ଜୀବନର ପଥକୁ, ଏହି ଧର୍ମ ଏହି ପ୍ରବୃତ୍ତି ଆଜି ରକ୍ତଧାରା ସହିତ ମିଶି ରହିଛି, ତା’ର ପ୍ରକୃତିର ସ୍ୱାଭାବଧର୍ମର ଅଙ୍ଗୀଭୂତ ହୋଇଯାଇଛି । ଆମ ପୁରାଣରେ ଅଛି ମହର୍ଷି ମାଣ୍ଡବ୍ୟ ବାଲ୍ୟକାଳରେ ଏକ ଝିଣ୍ଟିକା ଦେହରେ କଣ୍ଟା ଗଳାଇ ଖେଳିଥିଲେ-। ପରିଣତ ବୟସରେ ତାଙ୍କୁ ବିନାଅପରାଧରେ ରାଜକର୍ମଚାରୀମାନଙ୍କ ଭ୍ରମ ଯୋଗୁ ଶୂଳିରେ ବିଦ୍ଧ ହେବାକୁ ପଡ଼ିଥିଲା । ସେ ଯାଇ ଧର୍ମକୁ ପ୍ରଶ୍ନ କରିଥିଲେ, କେଉଁ ଅପରାଧ ଯୋଗୁଁ ଏହି ଦଣ୍ଡ ପାଇବାକୁ ପଡ଼ିଲା ତାଙ୍କୁ । ସେତେବେଳେ ଧର୍ମ ଏହି ବାଲ୍ୟ ବୟସର ଘଟନାର କଥାଟି ଉଲ୍ଲେଖ କରି କହିଥିଲେ–ଆଘାତର ପ୍ରତିଘାତ ଧାରାରେ ହିଁ ଚାଲେ ଧର୍ମର ବିଚାର; କ୍ରିୟାର ପ୍ରତିକ୍ରିୟା ପରି ଅମୋଘ ଅନିବାର୍ଯ୍ୟ ! ଏଥିରୁ କାହାରି ପରିତ୍ରାଣ ନାହିଁ । ୟୁଅର୍‌ ଅନର୍‌, ଏହି ମନୁଷ୍ୟର ଧର୍ମ ସମ୍ପର୍କରେ ଏ ଦେଶରେ କଳ୍ପନା...’’

 

ଠିକ୍‌ ଏହି ମୁହୂର୍ତ୍ତରେ ସେ ଅସୁସ୍ଥ ହୋଇପଡ଼ିଲେ ।

 

ସମସ୍ତ କୋର୍ଟରୁମ୍‌ଟା ଯେପରି ଭଉଁରି ଭଳି ଘୂରିବାକୁ ଆରମ୍ଭ କରିଥିଲା । ସେଥିଭିତରେ ମନେପଡ଼ିଥିଲା–ଦୀର୍ଘଦିନ ଆଗକାର କଥା । ସେ ଡାକ୍ତରଖାନାରେ ପଡ଼ିଛନ୍ତି, ଛାତିରେ ପିଠିରେ ବେଣ୍ଡେଜ୍‌ ବନ୍ଧା ହୋଇଛି; ଦେହ ଓ ମନରେ ନିଦାରୁଣ ଯନ୍ତ୍ରଣା । ସୁରମାର ବାପା ତାଙ୍କୁ କହିଥିଲେ–ତମେ କ’ଣ କରିବ ? କ’ଣ କରିପାରିଥାନ୍ତ ? ହୁଏତ ସୁମତି ସହିତ ଏକାସାଙ୍ଗରେ ପୋଡ଼ିହୋଇ ମରିପାରିଥାନ୍ତ ? ସେଥିରେ କ’ଣ ହୋଇଥାନ୍ତା ?

 

ଆଜି ଆସାମୀକୁ ଲକ୍ଷ୍ୟ କରି ଅବିନାଶବାବୁ ଯେତେବେଳେ ଏହି କଥାଗୁଡ଼ିକ କହିଗଲେ, ସେତେବେଳେ ତାଙ୍କର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଦେହର ଶିରାରେ ଶିରାରେ ସ୍ନାୟୁରେ ସ୍ନାୟୁରେ ତୀକ୍ଷ୍‌ଣ ସୂଚିମୁଖ ହିମାନୀ–ସ୍ପର୍ଶର ପ୍ରତିକ୍ରିୟାରେ ଯେପରି ଗୋଟାଏ ଅଦ୍ଭୁତ କମ୍ପନ ବହିଗଲା ସର୍ବାଙ୍ଗରେ । ଆଜି ଆକାଶରେ ମେଘ ନାହିଁ, ଖରା ପଡ଼ିଛି, ସ୍କାଇଲାଇଟ୍‌ ଭିତରଦେଇ ସେହି ଆଲୋକର ପ୍ରତିଫଳନରେ ଆସାମୀର ପାଦପାଖରେ ଗୋଟାଏ ଘନ–କଳା ଛାଇ ପୁଞ୍ଜୀଭୂତ ହୋଇ ଯେପରି ବସିରହିଛି । ସେ ଟେବୁଲ୍‌ ଉପରେ ମୁଣ୍ଡ ରଖି ଲଇଁପଡ଼ିଥିଲେ ଯେପରି; କିନ୍ତୁ ତାହା ଏକ୍‌ମିନିଟ୍‌ ପାଇଁ, ବୋଧହୁଏ ତାହାଠାରୁ ଆହୁରି କମ୍‌ ସମୟ ପାଇଁ । ସଙ୍ଗେ ସଙ୍ଗେ ମୁଣ୍ଡଟେକି କହିଥିଲେ ସେ–ମିଷ୍ଟର୍‌ ମିତ୍ର, ଟିକିଏ ଅପେକ୍ଷା କରନ୍ତୁ, ମୁଁ ଆସୁଛି । ଫାଇଭ୍‌ ମିନିଟ୍‌ସ୍‌ ପ୍ଲିଜ୍‌ ।

 

ନିଜ ଚେମ୍ବର୍‌କୁ ଚାଲିଯାଇ ବାଥ୍‌ରୁମ୍‌ରେ କଳ ତଳେ ମୁଣ୍ଡଟା ଦେଖାଇ ଦେଇ କଳ ଫିଟାଇ ଦେଇଥିଲେ । ଚାରିମିନିଟ୍‌ ପରେ ପୁଣି ଆସି ଆସନ ଗ୍ରହଣ କରି କହିଥିଲେ–ଇଏସ୍‌, ଗୋ ଅନ୍‌ ପ୍ଲିଜ୍‌ !

 

‘‘ଧର୍ମ ବିଷୟରେ ମନୁଷ୍ୟର କଳ୍ପନାର କାହାଣୀଗୁଡ଼ିକ ଯେତେ ଅବାନ୍ତର ହେଉ ପଛକେ ତାହାର ଅନ୍ତର୍ନିହିତ ଉପଲବ୍‌ଧି, ତାହାର ଭିତ୍ତିଗତ ସତ୍ୟ ଅଭ୍ରାନ୍ତ, ଅମୋଘ ! ରାଷ୍ଟ୍ର, ସମାଜ ସେହି ନିୟମ ଓ ନୀତିକୁ ହିଁ ଜୟଯୁକ୍ତ କରନ୍ତି । ବର୍ତ୍ତମାନ କ୍ଷେତ୍ରରେ...’’

 

ଅବିନାଶବାବୁ ଆଶ୍ଚର୍ଯ୍ୟ ଧୀମତ୍ତାର ସହିତ ତାଙ୍କର ସୁଆଲ କରିଛନ୍ତି । ସାରା ଅଦାଲତଟା ଅଭିଭୂତ ହୋଇଯାଇଥିଲା । ସୁଆଲ ଶେଷହେବା ପରେ ମଧ୍ୟ ମିନିଟିଏ ଖଣ୍ଡେ କୋର୍ଟରୁମ୍‌ରେ ସୂଚୀ–ପତନ ଶବ୍ଦ ଶୁଣାଯିବା ଭଳି ସ୍ତବ୍‌ଧତା ଥମ୍‌ଥମ୍‌ କରୁଥିଲା ।

 

ଆସାମୀ ଆଖିବୁଜି ସ୍ତବ୍‌ଧହୋଇ ଠିଆହୋଇଥିଲା ।

 

ସେହି ସ୍ତବ୍‌ଧତା ମଝିରେ ବି ସମସ୍ତଙ୍କ ମନରେ ଧ୍ୱନିତ ହେଉଥିଲା,–ବର୍ତ୍ତମାନ କ୍ଷେତ୍ରରେ ଆସାମୀ ଯଦି ଏକ ନାରୀର ପ୍ରେମରେ ଉନ୍ମତ୍ତ ହୋଇ ସ୍ନେହ–ମମତା, ତା’ର ସୁଦୀର୍ଘ ଦିନର ସନ୍ନ୍ୟାସଧର୍ମ ବିସର୍ଜନ ଦେବାକୁ ଉଦ୍ୟତ ନ ହୋଇଥାନ୍ତା, ତେବେ ମୁଁ ନିଶ୍ଚୟ କହିପାରେ ଯେ, ଆତ୍ମରକ୍ଷାର ଆକୁଳତାରେ ସେହି ସାନ ଭାଇଟିର ବେକ ଚିପିଦେଇ ସୁଦ୍ଧା ସେ ଛାଡ଼ିଦେଇଥାନ୍ତା, ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତା । ସେ କ୍ଷେତ୍ରରେ ଏହିପରି ଘଟନା ଯଦିବା ଘଟିଥାନ୍ତା, ତେବେ ମୁଁ କହିଥାନ୍ତି ଯେ ପାଣି ଭିତରେ ସେ ଯେତେବେଳେ ସାନଭାଇର ବେକ ଚିପି ଧରିଥିଲା, ସେତେବେଳେ କେବଳ ମାତ୍ର ଆତ୍ମରକ୍ଷାର ପ୍ରେରଣାରେ ହିଁ ସେ ଏ କାର୍ଯ୍ୟ କରିଥିଲା; କିନ୍ତୁ ଏ କ୍ଷେତ୍ରରେ ଆସାମୀ ଏବଂ ହତ ବ୍ୟକ୍ତି ଭାଇ ହୋଇ ସୁଦ୍ଧା ପ୍ରଣୟର ପ୍ରତିଦ୍ୱନ୍ଦ୍ୱୀ, ଯେଉଁମାନେ କି ଦ୍ୱନ୍ଦ୍ୱର ତୀବ୍ରତାରେ ବିଷୟଭାଗ କରିବା ପାଇଁ ଉଦ୍ୟତ ହୋଇଥିଲେ । ଏ କ୍ଷେତ୍ରରେ ଆକ୍ରୋଶ ଅହରହ ଉଜ୍ଜୀବିତ ହୋଇ ରହିଥିଲା ତା’ର ପ୍ରଣୟର ପ୍ରତିଦ୍ୱନ୍ଦ୍ୱୀ ଉପରେ ଏବଂ ଯଥା ସମୟର ସୁଯୋଗ ଭିତରେ ସେହି ଆକ୍ରୋଶ ଯଥାରୀତି କାର୍ଯ୍ୟ କରିଯାଇଛି । ବାଲ୍ୟଜୀବନରେ ଚତୁଷ୍ପଦ ହତ୍ୟା କରିବାର ଚାତୁର୍ଯ୍ୟ ତା’ର ସବଳତର ହାତରେ ମୁହୂର୍ତ୍ତକ ଭିତରେ କାର୍ଯ୍ୟ ଶେଷ କରିଦେଇଛି–ୟୁଅର୍‌ ଅନର୍‌...

 

ଅବିନାଶବାବୁଙ୍କ କଥାଗୁଡ଼ିକ ଏବେ ବି ଧ୍ୱନିତ ହେଉଛି–ଆଇନ୍‌ ହିଁ ଶେଷ କଥା ନୁହେଁ-। ପୃଥିବୀରେ ପ୍ରକୃତିର ନିୟମ ଯେପରି ଅମୋଘ, ମଣିଷର ଚୈତନ୍ୟର ମହତ୍‌ ପ୍ରେରଣା ବି ସେହିପରି ହିଁ ଅମୋଘ । ତା’ଠାରୁ ମଧ୍ୟ ଅଧିକ ବଳବତୀ ସେ, ତେଜ ଶକ୍ତିରେ ପ୍ରଦୀପ୍ତ-। ଜାନ୍ତବ ପ୍ରକୃତିର ତମସାକୁ ନାଶ କରିବାକୁ ହିଁ ତାହାର ସୃଷ୍ଟି ! ଭାଇ ଭାଇକୁ, ବଡ଼ଭାଇ ସାନଭାଇକୁ ରକ୍ଷା କରିବାପାଇଁ ଚେଷ୍ଟା କରି ନାହିଁ, ନିଜର ପ୍ରାଣରକ୍ଷା ପାଇଁ ତାକୁ ହତ୍ୟା କରିଛି-। ଏ ହତ୍ୟା କଳଙ୍କଜନକ, ମଣିଷସମାଜରେ ଏକ ନିଷ୍ଠୁରତମ ପାପ ।

 

ଜୁରିମାନେ ଏକ ବାକ୍ୟରେ ଆସାମୀକୁ ଦୋଷୀ ଘୋଷଣା କରିଛନ୍ତି ।

 

ଆସାମୀ ମଧ୍ୟ ବୋଧହୁଏ ଅବିନାଶବାବୁଙ୍କ ବକ୍ତୃତାରେ ଅଭିଭୂତ ହୋଇଯାଇଥିଲା, ନଚେତ୍‌ ତା’ ମନଟା ବିଚିତ୍ର । ତା’ ଆଖିରୁ ଲୁହ ଝରିଆସିଥିଲା । ଅକସ୍ମାତ୍‌ କାଠଗଡ଼ାର ରେଲିଂ ଉପରେ ମୁଣ୍ଡ ରଖି ଧକେଇ ହୋଇ କାନ୍ଦିବାକୁ ଆରମ୍ଭ କରିଦେଇଥିଲା ସେ ।

 

ତା’ ଆଡ଼କୁ ଆଉ ଚାହିଁବାର ଅବକାଶ ନଥିଲା ସେତେବେଳେ । ସେ ସେତେବେଳକୁ ସମ୍ମୁଖ ଦିଗକୁ ଦୃଷ୍ଟି ନିବଦ୍ଧ କରି ଘୋଷଣା କରିଥିଲେ–ଜୁରିମାନଙ୍କ ସିଦ୍ଧାନ୍ତକୁ ଗ୍ରହଣ କରିଛି ଏବଂ ଆସାମୀର ଅପରାଧ ସଂପର୍କରେ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇ...

 

ପୁଣି ସେ ମୁହୂର୍ତ୍ତକ ପାଇଁ ସ୍ତବ୍‌ଧ ହୋଇରହିଥିଲେ । ହଠାତ୍‌ ଆଖିପଡ଼ିଥିଲା ସାମନାର କାନ୍ଥରେ–ଆସାମୀର ସେହି ଛାୟାଟି ଅଧେ ଚଟାଣ ଉପରେ, ଅଧେ କାନ୍ଥରେ ଅଙ୍କାବଙ୍କା ମସୀଲିପ୍ତ ଏକ ବିରାଟ ପ୍ରଶ୍ନଚିହ୍ନ ପରି ଠିଆହୋଇ ରହିଛି ! କିନ୍ତୁ ମୁହୂର୍ତ୍ତକ ଭିତରେ ହିଁ ସେ ଆତ୍ମସମ୍ବରଣ କରିନେଇଥିଲେ ।

 

ରାୟ ଦେଇଛନ୍ତି–ଯାବଜ୍ଜୀବନ ନିର୍ବାସନ । ଟ୍ରାନ୍‌ସପୋର୍ଟେସନ୍‌ ଫର୍‌ ଲାଇଫ୍‌ । ସଙ୍ଗେ ସଙ୍ଗେ ବିଶେଷଧାରା ଅନୁଯାୟୀ ଏହି ଅସ୍ୱାଭାବିକ ଆସାମୀର ପ୍ରାଣାନ୍ତକର ଅବସ୍ଥା ଭିତରେ ଘଟନା ସଂଘଟନର ଉଲ୍ଲେଖ କରି ରାଷ୍ଟ୍ରପତିଙ୍କ କରୁଣା ପାଇବାର ବିବେଚନା ପାଇଁ ସୁପାରିଶ୍‌ କରିଥିଲେ ।

 

କୋର୍ଟରୁ ଆସି ସିଧାସଳଖ ଘରେ ପଶି ଅଫିସ୍‌ରୁମ୍‌ରେ ବସିଥିଲେ । କାନ୍ଥରେ ପଡ଼ିଥିବା ସେହି ପ୍ରଶ୍ନଚିହ୍ନଟା କାଲି ଥିଲା ଅସ୍ପଷ୍ଟ; ଆଜି ସ୍ପଷ୍ଟ ଘନକଳା କାଳିରେ ଲେଖିଥିବା ପ୍ରଶ୍ନପରି ଠିଆହୋଇଛି ।

 

ସୁମତି ନିକଟରେ ତାଙ୍କର ଅପରାଧ ରହିଛି ? ଅଛି ? ଅଛି ? ନଥିଲେ ଛବିଟି କାହିଁକି ଢଙ୍କାହୋଇ ରହିଥାଏ ? କାହିଁକି କାହିଁକି ?

 

ଦୀର୍ଘକାଳପରେ ଆଜି ସେ ପଳାତକ ଆତ୍ମଗୋପନକାରୀର ଦୁର୍ବିସହ ଅବସ୍ଥା ଅନୁଭବ କରିଛନ୍ତି ।

ସେଥିପାଇଁ ଘରକୁ ଫେରି ସିଧାସଳଖ ଆସି ସୁମତିର ଛବିପାଖକୁ ଯାଇ ପର୍ଦ୍ଦାଟା ଆଡ଼େଇଦେଇ ମୁହାମୁହିଁ ଠିଆ ହୋଇଛନ୍ତି । କହ ତମର ଅଭିଯୋଗ । ମୋର ଭୟ କେଉଁଠି ? କହ ! କହ ! କହ !

ଚାହାକପ୍‌ରେ ଅଧର ଛୁଆଁଇ ଏକ ଦୀର୍ଘନିଃଶ୍ୱାସ ପକାଇଲେ ଜ୍ଞାନେନ୍ଦ୍ରନାଥ, ତା’ରି ଭିତରେ ମିଳାଇଗଲା ତାଙ୍କ ମୁହଁର ସେହି ବିଚିତ୍ର ଏକାଧାରରେ ବିଷଣ୍ଣ ଏବଂ ପ୍ରସନ୍ନ ହସଟିକକ । ସୁରମା ତାଙ୍କ ଛାତି ଉପରେ ହାତଟି ରଖି ଗାଢ଼ କଣ୍ଠରେ କହିଲେ–ଡାକ୍ତରଙ୍କୁ ଡାକିବି ?

–ନା ।

–ମୁଣ୍ଡ ଘୂରାଇଯାଇଥିଲା ବୋଲି ସ୍ୱୀକାର କରୁଛ, ତେବେକେ ଡାକ୍ତର ଡାକିବା କଥାରେ ନାହିଁ କରୁଛ ?

–କହୁଛି । ଦେହ ମୋର ଖରାପ ହୋଇନି । ତମେ ଜାଣିଛ, ମୁଁ ମିଛ କଥା କହେନି । ସେହି ସୁମତି; ସୁମତି ହଠାତ୍‌ ଆସି ମୋ ଆଗରେ ଠିଆ ହୋଇଥିଲା । ମୁଣ୍ଡଟା ଘୂରିଗଲା ।

ଚାହାକପ୍‌ଟିକୁ ଟେବୁଲ୍‌ ଉପରେ ରଖିଦେଇ ଜ୍ଞାନେନ୍ଦ୍ରନାଥ ଘର ଭିତରେ ମୁଣ୍ଡଟାକୁ ପୋତିଦେଇ ବୁଲିବାକୁ ଲାଗିଲେ । ମାଟିର କଣ୍ଢେଇଟିଏ ଭଳି ଟେବୁଲ୍‌ କୋଣଟି ଉପରେ ହାତଭରା ଦେଇ ଠିଆହୋଇ ରହିଲେ ସୁରମା ।

 

ଏକସମୟରେ ହଠାତ୍‌ ଜ୍ଞାନେନ୍ଦ୍ରନାଥଙ୍କର ବୋଧହୁଏ ଖିଆଲ ହେଲା–ଘରେ ସୁରମା ଏବେ ବି ରହିଛି । କହିଲେ–ଏବେ ବି ଠିଆହୋଇ ରହିଛି ? ନା । ଠିଆହୋଇ ରହନି । ଯାଅ, ପଦାକୁ ଯାଅ, ଖୋଲାପବନକୁ ଯାଅ । ଆଜିକ ପାଇଁ ମତେ ଛୁଟିଦିଅ, ଆଜିକ ପାଇଁ ।

 

ସାଧାରଣ ଝିଅ ହୋଇଥିଲେ ସୁରମା କାନ୍ଦ ଚିପି ରଖୁ ରଖୁ, ଦଉଡ଼ି ବାହାରିଯାଇଥାନ୍ତେ-। କିନ୍ତୁ ସୁରମା ଅରବିନ୍ଦ ଚାଟାର୍ଜୀଙ୍କ ଝିଅ, ଜ୍ଞାନେନ୍ଦ୍ରନାଥଙ୍କ ସ୍ତ୍ରୀ । ନୀରବରେ ଧୀର ପଦକ୍ଷେପ କରି ହିଁ ସେ ବାହାରିଗଲେ । ଲନ୍‌କୁ ଆସି କମ୍ପାଉଣ୍ଡ୍‌ର ଛୋଟ କାନ୍ଥ ଉପରେ ଭରାଦେଇ ପଶ୍ଚିମଦିଗର ଅସ୍ତମାନ୍‌ ସୂର୍ଯ୍ୟ ଆଡ଼କୁ ଚାହିଁ ଠିଆହୋଇ ରହିଲେ । ଦୁଇଟି ନିଃଶବ୍ଦ ଅଶ୍ରୁଧାରା ଝରିଯିବାକୁ ଆରମ୍ଭ କଲା ସୂର୍ଯ୍ୟଙ୍କୁ ସାକ୍ଷୀ ରଖି । ତାଙ୍କ ଜୀବନର ଆଲୋକ ମଧ୍ୟ କ’ଣ ଏହି ସୂର୍ଯ୍ୟାସ୍ତ ସାଙ୍ଗରେ ହିଁ ଅସ୍ତ ହୋଇଯିବ ? ଚିରଦିନପାଇଁ ଅସ୍ତ ହୋଇଯିବ ?

 

–ବୟ୍‌ । ଜ୍ଞାନେନ୍ଦ୍ରନାଥଙ୍କ କଣ୍ଠସ୍ୱର ଭାସିଆସିଲା ।

 

ଜ୍ଞାନେନ୍ଦ୍ରନାଥ ଘୂରିବୁଲୁଥିଲେ ଅବିଶ୍ରାନ୍ତଭାବରେ । ମନଭିତରେ ବିଚିତ୍ର ଭାବରେ କେତୋଟି କଥା ଘୂରିବୁଲୁଛି ।

 

ମାଣ୍ଡବ୍ୟ ଧର୍ମଙ୍କ ବିଧାନର ପରିବର୍ତ୍ତନ କରିଆସିଥିଲେ ।

 

ପଶୁ ପଶୁକୁ ହତ୍ୟାକରି ଖାଏ । ଖାଲି ହିଂସା ପାଇଁ ମଧ୍ୟ ଅକାରଣରେ ହତ୍ୟା କରେ । ତାହା ତା’ର ସ୍ୱ–ଧର୍ମ । ତା’ର ଧର୍ମର ଅଧିଷ୍ଠାତ୍ରୀ ଦେବତା ହେଉଛି ତାମସୀ । ମନୁଷ୍ୟ ଯେଉଁ ଧର୍ମକୁ ଆବିଷ୍କାର କରିଛି–ତାହା ସେତେବେଳେ ଭବିଷ୍ୟତର ଗର୍ଭରେ–ସେତେବେଳକୁ ସେ ଜନ୍ମି ନାହିଁ, ସେଥିରେ କୌଣସି ଦେବତାଙ୍କ ଶାସ୍ତିବିଧାନର ଅଧିକାର ନାହିଁ । ଏହିପରିକି ଅନୁତାପର ସୂଚୀମୁଖରେ ବି ଏତିକିଟିକିଏ ଅନୁଶୋଚନା ଜାଗ୍ରତ ହେବାର ଅବକାଶ ନାହିଁ ସେଥିରେ । ମନୁଷ୍ୟର ଜୀବନରେ ହିଁ ଏହି ତମସା ଭିତରେ ପ୍ରଥମ ଚୈତନ୍ୟର ଆଲୋକ ଜଳିଛି । ଶୈଶବ ବାଲ୍ୟ ଅତିକ୍ରମ କରି ସେହି ଚୈତନ୍ୟରେ ଉପନୀତ ହେବାର ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସକଳ ନିୟମର ବହିର୍ଭୂତ । ମାଣ୍ଡବ୍ୟ କହିଥିଲେ–ଯମ, ସେହି ଅମୋଘ ସତ୍ୟ ଅନୁଯାୟୀ ମୁଁ ତମର ବିଧାନକୁ ସଂଶୋଧନ କରୁଛି । ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ମଣିଷ ଅପରାଧ ଓ ଶାସ୍ତିର ଅତୀତ ।

 

ସେ ବିଧାନକୁ କୁଆଡ଼େ ଧର୍ମ ମାନିନେଇଥିଲେ ।

 

ଆଧୁନିକ ଯୁଗରେ ସେ ବିଧାନ ପୁଣି ସଂଶୋଧନ କରିଛି ମଣିଷ ।

 

ରାଷ୍ଟ୍ରୀୟ ଦଣ୍ଡବିଧିର ନିର୍ଦ୍ଦେଶ, ସାତବର୍ଷ ପର୍ଯ୍ୟନ୍ତ ମଣିଷର ଅପରାଧବୋଧ ଜାଗ୍ରତ ହୁଏନାହିଁ; ସୁତରାଂ ସେତେଦିନ ପର୍ଯ୍ୟନ୍ତ ସେ ଦଣ୍ଡବିଧିର ବାହାରେ ରହିବ । ରାଷ୍ଟ୍ରବିଧାତାମାନଙ୍କ ବିବେଚନାରେ ପାଞ୍ଚବର୍ଷଟା ବଢ଼ି ସାତବର୍ଷ ହୋଇଛି । ମଣିଷ ମହାତମସାର ଶକ୍ତିର ପ୍ରଚଣ୍ଡତା ନିର୍ଣ୍ଣୟ କରି ଶିହରି ଉଠି ତାକୁ ସଂଭ୍ରମ ସହିତ ସ୍ୱୀକାର କରିଛି । ସେଥିରେ ଭୁଲ୍‌ କରିନି ମଣିଷ । କାୟା ସଙ୍ଗେ ଛାୟା ପରି ତା’ର ଅସ୍ତିତ୍ୱ ତାହାକୁ କ’ଣ ଅସ୍ୱୀକାର କରିହୁଏ ? କିନ୍ତୁ ଏବେ ବି କ’ଣ...-?

 

ଏବେ ବି ମଣିଷର ଚୈତନ୍ୟ କ’ଣ ସାତବର୍ଷ ବୟସର ଗଣ୍ଡି ଅତିକ୍ରମ କରିନାହିଁ ?

 

ଏବେ ବି କ’ଣ ଆଦିମ ପ୍ରକୃତିର ଅନ୍ଧ ନିୟମର ପ୍ରଭାବ ନିକଟରେ ଅସହାୟ ଭାବରେ ଆତ୍ମସମର୍ପଣର ଦୁର୍ବଳତା କଟାଇବା ଭଳି ବଳ ସଞ୍ଚୟ କରିନାହିଁ ସେ ? ପ୍ରାଗୈତିହାସିକ ମନୁଷ୍ୟର ମସ୍ତିଷ୍କ ଗଠନ ସହିତ ଆଜିକାର ମନୁଷ୍ୟର କେତେ ପ୍ରଭେଦ !

 

ଗୁଳିବିଦ୍ଧହୋଇ ମରଣୋନ୍ମୁଖ ମଣିଷ ଆଜି ଅକ୍ରୋଧ ଭିତରେ ରାମନାମ ଉଚ୍ଚାରଣ କରିପାରିଛି । ଯୁଦ୍ଧରେ ଆହତ ମରଣୋନ୍ମୁଖ ମଣିଷ ନିଜ ମୁହଁର ଜଳ ଅପରର ମୁହଁକୁ ତୋଳିଦେଇଛି—‘ତମର ପ୍ରୟୋଜନ ବେଶି–Thy need is greater than mine.’

 

ନିଷ୍ଠୁରତମ ଅତ୍ୟାଚାରରେ ମଧ୍ୟ ମଣିଷ ଅନ୍ୟାୟ ନିକଟରେ ନତ ହୋଇନାହିଁ; ନ୍ୟାୟପାଇଁ ହସହସ ମୁହଁରେ ମୃତ୍ୟୁବରଣ କରିଛି । ଦୁର୍ବଳ ବିପନ୍ନକୁ ରକ୍ଷା କରିବାପାଇଁ ସବଳ ଡେଇଁପଡ଼ିଛି ବିପଦର ମୁହଁକୁ, ନିଜେ ମୃତ୍ୟୁବରଣ କରି ଦୁର୍ବଳକୁ ରକ୍ଷାକରିଛି । ବିବେଚନା କରିବାକୁ ସମୟ ପ୍ରୟୋଜନ ହୋଇନାହିଁ । ଚୈତନ୍ୟର ନିର୍ଦ୍ଦେଶ ପ୍ରସ୍ତୁତ ହୋଇ ରହିଥିଲା । ଚୈତନ୍ୟ ଜୀବପ୍ରକୃତିର ଅନ୍ଧ ନିୟମକୁ ଅବଶ୍ୟ ଅତିକ୍ରମ କରିଛି ।

 

ସେ ନିଜେ ବି ତ କରିଛନ୍ତି–କ୍ଷେତ୍ରଟା ଟିକିଏ ସ୍ୱତନ୍ତ୍ର ।

 

ସେ ସୁରମାକୁ ଭଲପାଇଥିଲେ; କିନ୍ତୁ ସୁମତି ପ୍ରତି କୌଣସି ବିଶ୍ୱାସଘାତକତା କରିନାହାନ୍ତି । ସୁମତି ବଞ୍ଚିଥିବାତକ ଥରଟିଏ ପାଇଁ ସୁଦ୍ଧା ସୁରମାକୁ ନିଜ ମୁହଁରେ କହିନାହାନ୍ତି ଯେ, ତମକୁ ମୁଁ ଭଲପାଏ । ମନଭିତରେ ନ ପାଇବାର ବେଦନାଥିଲା, ସେ ବେଦନାକୁ ବି ସେ ବୁକୁ ଭିତରେ ନିରୁଦ୍ଧ କରି ରଖିଥିଲେ । କିନ୍ତୁ ପାଇବାର ଆକାଙ୍‌କ୍ଷାକୁ ଗୋପନତମ ଅନ୍ତରରେ ବି ଆତ୍ମପ୍ରକାଶ କରିବାକୁ ଦେଇନାହାନ୍ତି । ସେ ଅତିକ୍ରମ କରିଛନ୍ତି ନିଶ୍ଚୟ ! ତାପରେ ବି ସେ ବାଟ ଚାଲିଛନ୍ତି । କୌଣସିଦିନ ଥରଟିଏ ପାଇଁ ସୁଦ୍ଧା ଅଟକି ଯାଇନାହାନ୍ତି । ଜୀବନରେ ତମସାର ସୀମାରେଖାକୁ ଅନେକ ପଛରେ ପକାଇଦେଇ ଆସିଛନ୍ତି ।

 

ଆଖିଦୁଇଟିର ଦୃଷ୍ଟି ତାଙ୍କର ଅସ୍ୱାଭାବିକ ଉଜ୍ଜ୍ୱଳ ।

 

ପୁଣି ଆସି ଠିଆହେଲେ ସୁମତିର ଛବି ଆଗରେ । ଆଲୁଅ ଭଲରୂପେ ଆସି ପଡ଼ୁନାହିଁ, ଭଲରୂପେ ଦେଖାଯାଉନାହିଁ, ସେ ଡାକିଲେ–ବୟ !

 

–ଛବିଟାକୁ ତଳକୁ ଆଣିଲ । ସେଇ ଚଉକି ଉପରେ ରଖ ।

 

ସୁମତିର ଛବି ଆଖିରେ ବି ଯେମିତି ଅଭିଯୋଗ ଫୁଟି ରହିଛି, ଯେଉଁଥିପାଇଁ ଛବିଟିକୁ ଘୋଡ଼ାଇ ରଖିବାକୁ ଆଦେଶ ଦେଇଛନ୍ତି ସେ । ଆଜି ଛବିଟିକୁ ଅତ୍ୟନ୍ତ ନିକଟକୁ ଆଣି, ପ୍ରକୃତ ସୁମତି ପରି ସାମନାକୁ ଆଣି ତା’ ସହିତ ଗୋଟାଏ ଶେଷ ସମାଧାନ କରିବେ ।

 

ପରିପୂର୍ଣ୍ଣ ଆଲୋକ ସମ୍ମୁଖରେ ରଖି ଛବିର ଆଖିରେ ଆଖିରଖି ହିଁ ସ୍ଥିର ଭାବରେ ଠିଆହେଲେ ଜ୍ଞାନେନ୍ଦ୍ରନାଥ । କ୍ଳାନ୍ତ ଚିନ୍ତାପ୍ରଖର ମସ୍ତିଷ୍କ ଭିତରେ ଯେପରି ଝଡ଼ ବହିଯାଉଛି । ସେପଟେ ହୃଦୟରେ ଏକ କମ୍ପନ ଅନୁଭବ କରୁଛନ୍ତି । ପ୍ରାଣପଣେ ନିଜକୁ ସଂଯତ ସ୍ଥିରକରି ରଖିବାକୁ ଚାହିଁଲେ ସେ । ସମୁଦ୍ରରେ ଝଡ଼–ବିପନ୍ନ ଜାହାଜର ଷ୍ଟିଅରିଂଧାରୀ ନାବିକ ପରି । ସବୁ ବିଲପ୍ତ ହୋଇଯାଇଛି । ଅଛନ୍ତି କେବଳ ସେ ଓ ସୁମତିର ଛବି । ଛବି ନୁହେଁ–ସେହି ଛବିଟି ଆଜି ଆଉ ଛବି ନୁହେଁ ତାଙ୍କ ପାଖରେ, ସେ ଯେପରି ଜୀବନମୟୀ ହୋଇଯାଇଛି । ଅକସ୍ମାତ୍‌ ସ୍ଥିର ନୀଳ ଆକାଶ ଯେପରି ମେଘପୁଞ୍ଜର ଆବର୍ତ୍ତନରେ, ବାୟୁବେଗରେ, ପ୍ରଶାନ୍ତ ବିଦ୍ୟୁତ୍‌ର ଗର୍ଜନରେ ବାକ୍‌ମୟ ମୁଖର ହୋଇଉଠେ, ସେହିପରି ମୁଖର ହୋଇଉଠିଛି ଏହିସବୁ ଯେ ତାଙ୍କର ଚିତ୍ତଲୋକର ପ୍ରତିଫଳନ, ସେକଥା ସେ ଜାଣିଛନ୍ତି । ଆକାଶ ମେଘ ନୁହେଁ, ଆକାଶରେ ମେଘ ଆସି ଜମେ, ସେହିପରି ଭାବରେ ଛବିଟିରେ ନିଷ୍ଠୁର ଅଭିଯୋଗର ପ୍ରଖର ମୁଖରତା ଆସି ଜମା ହୋଇଯାଇଛି ।

 

ବାରମ୍ବାର ଛବିଟିର ସାମନାରେ ଆସି ଠିଆହେଲେ, ପୁଣି ଘରଟି ଭିତରେ ବୁଲିବାକୁ ଲାଗିଲେ । କାନ୍ଥଘଣ୍ଟାରେ ପେଣ୍ଡୁଲମ୍‌ର ଅବିରାମ ଟକ୍‌–ଟକ୍‌ ଟକ୍‌–ଟକ୍‌ ଶବ୍ଦ ଛଡ଼ା ଆଉ କିଛି ଶବ୍ଦ ନାହିଁ । ସମୟ ଚାଲିଛି–ତା’ରି ଭିତରେ ଗତି ଆଗେଇ ଚାଲିଛି ।

 

ଏହି ଅଭିଯୋଗର ଉତ୍ତର ତାଙ୍କୁ ଦେବାକୁ ହିଁ ପଡ଼ିବ । ଏହି ନିଷ୍ଠୁର ଅଭିଯୋଗ ମୁଖରତାକୁ ସ୍ତବ୍‌ଧ କରି ଦେବାକୁ ପଡ଼ିବ ନିଜ ଉତ୍ତରରେ । ତାଙ୍କ ନିଜର ଅନ୍ତରଲୋକରେ ଯେପରି ଲକ୍ଷଲକ୍ଷ ଲୋକ ଉଦ୍‌ଗ୍ରୀବ ହୋଇ ରହିଛନ୍ତି ତାଙ୍କର ଉତ୍ତର ଶୁଣିବା ପାଇଁ । ସେ ନିଜେ ଠିଆ ହୋଇଛନ୍ତି ସେମାନଙ୍କ ଆଗରେ ।

 

–କହ, କହ ସୁମତି, କହ ତମର ଅଭିଯୋଗ !

 

ଛବିର ସାମନାରେ ଠିଆହୋଇ ପ୍ରଶ୍ନ ପଚାରିଲେ–କହ !

 

ଓଃ କି ଗଭୀର ବେଦନା ସୁମତିର ଆଖିରେ ଆଉ ମୁହଁରେ ।

 

–ଏତେ ଦୁଃଖ ପାଇଛ ? କିନ୍ତୁ କ’ଣ କରିବି କହ ? ଦୁଃଖ ତ ମୁଁ ଦେଇନି ସୁମତି, ନିଜର ଦୁଃଖକୁ ତମେ ନିଜେ ତିଆରି କରିଛ ! ଗୋଟିପୋକ ଭଳି ତମେ ନିଜେ ଦୁଃଖର ଜାଲ ବୁଣି ନିଜକୁ ତାରି ଭିତରେ ଆବଦ୍ଧ କରିଦେଲ ।

 

–କ’ଣ କହୁଛ ? ମୁଁ ତମକୁ ଭଲପାଇଥିଲେ ତମର ଇମିତି ହୋଇନଥାନ୍ତା ? ମୋର ମନ, ମୋର ହୃଦୟ, ମୋର ଭଲପାଇବା ପାଇଥିଲେ ତମେ ପ୍ରଜାପତି ପରି ଅପରୂପା ହୋଇ ସମସ୍ତ ବନ୍ଧନ କାଟି ବାହାରିଯାଇଥାନ୍ତ ? ମନ ହୃଦୟ ଭଲପାଇବା ନଦେବାର ଅପରାଧରେ ମୁଁ ଅପରାଧୀ ?

 

–ନା ସ୍ୱୀକାର କରିବିନି । ମନ ହୃଦୟ ଭଲପାଇବା ଦେବାକୁ ମୁଁ ଚାହିଁଥିଲି ତମେ ନେଇପାରିଲ ନାହିଁ, ତମର ହାତରେ ଧରିଲ ନାହିଁ ! ଏ ସଂସାରରେ ଯାହାର ଯେତିକି ଶକ୍ତି, ତା’ଠାରୁ ଏକ ତିଳ ବେଶି କେହି ପାଏନାହିଁ ।

 

ତାହା ତା’ର ପ୍ରାପ୍ୟ ନୁହେଁ । ଈଶ୍ୱରଙ୍କ ଦ୍ୱାହି ଦେଲେ ବି ହୁଏନାହିଁ । ଧର୍ମ ମନ୍ତ୍ର ଶପଥ କାହାରି ବଳରେ ତାହା ସମ୍ଭବ ହୁଏନାହିଁ । ହାତକୁ ବଢ଼ାଇଦେଲେ ହାତବାଟେ ଖସିପଡ଼େ, କାନିରେ ବାନ୍ଧିଦେଲେ ନିଜେ ତାହା କାନିର ଗଣ୍ଠି ଫଟାଇ ହଜିଯାଏ, କାନି ଚିରିପକାଏ । ହଁ କରିପାରେ, ଗୋଟିଏ ଜିନିଷ ପ୍ରାପ୍ୟ ନହେଲେ ବି ମଣିଷ ମଣିଷକୁ ଦେଇପାରେ ଦାନ–ଦୟା । ତା’ ବି ଦେଇଥିଲି । ତମେ ତା’ ମଧ୍ୟ ନେଲନାହିଁ ।

 

ଛବିର ସାମନାରେ ଠିଆହୋଇ ଜ୍ଞାନେନ୍ଦ୍ରନାଥ ସତକୁସତ କଥା କହୁଥିଲେ । ଆଖିର ଦୃଷ୍ଟ ତାଙ୍କର ସ୍ୱାଭାବିକ ଉଜ୍ଜ୍ୱଳ । ଛବି ଯେପରି ତାଙ୍କ ସାମନାରେ କଥା କହୁଛି । ଅଶରୀରୀ ଆବିର୍ଭାବ ସେ ଯେପରି ପ୍ରତ୍ୟକ୍ଷ ଦେଖୁଛନ୍ତି । ଶବ୍ଦହୀନ କଥା ଯେପରି ଶୁଣିପାରୁଛନ୍ତି । ସେ ଯେପରି ବିଶ୍ୱଜଗତର ସକଳ ମନୁଷ୍ୟ ଜନତା ଭିତରେ ସୁମତି ସହିତ ମୁହାଁମୁହିଁ ଠିଆହୋଇଛନ୍ତି ।

 

–କ’ଣ କହିଲ ? ସୁରମାକୁ ତ ଭଲ ପାଇ ପାରିଥିଲି ।

 

–ନପାଇ ତ ମୋର ଉପାୟ ନଥିଲା ସୁମତି । ତା’ର ନେବାର ଶକ୍ତି ଥିଲା, ସେ ନେଇପାରିଥିଲା, ନେଇଥିଲା । ସେକଥା ବି କାହିଁକି କୁହାଯିବ ? ତମେ ନିଜେ ନ ନେଇ ଫୋପାଡ଼ି ତା’ ହାତରେ ପକାଇ ଦେଇଥିଲ, ଟେକି ଦେଇଥିଲ । ତୁମେ ହିଁ ଅକାରଣ ସନ୍ଦେହର ମଣିଷ ସହିତ ମଣିଷର ପ୍ରୀତିକୁ ଅଭିଶାପ ଦେବାକୁ ଯାଇ ବିଚିତ୍ର ନିୟମରେ ଆଶୀର୍ବାଦରେ ସାର୍ଥକ ପ୍ରେମରେ ପରିଣତ କରିଥିଲ । ପ୍ରୀତିକୁ ତମେ ବିଷ ଦେଇ ମାରିଦେବାକୁ ଗଲ, ପ୍ରୀତି ସେ ବିଷ ଖାଇ ନୀଳକଣ୍ଠ ପରି ଅମରପ୍ରେମ ହୋଇଗଲା !

 

–କ’ଣ କହୁଛ ? ବାହାବେଳେ ମୁଁ ପ୍ରତିଶ୍ରୁତି ଦେଇଥିଲି– ?

 

–ଦେଇଥିଲି । ସେ ପ୍ରତିଶ୍ରୁତି ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି ! ସୁରମାକୁ ଭଲପାଇ ସୁଦ୍ଧା ତମେ ଜୀବିତ ଥିବାବେଳେ କୌଣସିଦିନ ବାକ୍ୟରେ ପ୍ରକାଶ କରି ନାହିଁ, ଅନ୍ତରରେ ପ୍ରଶ୍ରୟ ଦେଇନାହିଁ, ମନରେ କଳ୍ପନା କରିନାହିଁ । ତମେ ମୋର ଧୈର୍ଯ୍ୟକୁ ଆଘାତ କରି ଭାଙ୍ଗିବାକୁ ଚାହିଁଥିଲ । ମୁଁ ଛାତି ପତାଇ ସହିଛି, ଭାଙ୍ଗିବାକୁ ଦେଇନି । ଶେଷକୁ ତମେ ନିଆଁ ଧରାଇଦେଲ । ସେ ନିଆଁ ଘରେ ଲାଗିଲା । ସେହି ନିଆଁରେ ତମେ ନିଜେ ପୋଡ଼ି ପାଉଁଶ ହୋଇଗଲ । ମୁଁ ପୋଡ଼ିଗଲି । କୌଣସି ପ୍ରକାରେ ବଞ୍ଚିଛି, କିନ୍ତୁ ମୁଁ ନିର୍ଦ୍ଦୋଷ ।

 

–କ’ଣ ?

 

ଆକସ୍ମାତ୍‌ ଆଖିଦୁଇଟା ତାଙ୍କର ବିସ୍ଫାରିତ ହୋଇଗଲା । ଏକ ମୁହୂର୍ତ୍ତ ସ୍ତବ୍‌ଧ ହୋଇ ବିସ୍ଫାରିତ ଆଖିର ନିଷ୍ପଲକ ଦୃଷ୍ଟିରେ ଛବି ଆଡ଼କୁ ଚାହିଁ ରହିଲେ, ତାପରେ ଚପାଗଳାରେ ପ୍ରଶ୍ନକଲେ–

 

–କ’ଣ ?

 

–କ’ଣ କହୁଛ ?

 

–ସେହି ଚରମ ମୁହୂର୍ତ୍ତଟିରେ ମୁଁ ତମର ହାତରୁ ମୋ ହାତ ଛଡ଼େଇ ନେଇଥିଲି ? ମୁଁ ଯେ ତମକୁ ବିପଦରେ ଆପଦରେ ଆଘାତ–ଅକଲ୍ୟାଣରେ ରକ୍ଷା କରିବାକୁ ଈଶ୍ୱରଙ୍କୁ ସାକ୍ଷୀ କରି ପ୍ରତିଜ୍ଞା କରିଥିଲି । ସେ ପ୍ରତିଜ୍ଞା–

 

–ହଁ, ହଁ କରିଥିଲି । ସେ ପ୍ରତିଜ୍ଞା ରକ୍ଷା କରିପାରିନାହିଁ । ସ୍ୱୀକାର କରୁଛି ! ସ୍ୱୀକାର କରୁଛି ! କିନ୍ତୁ କ’ଣ କରିବି ? ତମ ନିଜ ହାତରେ ଭଙ୍ଗା କାଚଖଣ୍ଡ– ।

 

–କ’ଣ ? କ’ଣ ? ସେଇଟାକୁ ବାହାର କରି କ’ଣ ତମକୁ ଛାଡ଼ି ଉପରକୁ ତୋଳିନେଇ ବାହାରିବାର ଶେଷ ଚେଷ୍ଟା କରିନି ? ନା, ନା, କରିନି । ତମର ଜୀବନ ବଞ୍ଚାଇବାକୁ ନିଜର ଜୀବନ ବିସର୍ଜନ କରିଦେଇ ପାରିଥାନ୍ତି–ଦେବା ଉଚିତ ଥିଲା, ତା’ ମୁଁ କରିପାରି ନାହିଁ । ମୁଁ ଦେଇନାହିଁ ! ସେକଥା ସ୍ୱୀକାର କରୁଛି ମୁଁ !

–କ’ଣ ? ପୃଥିବୀରେ ମଣିଷର ଚୈତନ୍ୟ ଅନେକଦିନ ଆଗରୁ ସାତବର୍ଷ ପାର ହୋଇଛି ? ହଁ ହୋଇଛି ! ନିଶ୍ଚୟ ପାର ହୋଇଛି ! ମୁଁ ଅପରାଧ ସ୍ୱୀକାର କରୁଛି !

ଅବସନ୍ନଭାବରେ ସେ ଯେପରି ଭାଙ୍ଗିପଡ଼ିଲେ । ଠିଆହୋଇ ରହିବା ଶକ୍ତି ନଥିଲା ଆଉ-। ଗୋଟିଏ ଚଉକିରେ ବସି ମୁଣ୍ଡଟିକୁ ନୁଆଇଁ ଟେବୁଲ୍‌ ଉପରେ ରଖିଲେ । ଅଦୃଶ୍ୟ ପୃଥିବୀର ଜନତାଙ୍କ ସମ୍ମୁଖରେ ସେ ଯେପରି ନତଜାନୁ ହୋଇ ବସିବାକୁ ଚାହିଁଲେ । ପୁଣି ମୁଣ୍ଡ ଟେକିଲେ ସୁମତି ଯେପରି ଏବେ ମଧ୍ୟ କ’ଣ କହୁଛି ।

–କ’ଣ ଯେ ? କ’ଣ କହୁଛ ?

–ଆହୁରି ବେଶି ସୂକ୍ଷ୍ମଭାବରେ ବିଚାର କରିବାକୁ କହୁଛ ?

–କହୁଛ, ନିୟତି ନିଆଁର ବାଡ଼କୁ ଛିଦ୍ରହୀନ କରି ତମକୁ ଘେରି ରଖିଥିଲା, ଖାଲି ଗୋଟିଏ ଛିଦ୍ରପଥ ଥିଲା ମୋର ହାତଟିର ଆଶ୍ରୟ ? ଆକୁଳ ଆଗ୍ରହରେ, ପରମ ବିଶ୍ୱାସରେ ସେହିପଥରେ ହାତ ବଢ଼ାଇ ଧରିଥିଲ, ମୁଁ ହାତ ଛଡ଼ାଇ ସେହି ପଥ ଟିକକ ବନ୍ଦ କରିଦେଇଥିଲି ?

–ହଁ ଦେଇଥିଲି ! ଦେଇଥିଲି ! ଦେଇଥିଲି ! ମୁଁ ଅପରାଧୀ । ହଁ, ମୁଁ ଅପରାଧୀ ।

ତାଙ୍କର ଚେତନା ଯେପରି ବିଲୁପ୍ତ ହୋଇଯାଉଛି । ପ୍ରାଣପଣେ ନିଜକୁ ସଚେତନ ରଖିବାକୁ ଚେଷ୍ଟାକଲେ । ନିଜର ଚୈତନ୍ୟକୁ ଅଭିଭୂତ ହେବାକୁ ଦେବେନି ସେ । ସକଳ ଆବେଗ, ସକଳ ଗ୍ଳାନିର ପୀଡ଼ାକୁ ସହ୍ୟ କରି ସେ ସ୍ଥିର ହୋଇ ରହିବେ ।

 

କେତେ ସମୟ ଅତୀତ ହୋଇଗଲାଣି । ସେ ହିସାବ ତାଙ୍କର ନଥିଲା । ଘଡ଼ିଟା ଟିକ୍‌ ଟିକ୍‌ ଶବ୍ଦରେ ଚାଲିଛି–ସେହିପରି ଚାଲିଛି; ସେଆଡ଼କୁ ସେ ଚାହିଁଲେ ନାହିଁ । ଖାଲି ଏ ଟିକକ ମନେଅଛି–ସୁରମା ଆସି ଫେରିଯାଇଛନ୍ତି । ବୟ କେତେଥର ଦ୍ୱାରର ସେପଟେ ଥାଇ ହିଁ ବୋଧହୁଏ ଶବ୍ଦ କରି ତାଙ୍କର ମନଯୋଗ ଆକର୍ଷଣ କରିବାକୁ ଚାହିଁଛି । କିନ୍ତୁ ସେ ମୁଣ୍ଡ ଉଠାଇ ନାହାନ୍ତି । ଖାଲି ନିଜକୁ ସ୍ଥିର ଚୈତନ୍ୟରେ ଅଧିଷ୍ଠିତ କରିବାର ଚେଷ୍ଟା କରିଛନ୍ତି । ତପସ୍ୟା କରିଛନ୍ତି-

 

ମୁଣ୍ଡ ଟେକିଲେ ସେ । ଆଖିରେ ମୁହଁରେ ପ୍ରଶାନ୍ତ ସ୍ଥିରତା, ବିଚାର ବୁଦ୍ଧି ଅବିଚଳିତ, ମସ୍ତିଷ୍କ ସ୍ଥିର, ଚୈତନ୍ୟ ତାଙ୍କର ଅବିଚଳ ସ୍ଥିରତାରେ ଅକଂପିତ ଶିଖା ପରି ଦୀର୍ଘ ଊର୍ଦ୍ଧ୍ୱମୁଖୀ ହୋଇ ଜଳୁଛି । ଆଦିଅନ୍ତହୀନ ମନଆକାଶ ଶରତର ପୂର୍ଣ୍ଣଚନ୍ଦ୍ରଙ୍କ ଦୀପ୍ତି ପରି ଦୀପ୍ତିରେ ପ୍ରସନ୍ନ ଉଜ୍ଜ୍ୱଳ । ଚାରିପଟେ କ୍ଷୁଦ୍ର କ୍ଷୁଦ୍ର ଅସଂଖ୍ୟ ଆଲୋକବିନ୍ଦୁ ପରି କେଉଁମାନଙ୍କର ମୁହଁଗୁଡ଼ିକ ଭାସିଉଠୁଛି ଯେପରି । କେଉଁମାନଙ୍କର ?

 

ଯେଉଁମାନଙ୍କର ବିଚାର କରିଛନ୍ତି–ସେମାନେ ?

 

ବିଚାର ଦେଖିବାକୁ ଆସିଛନ୍ତି ସେମାନେ ! ଡିଭାଇନ୍‌ ଜଷ୍ଟିସ୍‌ ! ଡିଭାଇନ୍‌ ଜଜ୍‌ମେଣ୍ଟ୍‌ !

 

କୌଣସି ସମାଜର, କୌଣସି ରାଷ୍ଟ୍ରର ଦଣ୍ଡବିଧି ଅନୁସାରେ ନୁହେଁ, ଏ ଦଣ୍ଡବିଧି ସବୁଦେଶର ସବୁସମାଜର ଅତୀତ ଦଣ୍ଡବିଧି । ସୂକ୍ଷ୍ମତମ, ପବିତ୍ରତମ, ଡିଭାଇନ୍‌ !

 

ଆତ୍ମସମର୍ପଣ କରିବେ ସେ । କାଲି ସବୁ ପ୍ରକାଶ କରି ଆଇନ୍‌ ପାଖରେ ସେ ଆତ୍ମସମର୍ପଣ କରିବେ । ଅବଶ୍ୟ କୌଣସି ମୂଲ୍ୟ ନାହିଁ ତା’ର; କାରଣ ସେ ଜାଣନ୍ତି–କୌଣସି ଦେଶର ପ୍ରଚଳିତ ଦଣ୍ଡବିଧିରେ ହିଁ ଏ–ଅପରାଧ ଅପରାଧ ବୋଲି ଗଣ୍ୟ ନୁହେଁ, କୌଣସି ମନୁଷ୍ୟ–ବିଚାରକ ଏହାର ବିଚାର ବି ଜାଣନ୍ତି ନାହିଁ । ସେ ନିଜେ ମଧ୍ୟ ବିଚାରକ, ସେ ଜାଣନ୍ତି ନାହିଁ–ଏହାର ବିଚାର–ବିଧି କ’ଣ, କ’ଣ ଏହାର ଶାସ୍ତି !

 

ବିଚାର କରିପାରନ୍ତି ଈଶ୍ୱର । ଈଶ୍ୱରଙ୍କ ଛଡ଼ା ଏହାର ବିଚାରକ ନାହାନ୍ତି । ଆଜି ଈଶ୍ୱରଙ୍କୁ ସେ ସ୍ୱୀକାର କରିଚନ୍ତି । ତେବେକେ ପ୍ରକାଶ୍ୟରେ ଆତ୍ମସମର୍ପଣ କରିବେ । ତା’ ଆଗରୁ–-

 

ସୁରମା !

 

କାହିଁ ସୁରମା ? ହୁଏତ ପଥର ହୋଇଯାଇଛି ସୁରମା । ବୁକୁ ଚିରି ଆପେଆପେ ଦୀର୍ଘନିଃଶ୍ୱାସଟିଏ ବାହାରି ଆସିଲା । ଧୀର ପଦକ୍ଷେପରେ ସେ ବାହାରି ଆସିଲେ । ସୁରମାର ସନ୍ଧାନରେ ହିଁ ଚାଲିଥିଲେ; କିନ୍ତୁ ବାରଣ୍ଡାକୁ ଆସି ଥମକି ଠିଆହୋଇପଡ଼ିଲେ । ମନେହେଲା ବିଚାରସଭା ଯେପରି ବସିଗଲାଣି ।

 

ମଧ୍ୟରାତ୍ରିର ପୃଥିବୀ ଧ୍ୟାନମଗ୍ନା ପରି ସ୍ଥିର ସ୍ତବ୍‌ଧ । ଆକାଶରେ ମଧ୍ୟ ଗଗନରେ ଚନ୍ଦ୍ରମା, ମହା ବିରାଟଙ୍କ ଲଲାଟ–ଜ୍ୟୋତି ପରି ଦୀପ୍ୟମାନ । ଖଣ୍ଡ ଖଣ୍ଡ ମେଘ ଭିତରେ ବର୍ଷଣଧୌତ ଗାଢ଼ନୀଳ ଆକାଶଖଣ୍ଡ ନିରପେକ୍ଷ ମହାବିଚାରକଙ୍କ ଲଲାଟ ପରି ପ୍ରସନ୍ନ । ବିଚାରକ ଯେପରି ଆସନ ଗ୍ରହଣ କରି ଅପେକ୍ଷା କରୁଛନ୍ତି ।

 

ଧୀରେ ଧୀରେ ଅଭିଭୂତ ପରି ଓହ୍ଲାଇ ପ୍ରାଙ୍ଗଣର ଠିକ୍‌ ମଝିରେ ଠିଆହେଲେ ସେ । ସୂକ୍ଷ୍ମତମ ବିଚାରରେ ନିଜର ଅପରାଧ ସ୍ୱୀକୃତି ଭିତରୁ ଏକ ବୈରାଗ୍ୟମୟ ଆତ୍ମସମର୍ପଣର ପ୍ରସନ୍ନତା ତାଙ୍କ ଅନ୍ତର ଭିତରେ ମେଘମୁକ୍ତ ଆକାଶପରି ପ୍ରକାଶିତ ହେଉଛି । ଆକାଶଠାରୁ ମାଟିପର୍ଯ୍ୟନ୍ତ ଅମଳିନ ଜ୍ୟୋତ୍ସ୍ନର ଜ୍ୟୋତିଷ୍ମାନତା ଓ ମହାମୌନତା ଭିତରେ ସେ ଯେପରି ଏକ ଚିତ୍ତ–ଅଭିଭୂତକାରୀ ମହାସତ୍ତାକୁ ଅନୁଭବ କଲେ । ଅଭିଭୂତ ହୋଇପଡ଼ିଲେ ସେ । ଅଥଚ କେତୋଟି ଦିନ ବର୍ଷା ପବନରେ କି ଦୁର୍ଯୋଗ ଭିତରେ ଚାଲିନଥିଲା !

 

ସୃଷ୍ଟିର ସେହି ଆଦିକାଳଠାରୁ ଚାଲିଛି ଏହି ତପସ୍ୟା । ମହା ଉତ୍ତାପରେ ଫୁଟନ୍ତା ଦାବଦାହରେ ଦଗ୍‌ଧ, ପ୍ରଳୟଝଞ୍ଜାରେ ବିକ୍ଷୁବ୍‌ଧ ବିପର୍ଯ୍ୟସ୍ତ, ମହାକର୍ଷଣରେ ପ୍ଲାବିତ ବିଧ୍ୱସ୍ତ ପୃଥିବୀ ଏହି ତପସ୍ୟାର ଆଶୀର୍ବାଦରେ ଆଜି ଶସ୍ୟଶ୍ୟାମଳତାରେ ପ୍ରସନ୍ନା, ପ୍ରାଣସ୍ପନ୍ଦିତା, ଚୈତନ୍ୟମୟୀ । ସେହି ତପସ୍ୟାରତ ମହାସତ୍ତା ଏହି ମୁହୂର୍ତ୍ତରେ ଯେପରି ପ୍ରତ୍ୟକ୍ଷ୍ୟ ହୋଇ ଆତ୍ମପ୍ରକାଶ କଲେ ଜ୍ଞାନେନ୍ଦ୍ରନାଥଙ୍କ ଅଭିଭୂତ ସତ୍ତାର ସମ୍ମୁଖରେ । ଧ୍ୟାନ ନିମ୍ମୀଳିତ ନେତ୍ର ଉନ୍ମୀଳିତ କରି ଯେପରି ତାଙ୍କର ବକ୍ତବ୍ୟର ପ୍ରତୀକ୍ଷା କରୁଛନ୍ତି ସେ ।

 

ଜ୍ଞାନେନ୍ଦ୍ର ନାଥ ଆକାଶଆଡ଼କୁ ଦୃଷ୍ଟି ନିବଦ୍ଧ କଲେ ।

 

–ମୋର ବିଚାର କର, ଶାସ୍ତି ଦିଅ । ତମସାର ସକଳ ଗ୍ଲାନିର ଊର୍ଦ୍ଧ୍ୱକୁ ଉତ୍ତୀର୍ଣ୍ଣ କର ମତେ । ମୋତେ ମୁକ୍ତି ଦିଅ !

 

ପଛରେ ଭିଜାଘାସ ଉପରେ ପାଦଶବ୍ଦ ଶୁଭୁଛି । କ୍ଳାନ୍ତିରେ ମନ୍ଥର । ଅନ୍ତରର ବେଦନାରେ ବିଷଣ୍ଣତାର ମୃଦୁ । ସୁରମା ଆସୁଛନ୍ତି । ଅଶ୍ରୁମୁଖୀ ସୁରମା ।

 

ତେବେକେ ସେ ମୁହଁ ଫେରାଇଲେ ନାହିଁ ।

 

ଆଦିଅନ୍ତହୀନ ବ୍ୟାପ୍ତି ଭିତରେ ତପସ୍ୟାରତ ଜ୍ୟୋତିଷ୍ମାନ୍‌ ଏହି ବିରାଟ ସତ୍ତାର ପାଦମୂଳରେ ପ୍ରଣତି ରଖି ତାଙ୍କର ଅନ୍ତରାତ୍ମା ସେତେବେଳେ ସ୍ଥିର ଶାନ୍ତ ସ୍ତବ୍‌ଧ ହୋଇଆସୁଛି । ସୁମତିର ଭ୍ରୂକୁଟି ବିଗଳିତ ହୋଇ ମିଶିଯାଉଛି ପ୍ରସନ୍ନ ମହାସତ୍ତା ଭିତରେ ।

 

ଆଜି ଯଦି କୌଣସିପ୍ରକାରେ ସୁରମା ମରଣ–ଆକ୍ରମଣରେ ଆକ୍ରାନ୍ତ ହେବେ–ଖାଲି ସୁରମା କାହିଁକି–ଯେକୌଣସି ଲୋକ ହୋଇଥାଉ । ତେବେ ନିଜର ଜୀବନ ଦେଇ ସେ ତାଙ୍କୁ ରକ୍ଷା କରିବାକୁ ଡେଇଁପଡ଼ିବେ । ମୃତ୍ୟୁ ଭିତରେ, ଅମୃତ ଅସୀମ ଶୂନ୍ୟ ଆକାଶର ପୂର୍ଣ୍ଣଚନ୍ଦ୍ର ପରି ପ୍ରତ୍ୟକ୍ଷ-। ତାଙ୍କର ଅନ୍ତର୍ଲୋକରେ ଚୈତନ୍ୟ ଶତଦଳ ପରି ଶେଷ ପାଖୁଡ଼ାଗୁଡ଼ିକ ଖୋଲିଯାଉଛି-

 

ସୁରମା ଆସି ଠିଆହେଲେ ତାଙ୍କ ନିକଟରେ । ଶାନ୍ତ କ୍ଳାନ୍ତ ମୁହଁଟିର ଚାରିପାଖରେ ବାଳଗୁଡ଼ିକ ଲମ୍ୱିଆସିଛି, ଦୁଇଆଖି କୋଣରୁ ଝରିଆସିଛି ଦୁଇଟି ବିଶୀର୍ଣ୍ଣ ଜଳଧାରା, ନିରାଭରଣା–ବେଦନାର୍ତ୍ତା–ପିନ୍ଧିଛନ୍ତି ଖଣ୍ଡେ ସାଧା ଶାଢ଼ି, ତପସ୍ୱିନୀ ପରି ।

Image